Unknown

 

 

 

 

 

 

 

 

 

ଦୁନିଆର ଦାଉ

ଶ୍ରୀ କାହ୍ନୁଚରଣ ମହାନ୍ତି

 

 

ବିନୋଦ ସ୍ତ୍ରୀ ପାଖରୁ ବିଦାୟ ନେଇ ଧୀରେ ଧୀରେ ବନ୍ଧ ଉପରକୁ ଉଠିଲା । ଅହିଲା ବାରି ତାଟିକି ଆଉଜି ସ୍ୱାମୀର ଗଲାବାଟକୁ ଚାହିଁ ରହିଥାଏ । କାଖରେ ଦେଢ଼ ବରଷର ଝିଅ ମତୀ-। ସେ ପଛରୁ ବାପା, ବାପା ବୋଲି ଡାକୁଥାଏ । ଅହିଲାର ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ୁଥାଏ । ନାକପୁଡ଼ା ଥରାଇ ଛାତି ଦୋହଲାଇ କୋହ ଉଠୁଥାଏ ।

ଦୁନିଆର ସମସ୍ତେ ସିନା ମୁହଁକୁ ଦେଖିବେ, ଆଖି ନିରେଖିବେ, ମନଗହନରେ ଜଳିଲା ନିଆଁକୁ କିଏ ବା ଦେଖିବ, କିଏ ତାର ତାପର ପ୍ରଭାବ ବୁଝିବ ? ଅହିଲାର ମନ ଯେ କେଡ଼େ କଲବଲ ହେଉଛି, ତାହା କେବଳ ସିଏ ଜାଣନ୍ତି, ଯିଏ ଏ ଦୁନିଆକୁ ଆତଯାତ କରାଉଛନ୍ତି । ଭଲ କି ଅସାର ତାଙ୍କ ମନକୁ ମନ ଅଜାଡ଼ି ଦେଉଛନ୍ତି ।

ବିନୋଦ ଏକା ରାହା ଧରି ଖଣ୍ଡେ ଦୂର ଚାଲିଗଲା । କୋହକୁ ଯେତେ ଦବାଇବାକୁ ବସିଲା, ପାରିଲା ନାହିଁ । ଆପେ ଆପେ ତା ଆଖିରୁ ଲୁହ ଗଡ଼ିପଡ଼ିଲା । ଗୋଡ଼ ଆଗକୁ ଚଳିଲା ନାହିଁ । ମୁହଁ ଫେରାଇ ସେ ପଛକୁ ଚାହିଁଲା । ଦେଖିଲା, ବାଡ଼ ଉହାଡ଼ରେ ତା ସ୍ତ୍ରୀର ଦେହଟି ଲୁଚିଯାଇଛି । ବାଡ଼ଉପରେ ଦିଶୁଛି ଗୋଟିଏ ଗମ୍ଭୀର ମୁହଁର ଦିଓଟି ସଜଳ ଆଖି । ସକାଳର କଅଁଳ ଆଲୁଅରେ ଝଲସି ଉଠୁଛି ।

କେଡ଼େ ସୁନ୍ଦର, କେଡ଼େ ସରଳ ସେ ମୁହଁଟି ! ଗଭୀର ବ୍ୟଥାରେ ଆଜି ଝାଉଁଳି ପଡ଼ିଛି । ବିନୋଦର ଫେରିଯିବାକୁ ମନ ଛଟପଟ ହେଲା । ପୁଣି ଭାବିଲା, ନା, ଫେରିବ ନାହିଁ । ଅନୁକୂଳ କରି ବାହାରି ଆସିଛି । ଅନୁକୂଳ ଭାଙ୍ଗିବା ଠିକ୍ ହେବ ନାହିଁ । ଠାକୁରେ ଦୟା କଲେ ଆରବର୍ଷ ଏଇ ଦିନକୁ ଫେରିଆସିବ ଗୋଟାଏ ବରଷ ଆଖି ପିଞ୍ଛୁଡ଼ାପରି କଟିଯିବ । ମନକୁ ବୋଧଶୋଧ କଲା । ଗାମୁଛା କାନିରେ ଆଖି ପୋଛିଲା । ସେ ଆଗକୁ ଚାଲିଲା । ଆଉ ଉଛୁରା କଲେ ଗାଡ଼ିବେଳ ଗଡ଼ିଯିବ । ସବୁ ଅନୁକୂଳ ବିଗିଡ଼ିବ । ଜଗୁ ସ୍ୱାଇଁ ଆଗରୁ ଯାଇ ବିଶାଳପଡ଼ା ଗାଁ ମୁଣ୍ଡରେ ଚାହିଁ ବସିଥିବ । ଚିଡ଼ିଚିଡ଼ି ହେଉଥିବ ।

ବିନୋଦ ଚାଲିଗଲା । ତାର ଅତୀତ ଜୀବନର ସବୁ ସୁଖ ଦୁଃଖ ପଛରେ ପକାଇ, ସ୍ନେହ ସରାଗକୁ ନିର୍ବାସିତ କରି, କେବଳ ସ୍ମୃତିଟିକୁ ସାଥି କରି ସେ ଆଜି ଭବିଷ୍ୟତ ଅନ୍ଧାର ଭିତରେ ଆଶାର ଆଲୁଅ ସନ୍ଧାନରେ ଆଗଭର । ଅତି ପ୍ରିୟ ତାର ଜନ୍ମଭୂଇଁ ଏହି ନାଗବାଲି ଗାଁ । ପ୍ରତି ଧୂଳିକଣା ତାର ଅତି ପରିଚିତ । ସେହି ପବିତ୍ର ଧୂଳି ଉପରେ ଜନ୍ମ ହୋଇ ବିନୋଦ, ବିନୋଦର ଛପନ ପୁରୁଷ, ନାଚିକୁଦି, ହସିଖେଳି, ସତୀଗାଡ଼ିଆ ମଶାଣିରେ ପାଉଁଶଗଦା, ଧୂଳିଗଦା ସଙ୍ଗେ ମିଶିଗଲେ । ପେଟ ବିକଳରେ କେହି କେବେ ହତାଶ ହୋଇ, ଆଖିରୁ ଲୁହ ଗଡ଼ାଇ, ପିଲା ଛୁଆଙ୍କର ଆଖିର ଲୁହ ଦେଖି, ଗାଁ ଦାଣ୍ଡ ଡେଇଁ ଗୋଡ଼ କାଢ଼ି ନଥିଲେ । ବିନୋଦ ଆଜି ଗୋଡ଼ କାଢ଼ି ପଦାକୁ ବାହାରିଲା ।

ସିଢ଼ୁଆ ନଈର ଧୂସର ବାଲି, ନେଳିଆ ପାଣି, ନାଗବାଲି ଗହୀରର ସବୁଜ ଧାନକ୍ଷେତ, ସତୀଗାଡ଼ିଆର ଭଙ୍ଗା ହାଣ୍ଡିଗଦା, ସବୁ ପଛରେ ପଡ଼ିରହିଲା । କେହି ତାକୁ ହାତଠାରି ପଛରୁ ଡାକିଲେ ନାହିଁ । ସମସ୍ତେ ତାର ମନର ଦୁଃଖ, ପ୍ରାଣର ବେଦନା ବୁଝିଥିବେ; କିନ୍ତୁ କେହି ସହାନୁଭୂତି ଦେଖାଇଲେ ନାହିଁ ।

ଏ ଦୁନିଆ ଏମିତି ବିତସ୍ପୃହ !

•••

 

 

ବିନୋଦର ବିଦେଶଯାତ୍ରା ଆଜି ନୂଆ ନୁହେଁ । ଯୁଗ ଯୁଗ ଧରି ସେ ବିଦେଶ ଯାଇଛି; କିନ୍ତୁ ପେଟ ବିକଳରେ ମୁଠିଏ ଭାତପାଇଁ ସେ କେବେ ଯାଇନାହିଁ । ବିନୋଦର ରଣଭେରୀ ସେଦିନ କୁମାରିକାର ଢେଉକୁ ଚଞ୍ଚଳ କରିଥିଲା । ତାର ତରବାରୀ କାବେରୀର ପାଣିକୁ ରକ୍ତରେ ଲାଲ୍ କରିଥିଲା । ତାର ହାଡ଼ମାଳରେ ଜାହ୍ନବୀର କୂଳ ଦିନେ ପୂର୍ଣ୍ଣ ହୋଇଥିଲା । ତାର ବୋଇତ ଆର୍ଯ୍ୟ ସଭ୍ୟତାର କେତନ ଉଡ଼ାଇ ମହାସାଗରର ଛାତି ଚିରି ସୁଦୂର ବାଲି, ଜାଭା, ଶ୍ୟାମ ଓ ପାରସ୍ୟର ଉପକୂଳରେ ଲାଗିଥିଲା । ତାର ବିଜୟକେତନ ବାଲିଦ୍ୱୀପର ପର୍ବତ ଶୃଙ୍ଗ ଉପରେ ଫରଫର ହୋଇ ଉଡ଼ୁଥିଲା ।

 

ସର୍ବଦର୍ଶୀ, ସର୍ବବ୍ୟାପୀ ଏହି ଆକାଶ, ଏହି ପବନ ଆଜି ତାର ମୂକ ସାକ୍ଷୀ ।

 

ସେ ଯାଇଥିଲା ବିଜୟପାଇଁ, ମାନପାଇଁ, ଜାତିର ଗୌରବପାଇଁ, ପେଟପାଇଁ ନୁହେଁ । ସେ ଯାଇଥିଲା ସଭ୍ୟତାର ଆଲୁଅ ଧରି, ମୁକ୍ତିର, ସତ୍ୟର ତୁରୀ ଫୁଙ୍କି; ଅନ୍ଧାରରେ, ନରକ ଭିତରେ ସମାଧି ନେବାକୁ ନୁହେଁ କି ମୁଣ୍ଡ ନୂଆଁଇ ପିଠିରେ ମାଡ଼ ସହି ଜାତିର ମାନ ସମ୍ଭ୍ରମ ତଳେ ପକାଇ ହାତ ଯୋଡ଼ି ଠିଆ ହେବାକୁ ନୁହେଁ ।

 

ଅତୀତର ଓଡ଼ିଆ ପୁଅ ବିନୋଦ, ଅତୀତକୁ ଧୋଇ ଶୁଖାଇ ବଞ୍ଚି ଆସିଲା । ଅତୀତର ରଙ୍ଗମଞ୍ଚରେ ନାଚିନାଚି ସେ କ୍ଲାନ୍ତ ହୋଇ ଶୋଇ ପଡ଼ିଥିଲା । ଏତେଦିନକେ ତାର ନିଘୋଡ଼ ନିଦ ଭାଙ୍ଗିଲା-ବଡ଼ ଡେରିରେ ଆଉ ଅତି କଷ୍ଟରେ-ଭଲରେ ନୁହେଁ, କଲବଲରେ ।

 

ସରସିଆ ଦେଖି ବିନୋଦର ଦକ୍ଷିଣପଟ ବାରିଟି ନାଇଡ଼ୁମାନେ ମାଡ଼ି ବସିଲେ । ଧନରତ୍ନର ଖଣିକୁ ତେଓ୍ୟାର ଅଧିକାର କରିବସିଲେ ଉତ୍ତରରେ । ପୂର୍ବ ପାଖର ସିଂହ ଦରଜା ବଙ୍ଗାଳି ପୁଅ ନିଜସ୍ୱ କରି ଭଣ୍ଡାର ଘରକୁ ହାତ ଗଳାଇଲେଣି । ପଶ୍ଚିମପଟ ଅନାବାଦୀ ଥିଲା, ଲରିଆ ପିଲା ମାଡ଼ି ମାଡ଼ି ଆସୁଛି ।

 

ନିଦରେ ବି ତାର ବ୍ୟାଘାତ ଘଟିଲା । ତେବେ ଯାଇ ନିଦ ଭାଙ୍ଗିଲା । ବଲବଲ କରି ସଭିଙ୍କ ମୁହଁକୁ ଅନାଇଲା । କେହି ତା ଆଡ଼କୁ ଚାହିଁଲେ ନାହିଁ । କେହି ତା କଥା ଶୁଣିଲେ ନାହିଁ । କଅଣ କରେ ବିଚରା । ଘରେ ଖାଇବାକୁ ନାହିଁ । ପିଲାଛୁଆ ବଲବଲ କରି ତା ମୁହଁକୁ ଚାହିଁ ରହିଛନ୍ତି । କିପରି ସେମାନଙ୍କ ମୁହଁରେ ଆଧାର ଦେଇ ସେମାନଙ୍କୁ ବଞ୍ଚାଇ ରଖିବ ? ବିଦେଶ ଯାଇ କୁଲି କାମ କରି ପଇସା ଭେଇବା ହିଁ ସାର ।

 

କେତେ ବିନୋଦ ନିତି ପେଟବିକଳରେ ବିଦେଶ ଯାଉଛନ୍ତି । ସେମାନଙ୍କର ସ୍ତ୍ରୀ ପିଲାଙ୍କର ଲୁହ ଆଖି କୋଣରେ ଶୁଖୁଛି । ମନର କୋହ ମନରେ ମରୁଛି । କେତେ ବିନୋଦଙ୍କର ଆଉ ଦେଖା ମିଳୁନାହିଁ । କେବେ କେବେ ସେ ବିଦେଶରୁ ଫେରିଆସୁଛି । ଧନରତ୍ନ ଘେନି ପିଲା ଛୁଆଙ୍କ ଦୁଃଖ ଦୂର କରିବାକୁ ଆସୁନାହିଁ । ମାରାତ୍ମକ ରୋଗ ନେଇ ତାଙ୍କର ଦୁଃଖଭାର ଆହୁରି ବଢ଼ାଇବାକୁ; ଗାଁ ମଶାଣିରେ ପ୍ରେତ ଦଳର ସଂଖ୍ୟା ବଢ଼ାଇବାକୁ ସେ ଆସୁଛି ।

 

ପେଟବିକଳରେ ବିନୋଦ ଆଜି ବିଦେଶ ବାହାରିଲା, କିନ୍ତୁ ତାର ଘର ଭାତ ଖାଇଲେ ପର । ଦୁଇ ହାତର ଏକତା ନାହିଁ, ଦୁଇ ଗୋଡ଼ର ସହାୟତା ନାହିଁ ।

 

ବିନୋଦ ଆଗକୁ ଚାଲିଲା । ଖଣ୍ଡେ ଦୂର ଯାଇ ପଛକୁ ଫେରି ଚାହିଁଲା । ବନ୍ଧ ମୋଡ଼ର ଆରପାଖେ ତା’ର ଛୋଟ କୁଡ଼ିଆଟି ଗଛଗହଳି ଭିତରେ ଲୁଚି ଗଲାଣି । ତାର ସ୍ତ୍ରୀର ଛଳ ଛଳ କରୁଣ ଆଖି ଦିଓଟି କେଉଁଠି ହଜିଗଲାଣି । ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ିଲା ।

 

ବିନା, ବିନାରେ ହେ .....

 

ବିଶାଳପଡ଼ା ଗାଁମୁଣ୍ଡରୁ ଜଗୁ ଡାକ ଛାଡ଼ିଲାଣି । ଜଲ୍‍ଦି ନ ଗଲେ ରେଳ ଫେଲ୍ ହେବାକୁ ପଡ଼ିବ । ଘର କଥା ଭାବୁଥିଲେ ତ ବସି ଭାବୁଥିବ, କାମ କରିବାକୁ ତର ମିଳିବ ନାହିଁ । ବିନୋଦ ଅଣ୍ଟାରେ ଗାମୁଛା ଭିଡ଼ି ଏକମୁହାଁ ହୋଇ ଚାଲିଲା ।

•••

 

 

ଅତୀତର କଥା, କାଲିପରି ଲାଗୁଛି । ନଈବଢ଼ି ପାଣି ଗାଁରେ ପଶିଲା । ଲୋକେ ଜୀବନବିକଳରେ ଗ୍ରାମଦେବତୀଙ୍କ କୋଚିଲା ବଣ ତଳେ ଖୋଳ କରତାଳ ଧରି ରୁଣ୍ଡ ହେଲେ । ବାଇଦ ବାଜଣା ହେଲା । ଠାକୁରାଣୀ ଗାଧୁଆ ହେଲେ । ଲୋକେ ସଂକୀର୍ତ୍ତନ କରି କୋଳାହଳରେ ନଈର ବୁକୁ ଥରାଇଦେଲେ । ତଥାପି ପାଣି କମିଲା ନାହିଁ କି ଥମିଲା ନାହିଁ । ବେଳୁ ବେଳ ବଢ଼ିବାକୁ ଲାଗିଲା ।

 

ଅହିଲାର ବାପ ଅହିଲାକୁ ଘରେ ଛାଡ଼ି କୋଡ଼ି ଧରି ବନ୍ଧ ଉପରେ ମାଟି ପକାଇବାକୁ ଦୋକଛି ଭିଡ଼ି ବାହାରିପଡ଼ିଲା । କେହି ତା’ର ପଛରେ ଗଲେ ନାହିଁ । କେତେ ଜଣ ଥଟ୍ଟା କରି କହିଲେ, ଯା ତାଡ଼ି ପକାଇବୁ ! କିରେ, ଠାକୁରାଣୀ ମନ କଲେ ଘଡ଼ିକେ ବଢ଼ିପାଣି ଶୋଷି ନେବେ । ଆମେ ମଣିଷ କରିବା କଅଣ ?

 

କୁଷୁନିଆଁ ମାନିଲା ନାହିଁ । କହିଲା, ଦେଖୁ ଦେଖୁ ଆମ ଆଖି ଆଗରେ ବନ୍ଧଟା ଭାଙ୍ଗିଯିବ ! ଚେଷ୍ଟା କରିବା ନାହିଁ ? ଯଥାସାଧ୍ୟ ଚେଷ୍ଟା କଲା, ତଥାପି ପାଣି ମାନିଲା ନାହିଁ । ଯେତେ ଯାହାକୁ ନେହୁରା ହୋଇ ଡାକିଲା, କେହି ତା କଥାକୁ ପାସଙ୍ଗରେ ପକାଇଲେ ନାହିଁ । ପାଣି ବେଳୁବେଳ ବେଶି ମାଡ଼ିଆସିଲା । ଲୋକଙ୍କର ଭରସା ତୁଟିଲା । ଖୋଳ କରତାଳ ଫୋପାଡ଼ି ସମସ୍ତେ ମାଟି ପକାଇବାକୁ ବନ୍ଧ ଉପରକୁ ଛୁଟିଲେ । ଲେଡ଼ିଗୁଡ଼ କହୁଣୀକୁ ବୋହିଲା । ବନ୍ଧ ରହିଲା ନାହିଁ । ଦିନ ଦି’ପହରେ ବନ୍ଧ ଭାଙ୍ଗିଲା ।

 

ଗାଁ ଦେବୀ ବଢ଼ି ପାଣିରେ ଆଗ ଉବୁଟୁବୁ ହେଲେ । ଶେଷକୁ କେତେ ଘରଦ୍ୱାର ଭାସିଗଲା । କେତେ ଗାଈ ଗୋରୁ ଛେଳି ମେଣ୍ଢା କୁଆଡ଼େ ଗଲେ । ପିଲାଛୁଆ ଛାଡ଼ି ଗାଁ ଲୋକେ ଜୀବନବିକଳରେ ଗଛ ଉପରେ ଆଶ୍ରା ନେଲେ । କେହି କେହି ଘରର ଚାଳ ଉପରେ ବସି ସୁଅ ମୁହଁକୁ ଖସିଆସିଲେ । କେତେ ଗଛ ଟଳିପଡ଼ିଲା । ଘଡ଼ିରେ ସବୁ ପଦା ହେଲା । ଯୁଆଡ଼େ ଚାହିଁଲେ ପାଣି, ଖାଲି ପାଣି ! ସୁଅ ଛୁଟିଛି ।

 

ମଣିଷର ଚାରା ଯେତେବେଳେ ଥିଲା, ସେ ଭୁଲିଛି । ଥରେ ଭୁଲିଲେ ଜୀବନରେ ଯେ କେତେ ଅନୁତାପ କରିବାକୁ ପଡ଼େ, ତାହା ସମସ୍ତଙ୍କୁ ଜଣା । ଜାଣି ଜାଣି ଆଖି ବୁଜିଲେ ଆପଦ ବିପଦପାଇଁ ନିଜକୁ ଦୋଷ ଦେବ ସିନା, ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦିବ କାହିଁକି ।

 

ଓଡ଼ିଆ ବାରମ୍ୱାର ଭୁଲେ । ସେ ପରିଶ୍ରମକାତର । ପର ଉପରେ ନିର୍ଭର କରି ଦୁଃଖେ ସୁଖେ କୌଣସିମତେ ବେଳ କାଟିଜାଣେ । ବିପଦ ଆସିଲେ ସେ କହେ, ଦେବତାର ଅଭିଶାପ । ସୌଭାଗ୍ୟ ବେଳେ ସେ କହେ, ଦେବତାର ଦାନ । ଦେବତା ଉପରେ, ପର ଉପରେ ନିର୍ଭର କରି ଆକାଶକୁ ଚାହିଁ ରହିବା ତାର ପ୍ରକୃତି ।

 

ଦେବତାକୁ ଆଶ୍ରା କରି ଦେବତାର ସେବାପାଇଁ ଓଡ଼ିଆ ପ୍ରତିଦିନ ବ୍ୟୟ କରେ, ତତଲା ପେଟରେ ଓଦାକନା ଦିଏ । ଦୋଳ ଆସିଲା ଆଣ ଚାନ୍ଦା, ରାମନବମୀ ଆସିଲା ଦିଅ ଭେଦା । ଏହିପରି କେତେ ଚାନ୍ଦା ଭେଦା ଦେଇ ସେ ଆଜି ନିଃସ୍ୱ, କାଙ୍ଗାଳ, ଦୁର୍ବଳ । ବାରି ପଛରେ ଖତକୁଢ଼ ଗଦା । ସଫା କରିବାକୁ ସମ୍ବଳ ନାହିଁ, ବେଳ ନାହିଁ । ଦାଣ୍ଡ ଆଗରେ ଅରମା, ସେଥିକି ନିଘା ନାହିଁ । ଗାଁ ଗୋହରୀରେ ଆଣ୍ଠୁଏ କାଦୁଅ, ସିଆଡ଼କୁ କାହରି ଦୃଷ୍ଟି ନାହିଁ । ଗାଁ ପୋଖରୀରେ ବିଲାତିଦଳ ଓ ମଲା କୁକୁର ସଢ଼ୁଛି । ଦେଖି ମଧ୍ୟ ସେ ଦେଖେ ନାହିଁ ।

 

ମେଲେରିଆ ଉତ୍ପାତରେ ପ୍ରତି ଗାଁରୁ ଶହ ଶହ ଲୋକ ମରୁଛନ୍ତି । ହଜାର ହଜାର ଟଙ୍କାର ଔଷଧ କିଣି ଖାଉଛନ୍ତି । ହଇଜା ଆସେ, ବସନ୍ତ ଆସେ, ଶହ ଶହ ଲୋକଙ୍କର ପ୍ରାଣ ଶୋଷିନିଏ । ଲୋକଙ୍କର ଭଣ୍ଡାର ଜୂର କରି କେତେ ବିଦେଶୀ ଲୋକ ନାନା ଉପାୟରେ ତାର ଧନ ହରଣଚାଳ କରନ୍ତି । ତଥାପି ଲୋକେ କହନ୍ତି, ଓଡ଼ିଆ ଦରିଦ୍ର, ସେ କାଙ୍ଗାଳ ! ଗୋହିରୀ ସଫା କରିବାକୁ ତା ପାଖରେ ପଇସା ନାହିଁ । ଖତକୁଢ଼, ଦାଣ୍ଡ ଅରମା କି ପୋଖରୀର ସଢ଼ା ବିଲାତିଦଳ ସଫା କରିବାକୁ ଲୋକବଳ ନାହିଁ, ବେଳ ନାହିଁ ।

 

ଓଡ଼ିଆ ନିଷ୍କର୍ମା । ଜଳ ଜଳ ଚାହିଁ ଆଶା ଓ ବିଶ୍ୱାସରେ ସେ ସପନର ସୌଧ ଗଢ଼େ । ଯେଉଁ ହାତ ଦିନେ ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ମନ୍ଦିର ତୋଳିଥିଲା, ସେ ହାତ ନିଶ୍ଚଳ ରହେ ।

•••

 

 

ଘରର ଚାଳଉପରେ ବସି ନଈ ସୁଅରେ ଭାସି ଭାସି ସେ ଆସିଲା । କେତେ ଗାଁ ଛାଡ଼ି ଉପାସ ଭୋକରେ ଅଧାପ୍ରାଣ ହୋଇ ସେ ଦିନେ ଗୋଟିଏ ଅଜଣା ଗ୍ରାମର ଉପାନ୍ତରେ ଲାଗିଲା । ଦେଖିଲା, ତା’ର ସାହା ଭରଷା କେହି ନାହିଁ । ସାତ ଆଠ ବରଷର ଝିଅଟିଏ ତ ଅହିଲା, ଫୁଟିଲା ଚମ୍ପାଫୁଲ ପରି ଦେହ । ପାନ ପତର ପରି ମୁହଁରେ ଢଳଢଳ ଆଖି ଦିଓଟି । କଳା ମିଚିମିଚି ଆଖି ଡୋଳାରେ ମନକିଣା ଚାହାଣୀ । ଧାରୁଆ ନାକ ତଳେ ଟିକି ପାଟିରେ ରଙ୍ଗିଲା ଓଠ । ଦେଖିଲେ ଆଖି ଠାକିବ ।

 

ସୁନ୍ଦର ଅସୁନ୍ଦରକୁ ସମୟ ଅନାଇ ବସେ ନାହିଁ, ଘଟଣାସ୍ରୋତ ଚାହିଁ ରହେ ନାହିଁ ।

 

ଅହିଲା ପେଟବିକଳରେ କେତେ ଦ୍ୱାର ବୁଲିଲା । କେତେ ଲୋକଙ୍କର ପିଣ୍ଡାରେ ମଶା ବଣରେ ଶୋଇଲା । କେହି ଆହା ବୋଲି ପଦେ କହିଲେ ନାହିଁ । ସ୍ନେହରେ ପଦେ ମିଠା କଥା କହିବା କି ସହାନୁଭୂତି ଦେଖାଇବା ତ ଦୂରର କଥା, ଓଲଟି ଦୂର୍‌ଦୂର୍‌ କରି ଛାଞ୍ଚୁଣୀ ମାଡ଼ରେ ଘରୁ ତଡ଼ିଲେ । ଆଖିର ଲୁହ ତାର ଆଖିରେ ମଲା ।

 

ନିଆଶ୍ରା ହୋଇ ଓପାସ ଭୋକରେ ଅହିଲା ଦିନେ ଉଦୀର କୁଡ଼ିଆ ଆଗକୁ ଆସିଲା । ସେଇଦିନରୁ ତାର ଦୁଃଖ ଦୂର ହେଲା । ଦୁଃଖୀ ଦୁଃଖୀର ଦୁଃଖ ବୁଝିବ, ଆଉ ବୁଝିବ କିଏ ? ଅହିଲାର ଦୁଃଖ ଶୁଣି ଉଦୀ ତାକୁ କୋଳକୁ ନେଲା । ତା ଆଖିରୁ ଧାର ଧାର ଲୁହ ଝରିପଡ଼ିଲା । ପିଠି ଆଉଁସି କହିଲା, ମାଆ ଲୋ, ପିଲାଦିନୁ କେତେ ଦୁଃଖ ସହିଲୁ, ଆଉ ତୋତେ ବାରଦୁଆର ହେବାକୁ ପଡ଼ିବ ନାହିଁ । ଅନହୁତି ଅହିଲାକୁ ଆଶ୍ରା ମିଳିଲା । ଅନହୁତି ଉଦୀକୁ ମିଳିଲା ଝିଅ ।

 

ଗାଁ ଲୋକେ ବାର କଥା କହିଲେ, ବାର ପ୍ରକାର ଟାହି ଟାପରା କଲେ । ଉଦୀ ସେ ସବୁ ଅଲଣା କତାରେ କାନ ଦେଲା ନାହିଁ । ସେ ଚାରି ଦଉଡ଼ିକଟା । ପର କଥାରୁ ତାକୁ ମିଳିବ କଅଣ ? ହାତ ଚଳୁଥିଲେ ଭାତ ମୁଠାକର ଅଭାବ ହେବ ନାହିଁ, ଏତକ ସେ ଜାଣେ ।

 

ସୁଖେ ଦୁଃଖେ ଦିନ କଟିଗଲା । ଦିନକୁ ଦିନ ଅହିଲାର ଦେହ ଓ ମନର ପରିବର୍ତ୍ତନ ହେଲା । ଯୌବନର କାଉଁରିକାଠି ପରଶରେ ତାର ରୂପର ଶିଖା ଦାଉଦାଉ ହୋଇ ଜଳିଉଠିଲା । ଉଦୀର କୁଡ଼ିଆ ଚାରିପାଖେ କେତେ ନିଉଁଛୁଣା ପତଙ୍ଗ ସେହି ଆଳୁଅର ଚାରି କଡ଼ରେ ଘେରାଘେରା ବୁଲିଲେ । ଫୁଟିଲା ଫୁଲଟିର ରୁପ ଓ ବାସରେ ଓଟାରି ହୋଇ କେତେ ଜାତିର ମାଛି ଘର ଚାରିପାଖେ ଗୁଣୁ ଗୁଣୁ ହେଲେ । ଅଲୋଡ଼ା ଅସନା ଗରିବ ନିଆଶ୍ରା ଅଜଣା ସ୍ରୋତଭସା ଅହିଲାର ଗୁଣ ଗାଇ କେତେ ପାଖେଇ ଆସିଲେ । ଅଯାଚିତ ଦୟା ଦେଖାଇବାକୁ ଆଗେଇ ଆସିଲେ । ହମହମ ହେଲେ ।

 

ଦୁନିଆର ସବୁ ଝଡ଼ ଝଞ୍ଚା ମୁଣ୍ଡରେ ସହିଛି ଉଦୀ । ଲୋକଙ୍କର ଭଲ ପଣିଆର କରାମତି ସେ ବୁଝିଛି । କାଲି ଯେଉଁମାନେ ମୁହଁ ଫଣଫଣ କରୁଥିଲେ, ଆଜି ତାଙ୍କର ସେହି ପୋଡ଼ା ମୁହଁରେ ହସ । ପଦେ ଯେଉଁମାନେ ଆହା କହିବାକୁ ପଛଉଥିଲେ, ଆଜି ସେମାନେ ସାହା ହେବାକୁ ନହର ପହର । କାହିଁକି ହେଲା ଏ କୁହୁକ ? ଉଦୀ ଜାଣେ ଯୌବନର କମିଆଁ ଲୋକଙ୍କୁ ବାଉଳା କରେ ।

 

ଉଦୀର ଆଖିରେ କେହି ଧୂଳି ଦେଇପାରିବେ ନାହିଁ । ଦୁନିଆକୁ ସେ ହାଡ଼େ ହାଡ଼େ ଚିହ୍ନେ । ଅହିଲାକୁ ସେ କାନ କାନ କରି ଶିଖାଇଛି । ତଥାପି, ମନରେ ଡର । ଝିଅ ଯେ ଘିଅ । ପର ହାତରେ ଛନ୍ଦି ଦେଲେ ସେ ହେବ ନିଶ୍ଚିନ୍ତ । ଭାବିଲା, ସେଇୟା କରିବ ।

•••

 

 

ଅନହୁତି ଦିନେ ଉଦୀର କୁଡ଼ିଆଘରେ ଶଙ୍ଖ ମହୁରୀ ବାଜିଉଠିଲା । ଦିଜଣ ଢୋଲିଆ ଢୋଲ ବାଡ଼େଇଲେ । ପୁରୋହିତ ଆସି ଅହିଲାର ହାତରେ ବିନୋଦିଆର ହାତ ଛନ୍ଦିଦେଲେ । ମନ୍ତ୍ର ପଢ଼ିଲେ, ଯଥା ରାବଣସ୍ୟ ମନ୍ଦୋଦରୀ ଯଥା....... ।

 

ଉଦୀ, ବିନୋଦ, ଅହିଲା ତିନୋଟି ପ୍ରାଣୀ, ସେଦିନ ଆନନ୍ଦରେ ତାଙ୍କର ଗୋଡ଼ ତଳେ ପଡ଼ୁ ନ ଥାଏ ।

 

ଗାଁ ଲୋକ ହିଂସାରେ ଝରସର ହେଉଥାଆନ୍ତି । ହେଲେ ଉଦୀ ବିନୋଦିଆଙ୍କର ସେମାନେ କରନ୍ତେ କଅଣ ? ପେଟପାଇଁ ସେମାନେ ପର ଦୁଆରେ କେବେ ଗୋଡ଼ଭାଙ୍ଗି ଠିଆ ହୁଅନ୍ତି ନାହିଁ । ସକାଳୁ ସଞ୍ଜଯାଏ ମୂଲ ଲାଗି ଦେହରୁ ପୋଷ ପୋଷ ଝାଳ ନିଗାଡ଼ି ସେମାନେ ପଇସା ଉପାର୍ଜନ କରି ପେଟ ପୋଷନ୍ତି । ସାହୁ ମହାଜନ କରନ୍ତି ନାହିଁ । ଯାହା ମିଳିଲା, ସେତିକିରେ ପେଜ ପାଣି ପିଇ ମନ ଖୁସିରେ ବେଳ କାଟନ୍ତି ।

 

ବିନୋଦିଆର ଛୋଟ ସଂସାରକୁ ଦୁଃଖରେ ଭସାଇ ଉଦୀ ଆଖି ବୁଜିଲା । ତାର ମୂଲିଆ ମୁଣ୍ଡରେ ସେହିଦିନ ଚଡ଼କ ପଡ଼ିଲା । ଗାଁ ଲୋକେ ମୁର୍ଦ୍ଦାର କାଢ଼ିବାକୁ ଅମଙ୍ଗ ହେଲେ । କେତେ କାଳର କେତେ ପ୍ରକାର ଆକ୍ରୋଶ ଏତେ ଦିନକେ ଶୁଝାଇବାର ବେଳ ଆସିଛି । ସୁବିଧା ମିଳିଛି, ସେମାନେ ଛାଡ଼ନ୍ତେ କାହିଁକି ? ବିନୋଦିଆ ଦାନ୍ତରେ ତିରଣ ଧରି ଜଣ ଜଣ କରି ଗୋଡ଼ତଳେ ପଡ଼ିଲା; ତଥାପି ଭାଇଏ ଚଙ୍କିଲେ ନାହିଁ । ଶେଷକୁ ବିନୋଦିଆ ବଟ ଚୌଧୁରୀଙ୍କର ଗୋଡ଼ ଧରି ବିନା ଦଲିଲରେ ପଚିଶ ଟଙ୍କା କରଜ ଆଣିଲା । ସେତକ ଠାକୁର ଘରକୁ ଦେଲା । ଲୋକେ ଆଖି ଠରାଠରି ହୋଇ ଉଠିଲେ ।

 

ଚକ୍ରବୃଦ୍ଧି ହାରରେ ଚଉଧୁରୀଙ୍କ କରଜ ଟଙ୍କାର ସୁଧ ବଢ଼ିଲା । ଦିନ ରାତି ପରିଶ୍ରମ କରି, ପେଟରୁ ଖେଣ୍ଟି, ଚଉଧୁରୀଙ୍କୁ ଯେତେ ଦେଲେ ବି ସୁଧ ତୁଟିଲା ନାହିଁ । ମୂଳ ଟଙ୍କା କଥା ପଚାରେ କିଏ ? ଚଉଧୁରୀଙ୍କ ଦେଏଣା ଶୁଝିବାକୁ ମୂଲିଆ ବିନୋଦ ଘରୁ ଗୋଡ଼କାଢ଼ିଲା ।

•••

 

 

ବିନୋଦର ବିଦେଶଯାତ୍ରା ଆଜିକି ହେଲା ପୂରା ଦୁଇ ମାସ । ଅଳ୍ପ ନୁହେଁ, ଷାଠିଏ ଦିନ ! ଆଜିଯାଏ ଅହିଲା ତା ପାଖରୁ ଖବର ପାଇ ନାହିଁ । ମନେ ପଡ଼ିଲେ ଦେହରୁ ରକ୍ତ ଶୁଖିଯାଏ । ହେଲେ ନିରୋଳାରେ ତୁନି ହୋଇ ବସି ଭାବିବାକୁ ତର କାହିଁ ? କାମ ତ ବାକୀ ପଡ଼ିଯିବ । ତା’ର ଛୋଟ ସଂସାର ଅଚଳ ହେବ, ପିଲାଟି ହତାଦର ହେବ !

 

ବାଛୁରୀର ସେବା ନ କଲେ ନ ହୁଏ । ପଘା ଫିଟାଇଲେ ସେ ଠୁଙ୍ଗ ଠୁଙ୍ଗ୍ ନଈ କଣ୍ଡିଆକୁ ଗଡ଼ିପଡ଼ିବ । ଗାଁ ଲୋକଙ୍କର ତା ଉପରେ ଯେପରି ଅହନ୍ତା, ଟିକିଏ ଏଣିକି ତେଣିକି ହେଲେ ବାଛୁରୀକୁ କାଞ୍ଜଆଉଦାକୁ ଆଡ଼େଇ ନେବେ । ସେଦିନ ବିଶୁନିଆଁକୁ କେତେ ନେହୁରା ହୋଇ ହାତ ଗୋଡ଼ ଧରି ବାଛୁରୀକୁ ଅଧା ବାଟରୁ ଫେରାଇ ଆଣିଥିଲା । ସେହି ଦିନରୁ ଛଡ଼ାକୁ ଲମ୍ବ ପଘାରେ ଘର ଆଗରେ ବାନ୍ଧିଥାଏ, ବେଳ ପାଇଲେ ବନ୍ଧ କଡ଼ରୁ ଘାସ ଛେଲି ତା ମୁହଁରେ ପକାଏ ।

 

ସେଦିନ ଗୁରୁବାର । ସକାଳୁ ଉଠି ଅହିଲା ଘରଦ୍ୱାର ଲିପାପୋଛା କଲା । ଦେହରେ ମାଟି ଗୋବର ଲାଗିଥାଏ । ମତୀକୁ କାଖ କରି ଘର କବାଟ ଆଉଜାଇ ଆଣିଲା । ପୋଖରୀକୁ ଯାଇ ଗୋଡ଼ ଧୋଇ ଆସିବ । ଯଦି ପାରେ ମୁଠିଏ କଳମ୍ବ ଶାଗ ତୋଳିଆଣିବ । ପହରିଦିନ ସକାଳ ରନ୍ଧା ମୁଠାଏ ବାସୀ ପଖାଳ ଅଛି । କୌଣସିମତେ ଏ ବେଳା ଚଳେଇ ଦେଲେ ଯାଏ, ରାତିକି ଦେଖାଯିବ । ମାଇପି ଲୋକ, ନିତି ଏତେ ସିଧି ବଘାରିବାକୁ ବେଳନାହିଁ । ବାରି ତାଟି ଆଉଜାଇ ସେ ବନ୍ଧ ଉପରକୁ ଉଠିଆସିଲା । ତାର ନଜର ପଡ଼ିବା ଆଗରୁ ଗୋଟାଏ ବାଉଁଶବୁଦା ପଛରୁ ଚାନ୍ଦ ଡାକିଲା, ଆଲୋ ଅଲି !

 

ମତୀକୁ କାଖରୁ ଓହ୍ଲାଇ ଅହିଲା ଫେରି ଚାହିଁଲା । ଚାନ୍ଦ ବାଉଁଶ ବୁଦା ପଛଆଡ଼ୁ ବାହାରି ବନ୍ଧ ଉପରକୁ ଉଠିଲା । ମତୀକୁ କାଖ କରି କହିଲା, ଆଜି କାଇଁକି ତୋର ଭାରି ସହଳ ଲୋ, କୁଆଡ଼େ ଯିବାର ଅଛି କି ?

 

ନାଇଁ ଲୋ, ଯିବି କୁଆଡ଼େ ? ଗଲେ ତ ଯିବି ସତୀଗାଡ଼ିଆ ମଶାଣିକି ।

 

ଆହା-ହା, ଏମିତି କଥା କାହିଁକି କହୁଛୁ ଲୋ ଠାକୁରେ ତୋତେ ସୁଖରେ ରଖନ୍ତୁ, କାଚ ତୋର ବଜର ହେଉ । ସୁଖରେ ହେଉ କି ଦୁଃଖରେ ହେଉ, ଆଜି ହେଉ କି କାଲି ହେଉ, ସତୀଗଡ଼ିଆ ମାଟି ଦେହରେ ତ ସମସ୍ତେ ମିଶିଯିବା; କିନ୍ତୁ ତାର ଗୋଟାଏ ବେଳକାଳ ତ ଅଛି ! ତମ ସଂସାର ଆରମ୍ଭ ହୋଇ ନାହିଁ । ପିଲା ବଅସ । ଆଜିଠୁ କାହିଁକି ହତାଶିଆ କଥା ତୁଣ୍ଡକୁ ଆଣୁଛୁ-?

 

ଅହିଲା କଥାର ସୁଅକୁ ବଦଳାଇବାକୁ ଯାଇ କହିଲା, କାଲି ରାତିରେ ତୁ କୁଆଡ଼େ ରହିଲୁ ମାଉସୀ, ରାତି ଅଧଯାକେ ଚେଇଁଲି, ତତେ ଅନେଇଁ ରହିଲି । ଯୋଉ ଡର କ’ଣ କହିବି ? ପବନ ଟିକିଏ କବାଟକୁ ଧଡ଼ ଧଡ଼ କଲେ ଛାତି ମୋର ଦାଉଁ ଦାଉଁ ପଡ଼େ । ଛୁଆଟା ଡରିହରି ମୋର କୋଡ଼ରେ ଜାକିଜୁକି ହୋଇ ଶୋଇ ପଡ଼ିଥାଏ । ରାତିଯାକ ମୋ’ ଆଖି କଷା ପଡ଼ିନାହିଁ ।

 

ଚାନ୍ଦ ପୋଖରୀ ଆଡ଼କୁ ଯାଉଁଣୁ କହିଲା, ଆଲୋ ଝିଅ, ମୋ କଥା ମୁଁ କ’ଣ କହିବି ? ପର ଘରେ ଚାରି ପାଇଟି ନ କଲେ କିଏ ତ ମୁଠାଏ ମନକୁ କିଛି ଖାଇବାକୁ ଦେବ ନାହିଁ ? କାମ ନେବାକୁ ସମସ୍ତେ ଲୋ ମା, ଆଜି ଦେହରେ ମୁଣ୍ଡରେ ପଡ଼ିଗଲେ ଗରିବ ଘରକୁ କେହି ଆସିବେ ନାହିଁ । ତୁଣ୍ଡ ଶୁଣାଇ ପଦେ କେହି ଆହା ବୋଲି କହିବେ ନାହିଁ । ଯେତିକି ପରର ମରଜି ଜଗି ଚଳିବ ସେତିକି ଭଲ ।

 

କଅଣ ହେଲା କି ?

 

ହେବ ଆଉ କଅଣ ? ସଞ୍ଜବତୀ ଲାଗୁଛି, ମୁଁ ତୋ ଘରକୁ ଆସିବାକୁ ବସିଛି, ବଟ ଚଉଧୁରୀ ଲୋକ ପଠାଇଲେ । ସେଇ ଅପନା ବାଉରୀଟାକୁ ବା, ମୋ ବୋପା ଲୋ, ସତେ ଯେମିତି ମୁଁ ତାର ଶହେ ଷାଠିଏ ଧାରେ । ପିଆଦା ପରି ମୋ ଘର ଭିତରକୁ ମାଡ଼ି ଆସୁଥିଲା ମୁଁ କହିଲି, କିରେ ଖଣ୍ଡିଆ, କିରେ ଚୁଲିପଶା, ଆରେ ଛୁଇଁବୁ ଛୁଇଁବୁ । ସେ କାହିଁକି ଶୁଣିବ ? କହିଲା, ତତେ ସାଅନ୍ତେ ଡକାଇଛନ୍ତି, ଜଲ୍‌ଦି ଆ । ବାଉରୀ ଟୋକାଟା, ତାର କେଡ଼େ ବହପ ଲୋ ! ଅବେଇଜ ମୋତେ ଭଣ୍ଡଷଣ୍ଢ କରି ଶୋଧିଲା । ରାମ କି ବିଷ୍ଣୁ କିଛି ନ କହି ତା ସାଙ୍ଗରେ ଗଲି ।

 

ଚଉଧୁରୀ କାହିଁକି ଡକେଇ ଥିଲେ ?

 

ଆଉ କାହିଁକି ? ମୋ ଚଉଦ ପୁରୁଷର ଗୋଇ ଖୋଳିବାକୁ । ଚାନ୍ଦ ଆଖିରୁ ଠକ୍ ଠକ୍ ଲୁହ ଗଡ଼ି ପଡ଼ିଲା । କହିଲା, ଗରିବ ଉପରେ ସମସ୍ତେ ଷଣ୍ଢ ଲୋ ମା ! ସେ କଥା କ’ଣ କହିବି ? ଏଇ ଗାଁର ଝିଅ ମୁଁ, ଅରଡ଼ ମଉଜାର ବିଜ ପଧାନ ଖଡ଼ୁତାକୁ ବାହା ହୋଇଥିଲି । ଶାଶୁଘରକୁ ଯିବା ଆଗରୁ ମୋ ଗେରସ୍ତ ଆଉ କେଇଜଣ ଟୋକାଙ୍କ ସାଙ୍ଗେ ପଡ଼ି ରେଙ୍ଗାମ (ରେଙ୍ଗୁନ) ଚାଲିଗଲେ । ଗଲେ ଯେ ଆଜିକି କୋଡ଼ିଏ ତେର ବର୍ଷ ହେଲା ଘରକୁ ଫେରିଲେ ନାହିଁ କି ଚିଟାଉ ଲେଖି ଭଲ ମନ୍ଦ ପଚାରିଲେ ନାହିଁ । କେତେ ଲୋକ ମୋ ଆଆକୁ ଶିଖାଇଲେ, ଚାନ୍ଦକୁ ଦୁତୀୟ କରିଦେ । ମା ହଁ ହଁ କରି ପାଞ୍ଚ ବରଷ କଟାଇଦେଲା, ସେଇଠୁ ସେ ମଲା । ସେ ମଲାରୁ ମୋର ଦୁତୀୟ ହେବା କଥା ଆଉ ଉଠିଲା ନାହିଁ । ଘରେ ନିଧି ସମ୍ପତ୍ତି ନାହିଁ ଯେ ଚଳିଯିବି । ବାର ଘରକୁ ଯାଇ ପରକୁ ଆପଣାର କରି ପାଞ୍ଚ ପାଇଟି କଲେ ଯିଏ ତୋରାଣି ମନ୍ଦାଏ ଦେବ । ନୋହିଲେ ମୁଁ କାହାର କଅଣ କି, ମୁହଁକୁ ଅନାଇବ ? ଆଖିରୁ ଲୁହ ପୋଛିଲା ।

 

ଅହିଲା କହିଲା, ଥାଉ ସେ କଥା । ଚଉଧୁରୀ କ’ଣ କହିଲେ ? ତାଙ୍କ କଥା ପଇଲେ ମତେ ବାଘ ସାପ ହାବୁଡ଼ିଲା ପରି ଲାଗେ ।

 

ଚାନ୍ଦ କହିଲା, ଲାଗିବ ନାହିଁ ? ଗରିବଙ୍କର, ରାଣ୍ଡୀଖଣ୍ଡିଙ୍କର ତଣ୍ଟି କାଟି ରକ୍ତ ଯିଏ ଶୋଷି ପିଏ, ସେ ଚୋର ଡକାଇତଠୁଁ ବଳେ । ଚୋର ଛପି ଛପି ଆସି ଅନ୍ଧାର ରାତିରେ ଘରେ ପଶି ବାସନକୁସନ ବୋହିନିଏ, ଡକାଇତ ଧନ ଲୋଭରେ ଘରେ ପଶି ଧରାପଡ଼ିବା ଡରରେ ହାବୁଡ଼େ ପଡ଼ିଲେ ଧନୀ ଲୋକର ତଣ୍ଟି କାଟେ, ଚଉଧୁରୀ ଯେ ଦିନ ଦିପହରେ ଡାକିବଜାଇ ଗରିବର ହାଣ୍ଡି କୁଣ୍ଢେଇ ନେଇଯାଆନ୍ତି ! ମୋ ମାଆଲୋ କିଏ, ଆସୁଥିବ ପରା !

 

ଚାନ୍ଦ କହିବାକୁ ଲାଗିଲା, କାଲି ରାତିରେ ସେ ମୋତେ ଡକାଇ ନେଇ ଆଗ ବହେ ଧମକ ଚମକ କଲେ । କେଉଁ ଦିନ କାହା ବାଡ଼ିରେ ପଶି ମୁଁ ଖଡ଼ା ଚୋରି କରିଥିଲି, କାହା ଧାନଗଦା ଭାଙ୍ଗି ଧାନ ନେଇ ଯାଇଥିଲି, କୁଆଡ଼େ ଅପନା ବାଉରୀକୁ ଚାହିଁ ହସୁଥିଲି । ଅପନା ବି ଆରକ । ଗୁହା ଗୁଜୁରିବାକୁ ଆଗ । ଚଉଧୁରୀଙ୍କର ହଳିଆ ମୋ ଆଡ଼ଧରି ତ କହନ୍ତା ନାହିଁ, ଯାହା ଶିଖାଇଛନ୍ତି ସେଇଆ କହିବ । ସେଉଠୁ ଚଉଧୁରୀ ମୋତେ କଅଁଳେଇ କହିଲେ, ଆଲୋ ତମ ସାଆନ୍ତାଣୀଙ୍କ ଦେହ ତ ଭଲ ନାହିଁ, ପିଲା ଛୁଆ ଅନାସ୍ଥା ହେଉଛନ୍ତି । ତୁ ହେଲେ ଟିକିଏ ଆସି ତାଙ୍କୁ ଦେଖାଦେଖି କର । ଦିବେଳା ଖାଇବୁ, ଦୋଳ ଦଶରାକୁ ଲୁଗା ପିନ୍ଧିବୁ, ତୋର କେଉଁ କଥାର ଅଭାବ ରହିବ ନାହିଁ ।

 

କଅଣ କରିବି, ଡରି ହରି ହଁ କହିଲି । ରାତିଟା ତାଙ୍କରି ଘରେ କଟାଇଲି । ସକାଳୁ ଉଠି ବାସିପାଇଟି ସାରି ଲୁଗା ହକାଳିବାକୁ ଚାଲିଆସିଛି । ମୋ କୁଡ଼ିଆର କବାଟ ଅଦଡ଼ା । ତାଲା ସିନା ଦେଇ ଯାଇଥିଲି, ମନ ଦୁଡ଼ୁଗୁଡ଼ୁ ହେଉଛି । ଗାଧୋଇ ସାରି ଆଗ ଯାଏଁ ଥରେ କୁଡ଼ିଆଟାକୁ ଚାହିଁ ଆସେ ।

 

ଅହିଲା ହତାଶ ହୋଇ କହିଲା, ତେବେ ଆଜିଠୁ ତୁ ଆଉ ମୋ ଘରକୁ ଶୋଇବାକୁ ଯିବୁ ନାହିଁ ମାଉସୀ ? କେମିତି ମୁଁ ପିଲାଟାକୁ ଧରି ଏକୁଟିଆ ବେଳ କାଟିବି କହିଲୁ ?

 

ମୋର ଏଥିରେ କି ଚାରା ଅଛି ? ଚଉଧୁରୀଙ୍କ କଥା ନ ମାନିଲେ ମୋତେ ସେ ଏ ଗାଁରେ ରଖାଇଦେବେ ନାହିଁ । ଯାଉଛି ଲୋ । ଚାନ୍ଦ ଅହିଲା ପାଖରୁ ଚାଲିଗଲା ।

•••

 

 

ଓଦା ଲୁଗାକୁ ବାଇଗବା ବାଡ଼ରେ ଶୁଖାଇ ଦେଇ ସାରି ଅହିଲା ମତୀକୁ ପୋଛିଦେଲା । ଗରୀବ ଘର ହେଲେ କ’ଣ ହେଲା ମଣିଷ ତ, ସ୍ନେହସରାଗ ସଭିଙ୍କର ଥାଏ । ଝିଅକୁ କଳା ସିନ୍ଦୂର ନାଇଦେଲା । ଖେଳିବାକୁ ଗୋଟିଏ ମାଟି କଣ୍ଢେଇ ଦେଲା । ଡେମ୍ପଡେମ୍ପ କରି କଳମ୍ବ ଶାଗ ବାଛିବସିଲା । ଗରିବଘର ଦେଖି ଠାକୁରେ ସୁଧାର ପିଲା ଦେଇଛନ୍ତି । ଅଝଟପଣିଆଁ ନାହିଁ । ପିଲାଏ ଅଛନ୍ତି ଏଡ଼େ ଖୁଜୁବୁଜିଆ ଯେ, ହାତରେ ଗୋଡ଼ରେ ପୂରାଇ ଦଅନ୍ତି ନାହିଁ । ମତୀପାଇଁ ଅହିଲା କେବେ ବିରକ୍ତ ହୋଇ ନାହିଁ । ମତୀ ସୁନା ଝିଅଟିଏ ।

ମଣିଷ ଏକୁଟିଆ ବସିଲେ ତା ମନରେ କେତେ ଭାବନା ପଶେ । ଅହିଲାର ମନରେ ଚାନ୍ଦର କଥା କେଇପଦ କେତେ ଭାବନାର ତରଙ୍ଗ ତୋଳିଲା । ତା’ର ସ୍ୱାମୀ ଦେବତା, ସୁଖଦୁଃଖର ସାଥୀ, ସତେ କଅଣ ତାକୁ ଭୁଲିଯିବେ ? ସତେ କଅଣ ସେ ଅହିଲାକୁ ମୁରୁଛି ଚିରଦିନପାଇଁ ମୁହଁଛପା ଦେଇ ରହିବେ ? ଅହିଲା ଶୁଣିଛି ରେଙ୍ଗାମ ରାଇଜ କିମିଆ ରାଇଜ । ସେଠିକା ମାଇପେ ଗୁଣି-ଗାରଡ଼ି ଜାଣନ୍ତି ଆମ ଆଈବୁଢ଼ୀଙ୍କ ବୁଢ଼ୀମାଲୁଣୀପରି ଧଳାଫୁଲ ଶୁଙ୍ଘାଇ ମଣିଷକୁ ମେଣ୍ଢା କରି ଦିଅନ୍ତି । ଦିନଯାକ ସେ ମେଣ୍ଢା ହୁଏ, ରାତିରେ ହୁଏ ମଣିଷ ।

ତାର ଗେରସ୍ତଙ୍କର କଅଣ ସେହି ଅବସ୍ଥା ହେବ ? କେଉଁ ଅଜଣା ଡାଆଣୀର ପାଲରେ ପଡ଼ି ସେ ଘରସଂସାର ଛାଡ଼ି ତେଣେ ରହିବେ ସୁଖରେ ? ଆଉ ସେ, ତାଙ୍କର କଥା ଭାବି କଲବଲ ହୋଇ ବେଳ କାଟିବ ? ଏଠି ତାର ସାହା ଭରସା କେହି ନାହିଁ । ଦୁଃଖ ଶୁଣିବାକୁ ଗୁହାରି ଘେନିବାକୁ କାହାରି ମନ ତଟିବ ନାହିଁ । ଯାହାକୁ ପଦେକଥା କହିଲେ, ସେ କଣେଇଁ ଚାହିଁବ, ମାଣେ କି ପୋଷେ ଉଧାର ମାଗିଲେ ସେ ମୁଡୁକି ହସିବ । ସେ ଚାହାଣୀ ସେ ହସ ଯେପରି ଛଳେଇ ଡାକେ, ଆ ଜହର ଢୋକିବୁ । ସେ ଜହର ଅତି ସୁଆଦ । ଆ ନିଆଁ ଗିଳିବୁ । ସେ ନିଆଁ ଅତି ଶୀତଳ-। ଅଳପାଇସାମାନେ ।

ଦେଶଛାଡ଼ି ଯେ ଯାଏ, ସେ ଫେରିବାକୁ ମନ କରିବ କାହିଁକି ? ସମାଜର ଅତ୍ୟାଚାର, ସମାଜ କର୍ତ୍ତାମାନଙ୍କର ଉତ୍ପୀଡ଼ନ ସହିବ କିଏ ? ସେମାନଙ୍କ ପାଖରୁ ଯେତିକି ଦୂରରେ ରହିବ, ସେତିକି ଭଲ । ସକାଳୁ ସଞ୍ଜଯାଏ ଖଟି ଖଟି ଦେଶରେ ପେଟକୁ ମୁଠାଏ ମିଳେ ନାହିଁ । ମିଳିଲେ ବି ତାକୁ ସୁରୁଖୁରୁରେ ଭୋଗ କରିବାକୁ ଲୋକ ପାଆନ୍ତି ନାହିଁ । ଟିକିଏ ଗୋଡ଼ ଖସିଗଲେ ଜାତିଆଣ ସଭା, ଭାଇ ଭାତ । ବଢ଼ି, ଦୁର୍ଭିକ୍ଷ, ନାନାପ୍ରକାର ରୋଗରେ ଦେଶଟା ପୂରି ରହିଛି । ସବୁବେଳେ ଜୀବନ ମରଣର ଟଣାଓଟରା । କ୍ଷଣେ ଗଲେ ଯୁଗେ ବିତୁଛି । ସବୁବେଳେ ଛାତି ଦୁଡ଼ୁଗୁଡ଼ୁ, ତେଣୁ ଯିଏ ଯାଉଛି ତେଣେ ରହୁଛି । ଫେରିବାକୁ ମନ କରୁ ନାହିଁ ।

ବଢ଼ି ପାଣିରେ ଘରଦ୍ୱାର ଭାସିଗଲେ କି ଦୁର୍ଭିକ୍ଷ ରୋଗ ବୈରାଗରେ ଲୋକେ ଛଟପଟ ହୋଇ ମଲେ ବି ପରିତ୍ରାଣ ନାହିଁ । ଶୁଖିଲାରେ ଅପନ୍ତରାରେ ପଡ଼ି ଠାଉଠାଉ ହେଉଥିବା ମାଛକୁ ହାତରେ ଧରି ପାଣିରେ ଛାଡ଼ିବା ତ ଦୂରର କଥା, ପାଣି କୂଳରେ ବସି ପଲ ପଲ ବଢ଼ିଆ କାଙ୍କ ଥଣ୍ଟରେ ଧରି ଟକ୍ ଟକ୍ ଗିଳିବାକୁ ଟାକି ରହିଛନ୍ତି ।

ସ୍ୱାମୀ ତା’ର ମୁକ୍ତ ଚଢ଼େଇ । ପେଟବିକଳରେ ଚଉଧୁରୀଙ୍କ କରଜ ଟଙ୍କାକୁ ଡରି ସେ ଯେଉଁଦିନ ଗାଁ ଦାଣ୍ଡ ଡେଇଁ ବିଦେଶକୁ ଗୋଡ଼ କାଢ଼ିଲେ, ଆଖିଆଗରୁ ଛୋଟପଣିଆଁ ଅପସରି ଯାଇଥିବ । ଦୁନିଆଁ ତାଙ୍କ ଆଖି ଆଗରେ ଜଳଜଳ ହୋଇ ଦେଖାଯାଇଥିବ । ସେ ତ ମୁକ୍ତ । ପଛକୁ ଫେରି ଚାହିଁବେ କାହିଁବି ?

ଅହିଲାର ଛାତି ଥରିବାକୁ ଲାଗିଲା । ଆଖି ଆଗରେ ବିଶ୍ୱବ୍ରହ୍ମାଣ୍ଡ ଭ୍ରମିବାକୁ ଲାଗିଲା । ସେ ଭାବିବାକୁ ଲାଗିଲା, ସତେ କଅଣ ତା’ର ସ୍ୱାମୀ ତାକୁ ପର କରି ବିଦେଶରେ ରହିବେ ? ମତୀ ତାଙ୍କର ମନେ ପଡ଼ିବ ନାହିଁ ? ତାର ସଜଳ ଆଖିପତା ଚିରଦିନ ସଜଳ ରହିବ ?

ସେ ଉପରକୁ ଚାହିଁଲା । ତାର ଛୋଟ କୁଡ଼ିଆ ଏବର୍ଷ ଛୁଆଣି ହୋଇ ନାହିଁ । ନଈକୂଳିଆ ପବନରେ ଚାଳଉପରୁ ଛଣ ଉଡ଼ିଯାଇଛି । ଚାଳଟା ଠାଏ ଠାଏ ମେଲା ହୋଇଯାଇଛି । ମାଙ୍କଡ଼ ଡେଇଁ ବାଉଁଶ ଗଣ୍ଠି ସବୁ ଛିଣ୍ଡି ଯାଇଛି । ବତା ସବୁ ଖସିପଡ଼ିଲାଣି । ପୁରୁଣା ଘରଟାର ଖତରା ରୁଅ ଶ୍ରେଣୀ ଦେହରୁ ଉଲୁରି ଆସିଲାଣି । ଖୁଣ୍ଟ ଗୁଡ଼ାକର ମୂଳରୁ ଉଇ ଖାଇ ଭିତରେ ଭିତରେ ଉଇ ଚରି କୋରଡ଼ କରିଲେଣି । ଖାଲି ଫୁଲପରି ରଖାହୋଇଛି । ବାଆ ବତାସରେ ଘର ଦୋହଲି ପଡ଼େ । କାନ୍ଥ ଲୁଣି ମାରିଲାଣି । ଅସରାଏ ପାଣିରେ ମୂଷାମାଟି ପରି ଝରି ପଡ଼ିବ ।

ସେହି ଖଣ୍ଡିଆ ଚାଳ ତଳେ, ପୁରୁଣା ଘର ଭିତରେ, ଅହିଲା ତା’ର ପିଲାକୁ ଧରି ପ୍ରକୃତି ବିରୁଦ୍ଧରେ ଠିଆ ହେବ ଏକୁଟିଆ । ନିଃସହାୟ ଅହିଲାର ଆଖିପତା ସଜଳ ହେଲା । ସେ ମତୀକୁ କୋଳକୁ ଟାଣି ଆଣିଲା, ତାର ମୁହଁରେ ବୋକ ଦେଇ କହିଲା, ବାପା ତୋର କାହାନ୍ତି କହିଲୁ ?

ମତୀ ଖୁସି ହୋଇ କହିଲା, ବାପା କତକ ଯାଇଚି, ମିତେଇ ଆନିବ ।

ମତୀ ଅନାଇ ବସିଛି, ବାପା ତାର ବିଦେଶରୁ ମିଠେଇ ନେଇ ଫେରିବ ।

ବିନୋଦ ଫେରିବ, ମତୀକୁ କେବେ ସେ ହତାଶ କରିବ ନାହିଁ ।

•••

 

 

ମତୀ ଲୋ, ଆଲୋ ମତୀ–

 

କେଡ଼େ କଥା ହେଲା, ନିଜେ ଚଉଧୁରୀ ସାଆନ୍ତେ ହସ ହସ ହୋଇ ଘରଆଡ଼କୁ ମାଡ଼ି ଆସୁଛନ୍ତି । ରଜା ଆଜି ଭିଖାରୀ ଦୁଆରେ ଠିଆ । ଝିଅଟାର ନାଆଁ ଧରି ଗେହ୍ଲେଇ ଡାକୁଛନ୍ତି । ସୌଭାଗ୍ୟ କି ଦୁର୍ଭାଗ୍ୟ ଅବାକ୍‌ ଅହିଲା ବୁଝିପାରୁ ନାହିଁ । ସେ ମୁଣ୍ତରେ ଓଢ଼ଣା ଦେଲା । ମତୀକୁ କୋଳରୁ ଓହ୍ଲାଇ ଆଡ଼ ହୋଇ ଠିଆହେଲା । ବଟ ଚଉଧୁରୀଙ୍କୁ ଘର ଭିତରକୁ ଆସୁଥିବାର ଦେଖି ତାର ଅନ୍ତରାତ୍ମା ଥରିଉଠିଲା । ସାକ୍ଷାତ୍‌ ଯମ ସେ । କାହିଁକି ଏ ଘର ଉପରେ ତାଙ୍କର ଶନିଦୃଷ୍ଟି ଆଜି ପଡ଼ିଛି କେଜାଣି ।

 

ଚଉଧୁରୀଙ୍କର ବୟସ ଚାଳିଶ ହେବ । ଗୋରା ତକତକ ରଙ୍ଗ । ବଳିଲା ପରି ଦେହ, ସୁନ୍ଦର ଚେହରା । ମୁଣ୍ଡର ବର୍ତ୍ତୁଳ କେଶରାଶି ମଝିରେ ସୁଦୀର୍ଘଚୁଟି । ଚଉଧୁରୀ ଦୋହଲି ଦୋହଲି ତାଟି ପାଖକୁ ଆସିଲେ । କଅଁଳେଇ କହିଲେ, ଆଲୋ ମତୀ, ନେ, ଏ ପିଜୁଳି ନେ । ବାରିଗଛରେ ପିଜୁଳି ପାଚିଛି । ହେଲେ, ଏ ବାଦୁଡ଼ିଙ୍କ ଜାଳାରେ ଗୋଟାଏ ହୋଇ ରହିଲା ନାହିଁ । ସଞ୍ଜ ହେଲା ତ କେଉଁଠୁ ରାବଣେଶ୍ୱର ଫଉଜ ପରି ଦଳକୁ ଦଳ ମାଡ଼ି ଆସି ଗଛ ପଦା କରି ଦେଲେଣି ।

 

ମତୀ ତା ମାଆର କାନି ଧରି ସତେ କି ଅନୁମତୀ ମାଗିଲା ।

 

ଅହିଲା କିଛି ନ କହି ମନକୁ ମନ ଗୁଣି ହେଲା, ଆହା, ଚଉଧୁରୀ କେଡ଼େ ଦୟାବନ୍ତ ପୁରୁଷ, ମୋ ଖବର ବୁଝିବାକୁ ନିଜେ କଷ୍ଟ କରି, ଧାଇଁ ଆସିଛନ୍ତି । ସେ କାହା ପ୍ରତି ସିନା କ’ଣ; ଆମ ପ୍ରତି ତ ଭଲ । ଅହିଲା ତୁନି ତୁନି ମତୀକୁ ଯିବାକୁ କହିଲା । ମତୀ ପାଟିରେ ବୁଢ଼ା ଆଙ୍ଗୁଠି ଭରି ଚଉଧୁରୀଙ୍କ ପାଖକୁ ଗଲା । ଡରି ଡରି ତାଙ୍କ ହାତରୁ ପିଜୁଳି ଆଣି ପୁଣି ତାର ମା ପାଖକୁ ଫେରିଆସିଲା ।

 

ଚଉଧୁରୀ ଆଉ ଦି ପାଦ ଆଗକୁ ଆସି ଗଳା ଖଙ୍କାରି କହିଲେ; ବିନୋଦ ଯିବାର ଆଜିକି ପୂରା ଦୁଇମାସ ହେଲା । କୁଆଡ଼େ ଗଲା, କେଉଁଠି ରହିଲା, କିଛି ଖବର ପଠାଇଛି କି ? ପିଲାଛୁଆଙ୍କୁ ଏକୁଟିଆ ଛାଡ଼ି ବିଦେଶରେ ରହିଛି, ସେଥିକି ତା’ର ଟିକିଏ ହେଲେ ଚିନ୍ତା ଦକ ନାହିଁ ! କେମିତି ନିର୍ବୋଧ ନିଶ୍ଚିନ୍ତ ଲୋକଟା ସେ !

 

ଅହିଲା ଉତ୍ତର ଦେଲା ନାହିଁ । ଚଉଧୁରୀ ଯେ କରଜ ଟଙ୍କା ଅସୁଲ ପାଇଁ ତାଗିଦ୍‌ କରିବାକୁ ନିଜେ ଆସିଛନ୍ତି, ଏହା ସେ ଅନୁମାନ କରି ପାରିଥିଲା । ତା’ର ବା ବଳ କେତେ ? କରଜ ଟଙ୍କା ଦୂରର କଥା ତାର ସୁଧ ପରିଶୋଧ କରିବାକୁ ତା ପାଖରେ କିଛି ନାହିଁ । ବିଲର ଗଚ୍ଛିତ ବିହନରେ ଯତ୍ରେକତ୍ରେ ଦି ମାସ ଚଳାଇଦେଲା, ଏଣିକି ସେ କରିବ କଅଣ ? ବିନୋଦ ଯଦି ଏଥର ବରାବର ଟଙ୍କା ନ ପଠାଏ, ତେବେ ଦିନକୁ ବେଳାଏ ମୁଠାଏ ଖାଇବାକୁ ଯୋଗାଡ଼ କରିବା କଷ୍ଟ ହେବ । ଆଜିଯାଏ ସେ ଘରୁ ପଦାକୁ ଗୋଡ଼ କାଢ଼ି ନ ଥିଲା, ଏବେ ପେଟପାଇଁ ପରଘରେ କାମ କରି ପରକୁ ଅନୁସରଣ କରି ମାଣେ କି ପୋଷେ ନ ଆଣିଲେ ଝିଅଟିର ଜୀବନ ବଞ୍ଚାଇପାରିବ ନାହିଁ ।

 

ପେଟପାଇଁ ପରକୁ ଅନୁସରଣ କରିବ ଅହିଲା ! ତାର ଆଖି ଛଳଛଳ ହୋଇଆସିଲା । ସେଥିରେ କ୍ଷତି ନାହିଁ । ତା ପରି କେତେ ଜଣା ଅଜଣା ଅହିଲା ପରର କାମ କରି ଦୁନିଆର ମଙ୍ଗଳପାଇଁ, ସମୟର ଚଳନ୍ତି ସୁଅକୁ ହାତ ନ ବଢ଼ାଇ ଯତ୍ରେକତ୍ରେ ଜୀବନ ଧରି ରହିଛନ୍ତି । ସମାଜ ତାଙ୍କପାଇଁ କରେ କ’ଣ ? କେବଳ ନିର୍ଯ୍ୟାତନା, ପ୍ରବଞ୍ଚନା !

 

ଚୌଧୁରୀ ପୁଣି କହିଲେ, ଦୁଃଖୀ ରଙ୍କି ହେଉ କି ଯେ ହେଉ, ଏକା ଗାଁରେ ଘର କରିଥାଇଁ, ଏକା ନାବରେ ବସିଥାଇଁ; ସମସ୍ତଙ୍କ ସୁଖ ଦୁଃଖକୁ ନିଘା ନଜର ଦେଇ ଚଳିବାକୁ ହେବ । ଯେଉଁଦିନ ବିନୋଦର ମା ମଲା, ଗାଁ ଭାଇଏ ଆଇନ୍‌ ଧରି ଅଡ଼ି ବସିଲେ, ଲାସ ଉଠାଇବେ ନାହିଁ, ଠାକୁର ଘରକୁ ଟଙ୍କା ଦେଲେ ଯାଇଁ ଉଠାଇବେ । ବିନୋଦ ବାରଘରକୁ ଯାଇ ଦାନ୍ତରେ ତିରଣ ଧରି ଟଙ୍କା କୋଡ଼ିଏଟା ପାଇଁ ନେହୁରା କଲା, କେହି ତା କଥା ଶୁଣିଲେ ନାହିଁ, ତା ଦୁଃଖ ବୁଝିଲେ ନାହିଁ । ମୁଇଁ ଥିଲାକୁ ଚାବି ହଜିଥିଲା ବୋଲି ଦି ଟଙ୍କାର ତାଲାକୁ କୁହୁଣ୍ଡାରେ ମୋଡ଼ି ବାକ୍‌ସ ଭାଙ୍ଗି ଠଣ୍‌ ଠଣ୍‌ ପଚିଶ ଟଙ୍କା ଗଣିଦେଲି । ଚୌଧୁରୀ ତୁନି ହେଲେ ।

 

ଅହିଲା ଆଖିରୁ ଲୁହ ପୋଛି ଧୀରେ ଧୀରେ କହିଲା, ସାଆନ୍ତେ, ଅବେଳାରେ ଯେଉଁ ସାହାଯ୍ୟ ଦେଇଛନ୍ତି ସେ ଋଣ ଏ ଜୀବନରେ ଶୁଝିପାରିବୁ ନାହିଁ । ଦି’ମାସ ହେଲା ସେ ଘରୁ ଗଲେ, ଟଙ୍କାପଇସା ଦୂରର କଥା, ଖଣ୍ଡେ ଭାଷା ଦେଇ ନାହାନ୍ତି । ମୁଁ ଏକୁଟିଆ, ମାଇପି ଲୋକ, କଅଣ କରିବି ? ସୁଧରେ ସୁଧ ମିଶି କରଜ ଟଙ୍କା କେତେ ବଢ଼ିଯିବଣି । ମୂଳ ରଖି ସୁଧ ଛିଣ୍ଡାଇବାକୁ ବି ମୋର ଶକ୍ତି ନାହିଁ । ସେ ବିଦେଶକୁ ଯିବେ ବୋଲି ରେଳଭଡ଼ା ପାଇଁ କାଶୀ ପାନରା ଘରେ ବାସନ ଦିଖଣ୍ଡି ବନ୍ଧା ପକାଇ ତିନିଟଙ୍କା ଆଣିଥିଲି । ଅଣ୍ଟିବ ନାହିଁ ବୋଲି, ବାରିରେ ଦି’କାନ୍ଦି ବନ୍ତଳ କଦଳୀ ଫଳିଥିଲା, ତାକୁ ନନ୍ଦ ଓଝାକୁ ଦେବି କହି ଟଙ୍କାଏ ଧାର ଆଣିଥିଲି । ଯନ୍ତାଳ ରାତିରେ କଦଳୀ ଦି କାନ୍ଦି କିଏ କାଟି ନେଲା । ମୁଁ ହାତରେ କନା ଦଉଡ଼ି ବାନ୍ଧି କଂସାଖଡ଼ୁ ଦିଖଣ୍ଡ କୁଳିଆମା ବାଉରାଣୀକୁ ବିକି ପଇସା ଦଶଣା ଆଣି ନନ୍ଦ ଓଝାକୁ ଶୁଝିଲି । ବାକି ଛଅଣାପାଇଁ ସବୁଦିନେ ସକାଳେ ମୋତେ ସେ ବାରକଥା କହି ଶୋଧୁଛି । ସୁଧ ଦେବାକୁ ଆଉ ମୋ ଘରେ କିଛି ନାହିଁ ।

 

ଚୌଧୁରୀ ହସି ହସି କହିଲେ, ଆଲୋ, ମୁଁ କଅଣ ସୁଧ ନେବାକୁ ଆସିଛି ? ତମର ହାଲ୍‌ ହଇକତ ବୁଝିଯିବି । କିପରି ଚଳାଚଳ ହେଉଛ ଦେଖିଯିବି ବୋଲି ମୋର ଆସିବାର କଥା । ଟଙ୍କା ପଇସା ଆଇଲେ ସୁଧ ଦେବ, ନଇଲେ ନାହିଁ । ସେଥିକୁ କଅଣ ତଣ୍ଡ ପଡ଼ିଛି ?

 

ଚୌଧୁରୀ ବିନୋଦର ଘରକୁ ଓ ବାରିକୁ ଚାହିଁ ବିଦାୟ ନେଲେ ।

ଅହିଲାର ପିଣ୍ଡରେ ପ୍ରାଣ ପଶିଲା । ଯମରାଜା ଚାଲିଯାଇଛନ୍ତି ।

•••

 

 

ଦିପହରେ, ବନ୍ଧ ଉପରେ ଅହିଲା ବସିଛି । ଗେହ୍ଲିମାଆର ହାବୁଡ଼େ ପଡ଼ିଲା । ଦଶ ଲୋକଙ୍କ ଆଗରେ ଡାକିବଜାଇ ସେ ତାକୁ ବାର କଥା କହି ଶୋଧିଲା । ଶୋଧନ୍ତା ନାହିଁ କାହିଁକି ? କରାଟରୁ କାଢ଼ି ଗୋଟାଏ ରଜାମାର୍କା ନୂଆ ଟଙ୍କା କଂସାଖଡ଼ୁ ଉପରେ ଠଣ୍‌କରି ବଜାଇ ସେ ଅହିଲା ହାତକୁ ବଢ଼ାଇ ଦେଇଥିଲା, କଦଳୀ ଦି କାନ୍ଦି ଲୋଭରେ । ଆସି ଅଢ଼େଇ ମାସ ହେଲା, କଅଣ ଟିକିଏ ନିଖିଏ ? କୋଡ଼ିଏଥର ଲୋକ ପଠାଇ, କାମଧନ୍ଦା ଛାଡ଼ି ନିଜେ ତା ଘରକୁ ଚାରିଥର ଦଉଡ଼ି, ଦଶଣା ପଇସା ଆଦାୟ କରିଛି, ଆଉ ଛଅଣା ବାକି ଅଛି । ତାକୁ ଆଦାୟ କରିବାକୁ ଆହୁରି ଦଶଥର ସେ ଲୋକ ଦଉଡ଼େଇବ ?

 

ଧାରିଛି ତ, ଅହିଲା ଆଉ କହିବ କ’ଣ ? ତୁନି ହୋଇ ସବୁ ସହିଗଲା । ନନ୍ଦ ଓଝାର ଘରଣୀ ଗେହ୍ଲିମା ସାମନାରେ ପାଟି ଫିଟାଇବାକୁ ତା’ର ସାହାସ ନାହିଁ । ସେ ଯେପରି କଳିହୁଡ଼ୀ ଲୋକ, ତାକୁ ଚିଡ଼ାଇଲେ ସେ କଞ୍ଚା ଖାଇଦେବ ଲୋ ମା । ତାକୁ ପୁଣି କିମିଆଁ ମନ୍ତର ମାଲୁମ ଅଛି-। କେଉଁ ଛୁଆପିଲା ଉପରେ ଦୃଷ୍ଟି ପଡ଼ିଗଲେ ଆଉ ତାକୁ ରଖେ କିଏ ? ଗୁଣିଆ ଧୋବି ସେଠି ଆସି ନ ଝଡ଼ିବାଯାଏ ବାର ସହିବ ନାହିଁ । ଏସବୁ କଥା ଜାଣି ଅହିଲା ମତୀକୁ ପେଟତଳେ ଯାକି ପଣତ ଘୋରାଇ ଦେଇଥାଏ । ସେ ତା’ର ମନଇଚ୍ଛା ଯେତେ ଶୋଧିଲା, ଅହିଲା ଜବାବ୍‌ ନ ଦେଇ ଶୁଣିଲା । ଆଖିରୁ ଲୁହ ଝରିପଡ଼ୁଥାଏ ।

 

ଗେହ୍ଲିମା ତୁନି ହେଲାରୁ ଅହିଲା ଆଧୀନ୍ୟ ହୋଇ କହିଲା, ଯାହା କହିବାର କହ ପଛେ, ମୋର ଏବେ କେଉଁ ଚାରା ଅଛି ? ପାଖରେ ପଇସା ରଖି ଯଦି ନ ଶୁଝନ୍ତି ମୋ ମନ ମୋତେ ବିନ୍ଧନ୍ତା, ମୋ ଧର୍ମ ମତେ ଖାଅନ୍ତା । ଉପର ହାତରେ ତୁମେ ଦେଇଛ, ତଳ ହାତରେ ମୁଁ ନେଇଛି । ଯାହା କହିବ ନ ସହି ଯିବି କୁଆଡ଼େ ?

 

ଆଖିରୁ ଲୁହ ପୋଛିଲା ।

 

ଗେହ୍ଲିମା ଶାନ୍ତ ହୋଇ କହିଲା, ଦିବେଳା ହାତ ଚଳୁ ନଥିବ ମନେ କଲେ ଆଁ । ପରର ଧାରି ନିଶ୍ଚନ୍ତରେ ବସିବାକୁ କିପରି ଭଲ ଲାଗେ ଲୋ ମା !

 

ଭାତ ଥିଲେ ହାତ ଚଳିବ ଲୋ ନାନୀ, ଶୂନ୍ୟରୁ କିଛି ଗଳିପଡ଼ିବ ନାହିଁ । ତିନି ଓଳିରେ ଚୁଲି ଲାଗାଇବାକୁ ଘରେ କାଣି କଉଡ଼ି ନାହିଁ । ସେ ଘରୁ ଗୋଡ଼ କାଢ଼ିଲା ଦିନୁ ଚିଠିଖଣ୍ଡେ ବି ଦେଇ ନାହାନ୍ତି । ଦିହପା କିମିତି ଅଛି ମୁଁ କିଛି ଜାଣେ ନାହିଁ । ଟଙ୍କା କଥା ପଚାରେ କିଏ ?

 

ଗେହ୍ଲିମା କିଛି ନ କହି ବନ୍ଧ ଉପରୁ ଗଡ଼ି ଘରକୁ ଗଲା ।

•••

 

୧୦

 

ଛାଇନେଉଟ ବେଳ ।

 

ଗାଁ ଟୋକାଏ ଛିଟ୍‌କୁଣି ବାଟୁଳିଖଡ଼ା ଧରି ମାଙ୍କଡ଼ ହୁରୁଡ଼େଇବାକୁ ଧୁଏ ଧୁଏ ହୋଇ ନଈକୂଳ ବଡ଼ ଓସ୍ତଗଛ ମୂଳକୁ ଦଉଡ଼ିଲେ । କେତେ ଜଣ ଲୋକ ଭଙ୍ଗା ଟିଣ ପିଟି ମାଙ୍କଡ଼ଙ୍କୁ ତରଛ କଲେ । ଖରାତେଜ କମିଗଲାଣି । ଅହିଲା ମତୀକୁ ବନ୍ଧ ଉପରେ ଛାଡ଼ି ଓସ୍ତପାଖ ଝଙ୍କା କୋଚିଲା ମୂଳକୁ ପତର ଗୋଟାଇବାକୁ ବାହାରିଗଲା ।

 

ମତୀ ମନକୁ ମନ ଖେଳୁଥାଏ । କୁଆଡ଼େ ଥିଲା ବଟ ଚଉଧୁରୀଙ୍କର ମଝିଆଁ ପୁଅ ଗୋକୁଳା, ଧାଇଁ ଆସି ପଛଆଡ଼ୁ ମତୀର ଆଖି ବୁଜିଧରିଲା । ତା ପିଠିରେ ଦୁମ୍‌ଦୁମ୍‌କରି ଚାରିବିଧା ଥୋଇଦେଲା । ମତୀ କାନ୍ଦିବାକୁ ବେଳ ନ ପାଉଣୁ ସେ ଚିଲପରି ଛୁଟି ପଳାଇଲା ।

 

ମତୀ ବଡ଼ପାଟି କରି କାନ୍ଦିଲା । କାନ୍ଦିବା ଛଡ଼ା ତା’ର ଆଉ କି ବଳ ଅଛି ? ଅରକ୍ଷ ଦେଖି, ଅପାରଗ ଦେଖି ଗାଁପିଲାଏ ତାକୁ ଫୁଲକମ ପରି କରନ୍ତି । ଏକୁଟିଆ ଦେଖିଲେ ହାତଗଲୁ ସାରିବାକୁ ଗାଁପିଲାଏ ମତୀ ଉପରକୁ ମାଡ଼ି ଆସନ୍ତି । ସେ କିଛି କହିପାରେ ନାହିଁ । ତା’ର ମାଆର ବି ତୁଣ୍ଡବଳ ନାହିଁ ।

 

ଦିନେ ଗୋଟାଏ ପିଲା ତା ଆଖିରେ ଦି ମୁଠା ବାଲି ଭରିଦେଲା । ଆଉ ଦିନେ ଆରସାହିର ହଟିଆ ତାକୁ ଧରି ଗୋଟାଏ ବାଲିଜନ୍ଦା ମନ୍ଦା ଉପରେ ବସାଇ ଦେଲା, ମଜା ଦେଖିବାକୁ । ଦିନେ ଦିଜା ତା’ର ହାତଗୋଡ଼ ବାନ୍ଧି ଗୋଟାଏ ଖାଲରେ ପକାଇଦେଲା, ସେ ବି ତ ଗୋଟାଏ ମଜା ! ନୀଳ ତା ମୁହଁକୁ ଚୂନ, କଳା, ହରିତାଳରେ ଛପିଛପିକା ଚିତ୍ର କରି ଗାଁ ଦାଣ୍ଡରେ ବସାଇଦେଲା । ଯିଏ ଯାଏ, ଦେଖେ, ହସେ । ୟାଠୁ ବଳି ମଜା ଅଛି ନା ?

 

ଧନ୍ୟରେ ଲୋକଙ୍କର ମଜା ନିଶା ! ମଜା ଦେଖିବାକୁ ଏ ଦେଶର ଲୋକେ ପର ପିଲାକୁ କାଠ ପଥର ପରି ମଣନ୍ତି ! ମଜା ଦେଖିବାକୁ ଲୋକେ ପର ଦେହରେ କାଦୁଅ ବୋଳି ଦୂରରେ ଠିଆ ହୋଇ ତାଳି ମାରି ହସନ୍ତି । ନିଜ କଥା, ନିଜ ଦେହ ହାତ କଥା ସବୁ ଭୁଲିଯାଆନ୍ତି ସେମାନେ ।

 

ମତୀର କାନ୍ଦଣା ଶୁଣି ଅହିଲା ପତରଗୋଟା ଛାଡ଼ି ବନ୍ଧ ଉପରକୁ ଧାଇଁ ଆସିଲା । ଗାଁର ବଗୁଲିଆ ପିଲାଗୁଡ଼ାକ ତାକୁ ନୁଆଁଣିଆଁ ପାଆନ୍ତି । ବନ୍ଧ ଉପରକୁ ଆସି ଦେଖିଲା ବେଳକୁ ମତୀ ବଟ ଚୌଧୁରୀଙ୍କ ପାଖରେ ।

 

ଚୌଧୁରୀ ମୁଣ୍ଡ ଆଉଁସି ବୁଝାଇ କହୁଛନ୍ତି, ଆଚ୍ଛାରହ, ସେ ଗୋକୁଳା ଆସୁ, ତାକୁ ଆଜି ଦେଖୁଛି । ଅବଧାନକୁ କହି ଯାଉଁଳି ବେତ ମାଡ଼ରେ ତା ପିଠିରୁ ପରସ୍ତେ ଛାଲ ଉଠାଇଦେବି । ତାକୁ ନାକବାଳ ଧରାଇ ଏକଗୋଡ଼ିଆ ଠିଆ କରାଇବି !

 

ଅହିଲାକୁ ଦେଖି ଚୌଧୁରୀ ମୁଡ଼ୁକି ହସିଲେ । କହିଲେ, ତୋର ଏପରି କି କାମ ବଳେଇ ପଡ଼ିଥିଲା ଯେ, ପିଲାକୁ ବନ୍ଧ ଉପରେ ଏକୁଟିଆ ଛାଡ଼ି ଚାଲିଗଲୁ ? ମତୀକୁ କାଖରୁ ଓହ୍ଲାଇ ପୁଣି ସେ ଅହିଲାର ଦେହ ମୁହଁକୁ ଆଖିରେ ଓଳାଇ କହିଲେ, କାମୁଡ଼ା କୁକୁର, ମାରଣା ବଳଦ ବାଟରେ ଯିବାଆସିବା କରୁଛନ୍ତି ।

 

ଅହିଲା ମତୀର ଡେଣା ଧରି ପାଖକୁ ଘୋଷାରି ନେଲା । ନିଜ ଲୁଗା ସଜାଡ଼ି ବିରକ୍ତ ହୋଇ କହିଲା, ଅବେଇଜ ଛୁଆଟାକୁ ଡାକିଲେ ଶୁଣିବ ନାହିଁ, ଏକୁଟିଆ ବନ୍ଧ ଉପରେ ବସିବାର ଭାବ ପାଇଲା ଯେ ଏବେ । ମୁଁ କହୁଛି ସାଙ୍ଗରେ ଆ, ନା ଏଇଠି ବସି ଖେଳିବି । ମୁଠାଏ ପତର ସାଉଁଟି ନେଲେ, ଦିଇପା ହେବ ମାଣ୍ଡିଆ ଅଛି, ଭାଜି ଫେଷିଦେଲେ ରାତିକି ଜାଉ କରିଦେବି । ଛୁଆକୁ ଧରି ବସିଲେ ତ ଢୋକ ଚଳିବ ନାହିଁ ।

 

ଅହିଲା ମତୀକୁ ନେଇ ପୁଣି ବନ୍ଧ ତଳକୁ ଗଲା । ଚୌଧୁରୀ ହାଇମାରି ଫୁଟକି ଫୁଟାଇ ଗାଁ ଦାଣ୍ଡକୁ ଗଡ଼ିଲେ ।

 

ଅହିଲା ଫେରି ଆସିଲା; କିନ୍ତୁ ପତର ସାଉଁଟିବାରେ ତାଆର ଆଉ ମନ ଲାଗିଲା ନାହିଁ । ବାର ଚିନ୍ତା ମନକୁ ଘାଣ୍ଟି ଚକଟି ପକାଇଲା । କୋହ ଉଠିଲା । ଭାବିଲା, ପାଳିଏ ତ୍ରିନାଥମେଳା ମେଳା ନ କଲେ ଚଳିବ ନାହିଁ । ମନେ ମନେ କହିଲା ହେ ତ୍ରିନାଥ ଗୋସାଇଁ, କାଲି ସକାଳେ ଯଦି ମୁଁ ତାଙ୍କ ଖବର ପାଏ ନିଶ୍ଚେ ତୁମର ମେଳା କରିବି । ନଇଲେ ଜାଣିବି, ମୋ କପାଳକୁ ତୁମ ମହିମା କମିଲା ।

 

ଅହିଲା ସେଇ ନଈ କୂଳରେ ତ୍ରିନାଥ ଗୋସେଇଁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଲା ।

 

ଚାନ୍ଦ କୁଆଡ଼େ ଥିଲା ଆସି କହିଲା, ତୋ ପିଣ୍ଡାରେ ଘଡ଼ିଏ କାଳ ବସି ମୁଁ ଫେରିଲି । ମାଙ୍କଡ଼ଗୁଡ଼ା ଯେଉଁ ହୁର୍‌ଜୁର୍‌ କରୁଛନ୍ତି ଲୋ, କଅଣ କହିବି ? ତୋ ସଜନା ଗଛରେ ଆଉ ପତର ନାହିଁ । ବାଡ଼ି ଧରି ହୁରୁଡ଼େଇବାକୁ ବସିଲି ଯେ, ସେ ଯେଉଁ କଳାମୁହାଁ ଗେଧ, ଦାନ୍ତ ଦେଖାଇ ଗୋଡ଼େଇ ଆସିଲା । ମୁଁ ତ ଜୀବନମୂର୍ଚ୍ଛା ଧାଇଁ ପଳାଇ ଆସିଛି ।

 

ମତେ କାହିଁକି ଖୋଜୁଥିଲୁ ମାଉସୀ ?

ଜଗୁ କଲିକତାରୁ ଚିଠି ଦେଇଛି ଯେ–

ଆମର ଚିଠି ଆସିଛି ?

 

ନାଇଁମ ସେଇ ଜଗୁ, ତାଙ୍କ ଘରକୁ ଚିଠି ଦେଇଛି । ବିନୋଦ କଥା ଚାରିପଦ ଲେଖିଛି । ସେ ଏଠୁ କଲିକତା ଯାଇ କାମ ଖୋଜି ପାଇଲା ନାହିଁ । ଏଠି ସେଠି ହୋଇ ଦିମାସ କାଳ ବାର ହଇରାଣ ହରକତରେ ଚଳିଲା । ଏବେ ଜଣେ ବଙ୍ଗଳୀବାବୁ କେଇଦିନ ହେଲା ତାକୁ ଚାକିରିରେ ରଖିଛନ୍ତି । ତାଙ୍କ ବଗିଚାରେ କାମ କରିବ, ପିଲା ଛୁଆଙ୍କୁ ଖେଳାଇବ ।

 

ଦରମା ?

 

କିଛି ଠିକଣା ଦେଇନାହିଁ । ଜଗୁ ଲେଖିଛି, ବୋଧହୁଏ ଖାଇପିଇ ମାସକୁ ସାତ ଟଙ୍କା ପାଇବ । ସେଇଆ କହିବାକୁ ମୁଁ ତୋ ଘରକୁ ଯାଇଥିଲି ।

 

ଅହିଲା ତ୍ରିନାଥ ଠାକୁରଙ୍କ ଉଦ୍ଦେଶ୍ୟରେ ପୁଣି ଦଣ୍ଡବତ କଲା । ଜଣାଣ କଲା ତ୍ରିନାଥ ଗୋସେଇଁ; ମୁଁ ତମ ମହିମା ବୁଝିଲି । ସେ ମୋର ଭଲରେ ଥାଆନ୍ତୁ । ଟଙ୍କା ତିନି ଚାରିଟା ମାସରେ ପଠାଇଲେ ତାଙ୍କ ପିଲାଟିକୁ ବଂଚେଇ ରଖିବି । ତୁମର ମେଳା ମାସକୁ ମାସ କରିବି ।

•••

 

୧୧

 

ଆଖଡ଼ାଘର ପିଣ୍ଡାରେ ଭାରି ରୋଳଗୋଳ । ବାହାରୁ ମାଡ଼ ଖାଇ ଗାଁ ଭେଣ୍ଡିଆ ଘରଭିତରେ କାମୁଡ଼ାକାମୁଡ଼ି ହେଉଛନ୍ତି । ଏ ବର୍ଷ ମେଲଣ ପଡ଼ିଆରେ ପାଖ ଗାଁର ଲୋକଙ୍କ ସଙ୍ଗେ ଯେଉଁ କଳିତକରାଳ ହେଲା, ତାହାରି ଫଳରେ କେତେ ଲୋକଙ୍କର ମୁଣ୍ଡ ଫାଟିଲା । ଆର ଗାଁର ରାଧା–ପ୍ରତିମା ଏ ଗାଁ ଭେଣ୍ଡିଆଙ୍କ ବାଡ଼ି ନଉଡ଼ି ମାଡ଼ରେ ବିସର୍ଜନ ହେଲେ । କଥା କଅଣ କି, ଜନାର୍ଦ୍ଦନଙ୍କ ମନ୍ଦିରପୀଠ ପାଖରୁ ଯେଉଁସବୁ ଠାକୁର-ବିମାନ ସଂକୀର୍ଣ୍ଣ ଦାଣ୍ଡବାଟେ ମେଲଣ ପଡ଼ିଆକୁ ଯାଆନ୍ତି, ଛୋଟ ବାଟ ବୋଲି ଠାକୁରମାନଙ୍କୁ ଆଗପଛ ହୋଇ ଯିବାକୁ ପଡ଼େ । କାହା ଠାକୁର ଆଗ ଯିବେ, ଏଇଥିପାଇଁ ତ କଜିଆ ।

 

ନିଶାପ ହେଲା, କୋଡ଼ିଏ ଖଣ୍ଡି ଗାଁର ମୁଖିଆ ମୁଖିଆ ଲୋକେ ବାଦାନୁବାଦ କରି ରାୟ ଦେଲେ । ସେ ଗାଁ ଠାକୁରଙ୍କର ବେଶୀ ରୋଷନୀ ଅଛି ସେ ଆଗରେ ଯିବେ । ଜୋକ ମୁହଁରେ ଲୁଣ ଦେଲା ପରି ଏ ଗାଁଆର ଲୋକେ ମୋଡ଼ିମାଡ଼ି ହୋଇ ରହିଲେ । ମୁଣ୍ଡ ତାଙ୍କର ନଇଁପଡ଼ିଲା । କଣ୍ଠଙ୍କ ଆଖିରୁ ଠକ୍‌ଠକ୍ ଲୁହ ଝରିଲା । ଭଲାରେ ଭଲା, ସେମାନଙ୍କର ନୂଆ ଠାକୁର, ସେ ଗଲେ ଆଗରେ, ଆଉ ତାଙ୍କର ସାତପୁରୁଷର ଠାକୁର, ସେ ପଛେ ପଛେ ଗଲେ ?

 

ଏ ବର୍ଷ ଏମାନଙ୍କୁ ଝୁଙ୍କ ଲାଗିଛି । ରୋଷନୀରେ ପୂରାପୂରି ତିନିଶ ଟଙ୍କା ଖର୍ଚ୍ଚ କରିବେ-। ଏକା ସେ ଗାଁର କଅଣ, ନଗରି, ମଇଧରପଡ଼ା, ସାଷୋଳ ସବୁ ଗାଁର ଠାକୁରଙ୍କୁ ଟପି ନାଗବାଲି ଠାକୁର ଆଗକୁ ଯିବେ । ଠାକୁରଙ୍କର ମାନ ମହତ୍ତ୍ୱ ବଢ଼ିବ, ଗାଁର ଟେକ ରହିବ । ଶହେଖଣ୍ଡ ଗାଁର ଲୋକ ଧନ୍ୟ ଧନ୍ୟ କହିବେ ।

 

ଧନ ଆସିବ କେଉଁଠୁ ?

 

ଆଜି ସେଇ କଥାର ମୀମାଂସା ହେବ । ଲୋକଙ୍କର ଧାରଣା, ଟଙ୍କା କଉଡ଼ି ଗଛରେ ଫଳେ ନାହିଁ, ଲୋକେ ଦେଲେ ହେଲା । ଲୋକଙ୍କର ଅବସ୍ଥା ବାରଣ୍ଡା ଦିକଡ଼ା । ତିନି ଓଳିରେ ଚୁଲି ଜଳୁନାହିଁ । ଚାନ୍ଦା ଦେବ କିଏ ? ତହିଁରେ ପୁଣି ଷାଠିଏ କାହାଣ ତଣ୍ଡକୁ ଅଛି, ଲୋକଙ୍କର ହରିଭକ୍ତିକୁ କଡ଼ାଏ ନାହିଁ । ହେଲେ, ସେ ଯେମିତି ପ୍ରତ୍ୟକ୍ଷ ଦେବତା, ଶୁଦ୍ଧ ମନରେ ଡାକିଲେ ଓ୍ୱ କରନ୍ତି । ତାଙ୍କ ସେବାରେ ପାଞ୍ଚ ପଇସା ଖର୍ଚ୍ଚ ନ କଲେ ଗାଁରେ ଦୁଃଖ ଦୁର୍ଦ୍ଦଶା ମାଡ଼ିଯିବ, ଲୋକେ ଭିକ ମାଗିବେ ।

 

ବାବନା ଲୋକଙ୍କର ସକ୍ଷକୁ ଦେଖି ଯେଉଁ ଚାନ୍ଦାଫର୍ଦ ତିଆରି କଲା ତାକୁ ଦେଖି କଣ୍ଠଙ୍କର ଆଖି ଖୋଷି ହୋଇପଡ଼ିଲା । ଅଘରଦୁଆରି, ଏମିତି କି ରାଣ୍ଡୀଖଣ୍ଡୀଙ୍କଠୁ ବି ଯଦି ଚାନ୍ଦା ନିଆଯାଏ, ତେବେ ଗାଏମୋଟ ହେବ ତିରିଶଟଙ୍କା । କାହିଁ ତିନିଶ, କାହିଁ ତିରିଶି ! ଏଥିରେ କି ଏତେବଡ଼ ନିମିତ୍ୟ, ଏତେବଡ଼ ବେଭାର ଉଠେ ? ସରାଭଳି ଗାଁ ବକଟେ । ସେଥିକି ଯଦି କେଉଁଠୁ ଉପୁରିଆ ଚାରି ପଇସା ଠାକୁରଙ୍କ ମହିମାରୁ ନ ମିଳେ, ତେବେ ଗ୍ରାମବାସୀଙ୍କର ମନକଥା ମନରେ ମରିବ ।

 

କଣ୍ଠ ଦୀର୍ଘଶ୍ୱାସ ଛାଡ଼ି କଦମ୍ୱଗଛ ଉପରକୁ ଚାହିଁଲେ ସତେ କି ଟଙ୍କା କେଉଁଠୁ ଶୂନ୍ୟରୁ ଗଳିବ ! ଅତି ବ୍ୟସ୍ତ ହୋଇ କହିଲେ, ଛାଡ଼, ଅରିଲୋ ଦାଣ୍ଡ ମାଡ଼ିବାର ଆଶା ଛାଡ଼ । ଯାହା ତ ଅପମାନ ପାଇବାର ପାଇଥାଇଁ, ସେ କଥା ଭାବିଲେ ଆଉ କଅଣ ହେବ ? ଠାକୁରଙ୍କୁ ପତିଙ୍କ ଘରେ ରଖିବ । ସେ ସେମିତି ମନ୍ଦିଏ ମନ୍ଦିଏ ଜଳତୁଳସୀ ପାଇ ଖଟୁଲି ଉପରେ ବସିଥାଆନ୍ତୁ ।

 

ପତି ଟିକିଏ ବଡ଼ବୋଲା । ସେତିକିବେଳକୁ ସେ ଲଙ୍ଗଳ–ଲୁହା ଖଣ୍ଡେ ହାତରେ ଧରି ଭଜନା ଶାଳକୁ ପଜେଇବାକୁ ଯାଉଥିଲେ । ତାଙ୍କ କାନରେ ଖାଲି ପତି ଶବ୍ଦଟା ପଡ଼ିଯିବାରୁ ସେ ଫେରିପଡ଼ି କହିଲେ, ସର୍ବାରିଷ୍ଟ୍ୟ ଶାନ୍ତି ର୍ଭବେତୁ । କାହିଁକି ଡାକିବା ହେଲେ ଆପଣେ ?

 

ସମସ୍ତେ ହୋ–ହୋ ହୋଇ ହସିଲେ । ମଦନା ଟିକିଏ ଖଲିଆ ଲୋକ । ସେ ପତିଙ୍କ କାନ ପାଖେ ହାତ ଦେଇ ଜୋର୍‌ରେ କହିଲା, ଗାଁ ଟୋକାଏ ଆପଣଙ୍କ ଉପରେ ଦଶଟଙ୍କା ଚାନ୍ଦା ପକାଇଛନ୍ତି ।

 

ପତି ଜିଭକାମୁଡ଼ି କହିଲେ, ଦଶଟଙ୍କା । ଗରିବ ବ୍ରାହ୍ମଣଟା ତ ଦଶ ପାହୁଲାକୁ ଯୋଗ୍ୟ ନୁହେଁ, ମୁଁ କାହୁଁ ପାଇବି ? ଏତିକି କହି ପତିଏ ଖସି ଚାଲିଗଲେ ।

 

ବାବନା କହିଲା, କଣ୍ଠ ଦାଦି, ଏତେ ଭାବୁଛ କାହିଁକି ? ଯାହାର ଅଛି, ସେ ଏବେ ଠାକୁରଙ୍କୁ ମହା ଆଡ଼ମ୍ୱରରେ ନେଉ; ଆମର ଯେତିକି ହେଲା ସେତିକିରେ ଆମେ ଠାକୁରଙ୍କ ସେବା କରିବା । ସବା ପଛରେ ଯିବାକୁ ହୁଏତ ଯିବା, ସେଥିରେ ମାନ ଅପମାନ କ’ଣ ? ଠାକୁର ସମସ୍ତଙ୍କର । ଠାକୁରଙ୍କୁ ଯେ ଅପମାନ ଦେବ, ଠାକୁରେ ସେ କଥା ବଳେ ବୁଝିବେ ।

 

ଆରେ ଯା ଯା, ଠାକୁରଙ୍କର ଯଦି ବୁଝିବାର ଶକ୍ତି ଥାଆନ୍ତା, ସେ ନିଜେ ଠୁଙ୍ଗ୍ ଠୁଙ୍ଗ୍ ମେଲଣ ପଡ଼ିଆକୁ ଚାଲିଯାଆନ୍ତେ । ବିମାନ କ’ଣ ହୁଅନ୍ତା ? ବାହକ କ’ଣ ହୁଅନ୍ତେ ? ଏତେ କାଣ୍ଡ କାରଖାନା ବା ହୁଅନ୍ତା କାହିଁକି ? ତାଙ୍କ କଥା ସେ ବଳେ ବୁଝନ୍ତେ ଯେ ।

 

ସେଇଥିପାଇଁ ମୁଁ କହେ କଣ୍ଠ ଦାଦା, ଠାକୁରଙ୍କ ସେବା ହେଉଛି ମଣିଷ ଜୀବନର ଗୋଟାଏ ଗୌଣ କର୍ମ, ବିଳାସ । ମଣିଷ ନିଜର ରୁଚି ନେଇ ନିଜର ଠାକୁର ଗଢ଼େ । ସେଥିପାଇଁ ରୁଚିର ପ୍ରଭେଦ ପଡ଼େ । ଗାଁ ଗାଁ ଭିତରେ, ଜାତି ଜାତି ଭିତରେ କଜିଆ ଲାଗେ, ଦେଶ ଦେଶ ଭିତରେ ରକ୍ତର ସୁଅ ଛୁଟିଯାଏ । ଯେତିକି ହେଲା ସେତିକି । ଆଜିଯାଏ ତ ଆମ ଛପନ ପୁରୁଷ ଠାକୁରଙ୍କର ସେବା କରି କରି ଆମକୁ କାଙ୍ଗାଳ କରିଗଲେ । ଏଣିକି ଏବେ ଠାକୁରେ ତାଙ୍କର ନିଜ କଥା ବୁଝନ୍ତୁ । ଆସ, ଆମେ ଆମର ନିଜ କଥା ବୁଝିବା । ଯେଉଁ ଦଶ ପଚିଶ ଟଙ୍କା ରୋଷନୀ କରି ପୋଡ଼ି ଦେବାକୁ ବସିଥାଇଁ, ସେତିକିରେ ଯଦି ଚାହାଳି ଘର ଉପରେ ଦି କେରା ଛଣ ପକାଇ କାନ୍ଥଗୁଡ଼ାକ ଟିକିଏ ଟାଣ କରି ଦେବା, ଆମ ପିଲାଏ ସ୍ୱଚ୍ଛନ୍ଦରେ ଆମରି ଗାଁରେ, ଆମରି ଚାଳତଳେ ବସି ପଢ଼ିବେ । ଖରା ବରଷାରେ ଦଉଡ଼ି ଦଉଡ଼ି ପର ଗାଁକୁ ଯାଇ ପାଠ ପଢ଼ିବେ କାହିଁକି-? ଆମ ପିଲାଏ ଯଦି ପର ଓଳିତଳେ ଠିଆ ହୋଇ ପାଠ ପଢ଼ିଲେ, ସେଇଟା କ’ଣ ଆମର ଅପମାନ ହେଲା ନାହିଁ ?

 

କୀର୍ତ୍ତନ କହିଲା, ସଙ୍ଗାତେ ଯାହା କହିଲେ ମୋତେ ଭଲ ଲାଗିଲା ନାହିଁ । ମୋ ବୋଉ ମୁଢ଼ି ଉଖୁଡ଼ା ନେଇ ଘରପଡ଼ାକୁ ବିକ୍ରି କରିବାକୁ ଯାଇଥିଲା । ସାନ୍ତରା ଘର ସାନବୋହୂ ଥଟ୍ଟା କରି କହିଲା, ଆଲୋ ସମୁଦୁଣୀ, ଆଣ୍ଠୁଗଣ୍ଠି ପରା ଭାଙ୍ଗି ଯାଇଥିଲା, କେବେ ଘରୁ ଉଠିଲ ମ ?

 

ବୋଉ ପଚାରିଲା, କାହା କଥା କହୁଛ ?

 

ସେ କହିଲା, ତମରି କଥା ତ, ଆଉ କାହା କଥା ? କେଉଁ ଗାଁ ଲୋକପରା ତମ ଗାଁ ଲୋକଙ୍କୁ ପଗ ପଗ କରି ଠେଙ୍ଗା ବାଡ଼ିରେ ଛେଚିଥିଲେ ?

 

କଣ୍ଠ ରାଗରେ ତମ୍ପ ସାପ ପରି ଗର୍ଜିଉଠି ଓଠ କାମୁଡ଼ିଲେ ।

 

ଭଗତା କହିଲା, ଯୁଆଡ଼େ ଗଲେ ଶୁଣୁଥାଇଁ ଆମର ନିନ୍ଦା । ମୁଁ ବେଣ୍ଟକାର ହରିବାବୁଙ୍କ ଘରକୁ କାମ କରିବାକୁ ଯାଇଥିଲି । କିଏ ଗୋଟାଏ ବାଉରି ଟୋକା ଆସି ସେମିତି ଆମୁକୁ ଥଟ୍ଟା କଲା । ମୋର ତ ବ୍ରହ୍ମଜଳିଲା । ଯାହା ହେବାର ହୁଅନ୍ତା ପଛେ, କରତରେ ତାଆର ଗୋଛି ସେ ଦିନ କାଟି ଦେଇଥାନ୍ତି । ଲୋକେ ହାଁ-ହାଁ କଲେ, ମୁଁ ବି ସମ୍ଭାଳିନେଲି ।

 

ବେଳ ଆଉ ଘଡ଼ିଏ ଅଛି । ଗାଁ ଗୋଚର ଲଙ୍ଗୁଳି ମଠ, ଭେଡ଼ି ଗୋଠରୁ ଗାଈପଲ ଅଡ଼େଇ ଗାଈଜଗା ଟୋକାଏ ସହଳ ସହଳ ଫେରି ଆସିଲେ । କଦମ୍ବ-ଦାଣ୍ଡର ତୁଳା (ସରୁ) ବାଲି ଉଡ଼ି ଆଖଡ଼ାବାଲାଙ୍କୁ ଅସ୍ଥିର କରି ପକାଇଲା । କଣ୍ଠ ଗାମୁଛା କାନିଟା ନାକରେ ଦେଇ କହିଲେ, ଶୁଣିଲୁ ତ ବାବନ ! ଆଚ୍ଛା ତୁ କହିଲୁ, ମଣିଷ ଦିହ ଧରି ଲୋକେ କେତେ ଅପମାନ ବରଦାସ୍ତ କରିବ ?

 

ବାବନା କହିଲା, ଆରେ ଆମର ଦିହଟା ତ ଅପମାନରେ ଗଢ଼ା ହୋଇଛି ! କିଏ କ’ଣ ଥଟ୍ଟା ନ କଲରେ ପଦେ କହି ଦେଲା ବୋଲି ତ ଛଳ କରି ବସିଲେ ଚଳିବ ନାହିଁ, ଆଖି ବୁଜି ସବୁକଥା ପିଠିକି ପକେଇ ଦେଇ କାମ କରିବାକୁ ହେବ । ଅପମାନ କଥା କହିଲ ଯେ, ସେଦିନ ଯେ ରାଣୀ ପୋଇଲୀ ତା’ର କୁଡ଼ିଆରେ ମଲା, ମୂରଦାର କାଢ଼ିବାକୁ କେହି ଅଣ୍ଟାଭିଡ଼ି ବାହାରିଲ ନାହିଁ । ତିନିଦିନ କାଳ ପଡ଼ି ସଢ଼ି ଗାଁଯାକ ଗନ୍ଧ ହେଲା । କଟକରୁ ହାଡ଼ି ଆସି ଘୋଷାରିଲେ । ଆମ ଗାଁରେ, ଆମ ଘରେ ହାଡ଼ି ପଶିଲେ । ଲୋକେ ଛି-ଛା କଲେ । ତା’ଠୁ ବଳି କ’ଣ ଏଟା ବେଶୀ ଅପମାନ ।

 

ସମସ୍ତେ ଚୁପ୍‌ ହେଲେ ।

 

ମଦନା କହିଲା, ବେହିଆର ବଥ ଉଠିଲେ ସେ କହେ ମୋତେ ଛାଇ ହେଇଛି । ଆମେ ବି ଏଥର ସେହି ଉପାୟ ଧରିବା । ଆମକୁ ଯେ ଥଟ୍ଟା କରିବ, ଆମେ ବି ଏଥର ଥଟ୍ଟା କରି ମୁହେଁ ମୁହେଁ ଚାରିପଦ ଶୁଣାଇଦେବା । କଥା ଚାରିପଦ କହିବାକୁ ତ ଶହେ ଷାଠିଏ ଖର୍ଚ୍ଚ ହେଉ ନାହିଁ ।

 

ବାବନା କହିଲା, ମୁଁ ବି ସେଇଆ ଜାଣେ । କଥା ଚାରିପଦ କହିବାକୁ ଗଣ୍ଠିମାଳ ନ ସରେ ବୋଲି ସିନା ବାରଲୋକେ ବାର କଥା କହନ୍ତି । ଆମେ ଛାଡ଼ିବା କାହିଁକି ?

 

ହଟ ତୁନି ହୋଇ ବସି କେତେବେଳୁ କ’ଣ ଭାବୁଥିଲା । ହଠାତ୍‌ ଶିରିଆ ପାଣକୁ ଦାଣ୍ଡକଡ଼ ଦେଇ ଛାତି ଫୁଲାଇ ଚାଲି ଯାଉଥିବାର ଦେଖି ସେ ଡକା ପାରିଲା, ହେ ଶିରିଆ, ଶୁଣ ଶୁଣ ।

 

ଶରିଆ ପାଖକୁ ଅଇଲାରୁ ସେ କହିଲା, ହଇରେ ହେ, କଲିକତାରୁ କୁଆଡ଼େ ଦି ଗଉଣୀ ଟଙ୍କା କମେଇ ଆଣିଛୁ ? ସତରେ ନା ମିଛରେ ବେ ।

 

ଶିରିଆ ସାମାନ୍ୟ ହସି କହିଲା, ସତରେ ହୋଇଥିଲେ ମୋ ଟଙ୍କା ମୋଠେଇଁ । ମୁଁ କ’ଣ କାହାକୁ ପାହୁଲାଟାଏ ଦବାକୁ ଯାଉଛି ? ମିଛରେ ହୋଇଥିଲେ ଶିରିଆ ଘରେ କିଏ ଶହେ ଷାଠିଏ ଅଜାଡ଼ି ଦେବ କି ?

 

ପାଣ ଟୋକାଟା କେଡ଼େ ବଢ଼ିବଢ଼ି କଥା କହୁଛି ରେ ? ବିଶି ସାଉର ମାଣ୍ଡିଆ କିଆରୀରୁ ମାଣ୍ଡିଆ ଚୋରି କରିଥିଲୁ ବୋଲି ବର୍ଷକ ତଳେ ତତେ ଧରିଆଣି ଏହି କୃଷ୍ଣଚୂଡ଼ା ଗଛରେ ବାନ୍ଧି ବିଛୁଆତି ଡାଳରେ ମାରିମାରି ଲଙ୍ଘା କରିଦେଇଥିଲେ । କୋଉ ବାପ ତୋର ପିଠିରେ ପଇଲା ? ଆଜି କଲିକତାରୁ ଫେରି ଖଣ୍ଡେ ଧୋବଲୁଗା ପିନ୍ଧି ଗାଁ ଦାଣ୍ଡରେ ମୁଣ୍ଡ ଟେକି ନସରପସର ହୋଇ ଚାଲିଯାଉଛୁ ବୋଲି ଚାତର ଦେଖାଇ ହଉଛୁ ନା !

 

ଶିରିଆ ରାଗିଯାଇ କହିଲା, ଆରେ ଯା ମ ! ହାତ ଗଲୁ କରୁଥିଲା ବୋଲି ମୋ ପିଠିରେ ଦି’ ପୁଞ୍ଜା ଥୋଇଦେଲେ ନୁଆଣିଆ ଦେଖି । ଗରିବ ମାଇପ ସବୁରି ଶାଳୀ ! ରାଧୁ ବିଶି ସାଉ କିଆରୀରୁ ମାଣ୍ଡିଆ ଚୋରି କରି ରାତି ପାଇଲାରୁ, ମାଣ୍ଡିଆ ଟୋକେଇକ ମୋ ପିଣ୍ଡାରେ ଅଜାଡ଼ି ଦେଇ ଛୁ । ନାଗବାଲି ବୁଝାମଣା ପରା ! ଦୋଷ ହେଲା ଶିରିଆର ।

 

ଦର୍ଶନ ରାଗରେ ତମତମ ହୋଇ ଚିହିଁକି ଯାଇ କହିଲା, ହଇରେ ଶଳା, ତୁ ଦେଖିଛୁ ?

କାହିଁକି ନିଜର ମାନ ନିଜେ ହରଉଛ ହୋ ? ଦେଖି ନାହିଁ ତ କ’ଣ ମିଛରେ କହୁଛି ?

 

କଥାଟା ବେଳକୁ ବେଳ ଦୀର୍ଘ ହେଉଛି ଜାଣି ବାବନା କହିଲା, ଛାଡ଼, ଗଲାକଥା ଗଲାଣି-। ସୂତା ମାଜିଲେ ସରୁ ହୁଏ, କଥା ମାଜିଲେ ମୋଟ ହେବ । ଆରେ ଶ୍ରୀଧର, ଗାଁବାସୀଏ ତୋ ଉପରେ ଏ ବର୍ଷ ଠାକୁର ମେଲଣ ଚାନ୍ଦା ଦଶଟଙ୍କା ପକାଇଛନ୍ତି ।

 

ଗାଁବାସୀଙ୍କ କଥାରୁ ମୁଁ କଅଣ ବାହାରିଯିବି ? ଶିରିଆ ପାଣ ଉପରେ ଯଦି ଦଶଟଙ୍କା ଚାନ୍ଦା, ସେହି ହିସାବରେ ଆଉ ଅନ୍ୟମାନଙ୍କ ଉପରେ ଚାନ୍ଦା ହେଲେ ସିନା ସାଜିବ । ହେଲେ ବି ଶିରିଆ ପାଣର ଅଜାତିଆ ଗୋରୁକଟା ପଇସାରେ ଠାକୁରଙ୍କ କାମ ବଢ଼ିବ କିମିତି ? ସେ ପୁଣି ବଡ଼ବଡ଼ିଆଙ୍କ ଠାକୁର । ଶିରିଆ ପାଣର ଭାଗରେ ତ ଠାକୁର ନାହାନ୍ତି, ନା ଠାକୁରଙ୍କ ମୁହଁ ସେ କେବେ ଦେଖି ନାହିଁ । ଏତିକି କହି ଶିରିଆ ଗାଁ ଦାଣ୍ଡ ଛାଡ଼ି ଗହୀରଆଡ଼କୁ ଗଲା ।

 

କିଛି ସ୍ଥିର ହୋଇପାରିଲା ନାହିଁ । ନିଜ ଭିତରେ କାମୁଡ଼ାକାମୁଡ଼ି ହୋଇ ଗାଁ ଭେଣ୍ଡିଆଏ ତୁନି ରହିଲେ ।

 

କଣ୍ଠଙ୍କ ପୁଅ ଆସି ଡାକିଲା, ବାପା, ଘରେ ଚାଉଳ ନାହିଁ ରାତିକି ରୋଷାଇ ହେବ କଅଣ ? କଣ୍ଠ ମୁହଁକୁ ବେତାପରି ଲଦି ଉଠିଲେ ।

 

ସଞ୍ଜ ବୁଡ଼ି ବୁଡ଼ି ଆସୁଛି । ଚାନ୍ଦ ମତୀକୁ କାଖ କରି ଗାଁ ଦାଣ୍ଡବାଟେ ଚାଲିଗଲା । ତା’ପଛରେ ଅହିଲା । ମୁଣ୍ଡରେ ଓଢ଼ଣା ନାହିଁ । ମଇଳା ଲୁଗାଟାର କାନିରେ ଖୁଦ-ମଳୁଖ ପାହିଲିଏ କି ପାଞ୍ଚପା ହେବ ବନ୍ଧା ହୋଇଛି ।

 

ହଟିଆ ଅହିଲାକୁ ଚାହିଁ ମୁଡ଼ୁକି ହସି ମଦନାକୁ ଟିକିଏ ଚୁମୁଟି ଦେଇ କହିଲା, ସାଙ୍ଗେ, ଜାଇଁଲ ନା, ‘ହାଣ୍ଡିରେ ଖାଏ, ଗୋଡ଼ରେ ପଇଲେ ଗାଧେଇ ଯାଏ ।’

 

ହେ ଚାନ୍ଦ, ହେ–

ମଲା ମର, କିଏରେ ଖଣ୍ଡିଆ ! ଚାନ୍ଦ କାହିଁକି ତୋ ଆଖିକି ଏତେ ଦିଶେ ବା ।

 

ଆଲୋ, ନାଇଁ ନାଇଁ । ଚାନ୍ଦ ଆଖିକି ଦିଶେ ନାହିଁ ଯେ, ଚାନ୍ଦ ପାଖରେ ଯେଉଁ ତରା ଥାଏ ସେହି ଦିଶେ । ନା, କ’ଣ କହୁଛ ସାଙ୍ଗେ ?

 

ତା ନୁହେଁ କ’ଣ ? ତେବେ ଭଜି କହେ, ଚାନ୍ଦ, ତାକୁ ପଘାରେ ବାନ୍ଧ ।

କାହିଁକି ବା ଏଡ଼େ ସୁଆଗ ? ତମ ମା ଭଉଣୀଙ୍କୁ ବାନ୍ଧୁନ ।

•••

 

୧୨

 

ଶ୍ରୀଧର ସାମଲ, ଡାକନାମ ଶିରିଆ । ବଡ଼ି ସକାଳୁ ଅହିଲାର ଦାଣ୍ଡ ଆଗରେ ଡକା ଛାଡ଼ିଲା, ଆଲୋ ମତୀ, ମତୀ ଲୋ ।

 

ଅହିଲା ପାହାନ୍ତାରୁ ଉଠି ବାସିପାଇଟି ସାରି ଗୁହାଳ ପୋଛୁଥିଲା । ମତୀ ପିଣ୍ଡାରେ ବସି କାକୁଡ଼ି କଷି ଧରି ଖେଳୁଥିଲା । ଶିରିଆର ଡାକ କାନରେ ପଡ଼ିବାରୁ ଅହିଲା ଗୋବର ବଲବଲ ହାତରେ ପଦାକୁ ଆସି ପଚାରିଲା, କଅଣ କିରେ ଶିରି ?

 

ଆଲୋ ଖୁଡ଼ି, ବିନା’ଦି ସାଙ୍ଗେ କଲିକତାରେ ମୋର ଦେଖା ହୋଇଥିଲା ।

ଦିହପା ସବୁ ଭଲ ତ ବାପ !

ହଁ ସବୁ ଭଲ । ବିନା’ଦିକୁ ଦେଖିଲେ କ’ଣ ଆଉ ଚିହ୍ନି ହଉଚି ?

ସେ କ’ଣ ଭାରି ଝଡ଼ି ଯାଇଛନ୍ତି ?

 

ନାଇଁ, ନାଇଁ, ସେ ମୋଟା ହୋଇ ଯାଇଛନ୍ତି । ମୁଁ କ’ଣ ସହଜରେ ଚିହ୍ନିପାରିଲିକି । ଯୋତା, ମୋଜା, ସିଲ୍‌କି କାମିଜ ପିନ୍ଧି ମୁଣ୍ଡରେ ବଙ୍ଗାଳିଆ ଟେରି କାଟି, ଅଧାନିଶ ରଖି, ବିନୋଦବାବୁ ଫଟ୍‌ଫଟ୍‌ ଚାଲି ଯାଉଥିଲେ । ହଠାତ୍‌ କଲିକତାର ଗୋଟାଏ ବାଳିକାସ୍କୁଲ ପାଖେ ଦେଖାଗଲା । ମୁଁ ତ ଦୋ ଦୋ ଚିହ୍ନା ହୋଇ କରେଇ କରେଇ ଚାଲି ଯାଉଥିଲି, ସେ ମୋତେ ଆଗରୁ ଦେଖି ଡାକ ଛାଡ଼ିଲେ । ମୁଁ ପାଖକୁ ଯାଇ ଦଣ୍ଡବତ କଲି । ମୋତେ ଦେଖି ସେ ତ ଖୁସି ହୋଇ କୁଣ୍ଢାଇ ପକାଇଲେ । ମୁଁ ପଚାରିଲାରୁ ସେ ସବୁ କଥା କହିଗଲେ । ବଙ୍ଗଳା କହୁଛନ୍ତି ଯେ ପାଟିରେ ବାଟୁଳି ବାଜୁ ନାହିଁ ।

 

ଅହିଲାର ଆଖି ଉଜ୍ଜ୍ୱଳ ଦେଖାଗଲା । ତ୍ରିନାଥ ଗୋସାଇଁଙ୍କ ଉଦ୍ଦେଶ୍ୟରେ ମନେ ମନେ ପ୍ରଣାମ କରି ସେ ଗୋବର ହାତ ଧୋଇପକାଇଲା । ଶ୍ରୀଧରକୁ ପିଣ୍ଡାରେ ବସାଇ ଅହିଲା ବିନୋଦ ବିଷୟରେ କେତେ କଥା ପଚାରିଗଲା । ଯେତେ ଶୁଣିଲେ ତା’ର ମନବୋଧ ହେଉ ନ ଥାଏ । ଆହୁରି ଆହୁରି ଖୋଳି ତାଡ଼ି ପଚାରୁଥାଏ । ଶ୍ରୀଧର ବିରକ୍ତ ନ ହୋଇ ଗୋଟି ଗୋଟି କରି ସବୁକଥା କହୁଥାଏ । କେତେବେଳେ ଅହିଲାର ମୁଖରେ ହସ ଫୁଟି ଉଠୁଥାଏ, କେତେବେଳେ ବା ଆଖି ଛଳଛଳ ହୋଇ ଉଠୁଥାଏ ।

 

ବିନୋଦ କଲିକତା ଯାଇ ଆଗ ହଲାପଟା ହେଲା । ଏଠି ସେଠି ବୁଲି କାମ ଖୋଜି ଖୋଜି ହତାଶ ହେଲା । ଉପାସ ଭୋକରେ କଲିକତା ସହରରେ ବୁଲି ବୁଲି ଶେଷକୁ ଜଣେ ଓକିଲଙ୍କ ବଗିଚାରେ କାମ କରିବାକୁ ରହିଲା । ତା’ର କାର୍ଯ୍ୟଦକ୍ଷତା ଓ ଢଙ୍ଗଢାଙ୍ଗରେ ଓକିଲବାବୁ ଖୁସି ହୋଇ ଏବେ ତାକୁ ନିଜର ପାଖକୁ ନେଇଛନ୍ତି । ଓକିଲ ସିରସ୍ତାର କାଗଜପତ୍ର ନିଆଅଣା କରେ । ପିଲାଙ୍କୁ ଖେଳା ଖେଳି କରାଏ ।

 

ଓକିଲ ବାବୁଙ୍କର ଗୋଟିଏ ଝିଅ କଲେଜରେ ପଢ଼େ । ବିନୋଦ ସବୁ ଦିନେ ତାକୁ ସାଙ୍ଗରେ ନେଇ କଲେଜକୁ ଯାଏ । ପୁଣି କଲେଜ ଛୁଟି ହେଲେ ସାଙ୍ଗରେ କଲେଜରୁ ଘରକୁ ଆଣେ-। ଓକିଲ ବାବୁଙ୍କର ଏହି ଝିଅଟି ତାକୁ ଭାରି ସୁଖ ପାଏ । ନିତି ନିତି ତା’ ସଙ୍ଗେ ଯା ଆସ କରିବାକୁ ପଡ଼େ ବୋଲି କାଳେ ତା’ର ସାଙ୍ଗପିଲା ବିନୋଦର ମଫସଲି ଢଙ୍ଗ ଦେଖି ହସିବେ, ସେଥିପାଇଁ ଦିଦିମଣି ତା’ର ଚୁଟି କଟାଇଛନ୍ତି । ଯୋତା କାମିଜ କରିବାକୁ ବାପ-ମାଙ୍କୁ ଲୁଚାଇ ତାକୁ ପଇସା ଦିଅନ୍ତି । ତାଙ୍କର ଦୟାରୁ ସେ ଆଜି ବିନୋଦ ବାବୁ !

 

ଶିରିଆ ପକେଟରୁ ଖଣ୍ଡେ ଦଶଟଙ୍କିଆ ନୋଟ ବାହାର କଲା । ଚାରିଆଡ଼କୁ ଚାହିଁ ଅହିଲା ପାଖକୁ ପକାଇ ଦେଇ କହିଲା, ମୁଁ ଘରକୁ ଆସୁଛି କହିବାରୁ ବିନୋଦ କିଛି ସମୟ ଚୁପ୍‌କରି ଠିଆ ହେଲା । ସେଇଠୁ ପକେଟରେ ହାତ ପୂରାଇ ଖଣ୍ଡେ ଦଶଟଙ୍କିଆ ନୋଟ କାଢ଼ି ମୋତେ ଦେଇ କହିଲା, ନେ ଘରେ ଦେଇଦେବୁ ।

 

ମୁଁ ପଚାରିଲି, ତମେ କେବେ ଘରକୁ ଯିବ ?

 

ସେ କହିଲା, ଶୀଘ୍ର ଆଉ ଯାଇ ପାରୁଛି କେଉଁଠି ? ଦିଦିମଣିଙ୍କ ଦେହ ଭଲ ନାହିଁ । ସେ କଲେଜ ଛୁଟିରେ ମାଣ୍ଡାଲେ ଯାଉଛନ୍ତି । ସେଠି ତାଙ୍କର ଜଣେ କାକା ଡାକ୍ତର ଅଛନ୍ତି । ବାବୁ ଓକିଲାତି ଛାଡ଼ି ସଙ୍ଗରେ ଯାଇପାରିବେ ନାହିଁ । ମୋତେ ଯିବାକୁ କହୁଛନ୍ତି । ମା’ ବି ବାଧ୍ୟ କରୁଛନ୍ତି । ଦିଦିମଣି ମୋତେ ପାଖରୁ ଛାଡ଼ିବାକୁ ନାରାଜ । ଏପରି ସ୍ଥଳେ ନିକଟରେ ଘରକୁ ଯାଇହେବ ନାହିଁ । ପରେ ସୁବିଧା ଦେଖି ଯିବି । ମାସକୁ ମାସ ବଟ ଚଉଧୁରୀ କି ବାବନାବାବୁଙ୍କ ଜରିଆରେ ଆହିଲା ପାଇଁ ଟଙ୍କା ପଠାଇବି ।

 

ମୁଁ ପଚାରିଲି, ଖୁଡ଼ୀ ପଚାରିଲେ ମୁଁ କ’ଣ କହିବି ?

 

କହିଦେବୁ, ମାଣ୍ଡାଲେରୁ ଫେରିଲେ ବାବୁଙ୍କୁ କହି ଛୁଟି ନେଇ ଅଳ୍ପଦିନ ପାଇଁ ଗ୍ରାମକୁ ଯିବି । କହିବୁ ମୁଁ ଭଲରେ ଅଛି ।

 

ଅହିଲା ଆଖିରୁ ଲୁହ ପୋଛିଲା । ପଚାରିଲି, ମାଣ୍ଡାଲେ କେଉଁଠି ପୁଅ ।

ବ୍ରହ୍ମଦେଶରେ ।

ଶିରିଆ ଯିବାକୁ ଉଠିଲା ।

 

ଆଗରେ ଦଶଟଙ୍କିଆ ନୋଟ ସେମିତି ପଡ଼ିଛି । ଗୋଟାଇ ରଖିବାକୁ ଅହିଲାର ମନେ ନାହିଁ । ଶିରିଆ ଧୀରେ ଧୀରେ ଉଠି ଚାଲିଗଲା । ଅହିଲା କେବଳ ତାର ଗତିପଥକୁ ଚାହିଁ ରହିଲା ଶୂନ୍ୟ ଦୃଷ୍ଟିରେ ।

 

ତାର ମନରେ ଆଶାନୈରାଶ୍ୟ, ସୁଖଦୁଃଖର ପ୍ରବଳ ତୋଫାନ ଉଠିଛି । ସେକଥା ବୁଝିବ କିଏ ? ବିନୋଦ ବିଦେଶରେ ଭଲ ଅଛି, ଆନନ୍ଦରେ ବେଳ କାଟୁଛି । ଆଉ ଅହିଲା କାନ୍ଦି କାନ୍ଦି ତାର ବେଳ ସରୁନାହିଁ । ପରଘରେ ପାଇଟି କରି ତାର ପିଲାଟିର ପାଟିକି ଦିବେଳା ମୁନ୍ଦାଏ ତୋରାଣି ମିଳୁ ନାହିଁ । ନଡ଼ିଆ ଚାଞ୍ଚରା ଉପରେ କତରା ପାରି ପିଲାଟିକୁ ଘେନି ମଶାପଲ ଭିତରେ ଛଟପଟ ହୋଇ ରାତି କାଟୁଛି । ଆଖି କଷା ପଡ଼ୁନାହିଁ । ତାର ଏସବୁ ଦୁଃଖ କିଏ ହେଲେ ଯାଇ ବିନୋଦ ଆଗରେ କହନ୍ତା ।

 

ଅହିଲା ଦୀର୍ଘଶ୍ୱାସ ଛାଡ଼ିଲା । କାମିକା ମଣିଷ ସେ, ବସି ବସି ଏତେ କଥା ଭାବିବାକୁ ତାର ତର ନାହିଁ । କାଲି କହିଆସିଛି ମୂଷିବାବୁଙ୍କ ଘରେ ଧାନ କୁଟିବାକୁ ଯିବ । ନ ଗଲେ ସେ କଅଣ ଭାବିବେ ? ଆଉ ଦିନେ ତା କଥାରେ କେହି ପତିଆରା କରିବେ ନାହିଁ, ତାକୁ କେହି ପାଖରେ ପୂରାଇବେ ନାହିଁ । ଦଶଟଙ୍କିଆ ନୋଟଟା ତା ଆଖିରେ ପଡ଼ିଲା । ମୁହଁ ଟିକେ ଉଜ୍ଜ୍ୱଳ ଦେଖାଗଲା । ଠାକୁରେ ବଡ଼ଲୋକ । ତା ଛୁଆଟି ପାଇଁ ଆଗ ସେ ଖଣ୍ଡେ ଲୁଗା କିଣି ଦେବ ! ଗେହ୍ଲି ମାଆର ଉଧାର ପଇସା ତାକୁ ଶୁଝିବ । ତେଣିକି ଯେଉଁ କଥା ।

•••

 

୧୩

 

ଆଲୋ ମତୀ, ମତୀ ଲୋ ।

ଡାକି ଡାକି ବଟ ଚୌଧୁରୀ ଅହିଲାର ଅଗଣା ଭିତରକୁ ପଶି ଆସିଲେ । ଚୌଧୁରୀଙ୍କୁ ଦେଖି ମତୀ ଦଉଡ଼ି ଆସି ଅହିଲାକୁ କୁଣ୍ଢାଇ ଧରିଲା । ଅହିଲା ଆଡ଼ ହୋଇ ଠିଆହେଲା । ନୋଟ ଖଣ୍ଡିକ ଲୁଚାଇ ଦେବାକୁ ତାର ମନ ହେଉଥିଲେ ବି ପାରିଲା ନାହିଁ ।

ଚୌଧୁରୀ ଚଞ୍ଚଳ ଚାହାଣୀରେ ଥରେ ଚାରିଆଡ଼କୁ ଚାହିଁଲେ । ପିଣ୍ଡାତଳ ଲଙ୍କାମରିଚ ଗଛରେ କଳା ମିଚିମିଚି ଫଳ ଲଦି ହୋଇଛି । ଅହିଲା ଏହି ଗଛଟିକୁ ନିଜର ପିଲା ପରି ଅତି ଯତ୍ନରେ ବଢ଼ାଇଥିଲା । ନଈ ପଠାରୁ ଖଣ୍ଡ ଖଣ୍ଡ ପଟୁମାଟି ଆଣି ମୂଳରେ ଦେଇ କେତେ ପାଣି ଢାଳିଛି । ତୋରାଣୀ ଢୋକେ ପିଇଲା ବେଳେ ଲଙ୍କାମରିଚ କଷିଟାଏ ଛିଣ୍ଡାଇବାକୁ ମନ ହେଲେ ବି ତାଆର ସତ ବଳେ ନାହିଁ, ହାତ ଚଳେ ନାହିଁ । ଦିନେ ମତୀ ପତର ଛିଣ୍ଡାଇଥିଲା ବୋଲି ଅହିଲା ସହି ନ ପାରି ତାକୁ ଥାପଡ଼ ମାରିଥିଲା । ଗଛ ଉପରେ ତା’ର ଏତେ ସ୍ନେହ, ଏତେ ଲୋଭ ! ମନକୁ ମନ ସେ କହୁଥିଲା, ପାକଳ ହେଉ, ପଇସା ପଇସାକର ବିକିଲେ କିଛି ପଇସା ପାଇବ ।

ବଟ ଚୌଧୁରୀ ତା ମନକଥା ବୁଝିଲେ ନାହିଁ । ସେ କିଛି ବିଚାରିଲେ ନାହିଁ, ହସି ହସି ଗଛ ପାଖକୁ ଯାଇ ଗୋଟି ଗୋଟି କରି ପାକଳ ଲଙ୍କାମରିଚ ବାଛି ତୋଳିଲେ । କହିଲେ, ଆରେ ବାଃ, କେଡ଼େ ସୁନ୍ଦର ମରିଚ ଫଳିଛି । ମତୀ କଅଣ ଏକା ଖାଇବ ?

ଅହିଲାର ଦେହରେ ଛୁରି ଚାଲି ଯାଉଥାଏ । କଅଣ କରିବ, କଅଣ କହିବ ? ସ୍ୱର୍ଗକୁ ନିଶୁଣୀ ନାହିଁ, ବଡ଼ ଲୋକକୁ ଉତ୍ତର ନାହିଁ । ଅହିଲା ସିନା ପେଟବିକଳରେ ଚାଉଳ ଚୋବାଇବ, ଚୌଧୁରୀ ଚୋବାଇବେ ସଉକରେ ! ପର ବାରିକୁ ହାତ ଗଳାଇଲେ ଚୋରଣୀ ହେବ ଅହିଲା । ପର ବାରିରୁ ହସି ହସି ଜବରଦସ୍ତି ଫଳ ଛିଣ୍ଡାଇଲେ ଚୌଧୁରୀଙ୍କର ଉଦାର ମନର ପରିଚୟ ମିଳିବ-। ଆହା, ପର ଆପଣା ଭେଦ ଜ୍ଞାନ ନାହିଁ, କେଡ଼େ ବଡ଼ଲୋକ ।

ମତୀ କଅଣ ଏକା ଖାଇବ ! କି ସୁନ୍ଦର କଥା ! ବଡ଼ଲୋକ ତୁଣ୍ଡରେ ଏପରି ଉଦାର କଥା ଶୋଭା ପାଏ; କିନ୍ତୁ ଯେତେବେଳେ ଚୌଧୁରୀଙ୍କର ଧାନମରେଇ କଡ଼ରେ ତିନିଦିନର ଓପାସିଆ ଅହିଲା କାଳେ କାନି ବାଜିଯିବ ବୋଲି ଆଡ଼େଇ ଚାଲି ଯାଉଥାଏ, କାହିଁକି କର୍ତ୍ତାମାନଙ୍କର ଏହି ଉଦାର ସାର୍ବଜନୀନ ନୀତି ବାହାରେ ନାହିଁ ? ଗରିବର ଛାଇ ପଡ଼ିଲେ କୁବେରମାନଙ୍କର ନାହି ଡିଏଁ । ନିଆଶ୍ରା ଗରିବର ବିକଳ କାନ୍ଦଣା କାନରେ ବାଜିଲେ କୁବେରମାନଙ୍କୁ ନିଦ ମାଡ଼େ । ସେମାନଙ୍କର ଉଦାର ସାର୍ବଜନୀନ ସାମ୍ୟ ନୀତି ସ୍ୱପ୍ନରାଜ୍ୟରେ ଘୂରି ବୁଲେ ।

ଚଉଧୁରୀ ପଚାରିଲେ, ଆଲୋ, ଶିରିଆ ପାଣ କାହିଁକି ବଡ଼ିସକାଳୁ ଘରୁ ବାହାରି ଯାଇଛି-? ମୋତେ ଦେଖି ଚୋରଙ୍କ ପରି ଆଡ଼େଇ ହୋଇ ବନ୍ଧତଳକୁ ଗଡ଼ିଗଲା । ହାଡ଼ୀ, ପାଣ, ବାଉରି, କଣ୍ଡରା ଏମାନଙ୍କୁ ମୁହଁ ଦେଲେ ମଣିଷର ମହତ ଯାଏ । ତିରିଲା ଲୋକ, ଏକଲା ଲୋକ, ଦାଣ୍ଡରେ ବାରକଥା କହିବେ, ଲୋକେ ସଜ ମାଛରେ ପୋକ ପକାଇ ଆକାଶରୁ ତୋଳି କହିବେ ।

ଅହିଲା ଅବାକ ହୋଇ ସବୁ ଶୁଣିଲା । ସତ କଥା, ଲୋକେ ସଜ ମାଛରେ ପୋକ ପକାଇ ପାରନ୍ତି । ହଉ କହନ୍ତୁ, କହିବା ଲୋକ ବଡ଼ ନୁହେଁ, ସହିବା ଲୋକ ବଡ଼ । ସେ ଉତ୍ତର ଦେଲା ନାହିଁ ।

ଚୌଧୁରୀ ପୁଣି କହିଲେ, ଆଜି କଲିକତାରୁ ଧୋବଧାଉଳିଆ ହୋଇ ଫେରିଛି ବୋଲି ତା’ର ପ୍ରକୃତି ବଦଳିଯାଇ ନାହିଁ । ଏଡ଼େ ଚୋର ଯେ, ଆଖିରୁ କଜଳ ଚୋରି କରିନେବ । ବରଷକ ତଳେ ପଦନ ସାଉର ମାଣ୍ଡିଆ ଚୋରିକରି ପରସ୍ତେ ହଲାପଟା ହେଲା ।

ଅହିଲାର ଧୈର୍ଯ୍ୟ ତୁଟିଲା । ସେ ବିରକ୍ତ ହୋଇ କହିଲା, କିଏ ଚୋର କିଏ ସାଧୁ ସେ କଥା ମୁଁ ଜାଣେ ନାହିଁ, ସାଆନ୍ତେ ଜାଣିଥିବେ । ମୋର ଗରିବ ଘରେ କଅଣ ଅଛି ଯେ, ଚୋର ଚୋରି କରିବାକୁ ଆସିବ ? ପରଘରେ ଅଇଁଠା ସାଉଣ୍ଟିଲେ କି ଢିଙ୍କି କୁଟିଲେ ଯାହାକୁ ଢୋକେ ମିଳିବ, ତାର ଚୋର ତସ୍କରଙ୍କୁ ଡରିବା ଦରକାର ପଡ଼େ ନାହିଁ ।

ଚୌଧୁରୀ କଣେଇଁ ଚାହିଁଲେ । ତାଙ୍କ ଆଖିରେ ଅହିଲା ଭୋକିଲା ନିଆଁର ଆଲୁଅ ଦେଖିଲା । ସେ ଲଙ୍କାମରିଚତକ ଗାମୁଛା କାନିରେ ବାନ୍ଧି ନୋଟଟି ଗୋଟାଇ ନେଇ କହିଲେ, ଏ କାଗଜ ଖଣ୍ଡ କ’ଣ ?

ଅହିଲାର ପିଣ୍ଡରୁ ସତେ କି ପ୍ରାଣ ଛାଡ଼ିଯିବ । ଚଣ୍ଡାଳୁଣୀ କଅଣ ନ କଲା ? ଆଗରୁ ହୁସିଆର ହୋଇ ଯଦି ସେ ନୋଟ ଖଣ୍ଡି ଲୁଚାଇ ଦେଇଥାନ୍ତା, ତେବେ ଚୌଧୁରୀଙ୍କ ହାବୁଡ଼ରୁ ଉଦ୍ଧାର ପାଇଥାନ୍ତା । ଏବେ ସେ କରିବ କଅଣ ? ନୋଟ୍‌ ଦେଖି ତାଙ୍କ ପାଟି ଲୋଭେଇବଣି । ସହଜରେ ସେ ଛାଡ଼ିଯିବେ ? ତା ଆଖିରୁ ଲୁହ ଝରିପଡ଼ିଲା । କେତେ ଆଶା କରିଥିଲା, ସବୁ ଆଶା ତାର ଜଳିପୋଡ଼ି ଗଲା ।

 

 

ଅହିଲା କହିଲା, ନାହିଁ ସାଆନ୍ତେ, କାଗଜ ନୁହେଁ ଯେ ଖଣ୍ଡେ ଦଶଟଙ୍କିଆ ନୋଟ । ଶିରିଆ ସଙ୍ଗେ କଲିକତାରେ ତାଙ୍କର ଦେଖା ହୋଇଥିଲା ଯେ, ସେ ଖର୍ଚ୍ଚ କରିବାକୁ ତା ହାତରେ ମୋ ପାଖକୁ ପଠାଇ ଦେଇଛନ୍ତି ।

 

ଚୌଧୁରୀ ହସିଲେ । ତାଙ୍କର ସେହି ବିକଟ ହସ ଭିତରୁ କେତେ ସନ୍ଦେହ ଫୁଟିଉଠିଲା । ଭାବିଲେ, ବିନୋଦିଆ ଘରେ ନାହିଁ ବୋଲି ପାଣ ଟୋକା ଶିରିଆ ଏଠି କୃଷ୍ଣ ସାଜିବାକୁ ମନ କରିଛି-। ବିନୋଦ ନାମରେ ନିଜେ ଟଙ୍କା ଦେଇ ତା ମନ କିଣିବାକୁ ମୂଲ କରୁଛି । ଭାବିଲେ, ଆଚ୍ଛା, ଦେଖାଯିବ ପାଣ ଟୋକାର କେତେ ଅକଲ !

 

ଚଉଧୁରୀଙ୍କ ହସରେ ଯେଉଁ ବିଦ୍ରୁପ ଛପି ରହିଥିଲା, ଅହିଲା ତାହା ଅନୁମାନ କଲା । ଭୟରେ ଓ ଲାଜରେ ସେ ଶଙ୍କିତ ହେଲା । ତାର ଦୃଷ୍ଟି ଅବନତ ହେଲା ।

 

ଚୌଧୁରୀ ପୂର୍ବପରି ହସି ହସି କହିଲେ, ସତେ ତ, ଦଶଟଙ୍କିଆ ନୋଟ ! ଶିରିଆ ଦେଇଯାଇଛି । ବେଶ୍‌, ପ୍ରତିଦିନ ସକାଳୁ ଯଦି–ଚଉଧୁରୀ ଥମିଗଲେ । କଥାର ସୁଅକୁ ଅନ୍ୟ ଆଡ଼କୁ ମୁହାଁଇ ସେ କହିଲେ, ମୋର ଆସିବାର କଥା ସେଇଥିପାଇଁ । କରଜ ଟଙ୍କାର ସୁଧ ଅସଲକୁ ବଳିପଡ଼ିଲାଣି ଧୀରେ ଧୀରେ, ସୁଧ ଟଙ୍କା ଶୁଝି ନ ଦେଲେ ପରେ ବଳେଇପଡ଼ିବ । ବିନୋଦିଆ ବିଦେଶରେ । ସବୁ ମଳମଳି ତୋଓରି ମୁଣ୍ଡକୁ । ବଳ ବୟସ ଥାଉଁଣୁ ଯଦି ଟଙ୍କା ଶୁଝି ଦେଇପାରୁ ତେଣିକି ନିଶ୍ଚିନ୍ତ । ଆଉ କିଏ ପଦେ କହିବାକୁ ପାଟି ଫିଟାଇ ପାରିବ ନାହିଁ ।

 

ଅହିଲା ବିନୀତ ହୋଇ କହିଲା, ଘର ଖଣ୍ଡିକରେ ଏ ବର୍ଷ କେରାଏ ଛଣ ପଡ଼ିନାହିଁ । ନିଆଁ ଲଗା ମାଙ୍କଡ଼ ଡେଇଁ ପୁରୁଣା ଛଣକୁ ଓଲାରି, ପକାଇଛନ୍ତି । ଅସରାଏ ବର୍ଷା ହେଲେ ଦଦରା କାନ୍ଥ ଟଳିପଡ଼ିବ । ଛୁଆ ପାଇଁ ଖଣ୍ତେ କନା ନାହିଁ ଯେ, ଫୁଙ୍ଗୁଳା ଦିହରେ ଶୀତରେ ଥରି ବେଳ କାଟୁଛି । ପାଟି ଓଦା କରିବାକୁ ହାଣ୍ଡିରେ ତୋରାଣି ଟିକିଏ ନାହିଁ ।

 

ଚୌଧୁରୀ ପୁଣି ହସିଲେ । ଅଗଣାର ତାଟି ଖୋଲୁଣୁ କହିଲେ, ଗାଁ ଭିତରେ ପଚିଶ ଲୋକଙ୍କ ମଝିରେ ଘର କରିଥିଲେ ଏସବୁ ବିଷୟରେ ଅଭାବ ରହିବ ନାହିଁ । ଶିରିଆ ଟଙ୍କା ଦେବ, ନୋହିଲେ ଆଉ କିଏ ଦେବ । ଚୌଧୁରୀ ଚାଲିଗଲେ ।

 

ଅହିଲା ଥକାହୋଇ ଘଡ଼ିଏ ବସିପଡ଼ିଲା । ଆଖିରୁ ଦର ଦର ଲୁହ ଗଡ଼ିଲା । ତାର ପ୍ରାଣର ବେଦନା କେହି ବୁଝିଲେ ନାହିଁ, ଆଖିର ଲୁହ କେହି ଦେଖିଲେ ନାହିଁ । ମନର କଥା କେହି ଶୁଣିଲେ ନାହିଁ । ଖାଲି ମତୀ, ମା ଆଗରେ ଠିଆ ହୋଇ ମାଆର ମୁହଁକୁ ବଲବଲ କରି ଚାହିଁ ରହିଲା । କଅଣ ଭାବିଲା ଅହିଲା, ମତୀକୁ କୋଳକୁ ଟାଣିନେଲା । ତାର ଚିବୁକ ଚୁମ୍ୱନ କଲା । ସଙ୍ଗେ ସଙ୍ଗେ ଭୋ କରି କାନ୍ଦିଉଠିଲା ।

•••

 

୧୪

 

ରହ, ବେତନାସି ମୋ ଗୋଡ଼ରେ ଛନ୍ଦିହେଲାଣି ।

ଚୁପ୍‍, କିଏ ଆସୁଛି ।

ଅନ୍ଧାରରେ କଣ ଦିଶିବ ?

ଆରେ, ପାଟି ବାରିବେ ତ ।

 

ଦର୍ଶନ ଓ ହଟ ଦୁହେଁ ତୁନି ହୋଇ ବାଇଗବା ବାଡ଼କୁ ଆଉଜି ପଡ଼ିଲେ । ରାତି ଅଧ, ନିଶା ସାଇଁ ସାଇଁ ଗର୍ଜୁଛି । ଅନ୍ଧାର ଯେ ମୁହଁକୁ ମୁହଁ ଦିଶୁ ନାହିଁ । ସେଥିରେ ପୁଣି ସଞ୍ଜପହରୁ ଅସରାଏ ଆଚ୍ଛା କରି ବର୍ଷା କୁଟି ଯାଇଥିଲା । ତୁଛେଇଁକି ତ ଗାଁର ବାଟଘାଟସବୁ ଭଲ ଦିନେ ସନ୍ତାଏ, ଏବେ ପୁଣି ବର୍ଷା ହୋଇଛି । ବାଟ ଘାଟ ସବୁ କାଦୁଅ ପଚପଚ । କେଉଠିଁ ଗୋଡ଼ ପଡ଼ିଲେ ବଳାଗଣ୍ଠି ଯାଏ କାଦୁଅରେ ଗୋଡ଼ ଗଳିଯାଉଛି, କେଉଁଠି ବା ଚିକିଟା ମାଟିରେ ଗୋଡ଼ ଖସି ଖସି ଯାଉଛି ।

 

ରାତି ବିକାଳି, କେଉଁଠି ଅରମା, କେଉଁଠି କଣ୍ଟାଝଣ୍ଟା, ଜଳଜଳା ଖପରା, ମଶାଣି ପାଉଁଶ-। ଗାଁ ମଶାଣି ସତୀଗଡ଼ିଆରେ ବିଲୁଆ ଗୋଡ଼ିଆଗୋଡ଼ି ହେଉଛନ୍ତି । ବନ୍ଧତଳ କୋଚିଲା ଗଛତଳେ କେତେ କୋକି କେଁ କେଁ ହୋଇ ପାଚିଲା ଓସ୍ତଫଳ ଖାଉଛନ୍ତି ।

 

ଦର୍ଶନ ହଟିଆର ହାତ ଧରି ପଛକୁ ଟାଣିଲା ।

ରହ ରହ ହେ, କିଏ ଗୋଟାଏ ଆଉଛି ।

ବାବାଜୀ ବକ୍‌ରୀ ମ ।

 

ସତକୁ ସତ ଧ୍ରୂବ ବାବାଜୀଙ୍କ ବକରୀ । ମଣିଷ ଗନ୍ଧ ପାଇ ଆଡ଼େଇ ହୋଇ ଚାଲିଗଲା-। ଦୁହେଁ ଆଗକୁ ଚାଲିଲେ ।

 

ହଟିଆ କହିଲା, ମୋ ଦେହଯାକ ଖଣ୍ଡିଆ ହୋଇଛି । ଝାଳ ଲାଗି ଭାରି ପୋଡ଼ୁଛି । ଗୋଡ଼ରେ ଦି ଚାରିଟା କଣ୍ଟା ପଶିଛି ।

 

ଦର୍ଶନ କହିଲା, ହଉ ହଉ, କଅଣ କରିବା କହ, ଠାକୁର କାମ କଷ୍ଟ ନ କଲେ କିପରି ହେବ ?

 

ଆରେ ଯା ମ, ଠାକୁର ପାଞ୍ଚ ଜଣଙ୍କର, ଆମର କିଛି ଏକା ନୁହେଁ । ଯିଏ ଯାହାର ମନ ଖୁସିରେ ଘରେ ଶୋଇଛନ୍ତି । ମରୁଛୁ ଆମେ । କି’ରେ, ଆମେ କଣ ନିଆଁରେ ମୁତିଛୁଁ ?

 

ଦର୍ଶନ ଟଙ୍କା ବୁଜୁଳାକୁ ଛାତିରେ ଧରି ଚୁପ୍‌ହୋଇ ଆଗକୁ ଚାଲିଲା ।

 

ହଟ କହିଲା, ମୁଁ କଣ କହୁଛି କି, ଆଜି ରାତିରେ ଯେଉଁ ମେହନତ କରିଥାଇଁ, ତାରି ଫଳରେ ଚାରିଦିନଯାଏ ଘରୁ ଉଠିପାରିବା ନାହିଁ । ଆମେ ଆଣିଥାଇଁ ଆଉ କେହି ନୁହେଁ, ଦି ଚାରିଟା କଦମ ଗଛର ଖୋଲରେ ଲୁଚାଇ ରଖିଦେଲେ କାମକୁ ଆସିବ । ଧୁଆଁ ଟିକେ ଖାଇବାକୁ ଲୋଡ଼ା ପଡ଼ିବ ।

 

ହେତ୍‌ ଠାକୁର ମାଲ ।

ଆରେ ଆମ ହାତରେ ଥିବା ଯାଏ ଆମର ।

କଥାଟା ଦର୍ଶନର ମନକୁ ପାଇଲା । ଦୀପ ତେଜିଲେ ହାତ ଚିକ୍‌କଣ । ସେଥିରେ କଣ ଥାଏ ?

 

ମହାବୀରଙ୍କ କଦମ୍ଵ ଗଛମୂଳରେ ଦିହେଁ ଠିଆହେଲେ । ଦର୍ଶନ ଆସ୍ତେ ଆସ୍ତେ ଟଙ୍କାବୁଜୁଳା ଖୋଲି ଅନ୍ଧାରରେ ଦରାଣ୍ଡି ଦଶଟା ବଡ଼ ଚକତି କାଢ଼ି କଦମ୍ବ ଗଛ ଖୋଲରେ ରଖିଲା-। ହଟିଆର କାନରେ କହିଲା, ଦଶଟା ରଖିଲି, ତୋର ପାଞ୍ଚକୁ ମୋର ପାଞ୍ଚ୍‌ ।

 

ହଟିଆ ମନ ଖୁସିରେ ଦର୍ଶନର ହାତକୁ ଧରି ହଲାଇଦେଲା । ତା ପରେ ଦୁହେଁ ବନ୍ଧ ଉପରକୁ ଗଲେ । ବନ୍ଧ ଉପରେ ଓଉ ଗଛ ତଳେ କଣ୍ଠ ବସି ଖଣ୍ଡେ ବିଡ଼ି ଟାଣୁଛନ୍ତି । ଅନ୍ଧାରରେ ଖାଲି ବିଡ଼ି ମୁଣ୍ଡ ଉଜ୍ଜ୍ୱଳ ଦେଖାଯାଉଛି, ଆଉ କିଛି ଦିଶୁନାହିଁ ।

 

ଦର୍ଶନ ଡାକିଲା, କିଏ ସେ ।

ଉତ୍ତର ଆସିଲା, କିଏ ଦର୍ଶନ ?

ଦର୍ଶନ ପଚାରିଲା, ଆଉ କିଏ ?

କଣ୍ଠ କହିଲେ, ମଦନ । ହଟ କାହିଁ ?

ହଟ କହିଲା, ଆଜ୍ଞା !

ମଦନ ପଚାରିଲା, କାମ କେତେ ଦୂର୍‌ !

ଦର୍ଶନ କହିଲା, କାମ୍‌ଫତେ !

 

କଣ୍ଠ କହିଲେ, ଆରେ ସାବାସ୍‌ ବାହାଦୂର । ମାଲ ? ନିଅନ୍ତୁ କହି ଦର୍ଶନ ଟଙ୍କା ବୁଜୁଳାଟି କଣ୍ଠଙ୍କ ହାତକୁ ବଢ଼ାଇଦେଲା ।

 

ମଦନା କହିଲା, ଜୟ ରାଧା ମାଧବ କି ଜୟ ! ଯାଅ, ତମର ଛୁଟି । କାଲି ଯାଇଁ କଥାଭାଷା ।

 

ହଟ ଓ ଦର୍ଶନ ବିଦାୟ ନେଇ ନିଜ ନିଜର ଘରକୁ ଚାଲିଯିବା ପରେ ମଦନା କହିଲା, ସଙ୍ଗାତେ, ମାଲ୍‌କୁ ଗଣି ନେଲେ ଭଲ ହୁଅନ୍ତା । ଠାକୁର ପଦାର୍ଥ ପରା !

 

କଣ୍ଠ ବୁଜୁଳାଟିକୁ ଭଲ କରି ବାନ୍ଧି କାଖ ତଳେ ଜାକି କହିଲେ, ରାଧାମାଧବ ଯେପରି ପ୍ରତ୍ୟକ୍ଷ ଠାକୁର, ଶୁଦ୍ଧମନରେ ଡାକିଲେ ଓ୍ୱ କରନ୍ତି, ତାଙ୍କର ମାଲ ଯେ, ହଳାହଳ ବିଷ ସିଏ । ହାତଦେଲେ ବଂଶ ବୁଡ଼ିଯିବାର କଥା । ରାତିରେ ଗଣାଗଣି କରିବା ଠିକ୍‌ ନୁହେ । ତା ଭିତରେ ସାପ ଅଛି କି ବେଙ୍ଗ ଅଛି କିଏ ଜାଣେ ? ମୁଁ ତାର ହିସାବ କରି ଠିକ୍‍ କରି ରଖିଥିବି, କାଲି ସକାଳେ ଦେଖିବ । କଣ୍ଠ ଉଠିଲେ ।

 

ମଦନର ମନ ମାନିଲା ନାହିଁ । କଣ କରିବ ? କଣ୍ଠ ଯେତେବେଳେ କହୁଛନ୍ତି, ଅବିଶ୍ୱାସ କରିବା ଠିକ୍‌ ନୁହେଁ । କେଉଁ ଏବେ ଘରର ମାଲ ! ପରର ମାଲ ଠାକୁର କାମରେ ଲାଗିବାର କଥା-। ସେଥିରେ ଯେ ଗଫଲିଆତି କରି ବାଟମାରଣାଗିରି ଦେଖାଇବ, ସେ ବଳେ ତାର ପରାଭବ ପାଇବ ଯେ ।

 

ମଦନା ବନ୍ଧ ତଳକୁ ଗଡ଼ି ଘରଆଡ଼େ ଚାଲିଲା ।

•••

 

୧୫

 

ପରଦିନ ବଡ଼ି ସକାଳେ, କାଉ କା ନ ଡାକୁଣୁ ହଟ ପରାରୁ ଉଠିଲା । କାହାକୁ କିଛି ନ କହି ବେତ ପେଟେରାଟି ଫିଟାଇଲା । ଖଣ୍ଡେ କନାରେ ବନ୍ଧା ହୋଇଥିବା ଛୋଟ ପଇସା ବୁଜୁଳି ଖୋଲିଲା ଓ ଖୋଜିବାକୁ ଲାଗିଲା । ନ ପାଇଲାରୁ ମନ ବ୍ୟସ୍ତରେ ଚୁପ ହୋଇ ବସି କଣ ଚିନ୍ତା କଲା । ବିରକ୍ତ ହୋଇ ପଇସାଗୁଡ଼ାକ ପେଟରାରେ ଗଳାଇ ଦେଲା । ପୁଣି ହାତ ଗଳାଇ ଦିଅଣା ପଇସା ଆଣି ଅଣ୍ଟାରେ ଖୋସିଲା । ରାଗ ଗରଗର ହୋଇ ଘରୁ ବାହାରିପଡ଼ିଲା ।

 

Unknown

ହଟ ଆସି କଦମ୍ବ ମୂଳରେ ହେଲା । ଗଛତଳେ ଚଉପାଢ଼ୀ ଉପରେ ମହାବୀର ହନୁମାନ ମୂର୍ତ୍ତିର ମୁହଁକୁ ଚାହିଁଲା । ସତେ କି ତାକୁ କଟମଟ କରି ଚାହିଁ ପଚାରୁଛନ୍ତି, କି’ ରେ, ମୋ ମାଲରେ ତୋର ଲୋଭ ? ହଟିଆ ଚମକିଉଠି ପଛକୁ ଚାହିଁଲା । ମଦନା ପାଟିରେ ଖଣ୍ଡେ ସାହାଡ଼ା ଦାନ୍ତକାଠି ପୂରାଇ ତାରି ଆଡ଼କୁ ଆସୁଛି । ହଟିଆ ବାଁରେଇ ହେଇ ଠାକୁରଘର ପିଣ୍ଡା ପାଖକୁ ଘୁଞ୍ଚି ଆସି ତଳି ପେଟରେ ହାତ ବୁଲାଇ ପଚାରିଲା, ବଡ଼ି ସକାଳୁ କୁଆଡ଼େ ମଦନାଇ ?

 

ମଦନ ଚାଲି ଯାଉଁଣୁ କହିଲା, ଲଙ୍ଗୁଳି ମଠ ।

 

ମଦନା ଚାଲିଗଲା ପରେ ହଟିଆ ମନରେ ସାହସ ବାନ୍ଧି ଖୋଲ ପାଖକୁ ଆସିଲା । ଗୋଡ଼ ଟେକି ଉହୁଁକି ଚାହିଁ ଯାହା ଦେଖିଲା, ତାହାର ଆଖି ଥିର ହୋଇଗଲା । ଏଁ, ଖୋଲ ଭିତରେ ମୋଟେ ଦିଟା ଟଙ୍କା ଆଉ ଦିଗଣ୍ଡା ଭଳି ଦୋହରି ପଇସା । ଦର୍ଶନିଆ ଚିତା କାଟିଦେଲା ରେ ! କଣ କରିବି ? ଲାଜର କଥା । ତାର ରାଗ ହେଲା ତାର ସ୍ତ୍ରୀ ଉପରେ । ସେ ରାତି ଅଧରେ ବାହାରିଥିଲା, ସେ ଗାଳିଗୁଲର ଦେଇ ମନା କଲାବୋଲି ସିନା ଶୋଇପଡ଼ିଲା । ଦର୍ଶନା କି ଆଉ କିଏ ତାକୁ ଚିତା କାଟିଦେଲା ।

 

ହେଉ, ଯାହା ଭାଗ୍ୟରେ ଥିଲା, ଯଥା ଲାଭ ! ଘରପୋଡ଼ିରୁ କୁଟାଖିଏ ମିଳିଲେ ବି କାମ-! ହଟ ତରତର କରି ଅଣ୍ଟାରୁ ଦିଟା ଦୋପଇସା କାଢ଼ି ଖୋପରେ ଗଳାଇ ଦେଲା । ଟଙ୍କା ଦୋଟି ଆସ୍ତେ ଆସ୍ତେ ଆଣି ଅଣ୍ଟାରେ ଖୋସିଲା । ଦେଖିଲା ଖୋପ ଭିତରୁ ଗୋଟାଏ କଳା କିଟି କିଟି ମଇଁଷିଆ କଙ୍କଡ଼ାବିଛା ଲହ ଲହ ହୋଇ ପଦାକୁ ବାହାରି ଆସୁଛି । ଓହୋ ! ଧନ୍ୟ ମହାବୀରଙ୍କ ମହିମା ! ଠାକୁର ମାଲ୍ ପରା । ହଳାହଳ ବିଷ !

 

କାଳେ କିଏ ଆସୁଥିବ !

ହଟ ଏକା ଦଉଡ଼ିମାରି ଛୁଟିଲା ଘରକୁ ।

•••

 

୧୬

 

ମଦନ ଖଣ୍ଡିକାସ ମାରି କଣ୍ଠଙ୍କ ପିଣ୍ଡାରେ ପହଞ୍ଚିଲା । ‘ସଙ୍ଗାତେ’ ବୋଲି ଗୋଟାଏ ଡାକ ଛାଡ଼ିଲା ।

 

କଣ୍ଠ ଦାଣ୍ଡ କବାଟ ଧଡ଼୍‌କରି ଫିଟାଇ ଦେଲେ । ଆଖି ମଳିମଳି କହିଲେ, ଠିକ୍‌ ବେଳରେ ଆସିଛୁ ମଦନ ! ଓହୋ, ରାତିଯାକ ମୋର ଆଖି କଷା ପଡ଼ିନାହିଁ । ପରର ଧନ, ଠାକୁର ସମ୍ପତ୍ତି, ଶିବ ନିର୍ମାଲ୍ୟ ପାଖରେ ରଖି, କିଏ ନାଗ ସାପ ଗଳାରେ ପକାଇ ନିଶ୍ଚିନ୍ତ ହୋଇ ରହିପାରେ ? ରାତିଯାକ ଗଣାଗଣି କରି ସବୁ ଠିକ୍‌ କରି ଲେଖିରଖିଛି ।

 

କଣ୍ଠ ଘର ଭିତରକୁ ଗଲେ । କନା ବୁଜୁଳାରେ ବନ୍ଧା ହୋଇଥିବା ଟଙ୍କା ଓ ଖଣ୍ଡେ କାଗଜ ଆଣି ମଦନ ହାତକୁ ବଢ଼ାଇ ଦେଇ କହିଲେ, ୟେ ହେଲା ବୟାଳିଶ ଟଙ୍କା ଆଠଣା ନଅ ପାହୁଲା । ଦୋଣୀ, ପଇସା ସବୁ ମିଶି । ରାଣ୍ଡୀ ମଣିଷ, ଯେତେବେଳେ ଯାହା ପାଇଲା, ଠେକିରେ ଗଳାଇ ରଖିଥିଲା ।

 

ମଦନା ଟଙ୍କାପୁଡ଼ା ଓ ହିସାବ କାଗଜ ହସ୍ତଗତ କରି କହିଲା, ଏତିକିରେ ନିମିତ୍ୟ ଉଠିବ ନାହିଁ ।

 

କଣ୍ଠ ମୁଣ୍ଡ ହଲାଇ କହିଲେ, ପୂନେଇଁ ତ ପୂରା ମାସେ ଅଛି, ଦେଖାଯାଉ ଭେଦାରୁ କେତେ ଉଠୁଛି । ବୁଝିଲୁ ମଦନ, ଏସବୁ ଯେପରି ପ୍ରଘଟ ନ ହୁଏ ।

 

ରାମ୍‌ ରାମ୍‌, ୟା ନା ଗୋଟାଏ କଥା ? ଆ ବଳଦ ମତେ ବିନ୍ଧ୍‌ ।

ମଦନା ବାହୁଡ଼ିଲା ।

 

ଦାଣ୍ଡ ପିଣ୍ଡାରେ ଦର୍ଶନ ବସି କୁନ୍ଥାଉଛି । ମୂଷା ଗୋଟାଏ ତେନ୍ତୁଳି ମଞ୍ଜି ଘୋରି ତା’ର କାଣି ଆଙ୍ଗୁଠିରେ ଲଗାଉଛି । ନିଜେ ମଧୁ ମୁଣ୍ଡାଏ ଫୁଲଖଡ଼ି ଗୋଟାଏ ଚନ୍ଦନ ପେଡ଼ିରେ ଘୋରୁଛି । ପିଣ୍ଡା ତଳେ ପୁସୀ ବାଇଆଣୀ, ଦଶ ବର୍ଷର ଟୋକୀ, ଲଙ୍ଗଳା ହୋଇ ଠିଆ ହୋଇଛି । ବେଳେ ବେଳେ ମୁଖ ବିକୃତ କରି ଦୁଃଖରେ ସହାନୁଭୂତି ଦେଖାଇବାକୁ ଅବୋଧ୍ୟ ଭାଷାରେ ଚିତ୍କାର କରୁଛି ।

 

ମଦନା ପାଖକୁ ଆସି ପଚାରିଲା, କିହୋ କଥା କଅଣ ?

 

ଦୁର୍ଯୋଗରେ ପୁଅ, କଅଣ କହିବି ? କାଲି ରାତି ଅଧରେ ଭାଡ଼ିତଳୁ ଦି ପୁଞ୍ଜା ସାରୁ କାଢ଼ୁ କାଢ଼ୁ କ’ଣ ଗୋଟାଏ ତା ହାତକୁ ମାରିଦେଲା । ସେତିକିବେଳୁ ଟୋକାଟା ପ୍ରାଣ ବିକଳରେ ଛଟପଟ ହେଉଛି ।

 

ଦର୍ଶନ ଆଗ ବଳିପଡ଼ି କହିଲା, ଗୋଟାଏ କଙ୍କଡ଼ାବିଛା ହେବ ।

 

ମଦନା କହିଲ, ଏତେ କଥାରୁ କଅଣ ମିଳିବ ? ଖଡ଼ିସିଝୁ କ୍ଷୀର ଟିକିଏ ଲଗାଇ ଦେଲେ ନିଆଁରେ ପାଣି ପକାଇଲା ପରି ଥପ୍‌କରି ବନ୍ଦ ହୋଇଯିବ ।

 

ମଧୁ କହିଲା, ଚାନ୍ଦ ପଦ ଜାଣେ । ସେ ଝାଡ଼ି ଦେଲେ ବିଷ ଝଡ଼ିଯିବ । ତାକୁ ଡକାଇଛି ।

ମଦନ ମୁଡ଼ୁକି ହସାଦେଇ କହିଲା, ହଁ, ହଁ, ସେ ଜାଣେ ।

ସେ ଚାଲିଗଲେ ।

•••

 

୧୭

 

ସେଇ ଦିନ ଅରିଲୋର ନରିଆ ଗୋଦାମରେ ହଟିଆ ପହଞ୍ଚିଲା ବେଳକୁ ଦିନ ପ୍ରାୟ ଦଶଟା । ଗତ ରାତିର ହାଡ଼ଭଙ୍ଗା ପରିଶ୍ରମର ଫଳରୁ ଯେଉଁ ଦି ଟଙ୍କା ଲାଭ ହୋଇଛି, ଅବଶ୍ୟ ସେଥିରେ ଆଠ ଦିନ ଠେଲି ହୋଇଯିବ । ହେଲେ ଗାଁ ଦୋକାନରୁ ସଉଦାପତ୍ର ନେଲେ ତିନି ଜଣଙ୍କର ସନ୍ଦେହ ହେବ । ଘରେ ଭାତ ନଥିଲା ବୋଲି କାଲି ସକାଳେ ଚାଉଳ ସେରେ ଧାରପାଇଁ ସେ ଦିବାକର ଦୋକାନରେ ଦିଘଣ୍ଟା କାଳ ଗୋଡ଼ ଭାଙ୍ଗି ଠିଆ ହୋଇ କେତେ ନେହୁରା କରିଛି । ତଥାପି, ସେ ଦେଲା ନାହିଁ ବୋଲି ପିଲାଛୁଆ ମୁହଁରେ ଟିକିଏ କୋଳଥ ପଇତି ଦେଇ କାଲି ଦିନଟି ଯତ୍ରକତ୍ରେ କଟାଇଦେଲା । ଆଜି ସକାଳୁ ଟଙ୍କା ନେଇ ସଉଦା କଲେ, ସେଇ ଦିବାକର କହିବ କଅଣ ? ସେଥିପାଇଁ ତାର ଅରିଲୋ ଆସିବା କଥା ।

 

ସଉଦା କିଣି ହଟ ଚାରି ପଇସାର ଗଞ୍ଜାଇପାଇଁ ଗୋଦାମ ଭିତରେ ପଶିଲା । ଦେଖିଲା, କଣ୍ଠ ଗୋଦାମ ଭିତରେ ବସି ଗୋଟିଏ ଗାମୁଛାରେ ସଉଦା ବାନ୍ଧୁଛନ୍ତି । ଦି ଯୋଡ଼ା ନୂଆ ଲୁଗା କାନ୍ଧରେ ପଡ଼ିଛି । ହଟିଆର ମନରେ ଦବକ ଆସିଲା । ସେ ଟିକିଏ ପଛକୁ ଘୁଞ୍ଚିଲା ।

 

ନଜର ପଡ଼ିଯିବାରୁ କଣ୍ଠ ଗଳା ସଫା କରି କହିଲେ, ହଟ, ଏତକ ସଉଦା ଆମ ଘରେ ଦେଇଦେବୁ । ମୁଁ ମଇଧରପଡ଼ା ଯାଉଛି । ହାଡ଼ିଙ୍କଠୁଁ ମୃଦଙ୍ଗ ତଲବ କରିବି । ଅନ୍ତତଃ ଦି ପୁଞ୍ଜା ଖୋଳ ନ ହେଲେ ଗାଁ ସଂକୀର୍ତ୍ତନ ମାନିବ ନାହିଁ ।

 

ହଟ ହିଁ ଭରିଲାରୁ କଣ୍ଠ ତା ଜିମା ସଉଦା ଓ ଲୁଗା ଛାଡ଼ି ମଇଧରପଡ଼ା ବାହାରିଗଲେ । ହଟର ପିଣ୍ଡରେ ପ୍ରାଣ ପଶିଲା । ସେ ମନକୁ ମନ କହିଲା, କାଲି କଣ୍ଠଙ୍କ ଘରେ ଭାତ ନ ଥିଲା ବୋଲି ମଦନା ଓଝାକୁ ପଇସା ଚାରଣା ଉଧାର ମାଗୁଥିଲେ । ଆଜି କଣ ହେଲା, ପଇସା ଆସିଲା କେଉଁଠୁ ? ହଟ ଯାହା ବୁଝିବାର ବୁଝିଲା । ପଛରୁ କଣ୍ଠଙ୍କୁ ନମସ୍କାର କରି ଗୁଣୁ ଗୁଣୁ ହୋଇ କହିଲା, ହାରିଗଲି ଆପଣେ, ମୁଁ ହାରିଗଲି ।

 

ବଡ଼ିସକାଳୁ ଶିରିଆ ଅହିଲା ଘରେ ପହଞ୍ଚିଲା । ଦେଖିଲା, ଗତ ରାତିର ଝଡ଼ତୋଫାନ ଓ ବର୍ଷା ଫଳରେ ତାର ଛୋଟ ଘର ଖଣ୍ଡି ଭାଙ୍ଗିପଡ଼ିଛି । ଅହିଲା ମତୀକୁ ଧରି ବରଗଛ ତଳେ ବସିଛି । ଅତି ବିରସ ମନରେ କରୁଣ ଆଖିରେ ତାର ଭଙ୍ଗା ଘରଆଡ଼େ ଅନାଇ ରହିଛି । ବରଗଛର ଗୋଟିଏ ସିଅରେ ତାର ଅତି ସ୍ନେହର ଛଡ଼ାଟିକୁ ବାନ୍ଧି ରଖିଛି । ଆଜି ସେ ଅନାଥା । ତାର ସାହା ଭରସା କେହି ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ । ପିଲାକୁ ନେଇ କାହା ଓଳିତଳେ ଆଶ୍ରା ନେବ-?

 

ଘରଟି ମାଡ଼ି ବସିବା ପୁର୍ବରୁ, କିଏ କହି ଦେଲାପରି ସତର୍କ ହୋଇ, ରାତି ଅଧରେ ଆଗରୁ ଅହିଲା ବାହାରି ଆସିଥିଲା । ନୋହିଲେ ସର୍ବନାଶ ହୋଇଥାନ୍ତା । ଆଉ କି ସେମାନେ ଜୀବନ ପାଇଥାନ୍ତେ ? ସଞ୍ଜ ପହରର ବର୍ଷା ମାଡ଼ ସହିଗଲେ । ଖାଲି ଉତ୍ତର ପଟ କାନ୍ଥରୁ ଦି ଦଲକା ମାଟି ଛିଣ୍ଡି ପଡ଼ିଲା ବାହାର ପଟକୁ । ଚାଳଯାକ ମେଲା । ଘରେ ଆଉ ରାହା ରହିଲା ନାହିଁ-। ବର୍ଷାପାଣି ଘର ଭିତରେ ଲହଡ଼ି ଭାଙ୍ଗିଲା-। ବର୍ଷା ବନ୍ଦ ହେଲା, ଆରମ୍ଭ ହେଲା ତୋଫାନ । ଛୋଟ କୁଡ଼ିଆର ଚାଳ ମଥାନ ପଡ଼ୁଥାଏ ଉଠୁଥାଏ । ପୁରୁଣା ଶେଣୀଗୁଡ଼ିକ କଡ଼ କଡ଼ ହେଉଥାଏ-। ଅହିଲାର ଭୟ ହେଲା, କେତେବେଳେ କେଉଁ କଥା ! ସେ ଛୁଆକୁ ନେଇ, ଛଡ଼ାକୁ ନେଇ ଗଛମୂଳକୁ ବାହାରି ଆସିଲା ।

 

ଶିରିଆ ଅହିଲାକୁ ଏପରି ଅବସ୍ଥାରେ ଦେଖି ପଚାରିଲା, ଏ କଅଣ ଖୁଡ଼ି ଅନାଉଁ ଅନାଉଁ ଘରକୁ ଭାଙ୍ଗିଦେଲ ? ବିନାଦି ଦେଇଥିବା ଦଶଟଙ୍କା ମୁଁ ତମକୁ ଦେଇଥିଲି ସେଥିରେ ଘରଖଣ୍ଡି ଘୋଡ଼ାଇ ଦେଇଥିଲେ ଅବସ୍ଥା ଏପରି ହୋଇ ନ ଥାନ୍ତା ।

 

ଅହିଲା ଆଖି ଛଳଛଳ କରି କହିଲା, ଚୌଧୁରୀଏ କରଜ ଟଙ୍କାର ସୁଧ ଆଡ଼କୁ ଦଶଟଙ୍କା, ମାଡ଼ିବସିଲେ । ସେକଥା ମୁଁ ତୋତେ କହିବାକୁ ତର ପାଇଲି ନାହିଁ । ସେ ତ ଯାହା ହେବାର ହେଲା, ଏବେ କରିବି କଅଣ ? ପିଲାକୁ ନେଇ ବର୍ଷା କାଦୁଅରେ ଗଛମୂଳେ ବସିଥିବି ! ମୋତେ କିଛି ବୁଦ୍ଧି ଦିଶୁନାହିଁ ।

 

ଶିରିଆ ଗମ୍ଭୀର ହୋଇ କିଛି ସମୟ ଚିନ୍ତା କରି କହିଲା, ଚଉଧୁରୀ ଜାଣି ଜାଣି ତମକୁ ନୂଆଣିଆ ନିରାଶ୍ରା ଦେଖି ଏପରି ଖେଳ ଖେଳିଲେ ତାଙ୍କରି ବେଳକାଳ ପଡ଼ିଛି । ଯାହା କରିବେ ସବୁ ସୁନ୍ଦର । କହିଲେ ଓଲଟା ଦୋଷୀ ହେବ କହିଲା ଲୋକ !

 

ଅହିଲା କହିଲା, କାହାରି ଦୋଷ ଦେବାକୁ ମୋର ସାହସ ନାହିଁ । ସବୁ ଦୋଷ ମୋ କପାଳର । ଏକ ଦୁଇ କରି ଟଙ୍କା ଗଣି ଦେଇଥିଲେ, ଦରକାର ବେଳେ ତୁମ ଦାଦି ନେଇଥିଲେ । ଚଉଧୁରୀଙ୍କର କି ଦୋଷ ? ଯେ ଦେଇଛି, ସେ ନେବ ନାହିଁ ?

 

ବେଳ ଅବେଳ ତ ଅଛି !

ଅବେଳରେ ଟଙ୍କା ଦେଇଥିଲେ ।

ଶିରିଆ ତୁନି ରହିଲା ।

 

ଅହିଲା କହିଲା, ଦେଖୁଛ ତ ପୁଅ ମୋର ଅବସ୍ଥା । ମୋର ନିଜ କଥା ମତେ ବଳେଇଲାଣି । ସେ ଏକାଥରେ ଭୁଲିଗଲେ । ଦଶଟଙ୍କାରେ ଯାହାନ ଯୁଗ ଚଳିବ ନାହିଁ । ବୁଲି ଛଡ଼ାକୁ ମିଶାଇଲେ ତିନିପ୍ରାଣୀ କୁଟୁମ୍ବ । ମୁଁ ଭାବୁଛି, କହୁ କହୁ ଅହିଲାର ଆଖିରୁ ଲୁହ ଗଡ଼ିପଡ଼ିଲା, ବୁଲିକୁ କାହାକୁ ବିକ୍ରି କରି ଦଶ ପାଞ୍ଚ ଟଙ୍କା ଆଣି ଘର ଖଣ୍ଡିକ ଉଠାଇବି ।

 

ଶିରିଆ କହିଲା, ବିକିବ କାହିଁକି, ବୁଲିକୁ ମୁଁ ନେଇଯାଉଛି । ତୁମର ଯେବେ ସୁବିଧା ହେବ, ତୁମେ ନେଇ ଆସିବ । ତା ପିଛା ମୋର କିଛି ଅଧିକ ଖରଚ ହେବ ନାହିଁ । ପାଞ୍ଚଟା ଅଛନ୍ତି, ତାଙ୍କ ସଙ୍ଗରେ ସେ ବି ପଡ଼ିଆକୁ ଚରିବାକୁ ଯିବ । ମୁହଁରେ କେରାଏ ପାଳ ପକାଇଦେଲେ ହେଲା-

 

ଆଉ ମୋର ଏ କୁଡ଼ିଆଖଣ୍ଡି ଉଠିବ କିପରି ?

 

ଶିରିଆ ଅଣ୍ଟାରୁ ପାଞ୍ଚଟଙ୍କା କାଢ଼ିଲା । ଅହିଲାକୁ କହିଲା, ଏତକ ଖରଚ କରି କାମ ଉଠାଅ ଖୁଡ଼ୀ, ଦରକାର ପଡ଼ିଲେ ଆଉ କିଛି ଦେଇଯିବି । ତୁମ ପାଖରେ ଟଙ୍କା ହେଲେ ହାଉଲେ ହାଉଲେ ମୋତେ ଦେଇଦବ । ଦୁଇ ତିନି ମାସ ପରେ ମୋର ତ କଲିକତା ଯିବାର ଅଛି । ନଇଲେ ମୁଁ ବିନାଦିକୁ ଖୋଜି ତାଠୁଁ ମୋ ଟଙ୍କା ଆଦାୟ କରିନେବି ।

 

ଅହିଲା ଦୀର୍ଘଶ୍ୱାସ ଛାଡ଼ିଲା । ନୈରାଶ୍ୟ ଭିତରେ ସେ ଆଶାର ସଙ୍କେତ ପାଇଲା । ଶିରିଆର କଥାରେ ତାର ପୂର୍ଣ୍ଣ ବିଶ୍ୱାସ ଜନ୍ମିଲା । ସେ କହିଲା, ହଉ ତେବେ ପୁଅ ବୁଲିକୁ ତୁ ଏବେ ନେଇଯା । ସେ ଥିବାଯାଏ ମୋତେ ଅଡ଼ୁଆ ଲାଗୁଛି ।

 

ଶିରିଆ ବୁଲି ବାଛୁରୀକୁ ସଙ୍ଗରେ ନେଇଗଲା ।

 

ଲୋକେ ଅହିଲାର ଭଙ୍ଗାଘର ଦେଖିବାକୁ ଧାଇଁ ଆସିଲେ । କିଏ ବିନୋଦକୁ ବାର କଥା କହି ଶୋଧିଲା । କିଏ ଅହିଲାର ଅସାବଧାନତାକୁ ନିନ୍ଦିଲା । ପଦନା ତୋଫାନ ଉପରେ ଦୋଷ ଲଦି ନିଶ୍ଚିତ ହୋଇ ଚାଲିଗଲା ।

 

ଚଉଧୁରୀ ସବୁ ଦୋଷ ଅହିଲାର ମୁଣ୍ଡରେ ଅଜାଡ଼ି ଦେଲେ । କହିଲେ, ଲୋକେ କଥାରେ ଆନ୍ ଧରି ରହିଲେ ଯାହା ହେବାର କଥା ତାହାହିଁ ହୋଇଛି । ଆରେ ତୁ ପିଲାଲୋକ, ଗରୀବ ନିଆଶ୍ରୀ ଲୋକ । ପାଞ୍ଚଜଣଙ୍କ ଭିତରେ ଅଛୁ । ପାଞ୍ଚ ଜଣଙ୍କୁ ତୋର ଦୁଃଖ ଶୁଣାଇଲେ ଏ ଦଶା ହୋଇ ନ ଥାନ୍ତା । ତୁଣ୍ଡଫିଟିଲେ ଦୁଃଖ ଯାଏ ! କାହାର ଗରଜ ବଳେଇଛି ଯେ ନିଜ ମନକୁ ଆସି ତୋ ଘରକଥା ବୁଝିଯିବ ?

 

ବିଶି କହିଲେ, ଯାହା ତ ହେବାର ହୋଇଛି । ସାଆନ୍ତେ, ତାପାଇଁ ଗୋଟାଏ କିଛି ବନ୍ଦୋବସ୍ତ ନ କଲେ ସେ ରହିବ କେଉଁଠି ? ଠିକ୍‌କଥା, ତେବେ ଆମେ ସବୁ ଥାଉଁଣୁ ତାକୁ ଛତରକୁ ଛାଡ଼ିଦେବା ନାହିଁ । ଆମରି ଭିତରୁ ସେ ଜଣେ । ସେ ଛତରରେ ପଶିଲେ ଆମ ଗ୍ରାମର ନିନ୍ଦା ହେବ-

 

ବିଶି କହିଲେ, ସତ କଥା । ତା ଘର ଉଠାଇବାପାଇଁ ମୁଁ ମୋ ବାରିରୁ ଗଣ୍ଡାଏ ବାଉଁଶ ପଠାଇଦେବି ।

 

ହରି କହିଲେ, ମୋର ବି ଅଧିକ ନଡ଼ା ଅଛି । କେହି ଯାଇ ପନ୍ଦର ବୋଡ଼ି ନେଇ ଆସିଲେ ହେଲା ।

 

ଚଉଧୁରୀ କହିଲେ, ସବୁ ହେବ ଯେ ପାଗ ଭଲ ନ ହେଲେ ମୂଲିଆ ମିଳିବେ ନାହିଁ । କାମ ବେଶି ପଡ଼ିଛି । ଘର ଠିଆ ନ ହେବାଯାଏ ସେ ଛୁଆକୁ ନେଇ ଗଛ ତଳେ ଠେକରା ବସାଇବ ନାହିଁ ତ । ମୁଁ ଚାନ୍ଦକୁ କହିଦେଉଛି, ତା ଘର ଖାଲି ପଡ଼ିଛି, ଅହିଲା ସେଇଠି ରହୁ । ପରେ ଦେଖାଯିବ ।

 

ଚଉଧୁରୀଙ୍କର କଥା ଶୁଣି ଲୋକେ ଧନ୍ୟ ଧନ୍ୟ କଲେ । କୁହାକୁହି ହେଲେ, କେଡ଼େ ଗୁଣବନ୍ତ ଦୟାଳୁ ପୁରୁଷ । ଗରିବର ଦୁଃଖ ଦେଖିଲେ ତାଙ୍କ ପ୍ରାଣ ତରଳିଯାଏ । ପର ଆପଣା ସେ ଜାଣନ୍ତି ନାହିଁ । ଛୋଟ ବଡ଼ ଜ୍ଞାନ ନାହିଁ । ସେଇଥିପାଇଁ ସିନା ଠାକୁରେ ତାଙ୍କୁ ସବୁ କଥାରେ ସୁଖୀ କରିଛନ୍ତି । ଧନ ଜନ ଗୋପ ଲକ୍ଷ୍ମୀ ମାଡ଼ିଯାଉଛି । ଲୋକ ଚଉଧୁରୀଙ୍କର ପ୍ରସଂଶା କରି ନିଜ ନିଜ କାମରେ ଗଲେ ।

 

ଚଉଧୁରୀ ଏକା ରହିଲେ । ମତୀର ମୁଣ୍ଡ ଆଉଁସି ଗେଲ କଲେ । ଅହିଲାର ମୁଣ୍ଡରେ ହାତ ବୁଲାଇ କହିଲେ, ଉଠ ଉଠ ଝିଅ, ତୋ ଦେଇ ଶାଗ ସିଝିବ ନାହିଁ । ଭଙ୍ଗା ଘରକୁ ଅନାଇ ବସି ମନ କଷ୍ଟରେ ଯେତେ କାନ୍ଦିଲେ ଘର ଆପେ ତୋଳି ହେବ ନାହିଁ । ସେଥିପାଇଁ କେତେ ପଦାର୍ଥ ଲୋଡ଼ା, ମୂଲିଆ, ଧନ, ସମୟ । ଧୈର୍ଯ୍ୟଧରି ଧୀର ସ୍ଥିର ହୋଇ କାମ କଲେ ସବୁ ଠିକ୍‌ ହୋଇଯିବ-। ଉଠ୍ । କେଡ଼େ ଦୟାବନ୍ତ ପୁରୁଷ । କଅଁଳ ବ୍ୟବହାର, ମିଠା ବଚନ । ଆଉ କାହା ତୁଣ୍ଡରୁ ଏପରି ସହାନୁଭୂତିପୂର୍ଣ୍ଣ କଥା ପଦେ ବାହାରିଲା ନାହିଁ । ଅହିଲାର ଆଖିରୁ ଲୁହ ଝରିଲା । ସେ ଚଉଧୁରୀଙ୍କ ଗୋଡ଼ ଧରି କାନ୍ଦି କାନ୍ଦି କୋହ ଧରି କହିଲା, ଭାସିଯିବାକୁ ବସିଛି, ମୋତେ ରକ୍ଷାକର ସାଆନ୍ତେ । ପିଲାକୁ ନେଇ କାହା ଓଳିତଳେ ଆଶ୍ରା ନେବି ? ସେ ତ କଲିକତା ଗଲା ଦିନରୁ ଚିଠିପତ୍ର ଖଣ୍ଡେ ଦେଇ ନାହାନ୍ତି । ଆମର ଭଲମନ୍ଦ ବୁଝି ନାହାନ୍ତି ।

 

କିଛି ଭାବନା ନାହିଁ । ଚାନ୍ଦ କେବେ ମୋ କଥାରୁ ବାହାର ହେବ ନାହିଁ । ଯଦି ସେ ନାହିଁ କରେ, ତୁ ମୋ ଘରେ ଯାଇ ରହିବୁ । ଚାରି ପାଇଟି କଲେ, ତୋ ପେଟ କି ତୋ ପିଲା ପେଟ ଅପୋଷା ରହିବ ନାହିଁ । ନିହତ ରଖି ଚଳିଲେ ହେଲା । ମୁଁ ବିନୋଦିଆ କଥା ଭାବୁଛି, କେତେ କଅଣ ମନକୁ ଆସୁଛି । ଆଗ ତୁ ଓ ତୋ ପିଲାଟି ଥଇଥାନ ହୋଇଯା, ତେଣିକି ତା ଖବର ବୁଝିବା-

 

ସାଆନ୍ତେ ଯାହା କହିବେ, ସେଇଆ କରିବି । ମୋତେ ତିନିପୁର ଅନ୍ଧାର ଦିଶୁଛି ।

 

ଚଉଧୁରୀ ଏଣେ ତେଣେ ଆଖି ବୁଲାଇ କହିଲେ, ତୁ ଚିନ୍ତା କର ନା । ତୋ ବାଛୁରୀଟି କାହିଁ ? ସେ ଗାଈ ଗୋଠରେ ମିଶି ପଡ଼ିଆକୁ ଚରିବାକୁ ଯିବ । ତା ପାଇଁ କିଛି ଭାବିବାକୁ ପଡ଼ିବ ନାହିଁ । ମୁଁ ତାର ସବୁ ସୁବିଧା କରିଦେବି । ହଉ, ମୁଁ ଯାଉଚି । ତୁ ତୋର କାମଧାମ ସାରି ମୋ ପଛରେ ଆ । ପୁଣି ଫେରି ଆସି ପଚାରିଲେ, ଛଡ଼ାଟି ତୋର କାହିଁ ସତେ, ଭଲ ଅଛି ତ ?

 

ଅହିଲା କହିଲା, ଘରଖଣ୍ଡି ଉଠାଇବି ବୋଲି ତାକୁ ଶିରିଆପାଣକୁ ଦେଇ ତା ଠଉଁ ପାଞ୍ଚ ଟଙ୍କା ଆଣିଛି । ସାଆନ୍ତେ ଆସିବା ଘଣ୍ଟାକ ଆଗରୁ ସେ ଏଠିକି ଆସିଥିଲା ।

 

ଶିରିଆ ନାମ ଶୁଣି ବଟ ଚଉଧୁରୀ ମନେ ମନେ ଭାରି ଖପା ହୋଇଗଲେ । କେତେ ପାପ କଥା ତାଙ୍କ ମନ ଛୁଇଁ ଚାଲିଗଲା । ସେ ତୁନି ହୋଇ କଅଣ ଭାବିଲେ । ଅହିଲାର ଗୋଡ଼ରୁ ମୁଣ୍ଡ ଯାଏ ଚାହିଁ ମୁହଁ ଗମ୍ଭୀର କରି କହିଲେ, ଶିରିଆ ତେବେ ରାତିରୁ ଆସିଥିଲା ? ଚୋର ପାଣ ଟୋକାଟାର ଭାରି ଦିମାକ୍ ହେଲାଣି । ମାଇକିନିଆ ଦେଖି ଟଙ୍କା ପାଞ୍ଚଟା ଦେଇ ଏଡ଼େ ବଡ଼ କଳା ବାଛୁରୀ–ଖୋଜିଲେ ନ ପାଇ–ତାକୁ ନେଇ ଚାଲିଗଲା ? ମୋତେ ଟିକିଏ ଆଗରୁ ଖବର ଦେଇଥିଲେ ହୋଇ ନ ଥାନ୍ତା ?

 

ଚଉଧୁରୀ ଶିରିଆ ଉପରେ ବିରକ୍ତ ହେବାର ଦେଖି ଅହିଲା କହିଲା, ମୁଁ ତାକୁ ବିକି ନାହିଁ-। ଚଳେଇ ପାରିଲି ନାହିଁ ବୋଲି ତାକୁ ରଖିବାକୁ ଦେଇଛି । ସୁବିଧା ହେଲେ ତାର ଟଙ୍କା ସୁଝି ଦେଇ ମୋର ଛଡ଼ାକୁ ମୁଁ ନେଇ ଆସିବି ।

 

ଚଉଧୁରୀ ହସି ହସି କହିଲେ, ଆରେ ଚକେ ଗଲେ ବାର ହାତ । ବେଳ ଗଡ଼ିଲେ ଆଉ ଶିରିଆକୁ ପାରି ହେବ ନାହିଁ । ଶିରିଆ ପାଣ ଯେମିତି ଫିସାଦିଆ, ତାର ଗୁଣ କିଏ ନ ଜାଣେ ? ସେ କେତେ ଢଙ୍ଗ କାଢ଼ିବ । ଆଚ୍ଛା ହଉ, ତା ଟଙ୍କା ତାକୁ ଫେରାଇ ଦେଇ ଆମ ବାଛୁରୀ ଆମେ ନେଇ ଆସିବା । ସେଥିରେ କଣ ଥାଏ ? ତୁ ଯାଇ ଆଗ ଚାନ୍ଦ ଘରେ ରହ, ତେଣିକି ଯେଉଁ କଥା । ଟିକିଏ ତୁନି ହୋଇ ପୁଣି କହିଲେ, ସେ ତତେ ଯେଉଁ ଟଙ୍କା ଦେଇ ଯାଇଥିଲା ମୋତେ ଦେ, ଆଗ କାମ ଆଗ । ମୁଁ କହୁଛି ତୋର କିଛି ଅଭାବ ରହିବ ନାହିଁ । ତୁଣ୍ଡ ଫିଟିଲେ ହେଲା ।

 

ଏତିକି କହି ଚଉଧୁରୀ ସ୍ନେହରେ ଅହିଲାର ପିଠିରେ ହାତ ମାରି ହସିଦେଲେ ।

 

ଅହିଲା ଦୋ ଦୋ ପାଞ୍ଚ ହେଲା । କଅଣ କରିବ ? ଯେ ଏତେ ଆଶା ଭରସା ଦେଉଛନ୍ତି ! ଅବଶ୍ୟ ନରମାୟା ନାରାୟଣଙ୍କୁ ଅଗୋଚର । ତାଙ୍କର କଥା ମୂଳରୁ ଭାଙ୍ଗିବାର ନୁହେଁ-। ଅହିଲା କରାଟରୁ କାଢ଼ି ପାଞ୍ଚ ଟଙ୍କା ଚଉଧୁରୀଙ୍କ ହାତକୁ ବଢ଼ାଇଦେଲା । ଦୀର୍ଘଶ୍ୱାସ ଛାଡ଼ିଲା ! ଛାତି ଥରିବାକୁ ଲାଗିଲା । ସେ ଭୁଲ କଲା କି ଠିକ୍‌ କଲା ବୁଝିପାରିଲା ନାହିଁ ।

 

ଖଣ୍ଡେ ଦୂର ଆଗକୁ ଯାଇ ପୁଣି ଫେରି ଆସି ଚୌଧୁରୀ କହିଲେ, ତୋତେ କିଛି କହିବି ନାହିଁ ବୋଲି ଭାବିଥିଲି କିନ୍ତୁ ମନ ବଡ଼ ଛକ୍‌ପକ୍‌ ହେଲା । ତୁ ଜାଣୁ ମୁଁ କିପରି ସଫା ଲୋକ । ମୋ ପେଟରେ କିଛି କଥା ରହେ ନାହିଁ । ମୋର କହିବାର କଥା ଏହି ଯେ, ଗାଁରେ ବାର ଲୋକ ବାର କଥା କହୁଛନ୍ତି । କାହା ତୁଣ୍ଡରେ କେହି ବାଡ଼ବତା ଦେବ ନାହିଁ । ଲୋକେ ଯେଉଁ ଢଙ୍ଗ ଦେଖନ୍ତି ସେଇଥିରୁ, ନ ହେଲାବେଳକୁ ଆକାଶରୁ ତୋଳି କଥା କାଢ଼ନ୍ତି । ତୁ ଏକୁଟିଆ ମାଇପିଲୋକ । ତୋ ଘରକୁ ପାଣ ଟୋକାଟା, ଛୁଇଁଲେ ଗାଧୋଇବାକୁ ପଡ଼େ, ସେ ଏତେ ଯା ଆସ କରେ କାହିଁକି ? ମତୀକୁ ତୋ କୋଳରୁ ଟାଣିନେଇ ସେ କାଖାଏ । ତୋ ପାଖରେ ଘୋଡ଼ାପରି ହିଁ ହିଁ ହୁଏ । ତୋତେ ଟଙ୍କା ଦିଏ । ଲୋକେ ଯାହା କହନ୍ତି ଶୁଣିଲେ ମଣିଷ କାନରେ ହାତ ଦେବ ।

 

ସତେ କି ଅହିଲାର ମୁଣ୍ଡରେ ବଜ୍ରପଡ଼ିଲା । ଭୟରେ ତାର ଗୋଡ଼ରୁ ମୁଣ୍ଡ ଯାଏ ଥରି ଉଠିଲା । ଧନ୍ୟରେ ଲୋକ, ପାଣିରେ ଏପରି ସର ପକାଇ ପାରନ୍ତି ? ଶୁନ୍ୟେ ଶୂନ୍ୟେ ଜାଲ ବୁଣିପାରନ୍ତି ? ହଉ କହନ୍ତୁ, ତାଙ୍କର ପୁଣି ମା ଭଉଣୀ ଝିଅ ବୋହୂ ଅଛନ୍ତି । ନିଆଶ୍ରା ମଣିଷ ସେ, କରିବ କଅଣ ? ଠାକୁରେ ତାକୁ କହିବାକୁ ଜନ୍ମ ଦେଇ ନାହାନ୍ତି, ସହିବାକୁ ଜନ୍ମ ଦେଇଛନ୍ତି ।

 

ଅହିଲା କହିଲା, ଏସବୁ ମିଛ କଥା ସାଆନ୍ତେ । ମୋ ପାଇଁ ପଦେ କହିବାକୁ କେହି ନାହାନ୍ତି । ମୁଁ ନିଆଶ୍ରୀ ବୋଲି କିଏ ଯଦି ନିନ୍ଦା ଉଠାଉଛି-

 

ଚୌଧୁରୀ କହିଲେ, ଲୋକଙ୍କୁ ନାଲି ଆଖି ଦେଖାଇ ମୁଁ ଚାପିଦେଇଛି ? ନୋହିଲେ କଥା ଅତି ଦୀର୍ଘ ହୋଇଥାନ୍ତା । ହାଟୁଆ ଘର ପିଲା ତୁ । ମିଛ ହେଉ ସତ ହେଉ, କଥା ବାହାରକୁ ଫିଟିଲେ ମହତ ସରିବ । ତେଣିକି ଯେତେ ବାଡ଼େଇ ପିଟି ହେଲେ କିଏ ଶୁଣିବ ? ନଈବଢ଼ି ପାଣି ପରି ଦୁର୍ନାମ ମାଡ଼ିଯିବ । କେବଳ ତୋର ନୁହେଁ, ଆମ ଗ୍ରାମର ନିନ୍ଦା ହେବ ।

 

ଅହିଲା ଆଖିରୁ ଠକ୍‍ ଠକ୍‌ ହୋଇ ଲୁହ ଝରିପଡ଼ିଲା ।

 

ଚୌଧୁରୀ କହିଲେ, କାନ୍ଦନା । ଛୋଟ ଜାତିର ଲୋକଟାଏ ଶିରିଆ, ଆମର ତା ସଙ୍ଗେ କି ସମ୍ପର୍କ ? ତାକୁ କଥା ନ କହିଲେ ଆଗ ଗୋଡ଼ରେ କଣ୍ଟା ବାଜିବ ନାହିଁ । ପିଲା ମନ, ମଣିଷ ପ୍ରକୃତି, କେତେବେଳେ କଣ ହୋଇଯାଏ, ସେଥିକି ବାଧା ଦେବାର କାହାର ସାଧ୍ୟ ନାହିଁ । ତେବେ, ଦେଖି ଶୁଣି, ଟିକେ ବିଚାରି, ଚାରିଆଡ଼କୁ ନଜର ରଖି ଯାହା କରିବାର କଥା । ଶିରିଆ ଅଜାତିଆ ଅଛବ ପାଣ ଟୋକା । ଚୋରପଣକୁ ସରିଛି । କଲିକତାରେ ନିଜକୁ ବ୍ରାହ୍ମଣ ବୋଲି ପରିଚିତ କରାଇ କେଉଁ ଧନୀ ଘରେ ରୋଷାଇ କରୁଥିଲା । ଡକେଇତମାନଙ୍କ ସଙ୍ଗେ ସଲା ହୋଇ ସେଇ ବାବୁଙ୍କ ଘରେ କଳାକନା ବୁଲାଇଲା । ନିଜେ ମୁହଁପୋଛି ଭଦ୍ର ଲୋକ ବୋଲାଇଲା । ଚୋରି ଟଙ୍କାରୁ ନିଜ ଭାଗ ଆଣି ସେ ଧୋବ ଧାଉଲିଆ ହୋଇ ଗାଆଁକୁ ଫେରିଛି ।

 

ଅହିଲା ଥକ୍‍କା ହୋଇ ଚଉଧୁରୀଙ୍କ ମୁହଁଙ୍କୁ ଚାହିଁରହିଲା । ସେ ଜାଣେ, ଛୋଟଘର ପିଲାଟିଏ ହେଲେ ବି ଶିରିଆ ଖଣ୍ଡେ ସୁନା । ପର ଦରବକୁ ଆଖି ପକାଏ ନାହିଁ । ଗରିବର ଦୁଃଖ ସହିପାରେ ନାହିଁ । ସେ ହାଡ଼ଭଙ୍ଗା ପରିଶ୍ରମ କରେ । ଅନ୍ୟାୟ ଅନୀତି ସହିପାରେ ନାହିଁ, ପାଖ ପଶେ ନାହିଁ । ତାର ଦୋଷ ହେଉଛି ଯେ, ସତ କଥାରେ ମୁହେଁ ମୁହେଁ ଜବାବ ଦିଏ । ଚଉଧୁରୀ ତାର ଦୁର୍ନାମ କରୁଛନ୍ତି । ସତ ମିଛ ତାଙ୍କୁ ହିଁ ଜଣା ।

 

ଚଉଧୁରୀ କହିଲେ, ପୁଲିସ କଅଣ ତାକୁ ଛାଡ଼ିବ ? ଯେବେ ହେଲେ ଗୋଡ଼ାଇ ଧରିବ । ଯେଉଁମାନେ ଶିରିଆ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖିଥିବେ, ସେମାନେ ବି ପୁଲିସର ଦାଉରେ ହଟହଟା ହେବେ । ବଳେ ପାନେ ପାଇବେ । ଏଥକୁ ସାବଧାନ କରିଦେଉଛି ଲୋ ଅହିଲା, ପରେ ଆଉ ଦୋଷ ଦେବୁ ନାହିଁ ।

 

ଚଉଧୁରୀ ବିଦାୟ ନେଲେ । ଶିରିଆ ଉପରେ ଥିବା ପ୍ରଗାଢ଼ ବିଶ୍ୱାସ ଅହିଲାରେ ଟଳମଳ ହେଲା ।

•••

 

୧୯

 

ଚାନ୍ଦ, ଜୀବନରେ କେବେ ସେ ଭଲକରି ମୁଠିଏ ଖାଇ ନାହିଁ । ପରର ଅଇଁଠା ସାଉଁଟି, ସୁଣ୍ଠା ଅଇଁଠା ଭାତ ଖାଇ; ତିନି ଦିନର ସଢ଼ା ପଚା ତୋରାଣୀ ପିଇ ସେ ତାର ଦିହକ କଟାଇଛି । ମନରେ ତାର ଦୁଃଖ ନାହିଁ କି ଅଶାନ୍ତି ନାହିଁ । ନିଜର ଭାଗ୍ୟବିନା । ଆଉ କାହାକୁ ସେ କେବେ ଦୋଷ ଦେଇ ନାହିଁ । ଗାଁ ଦାଣ୍ଡରେ ଦି ପୁଞ୍ଜା କୁକୁର ବୁଲନ୍ତି; ବନ୍ଧ ତଳକୁ ଗଡ଼ିଲେ ଚରିବାକୁ ତାଙ୍କର ଅଭାବ ରହେ ନାହିଁ । ନିଶ୍ଚିନ୍ତରେ ଥାନ୍ତି । ପର ହାଣ୍ଡିଶାଳେ ପଶିଲେ ସିନା କାଠେ କି ପାହାରେ ଖାଇବାର ଡର ଥାଏ, ନୋହିଲେ ତ ନିର୍ଭୟ । ପଦେ କିଏ କାହିଁକି କହିବ ?

 

ଚାନ୍ଦ ଏ ଆଦର୍ଶରେ ତାର ଜୀବନ କଟାଇଛି, କଟାଉଛି । ପରଘରୁ ମାଗି ଛିଣ୍ଡା ପୁରୁଣା ଲୁଗା ଖଣ୍ଡେ ପାଇଲେ ତାକୁ ଧୋଇ ଶୁଖାଇ ସେଥିରେ ସେ ଦିନା କେତେ ଦେହ ଘୋଡ଼ାଏ । ଯେଉଁଠି ଯାହା ଚାରି ପଇସା ପାଏ, ସେତକ ସେ ଅବେଳପାଇଁ ଚୁଲିମୁଣ୍ଡରେ ପୋତିଥିବା ଘଡ଼ି ଭିତରେ ଗଳାଇ ଦିଏ । ଅବେଳ ତ ତାର ଦେହାତିରେ କେବେ ପଡ଼ି ନାହିଁ । ପଇସା କାହିଁକି ଖରଚ ହେବ ? ରୋଗ ବଇରାଗ ତା ପାଖ ପଶନ୍ତି ନାହିଁ । ସୁଖେ ଦୁଃଖେ, ସୁରୁଖୁରୁରେ ବେଳ କଟିଯାଏ ।

 

ତାର ସାଇତା ଧନ ଟିକିଏ ଆଖିଦୁରୁଶିଆ ହେଲା । ସେ ତାକୁ ବଢ଼ାଇବାକୁ ଆହୁରି ଚେଷ୍ଟା କଲା । ଗାଁ ମାଇପେ ଘର ଭୁଆସୁଣୀଙ୍କର ଅଣ୍ଟ ନିଅଣ୍ଟ ବେଳେ ଚାନ୍ଦ ଟଙ୍କାରେ ମାସକୁ ଦି ପଇସା ସୁଧରେ ବେଳେ ବେଳେ ଧାର ଲଗାଇଲା । ତା’ ଟଙ୍କା ସେ କେବେ କାହାକୁ ମାଗେନାହିଁ କି ତା ଟଙ୍କା କେବେ କାହାଠି ବୁଡ଼େ ନାହିଁ । ଏକା ମାଘକେ ଶୀତ ଯାଉନାହିଁ, ଆଉ ଦିନକୁ ଆଉ ଦିନ ଅଛି । ତହିଁରେ ପୁଣି ବାଘର ଫାଗକୁ ଡର, ଭଲ ଲୋକର ମହତକୁ ଡର । ନିଆଶ୍ରା ଚାନ୍ଦର ଝାଳବୁହା ପେଟକଟା ଧନ ବୁଡ଼ାଇବାକୁ କେହି ସାହସ କରନ୍ତି ନାହିଁ । ରାଣ୍ଡର ନିଶ୍ୱାସ ଯେ ନାଗ ସାପର ନିଶ୍ୱାସ ପରି । ତା ଆଖି ଲୁହ, ତା ଅଭିଶାପ କୁଳ ଦହିବ । ସେଥିପାଇଁ ଚାନ୍ଦର ପାଉଣା ବୁଡ଼େନାହିଁ ।

 

ଚାନ୍ଦର ଧନ କଥା ଧୀରେ ଧୀରେ ଭୁଟ୍‌ଭାଟ୍‌ ହୋଇ ପଦାକୁ ଫୁଟି ବାହାରିଲା । ଗାଁ ଲୋକେ କହିଲେ ଚାନ୍ଦ ଗୋଟାଏ ମସ୍ତବଡ଼ ମହାଜନ ! ଏ କଥା ଶୁଣିଲେ ଚାନ୍ଦ ଖୁସିହୁଏ । ଦିନେ ସେ ଭାବିଲା ଆଚ୍ଛା, ଦେଖେ କେଇ କୋଡ଼ି ଟଙ୍କା ହେଲାଣି । ମନ କଥା ମନରେ ଥାଏ, ଆଉ କାହାକୁ ଧାର ଉଧାର ଦେଲା ନାହିଁ । ପନ୍ଦର ଦିନ କାଳ ୟା ପାଖକୁ ତା ପାଖକୁ ଦଉଡ଼ି କେତେ କାନ୍ଦୁଣି ମାନ୍ଦୁଣି, କେତେ ନେହୁରା ନିକୁଟି ହୋଇ ଟଙ୍କାଯାକ ଅସୁଲ କଲା । ଦିନେ ରାତିରେ କବାଟ ବନ୍ଦ କରି ବଇଠା ଲଗାଇ ସେ ସବୁ ପାଞ୍ଚଥର କରି ଗଣିଲା । ଦେଖିଲା ତା ଧନର ପରିମାଣ ହେଲାଣି ଚାରିକୋଡ଼ି ପନ୍ଦର, ପାଞ୍ଚକୋଡ଼ିକୁ ପାଞ୍ଚ କମ୍‌ । ସେ ଜାଣି ନଥିଲା ଯେ, କବାଟ ଫାଙ୍କରେ ଚାରିଟା ଆଖି ବାହାରୁ ଜଳ ଜଳ କରି ତାଆରି ଟଙ୍କାକୁ ଅନାଇ ରହିଛି ।

 

ଅହିଲା ପାଖରୁ ଫେରି ଚଉଧୁରୀଏ ଚାନ୍ଦକୁ ପାଖକୁ ଡାକିଲେ । ନିରୋଳାରେ ବସି କଅଁଳ କଥାରେ ତାଙ୍କ ମନର ସବୁ ଛପିଲା ଉଦ୍ଦେଶ୍ୟ କହିଲେ । ଚାନ୍ଦ ପ୍ରଥମେ ଅମଙ୍ଗ ହେଲା । ତା ମନ ଯାଇ ଟେଙ୍ଗରାତଳ ପୋତା ଘଡ଼ିରେ । ଅହିଲା ଯଦି ତା ଘରେ ରହେ, କାଳେ କେବେ ତାର ସଞ୍ଚିଲା ଧନ ଉପରେ ଅହିଲାର ନିଘା ପଡ଼ିବ । ଏଇ ହେଲା ତାର ଡର । ଟଙ୍କା କଉଡ଼ି ଦେଖିଲେ କାହା ମନ ସଂଭାଳି ହୋଇ ରହିବ ? ଯତି ମତୀ ତ ଟଳିଯିବ ! ଅହିଲା ପର ମଣିଷ । ଘରେ ଥାଇ ଆତଯାତ ଚଳପ୍ରଚଳ ହେଲେ ତାର ଦୃଷ୍ଟି ଏଡ଼ାଇ ପାରିବ ନାହିଁ । ସେ ଯଦି କେବେ ସାଇତିଲା ଧନ ଚିତା କାଟିନିଏ ତ ସାରା ଜୀବନର ଆଶା ତାର ପୋଡ଼ି ପାଉଁଶ ହେବ ।

 

ଚାନ୍ଦ ହାତଯୋଡ଼ି କହିଲା, ମୋର ତ ଛୋଟିଆ ଘର । ପର ମାଇପ ଓ ତା ପିଲାଙ୍କ ଚଳିବାକୁ ସୁବିଧା ହେବନି । ସେ ଆଉ କେଉଁଠି ରହୁ ।

 

ଚୌଧୁରୀ କହିଲେ, ତୋ ଘରେ ସେ ବେଶୀ ଦିନ ରହିବ ନାହିଁ । ପାଗ ଟିକିଏ ଭଲ ହେଲେ ତା ଘର ମରାମତୀ କରାହେବ । ସେଇଠୁ ସେ ତା ନିଜ ଘରକୁ ଚାଲିଯିବ । ଏକା ଗ୍ରାମରେ ଘର କରି ରହିଥାଇଁ । ଆପଦ ବିପଦବେଳେ ପରସ୍ପରକୁ ସାହଯ୍ୟ ନ କଲେ କଣ ପର ଗ୍ରାମରୁ ଲୋକ ଆସି ସାହା ହେବେ ! ତୁ ମୋ କଥା ମାନ ।

 

ଚାନ୍ଦ ହଉ ହଉ, କହି ଚଉଧୁରୀଙ୍କ ଆଗରୁ ଚାଲିଆସିଲା । ପରଘର କାମରେ ବ୍ୟସ୍ତ ଥାଇ ଚାନ୍ଦ ଚାରିଦିନ କାଳ ତା ଘରକୁ ଯାଉ ନ ଥିଲା । ହରି ମାଇପର ପୁଅ ହୋଇଛି । ଗୋକୁଳିର ବୁଢ଼ୀମା ବାଧକା ପଡ଼ିଛି ଯେ, ଖଟରୁ ଉଠି ପାରୁନାହିଁ । ଚଉଧୁରୀଙ୍କ ଘରଣୀଙ୍କର ଓଷା । ଚାନ୍ଦ ରାତିରାତି ଜଗି ସେମାନଙ୍କ ଘରେ କାମ କଲା । ମନ ଦକଦକ ହେଉଥାଏ । ରାତିରେ ତାକୁ ନିଦ ହୁଏ ନାହିଁ । କେତେ ପ୍ରକାର ଅସାର ସପନ ଦେଖି ଚମକିପଡ଼େ । ବିଳିବିଳେଇ ଉଠେ । ଏ ଗାଆଁରେ କାହାକୁ ବିଶ୍ୱାସ । ସମସ୍ତେ ଯେ ବିଲେଇ ବୈଷ୍ଣବ, ତୁଳା ମୁହାଁ କାଙ୍କ । ରାତି ପାହିଲେ ସେ ଘରକୁ ଆସି ତା ତାଲାକୁ ଚାହେଁ, ଟିକିଏ ଓଟାରେ, ଠିକ୍‌ଅଛି । ପିଣ୍ଡରେ ପ୍ରାଣ ପଶେ ।

 

ଦିନେ ଦିପହରେ ଚାନ୍ଦ ତାର ଦ୍ୱାରମୁହରେ ପହଞ୍ଚିଲା । ତାଟି କେମିତି ଖୋଲିଯାଇଛି । ତାର ଛାତିରେ ଛନକା ପଶିଲା । ସେ ବ୍ୟାକୁଳ ହୋଇ ଦ୍ୱାର ବନ୍ଧ ପାଖକୁ ଧାଇଁଗଲା । ଏଁ, ୟେ କଣ ? କବାଟ ଯେ ଠିଆମେଲା । ତାଲା ଭାଙ୍ଗି ତଳେ ପଡ଼ିଛି ।

 

ଚାନ୍ଦକୁ ଚାରିଆଡ଼ ଅନ୍ଧାର ଦେଖଗଲା । ଆଖି ଆଗରେ ଶହଶହ ଜୁଳୁଜୁଳିଆ ପୋକ ଭାସିଗଲା । ସେ ନଥ୍‌ କରି ତଳେ ବସିପଡ଼ିଲା । ତୁଣ୍ଡରୁ ବଚନ ବାହାରିଲା ନାହିଁ । ଆଖିରୁ ଝରିଲା ଲୁହ ।

 

ହାତରେ ପୁଞ୍ଜାଏ ସଜନା ଛୁଇଁ ଧରି ଭଜନା ସେହି ବାଟ ଦେଇ ଚାଲି ଯାଉଥିଲା । ଡକା ଛାଡ଼ିଲା, ଆଲୋ ଚାନ୍ଦ ତୋ ତାଟି ମେଲା ହେଇଛି । ଘରେ ଅଛୁଟି ।

 

ଚାନ୍ଦଠାରୁ ଉତ୍ତର ନ ପାଇ ଧୀରେ ଧୀରେ ସେ ଖୋଲା ତାଟି ଆଡ଼େ ଚାଲିଲା । ଉଦ୍ଦେଶ୍ୟ, ଚାନ୍ଦ ବାରିରୁ ଦିଟା କଞ୍ଚାମରିଚ ନେବ । କଳା ମଚମଚ ଆଙ୍ଗୁଠି ଲମ୍ୱ, ରାଗ ଯେମିତି, ବାସନା ସେମିତି । ଅଗରୁ ଟିକିଏ ଭାଙ୍ଗି ଶାଗ ଖରଡ଼ାରେ ମଳିଦେଲେ କଂସାଏ ପଖାଳ ପେଟ ଭିତରକୁ ଠେଲି ହୋଇଯିବ ।

 

ଟିକିଏ ବସି, ଚାନ୍ଦ ଅଧା କାନ୍ଥିବାଟେ ରୋଷେଇଶାଳକୁ ଗଲା, ଦେଖିଲା ହାଣ୍ଡିଯାକ ଭାଙ୍ଗି ଛିନ୍‌ଛତର ହୋଇଛି । ଏପାଖେ ସେପାଖେ ପଡ଼ିଛି । ଟେଙ୍ଗରା ଖୋଳାହୋଇଛି । ତାର ଟଙ୍କା ଘଡ଼ିଟା ମୁହଁ ମାଡ଼ି ଖଣ୍ଡେ ଦୂରରେ ପଡ଼ିଛି ।

 

ଚାନ୍ଦ ଚମକିଉଠିଲା । ତାର ସର୍ବସ୍ୱ କିଏ ଅପହରଣ କରି ନେଇଛି ! ତାର ମୁହଁରୁ କଥା ବାହାରିଲା ନାହିଁ । ଆଖିରୁ ଲୁହ ଗଡ଼ିଲା ନାହିଁ । ସେ ଖୁଣ୍ଟପରି ଘଡ଼ିଏ ଠିଆ ହୋଇ ଚାରିଆଡ଼େ ଚାହିଁଲା । କିଛି ଦେଖି ପାରିଲା ନାହିଁ, କିଛି ତାକୁ ଦିଶିଲା ନାହିଁ । ଅତି ଅଧୀର ହୋଇ କାନ୍ଥରେ ମୁଣ୍ଡ ବାଡ଼େଇଲା । ମା’ ଲୋ ବୋଲି ଚିତ୍କାର କରି କଟାଗଛ ପରି ଢଳିପଡ଼ିଲା ।

 

ଭଜନା କାନରେ ଚାନ୍ଦର ଚିତ୍କାର ବାଜିବାରୁ ସେ ବିଚଳିତ ହେଲା । ଯେଉଁଠି ଥିଲା ସେଇଠି ଠିଆ ହୋଇ ରହିଲା । ଘଟଣା କଣ ବୁଝି ପାରିଲା ନାହିଁ । ତରଙ୍ଗ ତରଙ୍ଗ ହୋଇ ଚାରିଆଡ଼କୁ ଚାହିଁଲା, ମନରେ ସାହସ ବାନ୍ଧି ଆଗକୁ ଚାଲିଲା । କଅଣ ଭାବି ବାଡ଼ରୁ ତଡ଼ା ଉପାଡ଼ିଲା, ହାତରେ ଧରି ଏକାଥରେ ଛୁଟିଲା ଘର ଭିତରକୁ ।

 

ଦେଖିଲା ଭୟଙ୍କର କାଣ୍ଡ । ଚାନ୍ଦ ମଲାଙ୍କ ପରି ଚିତ୍‌ ହୋଇ ତଳେ ପଡ଼ିଛି । ମୁଣ୍ଡ ଫାଟି କପାଳରୁ ଦି ଧାର ରକ୍ତ ବୋହି ଚଟାଣ ତିନ୍ତିଗଲାଣି । ସୋର ଶବ୍ଦ କିଛି ନାହିଁ ।

 

ଭଜନା ତଡ଼ାକୁ ଆହୁରି ଜୋର୍‌ରେ ଚିପି ଧରି ଚାରିଆଡ଼କୁ ଚାହିଁଲା । କେହି ତ ନାହିଁ, ଏସବୁ କାଣ୍ଡର ଅର୍ଥ କଣ ? ତଳକୁ ଚାହିଁଲା । ଦେଖିଲା, ହାଣ୍ଡିଶାଳ ଟେଙ୍ଗରା ପାଖରେ କେଇଟା ଟଙ୍କା ପଡ଼ିଛି । ଆସ୍ତେ ଆସ୍ତେ ସେତକ ଗୋଟାଇ କାନିରେ ବାନ୍ଧି ଅଣ୍ଟାରେ ଖୋସିଲା । ତରଙ୍ଗ ତରଙ୍ଗ ହୋଇ ଆହୁରି ଥରେ ଚାରିଆଡ଼କୁ ଚାହିଁଲା । ତଡ଼ା ଧରି ପଦାକୁ ପଳାଇ ଆସିଲା । ବାଡ଼କୁ ଆଉଜାଇ ସଜନା ଛୁଇଁ ପୁଞ୍ଜିକ ହାତରେ ଧରି ଗହୀର ମଝିଏ ମଝିଏ ଭଜନା ଛୁ କଲା ।

•••

 

୨୦

 

ପଦନଙ୍କ ଘରୁ ପିଆଜ ଦୁଇସେର କିଣି ଶିରିଆ ଘରକୁ ଫେରୁଥିଲା । ଚାନ୍ଦର ବାହୁନା ଶୁଣି ସେ ବାରି ଭିତରକୁ ଆସିଲା । ଦେଖିଲା ଚାନ୍ଦ ଦୁଆର ବନ୍ଧକୁ ଆଉଜି ବସିଛି । ଦେହରେ ରକ୍ତ-। କପାଳ ଫାଟି ରକ୍ତର ଧାର ଗଡ଼ିଆସିଛି । ଆଖି ବୁଜି କ୍ଷୀଣ ସ୍ୱରରେ ଗୁଣୁଗୁଣୁ ହୋଇ ମନକୁ ମନ ବାହୁନୁଛି ।

 

ଶିରିଆ ତ୍ରସ୍ତ ହୋଇ ଏଣେ ତେଣେ ଚାହିଁଲା । କିପରି ଏପରି କାଣ୍ଡ ଘଟିଛି ଓ ଏସବୁ କିଏ ଭିଆଇଛି ଜାଣିବାକୁ କୁତୂହଳୀ ହୋଇ ଶିରିଆ ପାଖକୁ ଯାଇ ଡାକିଲା, ଚାନ୍ଦ ମାଉସୀ ଚାନ୍ଦ ମାଉସୀ-

 

ଚାନ୍ଦ ଜବାବ ଦେଲାନାହିଁ । କେଉଁ ଅଜଣା ଆପଦ ଆଶଙ୍କା କରି ଶିରିଆ ସେଠାରୁ ଦୂତ ପଦରେ ଚାଲିଗଲା ।

 

ଘଡ଼ିକ ଭିତରେ ଚାନ୍ଦ ଘରୁ ଚୋରି ହୋଇଥିବା ଘଟଣା ଗାଁ ସାରା ରାଷ୍ଟ୍ର ହୋଇଗଲା । ଦେଖୁ ଦେଖୁ ଜଣ ଜଣ ହୋଇ ଲୋକ ଆସି ଚାନ୍ଦ ଘର ଆଗରେ ରୁଣ୍ଡ ହୋଇଗଲେ । ସ୍ତ୍ରୀ ପୁରୁଷ, ବାଳକ ବାଳିକା ସମସ୍ତେ । ସତେକି ଯାତରା ଲାଗିଛି । କିଏ ଲୋକର ପାଦ ଚିହ୍ନ ଉଣ୍ଡୁଛି, ଚୋର କାଳେ କଣ ଛାଡ଼ି ଯାଇଥିବ ବୋଲି କିଏ ଏପାଖ ସେପାଖ ହୋଇ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେବାକୁ ବାହାଦୂରୀ କରୁଛି । ଆଉ କେତେ ଜଣ ଚାନ୍ଦର ଘର ଆଗରେ ବସି ଗୋଟିଏ ଛୋଟ ସଭା କରିଛନ୍ତି । କାମ କିଛି ହେଉ ନ ହେଉ, ତୁଚ୍ଛାଟାରେ ହୋ ହୋ ହୋଇ କାନ ଅତଡ଼ା ପକାଉଛନ୍ତି ।

 

ରାଧୁ ତୁଣ୍ଡରେ ହୋ ହା ହୋଇ ହାତରେ ଚାନ୍ଦ ବାରିରୁ ଲଙ୍କାମରିଚ ତୋଳୁଛି । କାର୍ଯ୍ୟଦକ୍ଷ ଲୋକ, ହାତ ଗୋଡ଼ ପାଟି ସବୁ ତାଙ୍କର କାମ କରେ । ରାଧୁକୁ ଅନୁସରଣ କରି ଜେନା ଖଣ୍ଡେ କଣି ଧରି ବାରିପଟ ସଜନା ଗଛରୁ ଛୁଇଁ ଟାଣୁଛି । ଉଛେଇ ମା ବାଆଁରେଇ ହୋଇ ଚାନ୍ଦ ବାଡ଼ରୁ ଛୋଟ ଛୋଟ କଣି ଭାଙ୍ଗି ଟୋକେଇରେ ପୂରାଉଛି । ମୂଲିଆ ପୁଅ କୁଳିଆ ତା’ର ପାଣିକଖାରୁ ଭାଡ଼ିରୁ ଦିଟା ଦେଖିଲା କାମକରି ଗାମୁଛା ଭିତରେ ପୂରାଇ କେଉଁ ଛଟକରେ ଚିତାକାଟି ଚଲ୍‌ ! ଚାନ୍ଦ ମଲାଙ୍କ ପରି ପଡ଼ିଛି । ସତେ ସେ ବଂଚିବ ଯେ, ଅକାଳେ ସକାଳେ ହାବୁଡ଼େ ପଡ଼ିଲେ ପଦେ କହିବ । ସେ ବା ଜାଣିବ କିପରି ?

 

ଅହିଲା ଓ ମୂଷିଙ୍କର ଚେଷ୍ଟାରେ ଚାନ୍ଦର ଜ୍ଞାନ ହେଲା । ଅହିଲା ଖଣ୍ଡେ ଛିଣ୍ଡାକନା ପୋଡ଼ି ତା ମୁଣ୍ଡର କ୍ଷତ ସ୍ଥାନରେ ମାଡ଼ିଦେଲା ।

 

ଚାନ୍ଦର ହୋସ୍‌ ହେଲାରୁ ସେ ବଲବଲ କରି ଆଗ ସଭିଙ୍କ ଆଡ଼କୁ ଚାହିଁଲା । ତା’ପରେ ପୁଣି ବାହୁନିବାକୁ ଲାଗିଲା ।

 

ଚଉଧୁରୀ ତାକୁ ବୋଧଶୋଧ ଦେଇ ପଚାରିଲେ, ଆଲୋ, କଥା କଅଣ ଚାନ୍ଦ ? କିଏ ତୋତେ ଲହୁଲୁହାଣ କଲା କହ । ଖାଲି ବାହୁନିଲେ ତ ପ୍ରତିକାର କରି ହବନାହିଁ । ଘଟଣାଟି ଜାଣିଲେ ସିନା ଯାହା କରିବା । ଆଗ କହିସାର, ସେଇଠୁ ମନ ଇଚ୍ଛା ବାହୁନିବୁ । ହଁ, କହ ।

 

ଚାନ୍ଦ ବାହୁନି ବାହୁନି କହିଲା, କେଉଁ ଚୁଲିପଶା ମୋର ସର୍ବସ୍ୱ ରୁଣ୍ଡେଇ ପୁଣ୍ଡେଇ ଚୋରି କରି ନେଇ ପଳାଇଛି । ସାଆନ୍ତେ, ମୁଁ ଆଉ ଜୀବନ ରଖିବି ନାହିଁ । ଦଉଡ଼ି ଦେଇ ମରିବି, ନଇଲେ କୂଅ ପୋଖରୀକି ଡେଇଁପଡ଼ିବି । କେଉଁ ନଈସୁଆ ମୋ ଘରର କୋଲପ ଭାଙ୍ଗି କଳାକନା ବୁଲେଇଛି । ଜୀବନସାରା ସଞ୍ଚି ଯାହା ରଖିଥିଲି ସବୁ ନେଇଛି ସାଆନ୍ତେ । ମୁଁ କି ବୁଦ୍ଧି କରିବି ।

 

ଚୌଧୁରୀ ବ୍ୟସ୍ତ ହୋଇ କହିଲେ, ଏତେ ଅଧୀର ହୁଅନା, ସବୁ କଥା ଖୋଲି କରି କହ-। ଚୋର କିଛି ସାତ ଗାଁରୁ ଆସି ତୋ ଘରୁ ଚୋରି କରି ନାହିଁ, ସେ ଏହି ଗାଁ ଲୋକ, ଆମରି ଭିତରେ ଅଛି । ଟିକିଏ ଖିଅ ପାଇଲେ ତାକୁ ଧରି ସବୁ ଟଙ୍କା ଆଦାୟ କରିନେବା । କଥା କଅଣ କହ, କେତେ ଟଙ୍କା ରଖିଥିଲୁ, କେଉଁଠି ରଖିଥିଲୁ, କାହିଁରେ ରଖିଥିଲୁ, କେବେ ରଖିଥିଲୁ, କିପରି ରଖିଥିଲୁ । ଗାଁ ଲୋକେ ଭଲଲୋକେ ତ ସମସ୍ତେ ଏଠି ଅଛନ୍ତି, ତାଙ୍କରି ଆଗରେ ଗୁହାରି କର ।

 

ଗାଁ ଚଉକିଆ ଡମେଇ ତା ଅଜା ଅମଳର ପଟ୍ଟିପକା ନେଳିଆ ଜାମା ପିନ୍ଧି ମୁଣ୍ଡରେ ନେଳିଆ ପଗଡ଼ି ଭିଡ଼ି ପାଞ୍ଚହାତିଆ ଠେଙ୍ଗାଖଣ୍ଡେ ହାତରେ ଧରି ଘଟଣା ସ୍ଥାନେ ପହଞ୍ଚିଗଲା । ଲୋକେ ଆଡ଼େଇ ହୋଇଗଲାରୁ ଡମେଇଁ ଆଡ଼େଇ ଆଡ଼େଇ ଚଉଧୁରୀଙ୍କ ଛାମୁକୁ ଗଲା । ତଳେ ମୁଣ୍ଡ ଲଗାଇ ଓଳଗି ହୋଇ ପଚାରିଲା, ସାଆନ୍ତେ, ସପନା ହାତରେ ମୋ ପାଖକୁ ଖବର ପଠାଇଥିଲେ ଶୁଣି ପଖାଳ କଂସା ଛାଡ଼ି ଧାଇଁଆସିଛି । କ’ଣ ହୁକୁମ୍‍ ହେଉଛି ?

 

ଚଉଧୁରୀ ମୁଣ୍ଡହଲାଇ କହିଲେ, ଶୁଣ, ଚାନ୍ଦ କଅଣ କହୁଛି, ତା ପରେ ଯାହା ବିଚାର କରି କାମ କରିବା ।

 

ଚଉକିଆକୁ ଦେଖି ଚାନ୍ଦର ମନରେ ସାହସ ହେଲା । ଛୋଟଘର ପିଲା ହେଉ ପଛେ, ହେଉ ପଛେ ଗରିବ ଲୋକଟିଏ, ସେ ସରକାରୀ ମଣିଷ, ସରକାରଙ୍କ ମୂଳଦୁଆ, ପହିଲି ନିହଁ । କାହା ହାଣ୍ଡିରେ କେଇଟା ସୋରିଷ ଫୁଟିଲା, କାହାଘରେ ପିଲା ଜନ୍ମହେଲା କି ବୁଢ଼ା ମଲା, ସବୁ ଖବର ତିଳକୁ ତାଳ କରି ସରକାରଙ୍କ କାନରେ ଫୁଙ୍କିବା ତା’ର କାମ । ନ ଡରିବା ଲୋକ ଅକଳରେ ପଡ଼ିଲେ ହାତେ ଡରି ପାତାଳରେ ପଶନ୍ତି । ଯାହାହେଉ, ଚାନ୍ଦ ଉତ୍ସାହରେ ଟାଉ ଟାଉ କରି ସବୁ କଥା ବୟାନ କଲା ।

 

ସବୁ ମନକର୍ଣ୍ଣଦେଇ ଶୁଣି ଡମେଇଁ ଠେଙ୍ଗାକୁ ଟେକି କାନ୍ଧରେ ପକାଇ କହିଲା, ମୁଁ ଚାଲିଲି ଫାଣ୍ଡିକୁ । ମୁନ୍‌ସିକୁ କହି ଗୋଟାଏ ଇଝରା ଦେଇଦେଲେ ସେ ଆସି ତଦନ୍ତ କରିଯିବେ ।

 

କଣ୍ଠ ଗର୍ଜନ କରି କହିଲେ, ଆରେ ରହ, ନଖରେ ଯଦି ଛିଣ୍ଡିବ କୁରାଢ଼ି ଟାଙ୍ଗିଆ ହେବ କଣ ? କଥା କଣ ଆମେ ବାହାର କରିପାରିବା ନାହିଁ ?

 

ମଦନ ମୁଣ୍ଡ ଟୁଙ୍ଗାରି କହିଲା, ଆପଣ ଯେ କହିଲେ କଥାର ମଞ୍ଜି । ଆମ ଘରକଥା ଆମେ ବୁଝିବା ନାହିଁ ଯେ ନିଜ ଚୁଟି ପରହାତରେ ଦେଇ ଦେବା ? ଘର ଗୁମର ପଦାରେ ପକାଇବା ? ନିଜର ଅପାରିଲାପଣ ଦେଖାଇ ଭଗାରିହସା ହେବା ? ମୁନସି ତ ଗୋଟାଏ କୁଆଡ଼ର ଲୋକ । ତାଙ୍କ ଅକଲ କଅଣ ଚଉଧୁରୀଙ୍କ ଅକଲଠୁଁ ସରସ ? ଆରେ, କେଡ଼େ ବଡ଼ ବଡ଼ ମକଦମା ଆଙ୍ଗୁଠି ଫୁଟ୍‌କିରେ ଉଡ଼ାଇ ଦେଇପାରନ୍ତି । ୟେ ବା କେତେରେ କେତେ ! ଚଉଧୁରୀ ଆଗ ପାରିଲେ ନାହିଁ ବୋଲି କହନ୍ତୁ, ତେଣିକି ଯାହା ହେବ ।

 

ଚଉଧୁରୀଏ ଦୀର୍ଘଶ୍ୱାସ ଛାଡ଼ି ଚିନ୍ତା କଲେ । ଠାକୁରେ ବଡ଼ଲୋକ । ହଠାତ୍‍ ତାଙ୍କମନକୁ ଗୋଟାଏ ଚିନ୍ତା ଆସିଲା । ହଜିଲା ଧନ ପାଇଲା ପରି ଖୁସି ହୋଇ ସେ ଗୋଟାଏ ତାଳି ମାରିଲେ । ହାତ ଠାରି ମଦନ ଓ କଣ୍ଠଙ୍କୁ ପାଖକୁ ଡାକିଲେ । କେତେ କଅଣ ଫୁସୁରୁ ଫୁସୁରୁ କରି କହିଲେ । ତାଙ୍କର ଶ୍ରୀମୁଖର ବଚନ ଶୁଣିବାକୁ ଲୋକେ ଉଦ୍‌ବିଗ୍ନ ହୋଇ ପାଖକୁ ପାଖକୁ ଘୁଞ୍ଚି ଆସିଲେ । କିଛି ଶୁଣି ପାରିଲେ ନାହିଁ ।

 

କଣ୍ଠ ଟିକିଏ ଜୋରରେ କହିଲେ, ଯାହା କହିବା ହେଲେ ସବୁ ଠିକ୍‌ ପରି ମୋ ମନକୁ ଲାଗୁଛି । ଆଜିଯାଏ ଏ ଗାଆଁରେ ଚୋରି କଥା ଶୁଣା ନ ଥିଲା, ଯେମିତି ସେ ଗାଁରେ ଗୋଡ଼ ଦେଇଛି, ପ୍ରଥମ ଦଫା ଆରମ୍ଭ ହେଲା ।

 

ଚଉଧୁରୀ ଗ୍ରାମବାସୀମାନଙ୍କୁ ଚାହିଁ କହିଲେ, ଚୋର ଆମରି ଭିତରେ ପଶି ଆଖିବୁଜି ଦୁଧ ପିଉଛି । ତାକୁ ସମସ୍ତେ ଚିହ୍ନନ୍ତି । କେହି କେହି ଅନୁମାନ କରି ନେବଣି । କାଲି ସକାଳେ ମହାବୀରଙ୍କ ଆଗରେ କଦମ ତଳେ ଗାଁ ପଞ୍ଚାୟତ ବସିବ । ଗ୍ରାମବାସୀ ସମସ୍ତେ ଯିବା ଦରକାର । ଡମେଇଁ, ତୁ ବି ଯିବୁ ।

 

ଆଜ୍ଞା, ହଁ । ଆମ ଗ୍ରାମ କଥା ଯଦି ଆମ ଗ୍ରାମରେ ତୁଟିଯାଏ ତ ଫାଣ୍ଡିକୁ ଯାଇ ହରବର ହେବା ଲୋଡ଼ା ନାହିଁ ।

 

ମଦନା ଚାନ୍ଦକୁ କହିଲା, ମାଉସୀ ଝିଆରୀ ନିଶ୍ଚିନ୍ତରେ ବସିଥା । କାଲି ସକାଳୁ ତମ ଟଙ୍କା ତମ ଗୋଡ଼ତଳେ ଆସି ପହଞ୍ଚିବ । ନାଗବାଲି ଗାଁ ଇଏ । ଏ ପାଖେ ମହାବୀର, ସେ ପାଖେ ମଙ୍ଗଳା, ପୂର୍ବରେ ରାଧାମାଧବ, ପଶ୍ଚିମରେ ଖରାଖିଆ ମହାଦେବ ଜଗି ବସିଛନ୍ତି । ଏ ଗାଁରେ ଦୁଃଖୀରଙ୍କୀଙ୍କ ତଣ୍ଟି ଚିପି ପଇସା କିଏ ଖାଇବ ?

 

ଉଛେଇ ମା କହିଲା, ତୋ ତୁଣ୍ଡ ସୁତୁଣ୍ଡ ହେଉରେ ବାପ ।

ତେଣୁ ହଟ ଡକା ଛାଡ଼ିଛି, ମଦନାଇ ରେ ହେ–

•••

 

୨୧

 

ପାହାନ୍ତାରୁ ଉଠି କଣ୍ଠ ତୁରୀ ଧରି ତୁ-ତୁ-ତୁ–ଉ କରି ବହେ ଫୁଙ୍କିଲେ । ଗାଁ ଲୋକେ, ନ ଜାଣିବା ଲୋକେ ବୁଝିଗଲେ, ମହାବୀରଙ୍କ ଆଗ ଦାଣ୍ଡରେ ଆଜି ଗୋଟାଏ କିଛି ହେବ, ଡାକରା ପଡ଼ିଛି । ଆଗରୁ ଶୁଣିଥିଲେ, ଚାନ୍ଦର ହୋଇ ଚଉଧୁରୀଏ ମହାବୀରଙ୍କ ପାଖେ ଚାରଣାର ଖଇ ଉଖୁଡ଼ା କୋରା ଭୋଗ କରି ବାଣ୍ଟିବେ ।

 

କଅଁଳ ଖରା ପଡ଼ିବା ଆଗରୁ ଦାଣ୍ଡ ଛାମୁଡ଼ିଆ ତଳ ଓଳାଓଳି ହେଲା । ବାଲି ଉପରେ ପାଣି ଛିଞ୍ଚାଗଲା । ଅତି ଆଗ୍ରହରେ ଚାନ୍ଦ ଦିଟା ସତରଞ୍ଜି ପାରିଦେଲା । ଅହିଲା ଦି’ ଘଣ୍ଟା ଲାଗି ଦି’ କଡ଼ା ପାନ ଭାଙ୍ଗି ଗୋଟାଏ ପିତଳ ଥାଳିଆରେ ସତରଞ୍ଜି ମଝିରେ ରଖିଦେଲା । ମହାବୀରଙ୍କ ଆଗରେ ତ ଆଗରୁ ଖଇଉଖୁଡ଼ାର ଡାଲାଟି କଦଳୀପତ୍ର ଘୋଡ଼ାହୋଇ ରଖାହୋଇଥାଏ । ଖାଲି ବାମନନା ଆସି ଦିଟା ତାଳି ମାରି ଦେଇ ପାଣି ଛଡ଼ାଇ ଦେଲେ, ତେଣିକି ଭୋଗ ବଣ୍ଟା ହେବ । ହରିବୋଲ ପଡ଼ିବ ।

 

ଚଉଧୁରୀ ଢଳି ଢଳି ଆସି ଆସନରେ ବସିଲେ । ଗାଁ ଲୋକେ ଆଗରୁ ଆସି ଦାଣ୍ଡ ମଝିରେ ଜମା ହୋଇଥିଲେ । ପଞ୍ଚାୟତ ଓ ଅନ୍ୟ ସଭ୍ୟମାନେ, ଯଥା–ପଦନ, ଭକ୍ତ, ହରି, କୁଷୁନ ସମସ୍ତେ ଆସି ଚଉଧୁରୀଙ୍କ ସାମନା ସତରଞ୍ଜିରେ ବସିଲେ । ପଞ୍ଚାୟତ ସଭା, ସେଥିରେ ଆଉ ବଡ଼ ସାନ, ଧନୀ ଗରିବ କି ମାହାନ୍ତି କମାରର ଭେଦ ନ ଥାଏ । ଗାଁ ଦାଣ୍ଡରେ ସମସ୍ତେ ସମାନ । ମଧ୍ୟ-ବୟସ୍କର ଲୋକ, ମାମଲାତକୁ ସମସ୍ତେ ଧୁରନ୍ଧର ।

 

ପଞ୍ଚାୟତ ବସିବ ହଁ; କିନ୍ତୁ ବାଦୀ କିଏ ପ୍ରତିବାଦୀ କିଏ କାହାରିକୁ ଜଣା ନାହିଁ । ପଞ୍ଚାୟତ ସଭା ତ ଜାଣେନାହିଁ ଆଉ କିଏ ଜାଣିବ କିପରି ? କେବଳ ଗତ ରାତିରେ ଚାନ୍ଦ ଗାଁଲୋକଙ୍କର ଘର ଘର ବୁଲି ଜଣ ଜଣ କରି ଗୋଡ଼ ଧରି କହିଛି ଗରିବ ତମରିମାନଙ୍କର ଆଶ୍ରା ଧରି ପଡ଼ିଥିଲା । ତମରି ଅଇଁଠା ପତର ଗୋଟାଇ ତମରିମାନଙ୍କ ପିଲାଛୁଆଙ୍କର ମଇଳା ଲୁଗା ହକଳା ଶୁଖା କରି ଦିନ କଟେଇ ଆସିଲା । ତାକୁ ମାରିଲେ ମାର, ତାରିଲେ ତାର, ତମର ଇଚ୍ଛା । ତା ଭିତରେ କୁଆଡ଼େ ଆହୁରି କେତେ କ’ଣ ଭିତିରି କଥା ଅଛି ବୋଲି ଉଛେଇ ମା ମୁହଁରୁ ପରେ ପ୍ରକାଶ ପାଇଲା ।

 

ଖରା ତେଜ ବେଳୁ ବେଳ ଟାଣ ହୋଇଆସିଲା । ପତିଏ ହାତରେ ଦି କଣ୍ଡା ତୁଳସୀ କଢ଼ ଓ ପୁଞ୍ଜାଏ ପାଞ୍ଚଟା କନିଅର ଫୁଲ ଘେନି ଉପସ୍ଥିତ ହୋଇଗଲେ । ଶୀଘ୍ର ପଞ୍ଚାୟତ କାମ ବଢ଼ାଇ ଦେଲେ ପତି ତାଳି ମାରି ଭୋଗ କରିଦେବେ । କିନ୍ତୁ, ମାମଲତ କାମ ତରତରିଆ ହେବାର କଥା ନୁହେଁ । କେତେ ବାଦବିବାଦ ତର୍କବିତର୍କ ପରେ ଅସଲ କଥା ଛାଣି ହୋଇ ବାହାରିପଡ଼େ । ଦଉଡ଼ି ଗଲି ଯାହା ଦେଖିଲି ତାହା କହିଲି, ଏପରି କଥା ତ ନୁହେଁ ।

 

ଚଉଧୁରୀ ମୁଡ଼ୁକି ହସା ଦେଇ ପଚାରିଲେ, ହଇରେ କଣ୍ଠ, ଗ୍ରାମବାସୀ ସମସ୍ତେ ଆସି ଗଲେ ତ ?

 

କଣ୍ଠ କହିଲେ, ଆଜ୍ଞା ହଁ, ତେବେ ଘରେ କାମ ଦାମ ଥିବା ହେତୁ କେହି କେହି ଆସିପାରି ନାହାନ୍ତି । ଯଦି କହିବେ ଡକାଇ ଆଣିବି ।

 

ଚଉଧୁରୀ କହିଲେ, ଡାକିବା ଦରକାର ନାହିଁ । ମୋର ପଚାରିବାର କଥା, ତୁମେ ଯେଉଁ ସବୁ ପ୍ରମାଣ ଯାହାଙ୍କଠୁଁ ପାଇଛ, ସେ ସମସ୍ତେ ଆସିଛନ୍ତି ତ ?

 

ହଁ, ଏକା ଶିରିଆକୁ ଛାଡ଼ି । ତା ପାଖକୁ ଲୋକ ପଠାଇଲି, ସେ ଆପଣଙ୍କ କଥାକୁ ତେଢ଼ିଦେଇ କହିଲା, ରଖ ହୋ ତମ ପଞ୍ଚାୟତ, ମୁଁ ବଳଦ ମୋହିଁବା ଛାଡ଼ି ଅବିକା ଯାଇପାରିବି ନାହିଁ । ଗଲେ ଘଣ୍ଟାକ ପରେ ଯିବି ।

 

ପାଣ ଟୋକା ତ ଭାରି ମଗରା ଦେଖୁଛି ! ପେଜ ଖାଇ ଦିନ କାଟୁଥିଲା ହାତରେ ଚାରି ପଇସା ହେଲାରୁ ଆଜି ତେଜ ବାହାରୁଛି । ଦୋଷ ତା’ର ନୁହେଁ, ଦୋଷ ହେଉଛି ଆମର । ସେଇ ବାବନାଟା ହୋ, ଯେତେ ବୁଝେଇଲେ କଅଣ ବୁଝିଲା ? କିରେ, ଛୋଟଲୋକଙ୍କୁ ମୁହଁ ଦେଲେ ସେ ମୁଣ୍ଡରେ ଚଢ଼ନ୍ତି । ଜାଣି ଘୋଡ଼ାଙ୍କର ଶିଙ୍ଗ ନାହିଁ । ସାଙ୍ଗ ସରିସାଙ୍କପରି ପାଣଟୋକା ମୁହଁକୁ ମୁହଁ ଯୋଡ଼ି କଥାଭାଷା ହେଲେ, ଥଟ୍ଟା ତାମସା କଲେ, ସେ ଉପରମୁହାଁ ହେବ ନାହିଁ ତ ହେବ କିଏ ? କାଳ ଓଲଟି ପଡ଼ିଲା । ଆଉ ଚଳିହେବ ନାହିଁ । ତଥାପି, ଦିହ ସହିଲା ନାହିଁ ବୋଲି ମୁଁ ସେଦିନ ବାବନାକୁ କହିଲି, ଆରେ, ଆମ ବାପା ଅଜା ଓଲୁ ନ ଥିଲେ । ସେମାନେ ଲୁହା ଜାଣି ପାଣି ଦେଉଥିଲେ ବୋଲି ସବୁ ଠିକ୍‌ ଚାଲୁଥିଲା । କି କଥା ଆସି ହେଲା ଯେ ବାଉରି ପାଣଙ୍କୁ ଛୁଇଁ ଘରେ ପଶୁଛ ? ବାବନା କହିଲା ବାଉରି ପାଣ ତ ମଣିଷ । କୁକୁର ବିଲେଇ ଛୁଇଁଲେ ଯଦି ଦୋଷ ନ ହେଲା, ମଣିଷକୁ ଛୁଇଁଲେ ଦୋଷ ହେବ କାହିଁକି ? ମୁଁ ତ ଚୁପ୍ !

 

ପବନ ତାଙ୍କ ଚନ୍ଦା ମୁଣ୍ଡରେ ହାତ ବୁଲାଇ କହିଲେ, କଲିକତା ଯାଇ ଟିକେ ଧୋବ ଧାଉଳିଆ ହୋଇ ଫେରିଛ କି ନା, ସାହସଟା ବଢ଼ିଯାଇଛି । ମଢ଼ କାଟି ବିଲୁଆ କୁକୁରଙ୍କ ଭଳି ସଢ଼ା ମାଉଁସ ଖାଇ ଦିନ ସରୁନଥିଲା, ହାତରେ ଆଜି ଚାରି ପଇସା ହେଲା ବୋଲି ଚାତର ବାହାରୁଛି ।

 

ହରି ଗଳାଖଙ୍କାରି କହିଲେ, ଯାହା କହ ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ । ପୋଥି କହିଲା, ସର୍ପରେ ଜନ୍ମ ଦେଲୁ ମୋତେ, ସ୍ୱଭାବ ଛାଡ଼ିବି କେମନ୍ତେ ? ଆଖି ପିଞ୍ଛଡ଼ାରେ ପର ଚିଜକୁ ହାତ ବଢ଼ାଇବା ଲୋକ ଯିଏ, କଲିକତାରେ ସେ ଯେଉଁସବୁ କାଣ୍ଡ କରିଛି, ଶୁଣିଲେ କାବାହେବ । ଚାକିରି ନ ପାଇ ଶେଷକୁ ବେକରେ ପଇତା ପକାଇ, ଶିରିଆ ସାମଲ ଏକାଥରେ ଶ୍ରୀଧର ପାଲଟିଗଲେ । ତା ପରେ ଜଣେ ବଡ଼ଲୋକ ଘରେ ଠାକୁର ବନି ଚୋରେଇ ଲୁଚେଇ ଯାହା ତ ମାରି ଆଣିବାର ଆଣିଛି, ଆଉ ଯେଉଁସବୁ କୀର୍ତ୍ତି କରିଆସିଛି, ଶୁଣିଲେ ଆପଣମାନେ କାନରେ ହାତଦେବେ ।

 

ଭଗତା ଟିକିଏ ଲଜ୍ଜିତ ହେଲା ପରି କହିଲା ଦୂରକୁ କାହିଁକି ଯାଉଛ, ଘର ଭିତରକୁ ଚାହୁଁନା ? ଘର ନିଆଁ ବୋଲି କିଛି ଅଣ୍ଟିରେ ପୂରାଇବା ନାହିଁ । ଗୋଦସ୍ତା କି ତିରସ୍ତା ଏହି ଗାଁରେ ପରମାର କୋଠିଆ ଚକରା ଯେଉଁ କାଣ୍ତ କରିଗଲା । ମୁଁ କହୁଛି, ଆରେ ପରମା, କୋଠିଆ ବେଠିଆ ପୁଅ ପରି ଘରେ ପଶି କଅଣ କାରବାର ହେବେ ? ପିଲାଛୁଆଙ୍କ ଦେହଲଗା ହୋଇ ତାଙ୍କ ସଙ୍ଗେ ହସି କରି କଅଣ କଥାଭାଷା ହେବେ ? ଶୁଣିଲା ନାହିଁ । ଘର ଘରଣୀକୁ ଚାକର ନେଇ ଛୁ’ । ସେଇ ଲାଜରେ ପରମା ମଲା । ତା ବଡ଼ଭାଇ ଧରମା ଶିଶୁପାଳ ସାଜି ଫକୀର ପରି କୁଆଡ଼େ ଯାଇ ବୁଲୁଛି । ଚକରା ଯାଇଛି ଯେ ଯାଇଛି । ରାବଣ ନେଲା ସୀତାକୁ ସେଥିରେ ଆମର ଯାଏ କେତେ ଆସେ କେତେ ହେ ? ଖାଲି କଥାଟା କାଳ କାଳକୁ ରହିଗଲା ଯାହା ।

 

ମଦନା ଉପରେପଡ଼ି କହିଲା, ବାଉରି, କଣ୍ଡରା, ପାଣ-ଅଛବ ଜାତି, ତାଙ୍କୁ ପାଖରେ ପୂରାଇବ କଅଣ, ତାଙ୍କ ଛାଇ ପଡ଼ିଲେ ଗାଧୋଇବା ଯୋଗାଏ । ସେଥିପାଇଁ ପରା ମୁଁ– ।

 

କଥା ଶେଷ କରି ପାରିଲା ନାହିଁ । ତା କଥା ତା ତୁଣ୍ଡରେ ରହିଗଲା । ସେ ଦେଖିଲା ବଛେଇ ସାହୀର ସିଜୁବାଡ଼ିକରକୁ ଆଉଜି ସଜନାର ଭଉଣୀ ନେତି, ଷୋଳ ବରଷର ଟୋକୀ, ଦେଖିବାକୁ ବେଶ୍‌ ଡଉଲ ଡାଉଲ, ଗୋରା ତକତକ ଦିହ, ସତେ କି ବ୍ରାହ୍ମୁଣଘର ଝିଅ, ଗୋଟାଏ ଆତ ଗଛରୁ ପତ୍ର ଛିଣ୍ଡାଉଛି । ତା ମୁଣ୍ଡରୁ ଲୁଗା ଖସି ପଡ଼ୁଛି । ସେ ଜବାଅଧରରେ ବିଜୁଳି ଫୁଟାଇ, ସୁଗୋଲ ଚିକଣ ଗାଲରେ ଗୋଲାପ ଉକୁଟାଉଛି । ଆଉ ବେଳେବେଳେ ତେରଛ ଆଖିରେ ମଦନା ଆଡ଼କୁ ଚାହିଁ ହସିଦେଉଛି । ମଦନା ମୁହଁ ତଳକୁ କଲା । ମନ କଥା ମନ ଜାଣେ ।

 

ଚଉଧୁରୀ ଆରମ୍ଭ କଲେ, ମୋର ଷୋଳ ଅଣା ବିଶ୍ୱାସ, ଏତେ ବଡ଼ ସାହାସିଆ ଚୋରି କାମଟା କରିଛି ସେହି ଶିରିଆ । ଯେଉଁ ଗଛର ସେହି ଫଳ । ଶିରିଆ ବାପ ପିରିଆ ଗୋଟାଏ ନାମଜାଦା ଡାକୁ ଥିଲା । ଦି ତିନି ଥର ସେ ସଜା ଭୋଗିଥିଲା । ସେହି ପିରିଆ ପରା ରାତି ଅଧରେ ଢୁ ଢୁ ବର୍ଷା ହେଉଛି, ମଧ୍ୟମାପୁର ପ୍ରହରାଜଙ୍କ ଘରେ ସିନ୍ଧି କରି ବାସନକୁସନ ସବୁ ବୋହି ନେଇଥିଲା । ଆଉ ଏଇ ଶିରିଆ ବି କ’ଣ ନ କଲା ! ଛାର ମାଣ୍ଡିଆ ଟୋକେଇଟା, ରାତି ନ ପାଉଣୁ ପବନ ସାଉଙ୍କ ବାରିରୁ ଉଠେଇନେଇ ଚଲ । ଧର୍ମ ଥିଲାକୁ ସିନା ଧରା ପଡ଼ିଲା ଅନହୁତି । ଆଉ ଦେଖନ୍ତୁ, ଶିରିଆ ଏ ଗାଁରୁ ଯିବା ଦିନରୁ ତା ପଛେ ପଛେ ଚୋରି ବି ଯାଇଥିଲା । ସେ ଯେମିତି ଫେରିଛି, ଆରମ୍ଭ ହେଲା ଏ କାଣ୍ଡ ।

 

ପାଟିରେ ଟିକିଏ ଗୁଣ୍ଡି ପକାଇ ହଟ କଣ୍ଠ ଆଡ଼କୁ ଚାହିଁଲା । ଚୋର ଠାର ଚୋର ମା ଜାଣେ ।

 

କଣ୍ଠ ଯେ ଗ୍ରାମର ଜଣେ ନାମ୍‌ଜାଦା ଗାୟକ, ଏକଥା ତାଙ୍କ ଭାଇ ବୋହୂଙ୍କ ପରି ସରଳ ଲୋକର(ଯେ କି ଦିନେ ତାଙ୍କ ଝିଅକୁ ପଚାରିଥିଲେ, ଆଲୋ–ଝିଅ, ଚନ୍ଦନଟା କାଠରୁ ବାହାରେ ନା ପେଡ଼ିରୁ ବାହାରେ ?) କଥାରୁ ପ୍ରକାଶ ପାଇବ । ସେ କଣ୍ଠଙ୍କ ଗୀତ ଶୁଣି ଦିନେ କହି ପକାଇଲେ, ଆହା-ହା, କଣ୍ଠ ସାଆନ୍ତଙ୍କ କଣ୍ଠଟି ଭାରି ସୁନ୍ଦର ।

 

କଣ୍ଠ ସାମାନ୍ୟ ହସିଲେ । ତୋରାଣିଛଣା ନିଶ ଉପରେ ହାତ ପକାଇ ଆଖିର ଇଙ୍ଗିତରେ ତାଙ୍କର ମନର କଥା ଇସରାରେ ଜଣାଇଲେ ।

 

ହଟ ଛେପଢୋକି କହିଲା, ସେଦିନ ସଞ୍ଜବୁଡ଼େ ଶିରିଆ କାହିଁକି ଚାନ୍ଦର ଘର ଆଗରେ ଟହଲ ମାରୁଥିଲା । ମୁଁ ସେ ବାଟେ ପଡ଼ିଆକୁ ଯାଉଥିଲି । ମୋର ନଜର ପଡ଼ିଯିବାରୁ ସେ ଚୋରଙ୍କ ପରି ଏପାଖ ସେପାଖ ହୋଇ ପଛପଟକୁ ବୁଲିଗଲା ।

 

ସାଉଏ କହିଲେ ଦେଖୁଛ ତ ଦଳେଇଏ, ଏଥିରୁ କ’ଣ ଠଉରାଉଛ ?

 

ଦଳେଇ କହିଲେ, ଆଉ କ’ଣ ପଚାରୁଛ ? ଯିସ୍‌କା ବାପ୍‌ ଚଢ଼େ ଘୋଡ଼ା, ଇସକା ପୁଅ ବି ଥୋଡ଼ା ଥୋଡ଼ା ।

 

ତା’ପରେ ଦର୍ଶନ କହିଲା, ରାତି ଦିଘଡ଼ି ହେବ କି ନ ହେବ, ମୁଁ ଖଣ୍ଡେ ପଖିଆ ନେଇ ଝଡ଼ି ବର୍ଷାରେ ଆମର ବଳଦଟା ହଜିଥିଲା ଯେ ତାକୁ ଖୋଜିବାକୁ ଯାଇଥିଲି । ଅନ୍ଧାର ରାତି । କାଳେ ଶିରିଆ ଘରର କିଏ ତାକୁ ଦେଖିଥିବ ବୋଲି ତା ଘର ଆଗରେ ଠିଆ ହୋଇ ମୁଁ ତାକୁ ବହେ ଡାକିଲି । କେହି ଶୁଣିଲେ ନାହିଁ । ଭିତରୁ କିଏ ଗୋଟାଏ ଜବାବ ଦେଲା, ସେ ନାହିଁ । ପଚାରିଲି, କିରେ କୁଆଡ଼େ ଯାଇଛି ? ଘର ଭିତରୁ ଜବାବ ଆସିଲା, କୁଣିଆ ଘର ଯାଇଛି । ପଚାରିଲି, କେତେବେଳୁ ଯାଇଛି । କହିଲା, ସଞ୍ଜ ପହରୁ–ମୋ ମନ କାହିଁକି ପାପ ଛୁଇଁଲା । ବର୍ଷାରେ ଲୋକେ ଘରୁ ଗୋଡ଼ କାଢ଼ୁ ନାହାନ୍ତି । ୟାର ଏମିତି କଅଣ ଜରୁରି ଗରଜ ପଡ଼ିଛି ଯେ, ଦୁର୍ଗମ ରାତିରେ କୁଣିଆ ଘର ଯାଇଛି ?

 

ମହାରଣାଏଁ କହିଲେ, କୁଣିଆଁ ଘର ନୁହେଁ ତ ଆଉ କଅଣ ?

ପଦନ ପଚାରିଲେ, ହଇଲୋ ଚାନ୍ଦ, ତୋ’ ସଙ୍ଗେ କଅଣ ତା’ର ଆଗରୁ ଅଦଉତି ଥିଲା-?

 

ଦଳେଇ କହିଲେ, ଚୋରି କରିବାକୁ ଯାହାର ଇଚ୍ଛା ଥାଏ, ସେଥିରେ ଆଉ ଅଦଉତି କଅଣ ? ମହୁ ଯେଉଁଠି, ଭଅଁର ସେଇଠି ।

 

ଚଉଧୁରୀ କହିଲେ, ସେ ତ ଯାହା ହେବାର ହେଲା । ଆଉ ଗୋଟାଏ କଥା ଶୁଣିଲେ ଆପଣମାନେ କାନରେ ହାତ ଦେବେ । ଚକରା ଅଚ୍ଛବ ତ ଯାହା କରିବାର କରିଗଲା, ସମସ୍ତେ ଜାଣନ୍ତି । କଥାଟା ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ଉଛି । ତେବେ ସେଥିରେ ଏତିକି ପ୍ରଭେଦ ଯେ ଦି ହାତରେ ତାଳି ବାଜିଛି; କିନ୍ତୁ ଶିରିଆ ଚାହୁଁଛି, ଗୋଟାଏ ହାତରେ ତାଳି ମାରିବ । ଟଙ୍କା ପଇସାର କାରବାର ପରା । ଆମର ମୁଣ୍ଡ ଦି କଡ଼ା ହେବା କଥା, ଆଉ କ’ଣ ?

 

ଦଳେଇ କହିଲେ ଏଇ ଘଟଣାର ଖିଅ ଧରି ତା’ ନାଁରେ ଗୋଟାଏ ମକଦ୍ଦମା ଲଗାଇଦେଲେ ଭଲ ହୁଅନ୍ତା । ଗାଁ ମେଳିକୁ ପାରିବ କିଏ ? ସାକ୍ଷୀ ଗୁହା କିଛି ଅପୂର୍ବ ହେବେ ନାହିଁ-। ପିଲାଛୁଆ ଘିନି ସମସ୍ତେ ଘର କରିଥାଇଁ । ଶିରିଆ ଯଦି ବାମନ ହେଇ ଚନ୍ଦ୍ରକୁ ହାତ ବଢ଼ାଏ, କିଛି ନ ହେଲେ ତ ବାରଲୋକ ଜାଣିବେ, ହାତ ବଢ଼ାଇଲା ବୋଲି । ଲୋକହସା ହେବ । ମୁଁ କହୁଛି, ଏମିତି ଗୋଟାଏ କିଛି କରି ତାଠୁଁ ପଇସା ଛଡ଼ାଇ ଦେଲେ ତା’ର ବିଷଦାନ୍ତ ଝଡ଼ିପଡ଼ନ୍ତା ।

 

କଣ୍ଠ କହିଲେ, ଯାହା କହିଲେ ଠିକ୍‌ । ତେବେ କଥା ହେଉଛି, ନିଜ ଚୁଟିକୁ ପର ହାତରେ ଦେଇ ଝିଙ୍କା ଖାଇବା ବେଳକୁ ଛଟପଟ ହେବ । କାହିଁକି ? ନିଜ ହାତରେ କାମ କରିନେଲେ ହେଲା-। ଟଙ୍କା ପଇସା ଓକିଲ ମୁକ୍ତାର କାହିଁକି ଖାଇବେ ? ସେଇ ପଇସା ଠାକୁର ପିଛା ଖରଚ ହେଲେ ବାହା ବାହା ହୁଅନ୍ତା ।

 

ମଦନା ପଚାରିଲା, କଅଣ କରିବାକୁ କହୁଚ ?

 

କଣ୍ଠ କହିଲେ, କିଛି ନାହିଁ, ଖାଲି ଗାଲରେ ଦିଟା ବ୍ରହ୍ମଚାପୁଡ଼ା ବସିଲେ ସତ କଥାଟା ବଳେ ପାଟିରୁ ବାହାରିପଡ଼ିବ । ଆଉ ଟଙ୍କା ଆଦାୟ କରିବା କିଛି କାଠିକର ପାଠ ନୁହେଁ । ସେ କଥା ମତେ ଲାଗିଲା ।

 

ଚଉଧୁରୀ କହିଲେ, କଣ୍ଠ ଯାହା କହିଲା, ମୋ ମନକୁ ପାଇଲା, କଅଣ କହୁଛ ପତିଏ ?

 

ପତି ପାଖରେ ଠିଆ ହୋଇଥିଲେ । ଚଉଧୁରୀଙ୍କ ମୁହଁରୁ ନିଜ ନାମ ଶୁଣି ସେ ଗମ୍ଭୀର ହୋଇ କହିଲେ, ପାଣି ଛଡ଼ାଇବା ତ ଗୋଟାଏ ତାଳିର ପାଠ । ଘରଆଡ଼ୁ ଟିକେ ଦିଆସିଲିଟା ମଗାଇ ଦିଅନ୍ତୁ, ଘିଅ ସଳିତା ଲାଗିବ ।

 

ଲୋକେ ହସିଉଠିଲେ ।

•••

 

୨୨

 

ପଞ୍ଚାୟତ ସଭା ଧର୍ମସଭାର ଆଦେଶ ପାଇ କଣ୍ଠ ପଛେ ପଛେ ଗ୍ରାମବାସୀଏ ହୋ-ହୋ ହୋଇ ଉଠି ଶିରିଆର ଘର ଆଡ଼େ ଛୁଟିଲେ । ଅହିଲା ବିରସ ମନରେ ଦାଣ୍ଡ ଆଗ କୃଷ୍ଣଚୂଡ଼ା ଗଛମୂଳେ ତୁନି ହୋଇ ବସି ଲୋକଙ୍କର ଏହି ବିଚିତ୍ର କାଣ୍ଡ କରୁଣ ଆଖିରେ ଦେଖୁଥିଲା । ଭରସି କରି ଶିରିଆର ହୋଇ କାହାକୁ ପଦେ କହିବାର ସାହସ ତାର ନ ଥିଲା । ନିର୍ଦ୍ଦୋଷ ନିରକ୍ଷ ଗରିବ ଉପରେ ଅକାଳେ ବଜ୍ର ପଡ଼ିଲେ ଗରିବର ଆଖିପତା ସିନା ଓଦା ହେବ, ଆଉ କିଏ ତାର ଦୁଃଖ ବୁଝିବ କାହିଁକି ?

 

ଗ୍ରାମବାସୀଏ ଶିରିଆକୁ ତା’ ଘରୁ ଘୋସାରି ଆଣିଲେ । ତାର ଅଭିଯୋଗ, ଅନୁରୋଧ କେହି ଶୁଣିଲେ ନାହିଁ, କେହି ରଖିଲେ ନାହିଁ । ତା’ର ହୋଇ ପଦେ କହିବାର ପ୍ରବୃତ୍ତି କାହାରି ହେଲାନାହିଁ । ଶିରିଆ ଆସିଲା । ବାର ଲୋକେ ବାର କଥା କହି ଥଟ୍ଟା କଲେ । ଆରେ, ବୁଡ଼ି ବୁଡ଼ି ପାଣି ପିଉଥିଲା, ଏତେ ଦିନକେ ଜାଲରେ ଧରା ପଡ଼ିଛି । କୋଉ ସୋଇଁ ଘରବାଟେ ଯିବୁ ରହ ।

 

ଶିରିଆର ମୁହଁ ଟାଣ । ଧୋବେଇ ପରି ଏଣେ ଗାଲରେ ଥାପଡ଼ ଧମାଧମ୍‌ ବସୁଥିଲେ ବି ସେ କହିବା ଲୋକ, ଏଁ ମାରିବୁ ନା ମାରିବୁ, ମୁହଁଟା ତୋର ଦିଶେ ଏକା । ମୋ ଦେହରେ ଟିପ ଛୁଇଁଲେ ଗୋଟାଏ ଚାପୁଡ଼ାରେ ଗାଲ ଭାଙ୍ଗିଦେବି, କଅଣ କରି ପାଇଲୁ କି ମତେ ?

 

ଶିରିଆକୁ ଆଣି ଲଙ୍ଗଳ ଦଉଡ଼ିରେ ସେହି କୃଷ୍ଣଚୂଡ଼ା ଗଛ ଦେହରେ ବାନ୍ଧି ପକାଇଲେ । ଆଗରୁ କଣ୍ଠଙ୍କର ଆଦେଶ ପାଇ ସଜନା ଦି’ଟା ବିଛୁଆତୀ ଗଛ ଆଣି ପାଖରେ ରଖିଥିଲା । ଚାନ୍ଦ ଗୋଟାଏ ଛେଲୁଆରେ ଥୋଡ଼ାଏ ରଡ଼ ନିଆଁ ଓ ପାଏ ଖଣ୍ଡେ ଦକ୍ଷିଣୀ ଲଙ୍କାମରିଚ ଗଛମୂଳରେ ଥୋଇଛି । କଣ୍ଠଙ୍କ ଦି’ ହାତରେ ଦିଟା ଜାଉଁଳି ବେତ । ଦର୍ଶନ ହାତରେ ଗୋଟାଏ ବେତନାସୀ ।

 

ଏସବୁ ଆୟୂଧର ଆୟୋଜନ ଯେ କାହିଁକି ହୋଇଛି, ଶିରିଆ ଆଗରୁ ଅନୁମାନ କରି ନେଇଥିଲା । ତଥାପି ମାଡ଼କୁ ଡରି ମିଛ କଥାଟାକୁ ସତ କରି କହିବା ଲୋକ ସେ ନୁହେଁ, ଯାହା ହେବାର ହେବ । ଦୁନିଆରେ କଅଣ ସମସ୍ତେ ଅନ୍ଧ, ଜଣେ କାହାର ଆଖି ନାହିଁ ? ହଲିଲା ପାଣିକୁ ଗୋଡ଼ ନ ବଢ଼ାଇବା ଲୋକର ବେକକୁ ଯଦି କାହିଁ ଶୂନ୍ୟରୁ ଖସି କୁମ୍ଭୀର ଧରେ, ତେବେ ନାଚାର । ଏ ଗାଁରେ, ଏ ଦେଶରେ ରହି ଚଳିବା ସମ୍ଭବ ନୁହେଁ ।

 

ଶିରିଆର ସ୍ତ୍ରୀ ପିଲାଏ ଦାନ୍ତରେ ତିରଣ ଧରି ଶିରିଆକୁ ଛାଡ଼ିଦେବାକୁ ଜଣ ଜଣ କରି ଲମ୍ବହୋଇ ଗ୍ରାମବାସୀଙ୍କ ଗୋଡ଼ତଳେ ପଡ଼ିଲେ । ଆଖି ଫେରାଇ କେହି ଜଣେହେଲେ ତାଙ୍କ ଆଡ଼କୁ ଚାହିଁଲେ ନାହିଁ । ଶେଷକୁ ସେହି ଚଉଧୁରୀଙ୍କ କଣ୍ଠରେ ସରସ୍ୱତୀ ବସିବାରୁ ସେ ବୋଧଶୋଧ ଦେଇ କହିଲେ, ଆଲୋ ମା, ଏତେ କନ୍ଦାକଟା କରୁଛୁ କାହିଁକି ? ନିଜ ଅର୍ଜିଲା କର୍ମ ଭୋଗିବାକୁ ହେବ ଶିରିଆ ଯଦି ସତ କଥା ମାନିଯାଏ, ତା’ର ଅଗଗୋଡ଼ରେ କଣ୍ଟା ବାଜିବ ନାହିଁ । ଲୋକେ ବସିଥିଲେ ତାକୁ ପୋଲିସରେ ଦେବେ । ତା ହୋଇଥିଲେ ହଳ ହଳ ହୋଇ ସମସ୍ତେ ବନ୍ଧା ହୋଇ ଯାଇ ହାଜତ ଘରେ ପଶନ୍ତଣି । ଘରବାଡ଼ି କୋରଖ ହୁଅନ୍ତା, ପିରିଆ ପରି ଶିରିଆ ବି ଯାଇ ମାମୁଁଘରେ ତିନି ବରଷ ବେଠି ଖଟିଆସନ୍ତା । ମୁଁ କହିଲି ଘର କଥା ଘରେ ଭାଙ୍ଗିବା । ପର ପାଖକୁ ଯାଇ ଲୋକହସା ହେବା ନାହିଁ । ଶିରିଆର ଅପମାନ ହେଲେ ଗାଁର ଅପମାନ ହେବ । ଗାଁର ଅପମାନ ହେଲେ ଆମର ଅପମାନ ହେବ । ଯିଏ କହିବ ଏଗୁଡ଼ାକ ଚୋର ।

 

ସାହୁଏ କହିଲେ, ଶିରିଆ ମାନିଗଲେ କଥା ଛିଣ୍ଡି ଯାଆନ୍ତା । ହାଣକୁରାଢ଼ ବେକକୁ ଆଣୁଛି କାହିଁକି ?

 

ଶିରିଆର ସ୍ତ୍ରୀ କହିଲା, ସାଆନ୍ତେ, ସେ ଦିନେ ସଞ୍ଜପହରୁ ତାକୁ ଜର ଯେ, ଦି ଦିନ କାଳ ସେ ପାଣି ତୋରାଣି ଛୁଇଁ ନାହିଁ କି ପରାରୁ ଉଠିନାହିଁ । ସାଆନ୍ତେ, ମୁଁ ମୋ ଝିଅ ମୁଣ୍ଡ ଛୁଇଁ କହୁଛି, ଆଉ ଯୋଉ ରାଣ ଦେବ ପକାଇବି ।

 

ମଦନା କହିଲା, ସବୁ ଠିକ୍‌ କହୁଛୁ ଖାଲି ଟିକିଏ ମିଛ ରହିଗଲା । ସେଦିନ ସଞ୍ଜପହରୁ ଶିରିଆକୁ ଜର ହୋଇ ନାହିଁ ଯେ ତହିଁ ଆରଦିନ ସଞ୍ଜପହରୁ ହୋଇଥିଲା । ସେଇ ରାତିରେ ଶିରିଆ ବର୍ଷା ପାଣିରେ ତିନ୍ତି ଅସ୍ଥିର, ତହିଁରେ ପୁଣି ଦେହ ମଜରା ! ତାକୁ ଜର ହୁଅନ୍ତା ନାହିଁ ତ ହୁଅନ୍ତା କାହାକୁ, ତତେ ?

 

ହଟ କହିଲା, ସେ କଥା କିଛି ଅସମ୍ଭବ ନୁହେଁ । ମଣିଆଁର ଝିଅ ହେଲା ଯେ ତା ସ୍ତ୍ରୀ କଅଣ ଶୁଣ୍ଠି ପିପୁଳି ଖାଇବ, ଖାଇଲା ନିଜେ ମଣିଆ ।

 

ସମସ୍ତେ ହସିଲେ ।

 

ଦର୍ଶନ କହିଲା, ଚୋରି ହେବାର ଦି’ ଦିନ ପରେ ଆସି ତୁ ବଳି ଅବଧାନଠୁଁ ବଟିକା ନେଲୁ । ଜର ଯଦି ସେ ଦିନ ସଞ୍ଜବୁଡ଼ରୁ ହୋଇଥାନ୍ତା, ତୁ ନିଶ୍ଚେ ତହିଁ ଆରଦିନ ବଡ଼ି ସକାଳୁ ଓଷଦପାଇଁ ଆସି ଥାଆନ୍ତୁ । ହଇ ହୋ ଅବଧାନେ, କହୁନ କାହିଁକି ?

 

ବଳରାମ ଉଠି ଠିଆହେଲେ । ପତଳା ନକନକ ନଗି ପରି ପାଞ୍ଚହାତିଆ ମଣିଷ । ମୁହଁ ଯାକ ରୁଢ଼ । ପିନ୍ଧିଛନ୍ତି ଆଠହାତିଆ ଖଣ୍ଡେ କୋଚଟ ମଇଳା ଲୁଗା । କାଖତଳେ ଓଷଦ ବଟୁଆ ଝୁଲୁଛି । ଗାଁ ବଇଦ ବୋଲି ତାଙ୍କର ମନରେ ଭାରି ଗର୍ବ । ଟୁଣୁକା ଟୁଣୁକି ଚାରି ପାଞ୍ଚ ପ୍ରକାରେ ଜାଣନ୍ତି । ନୋହିଲା ବେଳକୁ ଅନ୍ଧାର ଘରେ ବାଡ଼ି ବୁଲଉ ବୁଲଉ ଏପାଖ କି ସେପାଖ, ହରି ରଖେ କି ହରିତାଳ ରଖେ ।

 

ସେ କହିଲେ, ଦର୍ଶନ ଯାହା କହିଲା ଠିକ୍‌, ତେବେ ସେ ବିଚରା କହୁଥିଲା ଯେ ଶିରିଆକୁ ଦି’ ଦିନ ହେଲା ଜର ହୋଇଛି । ଯାହାହେଉ ଏକା ପାନକେ ଭଲ ହୋଇଗଲା ।

 

ଦଳେଇ କହିଲେ, ସେ କମି ହୁସିଆର କି, ଆଗରୁ ବାଟକାଟି ବାରଫନ୍ଦୀ କରିଛି । ଶିରିଆ ସେ, ତାର ବେକ ଚାରିକତି ବୁଦ୍ଧି । ଏକା ଗୌରାଙ୍ଗ ଦାସ (ବେତ) ଛଡ଼ା ତାକୁ କେହି ସାଧ୍ୟ କରିପାରିବେ ନାହିଁ ।

 

ଫଗୁ କହିଲା, ଆରେ ଶିରିଆ, ମୋ ସାନକୁହା ମାନ, କଥାଟା ସାଫ୍‌ ସାଫ୍‌ କହିପକା । ତୁ ତ ଜାଣୁ, ଦୁଧ ଉତୁରିଲେ ଚୁଲିରେ ପଶେ, ଲୋକ ଉତୁରିଲେ ଗାତରେ ପଶେ । ପିଲାଛୁଆ ତୋର ଅନାଥ ହୋଇଯିବେ ରେ ।

 

ଶିରିଆର ପାଟି ଫିଟିଲା । ଗାଁଯାକ ଯେଉଁଠି ଏକ ହୋଇ ତାକୁ ମାରିବାକୁ ବସିଛନ୍ତି, ସେ ଏକୁଟିଆ ମଣିଷ କଅଣ କରିବ ? କାହାର ବା ଶରଣ ପଶିବ ? ହଁ କହିଲେ ପରିତ୍ରାଣ ନାହିଁ । ଚାନ୍ଦ ଯେତେ ଟଙ୍କା କହିବ ସବୁ ତାଠୁଁ ଅସୁଲ କରିବେ । ନାହିଁ କଲେ କେହି ଶୁଣିବେ ନାହିଁ । ଲାଭ ଭିତରେ ତା ପିଠିରୁ ଛାଲ ଛାଡ଼ିବ, ଆଖିରୁ ଲୁହ ଝରିବ । ଶେଷକୁ ତାକୁ ମାନିବାକୁ ହେବ । ଚୋରି କଲା କିଏ, ଶିରିଆ ମୁଣ୍ଡରେ ଅଠା ବୋଳି ଚୋର ଭଲଲୋକ ହୋଇ ଖସି ଚାଲିଯିବେ । ହଉ, ଠାକୁରେ ଥିଲେ ବୁଝିବେ, ନୋହିଲେ କପାଳ ।

 

ଶିରିଆ କହିଲା, ମୁଁ ଚୋରି କରି ନାହିଁ ବୋଲି କହିଲେ ଆପଣମାନେ ମୋ କଥାରେ ବିଶ୍ୱାସ କରିବେ ?

 

ଫଗୁ କହିଲା, ତୁ ନାହିଁ କଲେ କିଏ ବିଶ୍ୱାସ କରିବ ନାହିଁ । ଜଣ ଜଣ କରି ପଚାରି ଆ, ସଭିଏଁ କହିବେ ଚୋର ତୁ ।

 

ଭଜନୀ କହିଲା, ଆରେ, ବୁଢ଼ୀ ଥାଉଁଣୁ ପିଣ୍ଡାରେ ଆଉ କିଏ ନାକଧରା କାମ କରିବ ?

 

ଶିରିଆ କହିଲା, ଯଦି ଆପଣଙ୍କର ସୁଧର୍ମା ସଭାରେ ସେହି ବିଚାର ହେଲା, ତେବେ ମୋତେ ଏତେ କଲବଲ କରିବାର ଦରକାର କଅଣ ? ଯିଏ ଯେଉଁଠି ମଇଳା କରୁ ଯଦି ବୁଢ଼ୀ ମୁଣ୍ଡରେ ତାଳ ଛିଡ଼ିବାର କଥା, ଶିରିଆ ଚୋର ବୋଲି କହିଲେ ମୋର ଅମଙ୍ଗ ହେବାକୁ ଚାରା ନାହିଁ-। ଖାଲି ଏତିକି, ଚାନ୍ଦ ଥରେ ମୋ ମୁହଁକୁ ଚାହିଁ କହୁ, ତା ଟଙ୍କା ମୁଁ ଚୋରି କରି ନେଇଛି । ଆଉ ଯେଉଁମାନେ ନ ଦେଖି ଦେଖିଲା ପରି କଥାଗୁଡ଼ାକ ଗଛରୁ ତୋଳି କହି ଗୁହା ଗୁଜୁରୁଛନ୍ତି, ସେମାନେ ମହାବୀରଙ୍କ ମୁଣ୍ଡ ଛୁଇଁ ଆପଣମାନଙ୍କ ଆଗରେ ଆହୁରି ଥରେ ତାଙ୍କ ଦେଖିଲା କଥା କହି ଯାଆନ୍ତୁ । ତେଣିକି ଆପଣମାନେ ଯାହା କରିବେ, ଯାହା କହିବେ, ସେଥିରେ ମୋର ରାଜି ।

 

ଚଉଧୁରୀଏ କହିଲେ, ୟା ନାଁ ଯେ କଥା । ୟାକୁ କହନ୍ତି ସୁନାପୁଅ । ସତ କଥା ତ ମାନିଗଲେ ହେଲା । ନିଜେ ଦହଗଞ୍ଜ ହେଇ ଆଉ ପାଞ୍ଚ ଜଣ ଗ୍ରାମବାସୀଙ୍କୁ ହରକତ କରି ଲାଭ କଅଣ ? ଖରା ମାଡ଼ି ଆସୁଛି । କି’ଲୋ ଚାନ୍ଦ, ତୁନି ରହିଲୁ ଯେ ! ତୋର ଯାହା କହିବାର ଅଛି କହ-

 

ଚାନ୍ଦ ବଲବଲ କରି ଅହିଲାର ମୁହଁକୁ ଚାହିଁଲା । ଅହିଲା ରାମ୍ କି ବିଷ୍ଣୁ କିଛି କହିଲା ନାହିଁ । ଚାନ୍ଦ ତଳକୁ ମୁହଁପୋତି କହିଲା, ତୁଇ ଖଣ୍ଡିଆ ତ ମୋ ଘରେ କଳାକନା ବୁଲାଇଛୁ..... ।

 

ପବନ କହିଲେ ଶୁଣିଲୁ ତ ଶ୍ରୀଧର ?

ଶିରିଆ ସାମାନ୍ୟ ହସି କହିଲା, ଶୁଣିଲି ।

ଦଳେଇ କହିଲେ, ତୁମେମାନେ ସବୁ ମହାବୀରଙ୍କ ମୁଣ୍ଡ ଛୁଇଁ କହ ।

 

କଣ୍ଠ ମଦନକୁ, ମଦନ ହଟକୁ, ହଟ ଦର୍ଶନକୁ, ଏହିପରି ଅନାଅନି ହେଲେ । ଦର୍ଶନ ଗୋଟିଏ ବୁଦ୍ଧି ପାଞ୍ଚିଲା । ହାତ ଟେକି ମହାବୀରଙ୍କ ମୁଣ୍ଡ ଉପରକୁ ନେଉଣୁ ଜିଭ କାମୁଡ଼ି ପଛକୁ ଫେରି କହିଲା, ମୁଁ ଅଗାଧୁଆ କେମିତି ଠାକୁର ଛୁଇଁବି ?

 

ମୁଦୁଲି କହିଲେ ହଁ, ସେଇ କଅଣ ହେଲା ନାଇଁ ଯେ, ମୁଣ୍ଡ ଉପରେ ହାତଟା ଥୋଇ ଦେଲେ ତ ଅଧିକରୁ ଅଧିକ କଥା ।

 

ଚଉଧୁରୀ ପଚାରିଲେ, ଆଉ ହଟ ?

 

ଆଜ୍ଞା, ମୁଁ ଛୁଆଁ । କହିବେ ଯଦି ଠାକୁର ମୁଣ୍ଡରେ ହାତଦେବି । ମୋର ସେଥିରେ କଅଣ ଥାଏ ? ଯିଏ କହିବ ପାପପୂଣ୍ୟ ତାରି ।

 

ସାହୁ କହିଲେ, ଛାଡ଼ । ଦର୍ଶନ, ତେମେ ?

ମୁଁ ବାଉରିଛୁଆ ।

କଣ୍ଠ ?

ମୁଁ ଶିରିଆକୁ ଯାବୁଡ଼ାଏ କଷିଥିଲି ।

ସେ ତ ତମ ପାରିଲାପଣ । ଆଚ୍ଛା, ମଦନା ?

 

ଆଜ୍ଞା, ଶିରିଆ ତ ଏକେ ପାଗଳ ହେଇଛି, :ତା ସାଙ୍ଗକୁ ଆପଣମାନେ ବି ପାଗଳ ହେଲେ ? ମହାବୀରଙ୍କ ସାମନା ଉପରେ ତାଙ୍କ ଦାଣ୍ଡରେ ବସି କହିଲେ ଯାହା, ମହାବୀରଙ୍କ ଦେହ ଛୁଇଁ କହିଲେ ସେଇଆ । ସେ କଅଣ ସବୁ ଶୁଣୁ ନାହାନ୍ତି, ନା ସବୁ ଦେଖୁ ନାହାନ୍ତି ? ଗୁଡ଼କୁ ଅନ୍ଧାର ଆଲୁଅ ଯେଉଁଠି ଖା, ମିଠା ।

 

ଚଉଧୁରୀ କହିଲେ, ଏକା କଥା ନୁହେଁ ତ ଆଉ କ’ଣ ? ଆଉ ବେଶି ପାଣି ବାଡ଼େଇ ଲାଭ ନାହିଁ । ଶିରିଆ ଭଲରେ ଭଲରେ ମାନି ଯାଇଛି । ତାଠୁଁ ଚାନ୍ଦର ଚୋରି ଟଙ୍କାଟା ଆଦାୟ କରି ଠାକୁର କାମପାଇଁ ଦଶ ପନ୍ଦର ଟଙ୍କା ଜୋରିମାନା କରି ଦେଲେ କାମ ଛିଣ୍ଡିଯାଏ । ଆଲୋ ଚାନ୍ଦ, ତୋର କେଇ କୋଡ଼ି ଟଙ୍କା ଚୋରି ଯାଇଛି ?

 

ଚାନ୍ଦ ପାଖକୁ ଘୁଞ୍ଚିଯାଇ ହଟ ଫୁସ୍‌କରି କହିଲା, କହବେ ଦଶ କୋଡ଼ି ।

 

ଚାନ୍ଦ ରାଗିଯାଇ ନିମ୍ନ ସ୍ୱରରେ କହିଲା, ଆଉ କଅଣ, ଚୁଲିପଶାଟା ମୋତେ ବିଭୀଷଣ ବୁଦ୍ଧି ବତାଉଛି ? ମୋର ତ ଘଡ଼ିରେ ଘଡ଼ିଏ ଟଙ୍କା ଥିଲା । ଏତିକି କାହିଁକି ହେବ ? ଉଚ୍ଚ ସ୍ୱରରେ କହିଲା, ସାନ୍ତେ ! ମୋର ଚାରି କୋଡ଼ିକି ପାଞ୍ଚ କୋଡ଼ି ଟଙ୍କା ହେବ । ମୋରି କଅଣ ଖିଆଲ ହେଉଚି ?

 

ଚଉଧୁରୀ କହିଲେ, ଧର ଚାରି କୋଡ଼ି ହୋ । ଠାକୁର ଘରପାଇଁ ଦଶଟଙ୍କା, ଏମିତି ଚାରିକୋଡ଼ି ଦଶ ।

 

ଚଉଧୁରୀଙ୍କ ନ୍ୟାୟ ବିଚାର ଉପରେ ଅସନ୍ତୁଷ୍ଟ ହୋଇ ଗ୍ରାମବାସୀଏ ଚିତ୍କାର କରି ଉଠିଲେ, ହେଲାନାହିଁ, ହେଲାନାହିଁ । ଏତେ ବଡ଼ ଚୋରି ମକଦ୍ଦମାରେ ଠାକୁର ଘରପାଇଁ ପୂରା କୋଡ଼ିଏ ଟଙ୍କା ଜୋରିମାନା କରିଥିଲେ ଭଲ ହୋଇଥାନ୍ତା । ଗ୍ରାମବାସୀଏ ସେଇଆ ଆଶା କରିଥିଲେ ।

 

କଣ୍ଠ କହିଲେ, ଆପଣମାନେ ଯଦି ଏପରି ବିଚାର କରିବେ, ଦୋଳ ବେଳକୁ ନିମିତ୍ୟ ଉଠିବ କିପରି ? ପ୍ରତି ବର୍ଷ କଅଣ ଲୋକହସା ହେଉଥିବା ?

 

ଚଉଧୁରୀ ରାଗିଯାଇ କହିଲେ, ତମ ନିମିତ୍ୟ କିପରି ଉଠିବ, ସେଥିକି ତ ଶିରିଆ ଦାୟୀ ନୁହେଁ । ତା ମୁଣ୍ଡକୁ ଚାହିଁ ଫଳେ ପୁଷ୍ପେ ଜୋରିମାନା ଦେଇ ଖଲାସ ହେବ । ସାତପୁରୁଷ ହେଲା ଗାଁରେ ଘରକରି ଗରିବ ବିଚାରା ଚଳାଚଳ ହୋଇ ଆସୁଛି । ଯଦି ତା ପ୍ରତି ତୁମେମାନେ ଏପରି ହେବ, ସେ ଘର ଭାଙ୍ଗି ପଳାଇବ ସିନା ।

 

ସମସ୍ତେ ତୁନି ହେଲେ ।

 

ଲୋକେ ଚଉଧୁରୀଙ୍କର ଧନ୍ୟ ଧନ୍ୟ ପ୍ରଶଂସା କଲେ । କହିଲେ, ଆହା, କେଡ଼େ ଦୟାବନ୍ତ ପୁରୁଷ । ପର ଆପଣା ବଡ଼ ସାନ ତାଙ୍କର ସବୁ ସମାନ ।

 

ଚଉଧୁରୀ ଶିରିଆର ସ୍ତ୍ରୀ ଆଡ଼କୁ ମୁହଁ ଫେରାଇ କହିଲେ, ଆଲୋ ମା, ଯା, ଘରୁ ଚାରିକୋଡ଼ି ପନ୍ଦର ଟଙ୍କା ଆଣି ଏଠି ଭଲ ଲୋକଙ୍କ ଆଗରେ ଥୋଇ ଦେ, ସେମାନେ ଶିରିଆକୁ ମୁକୁଳାଇ ଦେବେ ।

 

ଶିରିଆର ସ୍ତ୍ରୀ ବଲବଲ କରି ଚଉଧୁରୀଙ୍କ ମୁହଁକୁ ଚାହିଁଲା । ତା’ ଆଖିରୁ ଠକ୍‌ଠକ୍‌ ହୋଇ ଲୁହ ଝରିପଡ଼ିଲା । କହିଲା, ସା’ନ୍ତେ ଗରିବ ମୁଣ୍ଡ, ମୁଁ ଏତେ ଟଙ୍କା କୁଆଡ଼ୁ ପାଇବି ?

 

ଆଲୋ, ତୋ ଗେରସ୍ତକୁ ପଚାର ସେ କେଉଁଠି ଲୁଚାଇ ରଖିଥିବ । କିରେ ଶିରିଆ, କହୁନୁ ?

 

ଶିରିଆ ଭୋ ଭୋ କାନ୍ଦିଉଠିଲା । କହିଲା, ମୋ କଲିଜା ଭିତରେ ଲୁଚାଇ ରଖିଚି ସାଆନ୍ତେ, ମୋ କଲିଜା କାଟି ନିଅ ।

 

ମଦନ କହିଲା, ଆରେ, ଭଲରେ ଦୁନିଆ ନାହିଁ ।

 

ଚଉଧୁରୀ କହିଲେ, ସତ କଥା । ଆରେ ସଜନା, ଶିରିଆର ଗାଈ ବଳଦ ଯାହା ଅଛି ଅଡ଼େଇ ଆଣ । ନିଲାମ ହେବ । ସେ ସହଜରେ ଟଙ୍କା ଦେବାର ଲୋକ ନୁହେଁ ।

 

ସଜନା ପାଇକଛା ମାରି ବାହାରିପଡ଼ିଲା ।

 

ଶିରିଆ କହିଲା, ଘର ଘରଡ଼ିହ ବି ନିଲାମ କରି ନିଜେ ଧରି ନିଅ ସାଆନ୍ତେ, ନାଟ ତୁଟିଯିବ । ଆଲୋ ସୁନା, ପିଲା ଛୁଆ ଧରି ବାହାରି ପଡ଼ । ଗାଁ ଛାଡ଼ି ଆଉ କୁଆଡ଼େ ଚାଲିଯିବା । ଏମାନେ ଏଠି ରଖାଇଦେବେ ନାହିଁ ।

 

ସୁନା କଇଁ କଇଁ ହୋଇ କାନ୍ଦିଉଠିଲା ।

•••

 

୨୩

 

ଆଲୋ ଅହିଲା, ତୋର କିଛି ଅସୁବିଧା ହେଉ ନାହିଁ ତ ?

 

ବଟ ଚଉଧୁରୀ ଦିନ ଦିପହରେ ଚାନ୍ଦ ଘର ଭିତରକୁ ପଶିଗଲେ । ଅହିଲା ଘର ଲିପା ଛାଡ଼ି ଗୋବର ବଲବଲ ହାତକୁ ଧୋଇ ପକାଇଲା, ଓଢ଼ଣା ମୁଣ୍ଡ ଉପରକୁ ଟାଣିଲା । ଧୀରେ ଧୀରେ କହିଲା, ନା ସାଆନ୍ତେ, ସେପରି କିଛି ଅସୁବିଧା ହେଉ ନାହିଁ । ଖାଲି ମନ ବ୍ୟସ୍ତ ହେଉଛି, ପର ଘରଟାରେ କେତେ ଦିନ ଆଉ ରହିବି ?

 

ତୋତେ କିଏ କିଛି କହିଲା ?

 

ଚାନ୍ଦ ମାଉସୀ କହୁଛି, ଘରକୁ ତୋର ବଣ କରି ପକାଇଛୁ କାହିଁକି ? ଭାଡ଼ି ତଳେ ବୋଝେ ମଇଳା, କାନ୍ଥରେ ଗୋବର ଛୁଞ୍ଚ ଟିକେ ବାଜିବାକୁ ନାହିଁ, ତା’ କଥା ଶୁଣି ମୋ ମନ ବ୍ୟସ୍ତ ହେଲା । ଦୁଃଖ ଧନ୍ଦା କରି ଘରକୁ ଫେରି ମୁଁ ସବୁବେଳେ ଘର ଦୁଆର ପିଛା ଲାଗିଥାଏ । ଅଇଲା ବେଳକୁ ଘରେ ଆଣ୍ଠିଏ ମଇଳା ଗଦା ହୋଇଥିଲା ।

 

ଚଉଧୁରୀ ଗମ୍ଭୀର ହୋଇ ଘର ଦ୍ୱାରମୁହଁକୁ ଆସିଲେ । ଅହିଲାର ଦେହରେ ଘସିହୋଇ ହାତରେ ତାକୁ ଧୀରେ ଧୀରେ ଠେଲି ଘର ଭିତରକୁ ପଶି ଯାଇ କହିଲେ, କେଡ଼େ ସୁନ୍ଦର ପରିଷ୍କାର ହୋଇଛି । ଚାନ୍ଦ ନ ଦେଖି ଏପରି କହି ପକାଇଛି ।

 

ଅହିଲା କହିଲା, ସାଆନ୍ତେ, ପର ଘରେ ମୁଣ୍ଡ ଗୁଞ୍ଜିଲେ ନ କହିବା ଲୋକ ପଦେ କହିବ-। ଚାନ୍ଦ ମାଉସୀ କହିଲା କିଛି ବଡ଼ ହେଲା ନାହିଁ । ମୁଁ ନେହୁରା ହୋଇ କହୁଛି, ବୁଲିଛଡ଼ାକୁ ତୁମେ ନେଇ ମତେ ଦଶ ଟଙ୍କା ଦିଅ । ଘରଟିକୁ ଡେରାଡ଼େରି କରି ମୁଁ ଏଠାରୁ ମୋ ଘରକୁ ଆଗ ଚାଲିଯିବି । ସେ କଲିକତାରୁ ଟଙ୍କା ପଠାଇଲେ ଆଗ ତୁମ କରଜ ଶୁଝି ଜମି ମାଣକ ମୁଁ ମୁକାଳିବି । ସେଇଠୁ ଘରର ଯତ୍ନ ନେବି ।

 

ଚଉଧୁରୀ ଚିନ୍ତା କରି କହିଲେ, ବୁଲି ତ ତୋ ଉପରେ ବୋଝ ହେଇ ନାହିଁ । ଏଇ କେଇ ଦିନ ଭିତରେ ସେ କିପରି ଗୋଲ ବୁଲି ଆସିଲାଣି ଦେଖୁନୁ । ଦିନାକେତେ ମୁହଁ ମାଡ଼ି ରହିଗଲେ ବୁଲି ଦୁହାଁଳୀ ଗାଈ ହବ । ସେତେବେଳେ ତା’ ଦାମ କୋଡ଼ିଏ ଟଙ୍କାରୁ କମ୍‌ ହେବ ନାହିଁ । ଏବେ ବିକିଲେ ତାକୁ ପାଞ୍ଚ ସାତ ଟଙ୍କାକୁ କେହି ଛୁଇଁବେ ନାହିଁ । ତାକୁ ଯେ ନେବ, ବୃଥା ତା’ପାଇଁ ଖର୍ଚ୍ଚାନ୍ତ ହେବ ।

 

କେବେ ସିନା କୋଡ଼ିଏ ଟଙ୍କା ହେବ କି ନ ହେବ, ଏବେ ତ ମୋ କାମକୁ ପାଇବ ନାହିଁ-। ତୁମ ଘରକୁ ମୁଁ ଯେବେ କାମ କରିବାକୁ ଯାଏ, ମାଆ ବି ମତେ ଉପଦେଶ ଦିଅନ୍ତି । କହନ୍ତି, ଚାନ୍ଦ ମାଉସୀ ଭଲ ମଣିଷ ହେଲେ ବି ନରମାୟା ନାରାୟଣଙ୍କୁ ଅଗୋଚର । ଆମ୍ବ ଡିମ୍ବିରି ଯୋଡ଼ି ତୋ ଘର ଖଣ୍ଡି ଟେକି ଦେ । ପରଘରୁ ଯାଇ ସେଇଠି ରହ । ନିଜ ଘରେ ନିଜେ ପେଜପାଣି ପିଇଲେ ବି ତୁ ହେବୁ ରାଣୀ । ପର ଘରେ ପୋଇଲୀ ।

 

ଚନ୍ଦ୍ରମା ତୋତେ ଅତି ଭଲ ପାଆନ୍ତି ?

 

ମାଆ ସମସ୍ତଙ୍କୁ ସ୍ନେହ କରନ୍ତି । ମୁଁ ଗରିବ ଘର ଝିଅ ଓ ଗରିବ ଘର ବୋହୂ, ଏହା ସେ ମନକୁ ଆଣନ୍ତି ନାହିଁ । ପେଟ ପୂରାଇ ଆମ ଦୁହିଙ୍କୁ ଖୁଆନ୍ତି । ନାହିଁ, ନାହିଁ କଲେ ବି ମୋ ହାତଧରି ପାଖରେ ବସାନ୍ତି, ମୁଣ୍ଡ ବାନ୍ଧି ଦିଅନ୍ତି । ସେହି ଲାଜରେ ମୁଁ ତୁମ ଘରକୁ ଯାଏ ନାହିଁ ।

 

ଚଉଧୁରୀଙ୍କର ଆଖି ଝଲସିଲା । ସେ ଲୋଭାକୁଳ ଦୃଷ୍ଟିରେ ଅହିଲାର ଆଖିକୁ ଚାହିଁଲେ-। ତାଆର ହାତ ପାପୁଲିକୁ ମୁଠାଇଧରି କହିଲେ, ଏଥିରେ ଲାଜ କଅଣ ? ଚନ୍ଦ୍ରମା ତୋତେ ଶ୍ରଦ୍ଧା କରନ୍ତି । ତୁ ଆମ ଘରକୁ ଯାଉଥିବୁ । ତୁ ତ ଜାଣୁ ମୁଁ ବି ତତେ ସ୍ନେହ କରେ । ତୋର ଅସୁବିଧା କରାଇଦେବି ନାହିଁ । ତେବେ ବି ମୁଁ ଆଜି ବିନୋଦକୁ ଚିଠି ଲେଖିଦଉଛି । ମୋ ଚିଠି ପାଇଲେ ସେ ଯେପରି ହେଲେ ଘର ତୋଳିବାକୁ ପନ୍ଦର କୋଡ଼ିଏ ଟଙ୍କା ପଠାଇବ । ପିଲାଛୁଆ ଘରେ ଛାଡ଼ି ବିଦେଶ ଯାଇଛି କଅଣ ମଉଜ କରିବାକୁ ? ଏପରି ଯଦି ଇଚ୍ଛା ଥିଲା ତ ପର ଝିଅର ହାତ ଧରି ଅରକ୍ଷକୁ ଗଳାରେ ବାନ୍ଧି ଦହଗଞ୍ଜରେ ପକାଇବାକୁ ତାର କି ଅଧିକାର ଥିଲା-? ଅହିଲା ଅସୁନ୍ଦର ନୁହେ କି କୁଜୀ କୋତରୀ ନୁହେଁ । ନିହତ ଜଗି ବିଦୋଦକୁ ଅନାଇଁ ବସିଛି ବୋଲି ସିନା ! କଷ୍ଟକୁ ଡରି, ହଇରାଣ ହରକତକୁ ଗଣ୍ଠି କରି ଯଦି ସେ ମନରେ ଧରୁଥାନ୍ତା, ତେବେ ତୁ କିଏ ମୁଁ କିଏ ରେ-? ତୁ ତୋହର ଦେଖ, ମୁଁ ମୋର ଦେଖୁଛି ।

 

ଅହିଲା କାନ୍ଦି ପକାଇଲା ।

 

ଚଉଧୁରୀ ଅତି ଆଦରରେ ତାର ମୁଣ୍ଡକୁ ନୁଆଇଁ ଆଣିଲେ । ସ୍ନେହରେ ତା ମୁଣ୍ଡରୁ ଉଢ଼ଣା ଖସାଇ ବାଳ ସାଉଁଳି କହିଲେ, କାନ୍ଦିବାର ଏଥିରେ କିଛି ନାହିଁ । ବିନୋଦ ଯଦି ଚିଠିର ଉତ୍ତର ନ ଦିଏ, ତେଣିକି ଦେଖାଯିବ ନାହିଁ । ଘରତୋଳାଟା ମୋ ପକ୍ଷରେ ଅତି ଛୋଟ କାମ । ବାକୀ ରହିଯିବ ନାହିଁ । ଆଗ ନିଜ କଥା ତା ପରେ ପୁଅ ପତି କି ଆଉ କାହା କଥା ।

 

ଅହିଲା ପୁଣି ମୁଣ୍ଡ ଉପରକୁ ଓଢ଼ଣା ଟାଣିଲା । ସାମାନ୍ୟ ଘୁଞ୍ଚିଆସି କହିଲା, ଚିଠିର ଉତ୍ତର ପାଇଲା ବେଳକୁ ଭଙ୍ଗା ଘରର ଆଉ କିଛି ବାକୀ ନ ଥିବ । ନଡ଼ା ପାଳ ଗୋରୁ ଗାଈ ଓଟାରି ଖାଇଲେ । ରୁଅ ବାଉଁଶ ଯାହା ଥିଲା, ତାକୁ କିଏ ଓଟାରି ନେଉଛି । ମୁଁ ଆସି ଏଠି ରହିଲି । ଦେଖୁ ଦେଖୁ ସବୁ ଚାଲିଯିବ ।

 

ଚଉଧୁରୀ କହିଲେ, ଦିପହରଟାରେ ମୋର ଏଠିକି ଆସିବାର କାରଣ ସେଇ ଘର । ଗାଁ ଲୋକଙ୍କର ପର ପଦାର୍ଥ ଉପରେ ସବୁବେଳେ ଆଖି । ପରର କଅଣ ହେଉଛି କଅଣ ହେଉନାହିଁ ସେଥିକି କାହାରି ନିଘା ନାହିଁ । ବାଉଁଶ ବତା ସବୁ କିଏ ଧୀରେ ଧୀରେ ବୋହି ନେଇଯାଉଛି । ଯତ୍ନ ନ ନେଲେ ଯାହା ହେବାର କଥା ହେଉଛି । ମୋ ଦେହ ଏହା ସହିଲା ନାହିଁ । ଜିନିଷପତ୍ର ଥିଲେ ଘର ତୋଳିଲାବେଳକୁ କେତେ ସୁବିଧା ! ମୁଁ ସଜନାକୁ କହି ଦେଇଛି, ସେ ଆଉ ଦି ଜଣ ମୂଲିଆ ନେଇ ଯାହା କିଛି ଅଛି, ସବୁ ଆମ ବଗିଚାରେ ଗଦା କରିଦେବ । ଆବର ହେଇ ଆଖି ଆଗରେ ରହୁ । ବେବରାଦ ହେଇ ଜିନିଷ ଲୋକସାନ ହେବ ନାହିଁ । ତୋର ଯେତେବେଳେ ଦରକାର ପୁଣି ପଠାଇଦେବି ।

 

ଅହିଲା କିଛି ଉତ୍ତର ଦେଲା ନାହିଁ ।

ଚଉଧୁରୀ ପଚାରିଲେ, ମତୀ କାହିଁ ।

ଶ୍ରୀମତୀକୁ ଚାନ୍ଦ ମାଉସୀ କାଖ କରି କୁଆଡ଼େ ନେଇ ଯାଇଛି, ତାକୁ ସେ ଭାରି ଆଦରେ ।

 

ପିଲାଟା ସେମିତି କୌତୁକିଆ ହୋଇଛି । ଯିଏ ଦେଖିବ ସେ ଶ୍ରଦ୍ଧା କରିବ । ଅବିକଳ ତୋରି ପରି ସେ ହୋଇଛି । କେଜାଣି କାହିଁକି ତୋତେ ଦେଖିଲେ ମୋତେ ଅତି ଖୁସି ଲାଗେ, ବିକଳ ବି ଲାଗେ । ମୋର ଇଚ୍ଛା ହୁଏ ତୋତେ ନେଇ ପାଖରେ ରଖିବି । ତୋର ଏକୁଟିଆ ଜୀବନ ଓ ଦହଗଞ୍ଜିଆ ଚଳନ ମୁଁ ମୋଟେ ସହିପାରୁନି । ଭଲକରି ମୁଠିଏ ଖାଇବାକୁ ନ ପାଇ ତୋର ସୁନ୍ଦର ସ୍ୱାସ୍ଥ୍ୟ ଓ ମନଘେନା ରୂପ ଦିନୁଦିନ କ୍ଷୀଣ ହେଉଛି । ମୋ ମନରେ ଦୁଃଖ ହେଉଛି ।

 

ଚଉଧୁରୀ ସ୍ନେହରେ ଅହିଲାର ମୁଣ୍ଡ ଆଉଁସିଲେ । ତାର ମୁଣ୍ଡରୁ ବସନ ଖସିଲା । ଚଉଧୁରୀ ହାତଧରି ସୁନ୍ଦର ମୁହଁକୁ ହସିଲା ଆଖିରେ ଅନାଇଁଲେ । ଟିକି ପିଲାଟିପରି ଅତି ଆଦରରେ ତାକୁ ଛାତିପାଖକୁ ଆଉଜାଇ ନେଲେ । ଉଚ୍ଛଳ ଅନୁରାଗରେ ତାର ଭ୍ରୂଲତା ଦିଓଟି ଅଙ୍ଗୁଳିରେ ସାଉଁଳି ଦେଲେ । ନାକ ଅଗକୁ ଅଙ୍ଗୁଳିରେ ଛୁଇଁ ଥରିଲା ସ୍ୱରରେ କହିଲେ, ଗରିବ ନିଆଶ୍ରୀ ହେଲେ ବି ତୁ ଅତି ସୁନ୍ଦର ଝିଅଟିଏ । ଏ ଗ୍ରାମରେ ତୋ ରୂପର ସମସରି ଆଉ କାହାର ନାହିଁ । ତଥାପି ବିନୋଦିଆ ତତେ ଭୁଲିଲା ? ଏତିକି କହି ଚଉଧୁରୀ ତାର ହାତ ଛାଡ଼ି ବାହାରକୁ ଆସିଲେ । ମନ ତରଙ୍ଗ ତରଙ୍ଗ ହେଉଛି । ଆଖି ହେଉଛି ଲାଜରା । ନୀତିର ଧାରଣା ଡାକ ଛାଡ଼ିଛି ମୁଣ୍ଡ ଭିତରେ ପଳା ପଳା ।
 

ଚଉଧୁରୀ ଚାଲିଗଲେ ।

 

ଘଡ଼ିଏକାଳ ଠାଆକରେ ବସି ଅହିଲା କେତେ ଭାବିଲା । ତା ପିଲାଦିନର ଘଟଣା ସଙ୍ଗେ ଆଜିକା ଘଟଣାର ତୁଳନା କଲା । ସେ ଚଉଧୁରୀଙ୍କର ଆଜିକା ବ୍ୟବହାରର ଅର୍ଥ ବୁଝିପାରିଲା ନାହିଁ । କାଲି ସେ ନିଆଶ୍ରା ହୋଇ ପେଟପାଇଁ ୟା ତା ଓଳି ବୁଲୁଥିଲା । ଏହି ବଟ ଚଉଧୁରୀ, ମୁଠାଏ ଖାଇବାକୁ ଦେବା ପରିବର୍ତ୍ତେ ମୁହଁ ଛିଞ୍ଚାଡ଼ି କଥା କହୁଥିଲେ । ତାଙ୍କ ଦାଣ୍ଡ ପିଣ୍ଡାରେ ଓଦା ଭୂଇଁ ଉପରେ ଛିଣ୍ଡା ଲୁଗାର କାନିପାରି ସେ ଶୋଇଥିଲା । ସକାଳୁ ଦେଖି ଚଉଧୁରୀ ନାଲି ଆଖି ଦେଖାଇ କହିଥିଲେ, କିଲୋ ଛତରଖାଇ, କିଛି ନ କହିବାରୁ ତୋ ମୁହଁ ବଢ଼ିଗଲାଣି । ଆଜି ପିଣ୍ଡା ଉପରେ ଶୋଇଲୁ, କାଲି ଘର ଭିତରେ ପଶିବୁ ! ଗୋବର ଦେଇ ଲିପ୍ । ପିଣ୍ଡା ନ ଲିପିବା ଯାଏ ବାର ସହିଲା ନାହିଁ । ସେହି ଅହିଲା ତ ସେ, ଉଦିଆର ଦୟାରୁ ବଞ୍ଚିଛି, ଛତରୀଟା, କଅଣ ହେଲା କି ଆଜି !

 

ଅହିଲା ଭାବୁ ଭାବୁ କାନ୍ଦି ପକାଇଲା ।

 

ସଞ୍ଜ ହେଲା । କାହାଘରେ ପାଇଟି ସାରି ଚାନ୍ଦ ମତୀକୁ କାଖ କରି ଫେରି ଆସିଲା । ଦେଖିଲା, ଅହିଲା ବାରି ତାଟିକି ଆଉଜି ଦୂରକୁ ଚାହିଁ ଠିଆହୋଇଛି । ଆଖି କୋଣରୁ ଲୁହ ଧାର ତାର ଶୁଖି ନାହିଁ । ଚାନ୍ଦ ଦୁଃଖିତ ହୋଇ ପଚାରିଲା, ଏକୁଟିଆ ଠିଆ ହେଇ କଅଣ ଭାବୁଛୁ କି ଅଲି-? ମନରେ ତ ତୋର ସରାଗ ନାହିଁ ।

 

ଅହିଲା ମତୀକୁ କାଖ କରି କହିଲା, ମୋର କେଉଁ ବଡ଼ତି ହୋଇଛି କି ଆଜି ? ମତୀ ହାତରେ ମୁଢ଼ି ମୁଆଁ ଦେଖି ତାକୁ ଗେଲ କରି ପଚାରିଲା, କିଏ ଦେଲା କି ମତୀ ?

 

ଆଗ ବଳିପଡ଼ି ଚାନ୍ଦ କହିଲା, ସାଆନ୍ତେ ଦେଲେ । କେଡ଼େ ଦୟାବନ୍ତ ସୁପୁରୁଷ ! ଆପଣା ପିଲାଟି ତାଙ୍କ ଆଖିକି ଯେମିତି, ପର ପିଲା ବି ସେମିତି । ବିକଳ ପାଇ ସାଆନ୍ତେ କହିଲେ, ଆଲୋ ଚାନ୍ଦ, ଅହିଲାକୁ କହିଦେବୁ, ତା ପାଇଁ ମୋ ମନ ଅତି ବ୍ୟସ୍ତ । ଭୁଆସୁଣୀ ଝିଅ, ପିଲାଟିକୁ ନେଇ ଏକୁଟିଆ ରାତିବିକାଳି ଅପନ୍ତରାରେ ପଡ଼ିଲାପରି ଅଛି । କାଳ କଅଣ, ବେଳ କଅଣ ! ନାଗବାଲି ଗାଁ ଇଏ, ଜଣକୁ ଜଣେ ବଳିଆର । କେତେବେଳେ କେଉଁକଥା ! ମୁଁ ବି କହୁଛି, ସତ କଥା ଲୋ ଅଲି, ସାଆନ୍ତଙ୍କ ଉଆସରେ କେତେ ଘର ସେମିତି ଖାଲିପଡ଼ିଛି । ଗୋଟାଏ ଘରେ ରହି ତୋର ଦୁଃଖଧନ୍ଦା କରି ଚଳ । ବଡ଼ଲୋକର ଆଶ୍ରା ଧରି ରହିଲେ ପଦେ କହିବାକୁ କାହାରି ପାଟି ଫିଟିବ ନାହିଁ ।

 

ମାଉସୀ, ତୁ ଯଦି ମୋତେ ତୋ ଘରୁ ତଡ଼ିଦେଉ, ତେବେ ମୁଁ ଯାଇଁ ତାଙ୍କ ଆଶ୍ରା କି ଆଉ କାହା ଆଶ୍ରା ଲୋଡ଼ିବି । ମୋର ଦିନରାତି ଦୁଃଖେ କଷ୍ଟେ କଟି ଯାଉଛି । କାହାରି ପାଖରେ ଗୁହାରି କରିବାକୁ ମୁଁ ଯାଉ ନାହିଁ । ପର ଘରେ ପାଞ୍ଚ ପାଇଟି କଲେ ପେଟ ଅପୋଷା ରହିବ ନାହିଁ । ମୋ ଦୁଃଖ, ମୋ ହୀନ ଅବସ୍ଥା ଦେଖି ଚଉଧୁରୀଙ୍କ ମନ ଯଦି ତରଳିଲା, ଗାଆଁର ଆଉ ପା’ଜଣଙ୍କ ମନ କଅଣ ମୋ ପାଇଁ ଟିକିଏ ତରଳିବ ନାହିଁ ?

 

ଚାନ୍ଦ କହିଲା, ତୋରି ଭଲପାଇଁ ମୁଁ କହୁଥିଲି, ମୋର ଯାଏ ଆସେ କଅଣ । ବଡ଼ବଡ଼ଙ୍କର ଭଲ କଥା ନ ଶୁଣିଲାରୁ ଆଜି ମୋର ଏ ଅବସ୍ଥା । ସେମାନଙ୍କ କଥା ମାନି ଯଦି କାହା ଆଶ୍ରା ଧରି ରହିଯାଇଥାନ୍ତି, କି ଦୁତୀୟ ହେଇ ପଡ଼ିଥାନ୍ତି; ଏ ବୟସରେ ପେଟ ପାଇଁ ପରର ଅଇଁଠା ସାଉଟନ୍ତି ନାହିଁ । ନିଜର ତ ପିଲାଛୁଆ ନାହିଁ, ତେଣୁ ପରର ପିଲାଟିଏ ଦେଖିଲେ ମନ ହାଇଁ ପାଇଁ ହୁଏ । ମନ କହେ, ଏମିତି ପିଲାଟିଏ ମୋର ଥାଆନ୍ତା କି-ଚାନ୍ଦ ଆଖି ପୋଛିଲା ।

 

ଅହିଲା ତୁନି ରହିଲା । ଚଉଧୁରୀଙ୍କର ସ୍ନେହ କଥା ମନେ ପକାଇଲା । ଛାତି କମ୍ପିବାକୁ ଲାଗିଲା । ଆଖି ହେଲା ବାମ୍ପୁଆଣି । ସେଇ ବାମ୍ଫ ଭିତରେ ଉଭାହେଲା ତାର ଜୀବନ ସର୍ବସ୍ୱ ବିନୋଦ । ଧନଦରବ ଧରି କଲିକତାରୁ ଫେରି ଆସୁଛନ୍ତି । ହସହସ ହୋଇ ଘରେ ପଶୁଛନ୍ତି । କହି ଉଠିଛନ୍ତି, ଆଉ ମୁଁ ସେ ନାଗୁଣୀ ରାଇଜକୁ ଯିବି ନାହିଁ । ଏଇଠି ମୂଲ ଲାଗି ଚଳିବା ।

•••

 

୨୪

କାଲି ଛାଡ଼ି ପଅର ଦିନ ଅରିଲୋ ମେଲଣ । ଦେଖୁ ଦେଖୁ ଛାଇ ପରି ମଝିରେ ଗୋଟାଏ ଦିନ ଉଭେଇ ଯିବ । ଆଗରୁ ବରାଦ ନ ଦେଲେ କିଛି ହେବ ନାହିଁ । ମଦନ, ଗାଁ ଗୋଇନ୍ଦା, ସୂତ୍ରେ ସୂତ୍ରେ ଖଣ୍ଡେଇତା ଓ ଧାନଘରପଡ଼ିଆଙ୍କ ଭିତରି ଗୁମର ବୁଝି ଆସିଛି । ଏଥର କି ନାଗବାଲିଆ ହଟି ରହିବେ ? ବଡ଼ ବାଜା, ତେଲଙ୍ଗୀ ବାଜା, ବୁଢ଼ା ବୁଢ଼ୀ, ପଞ୍ଚ ଲାଇଟ୍‌, ଫୁଲ ଫାନସ, ସବୁ ବରାଦ କରିବାକୁ ହେବ । ମଦନ ଚଲାଖ ଲୋକ, କଟକ ସହରକୁ ତାର ଆତଯାତ ବେଶୀ । ଏ ସବୁ କାମକୁ ଏକା ସେହି ଧୁରନ୍ଧର ।

ଝାଞ୍ଜ ମୃଦଙ୍ଗ ସଂକୀର୍ତ୍ତନ କାମର ଭାର ନିଜେ କଣ୍ଠ ମୁଣ୍ତକୁ ନେଇଛନ୍ତି । ସେଥିଲାଗି କିଛି ଚିନ୍ତା ନାହିଁ । ତାଙ୍କର କାମ ସେ ପୂରା ତୁଲେଇ ନେବେ । ଅସଲ କଥା ହେଉଛି ଫଉଜ୍‌ଦାରି । ଅବଶ୍ୟ ଆଗ ବଳି ପଡ଼ି ସେମାନେ କଣ୍ଟାବାଡ଼କୁ ଲୁଗା ପକାଇ କଳି ଆରମ୍ଭ କରିବେ ନାହିଁ; କିନ୍ତୁ ଯଦି କଜିଆ ଅନ୍ୟ ଆଡ଼ୁ ଆରମ୍ଭ ହୁଏ, ସେମାନେ ପଛଘୁଞ୍ଚା ଦେଇ ଲାଙ୍ଗୁଡ଼ ଯାକି ବାପ ଅଜାଙ୍କ ମହତ ପଦାରେ ପକାଇ ପଳାଇ ଆସିବେ ନାହିଁ । ନିତାନ୍ତ କମରେ ପାଞ୍ଚ ସାତ ଜଣଙ୍କୁ ଖଣ୍ଡିଆ ଖାବରା କରି ଆସିବେ । ତେଣିକି ଯାହା ହେବାର ହେଉ ।

ଏଥିପାଇଁ ତିନିଦିନ କାଳ ଲାଗି ଗାଁ ଟୋକାଏ ଦଶଣ୍ଡା ସରିକି ଟାଣୁଆ କଣ୍ଟା ବାଇଁଶି ବାଡ଼ି ସଜିଲ୍‌କରି ରଖିଛନ୍ତି । ଗାଁ ପହିଲିମାନ ବାବନା ଯଦି ସର୍ଦ୍ଦାର ହୋଇ ଗାଁ ଟୋକାଙ୍କ ଆଗରେ ହେମତ ଦେଇ ଚାଲେ ତ ଆଉ କି ଡର ? ଆରେ ଟୋକାଏ କି ଆଉ ଇନ୍ଦ୍ର ଚନ୍ଦ୍ର ମାନିବେ ? ବାବନା ଯେ ଆଣ୍ଡୁଆ ଲୋକ, କଥା ମାନିଲେ ହୁଏ ।
 

ସକାଳ । କଦମ ଦାଣ୍ଡରେ ଗାଁ ଲୋକ ରୁଣ୍ଡ । କାଳେ ପର ଗାଁରୁ କେହି ଗୁଇନ୍ଦା ଆସି ଗାଁ ଗୁମର ବୁଝିଯିବ, ସେଥିପାଇଁ ଗାଆଁର ଚାରି ତରଫରେ ଚାରିଜଣ ଲୋକ ଜଗି ରହିଛନ୍ତି । ଗାଁ ଭିତରକୁ କାହାରିକୁ ଛାଡ଼ିଦେବେ ନାହିଁ । ଆଜି ଗାଁ ଭେଣ୍ଡିଆଙ୍କ ଫୁର୍ତ୍ତି କହିଲେ ନ ସରେ । ଛ’ମାସ କାଳ ମେଲେରିଆ ଭୋଗି କଙ୍କାଳସାର ସାଧୁଆର ହାତରେ ବି ଗୋଟାଏ ବାଉଁଶ କଣି, ଦେଖ ତେଜ !

Unknown

 

କଣ୍ଠଙ୍କ ଡାକରା, ଘଡ଼ଘଡ଼ିକୁ ବଳି, ବାବନାରେ ହେ– ।

 

ତିନି ଚାରି ଡାକ ପରେ ବାବନା ବାହାସ୍ଫୋଟ ମାରି କଦମଦାଣ୍ଡକୁ ଆସିଲା । ଲୋକେ ହୋ ହୋ ହୋଇ ଶୂନ୍ୟେ ଶୂନ୍ୟେ ତାକୁ ଟେକି ଗହଳି ଭିତରକୁ ନେଲେ । ବାବନା କୌଣସିମତେ ଆତ୍ମରକ୍ଷା କରି ଆଡ଼େଇ ହୋଇ ଠିଆହେଲା ।

 

କଣ୍ଠ କହିଲେ, ଆରେ ବାବନା, ସବୁ କଥା ତ ଜାଣିଥିବୁ, ଆଉ ବେଶୀ କହିବି କଅଣ ? ତମ ଭଳିଆ ପହିଲମାନ ଗାଁ ଭେଣ୍ଡିଆ ଯଦି କରଛଡ଼ା ଦେଇ ଏତିକି ବେଳକୁ ଅଲଗା ରହିବେ, ଏଡ଼େ ବଡ଼ ନିମିତ୍ୟ ଆପେ ଆପେ ଉଠିବ ନାହିଁ । ଠାକୁର କାମ, ସଭିଙ୍କର ଲାଗିପଡ଼ିବା ଉଚିତ । ନୋହିଲେ ମୁଣ୍ଡ ଦି କଡ଼ା ହେବ ରେ ।

 

ବାବନା କହିଲା, ମୁଣ୍ଡ କ’ଣ ଆଜିଯାଏ ଦି କଡ଼ା ନ ହେଇ ବାକୀ ରହିଛି ? ଖାଲି ହୁମ୍‌ଦୁମ୍‌ ହୋଇ ଗୋଟାଏ ରାତିରେ ଶହ ପଚାଶ ଉଡ଼ାଇ ଦେଲେ ନଇଁଲା ଆଖି ଉପରକୁ ଟେକି ହେବନାହିଁ ।

 

ବାବନା ହଟ ଆଡ଼କୁ ଚାହିଁ କହିଲା, ଏତେ ତେଜ ବାହାର କରୁଛୁ ରେ ହଟ, ରାତିରେ ତୁମ ପିଲା ଛୁଆଙ୍କର ପିଇବାପାଇଁ ଘରେ ପେଜ ଅଛି କି ନାହିଁ କହିଲୁ ?

 

ନ ଥିଲେ ନାହିଁ । ତା ବୋଲି ତ ଠାକୁର କାମ ବାକୀ ପଡ଼ିବ ନାହିଁ ?

 

ଧନ୍ୟ ରେ ତମର ଠାକୁର, ଆଉ ଧନ୍ୟ ତୁମେ । ଠାକୁର ନାମରେ ଗରିବର ଚୁଲିମୁଣ୍ଡ ଖୋଳି ଟଙ୍କା ଚୋରି କରିଛ ! ପୁଣି ଠାକୁର ନାଁରେ ଚୋରି ଟଙ୍କାରୁ ଅଧେ ଆତ୍ମସାତ କରି ପେଟର ପୂଜା କରିଛ । ଠାକୁର ନାଁରେ ନୁଆଣିଆ ଦେଖି ଗରିବର ସର୍ବସ୍ୱ ଲୁଣ୍ଠନ କରିଛ । ପୁଣି ଯାଉଛ ଅରିଲୋ ଦାଣ୍ଡରେ ମାରପିଟ୍‌ କରିବାକୁ ? ସିଢ଼ୁଆ ନଈରେ ଅଥଳ ପାଣି । ତାଆରି ଭିତରେ ଆସ ଆଜି ଠାକୁରଙ୍କୁ ବିସର୍ଜନ ଦେଇ ନିଶ୍ଚିନ୍ତ ହେବା । ଗାଁରେ ଆଉ ଚୋରି ଦଗାବାଜି ରହିବ ନାହିଁ ଗାଁ ଗାଁ ଭିତରେ, ଜାତି ଜାତି ଭିତରେ, ଭାଇ ଭାଇ ଭିତରେ ରକ୍ତର ସୁଅ ଛୁଟିବ ନାହିଁ । ଠାକୁର ଯଦି ସମାଧି ନିଅନ୍ତି, ତେବେ ଆମର ଏତେ ମୂଲ୍ୟବାନ ସମୟ ବୃଥା ତାଙ୍କରି ଅଳସ ଚିନ୍ତାରେ ଖରଚ ହେବ ନାହିଁ । ନିଜ ନିଜ ଭିତରୁ ହିଂସାବାଦ ଲୋପ ପାଇବ । ଶୁଣିଲ ତ ସମସ୍ତେ ?

 

ବାବନାର କଥା କେହି ଶୁଣିଲେ ନାହିଁ ।

 

ଦର୍ଶନ କହିଲା ତା କଥା ଛାଡ଼ । ନିଜ ଶିଙ୍ଗରେ ମାଟି ନ ଖୋଳି ପରର ହାତକୁ ଚାହିଁ ବସିଲେ ସବୁ କାମ ଭଣ୍ଡୁର ହେବ । ଖାଲି ଏତିକି, ଯେତେ କାମ ଥାଉ ସବୁ ପଛରେ ପକାଇ ଗ୍ରାମବାସୀ ସମସ୍ତେ ରାତିରେ ଅରିଲୋ ଯିବେ । ଯେ ନ ଯିବ ତାର କୁଳ ବୁଡ଼ିବ । ଆନନ୍ଦେ ଏକବାର ହରିବୋଲ ।

 

ସୁଦର୍ଶନ ହାତ ଟେକି ଘେରା ଦୁଇ ଚେକାଭଉଁରୀ ଖେଳିଗଲା ।

ଗ୍ରାମବାସୀଏ ଏକାସ୍ୱରରେ ଚିତ୍କାର କରିଉଠିଲେ, ହରିବୋଲ ।

 

ଚାନ୍ଦା ଫର୍ଦ୍ଦ ଧରି କଣ୍ଠ ଗମ୍ଭୀର ଭାବରେ କହିଲେ, ଏତେବେଳଯାଏ ସବୁ ଚାନ୍ଦା ଅସୁଲ ହେଲାନାହିଁ । କାମ ହେବ କେତେବେଳେ ?

 

ମଦନା ପଚାରିଲା, କାହାର ବାକୀ ଅଛି ?

କଣ୍ଠ କହିଲେ, ଦିନେଇ ମୁଦୁଲି, ବୀର ଜେନା, ଅହିଲି–

 

ହଟ କହିଲା, ଦିନେଇ ମୁଦୁଲି କାନ୍ଦିଏ କଦଳୀ ବିକିବାକୁ ଯାଇଛି । ଫେରିଲେ ସେ ଦେଇଦେବ ।

 

କଣ୍ଠ ପଚାରିଲେ, ବୀରା ?

 

ହଟ କହିଲା, ଆମେ କେତେ ଜଣ ଯାଇ ତାର ଥାଳି ଓ ଗୋଟାଏ ଲୋଟା ଧରି ଚାଲିଆସୁଥିଲୁ । ସେ ଠେଙ୍ଗା ଧରି ହୁଜୁତି କରିବାକୁ ଆସୁଥିଲା । ଆମେ ବି ହାତରେ ବୋଲୁଅ ଧଇଲୁ । ଦିବାକର ସିଜୁ ଫୋପଡ଼ ଧରି କହିଲା, କିରେ, କାହା ଘର କଥା କି ? ଗାଁ ଭେଦା ନ ଦେଲେ ଯେମିତି ହେଲେ ଆଦାୟ କରିନେବୁ । ଗାଁରେ ଘର କରି ଗାଁ କାମରେ ମଦତ୍‌ ଦେବାକୁ ହଟିଲେ ପଟିବ ନାହିଁ ।

 

କଣ୍ଠ ପଚାରିଲେ, ସେ ଦେଲା ତ ?

 

ହଟ କହିଲା, ନ ଦେଇ ଯିବ କୁଆଡ଼େ ? ତା ସ୍ତ୍ରୀ ଦେହ ବେମାର ଅଛି ବୋଲି ସେ ଚାରଣା ପଇସା କାନିରେ ବାନ୍ଧି ନାହି ମୁଣ୍ଡରେ ଖୋସି ଓଷଦ ପାଇଁ ବାହାରିଥିଲା । ମଲି ମଲି ହୋଇ ସେତକ କାଢ଼ି ଆମୁକୁ ଦେଲା । ଆଉ ଦିଅଣା ମାଗିବାରୁ ହାତ ଯୋଡ଼ି କାନ୍ଦି କାନ୍ଦି ଗୋଡ଼ତଳେ ପଡ଼ି ନାହିଁ କଲା । ଛାଡ଼ି ଦେଲୁ ।

 

କଣ୍ଠ ହଟିଆର ପିଠିରେ ହାତ ମାରି କହିଲେ, ଆରେ ସାବାସ ବାହାଦୂର ! ବାକି ରହିଲା ଅଲି । ଦର୍ଶନ ହଟିଆର କରାମତୀରେ ଲାଜରା ହୋଇ କହିଲା, ଛତରଖାଈ କଅଣ ଆମ ହାବୁଡ଼ରୁ ବଳେଇଯିବ ? ଅବିକା ଯାଇ ତାର ନୋଟା ବସନ ଆଣି ଗାଁ ଦାଣ୍ଡରେ ନିଲାମ କରି ଚାନ୍ଦା ଟଙ୍କା ଅସୁଲ କରିବୁଁ ।

 

ମଦନା କହିଲା ନିଶ୍ଚୟ ! ଗାଁରେ ଘର କରି, ଗାଁରେ ରହି ଗାଁ ଠାକୁରଙ୍କ ସେବାରେ ଖର୍ଚ୍ଚ କରିବାପାଇଁ ଚାରି ପଇସା ଦେବାକୁ ସେ କୁନ୍ଥୁ କୁନ୍ଥୁ ହେବ, ତାର ମଜା କାଢ଼ିବା ଦରକାର ।

 

ଚାରି ଜଣ ଭେଣ୍ଡିଆ ପାଇକଛା ଭିଡ଼ି ବାହାସ୍ଫୋଟ ମାରି ବାହାରି ପଡ଼ିଲେ ।

 

ବାବନା ତାର ବଳିଲା ବଳିଲା ବାହୁରେ ହାତ ପକାଇ କହିଲା, ବୁଝ ହୁସିଆର । ଅହିଲାର ଦାଣ୍ଡ ଆଗ ଯେ ମାଡ଼ିବ, ତାର ବେକ ଧରି ଆଗ ମୁଁ ମୋଡ଼ି ଦେବି । ଛି, ଛି, ଏଇ ତମର ଠାକୁର ସେବା । ପରର ମନରେ କଷ୍ଟ ଦେଇ, ପରର ଆଖିରୁ ଲୁହ ଝରାଇ ତୁମେ ଯାହାର ଅଣ୍ଟାରୁ ପଇସା ଖସାଇ ଆଣିଲ, ସେହି ବୀର ଜେନାର ଅବସ୍ଥା ଆଜି କଅଣ ହେବ ମନେ କଲ ? ଓଷଦ ପାଣି ନ ପାଇ ଯଦି ତାର ସ୍ତ୍ରୀ ମରେ, ସେ ଦୋଷ କାହା ମୁଣ୍ଡରେ ପଡ଼ିବ ? ଯେଉଁ ପ୍ରତିମାର ସେବା ପାଇଁ ତାର ସ୍ତ୍ରୀକୁ ମଲାମୁହଁରେ ଥୋଇ ଦେଇ ଆସିଛ, ତମର ଠାକୁରେ ତାକୁ ଏ ଯାତ୍ରାରୁ ରକ୍ଷା କରିପାରିବେ ?

 

କଣ୍ଠ କହିଲେ, ବିଶ୍ୱାସ ଥିଲେ ନିଶ୍ଚୟ ଠାକୁରେ ରଖିବେ ।

 

ବାବନା କହିଲା, ତା ଯଦି ହେଉଥାନ୍ତା, ନାଗବାଲି ଗାଁରେ ଗଜା ବଅସରୁ ଭେଣ୍ଡିଆଗୁଡ଼ାକ ପଟ୍‌ପାଟ୍ ମରିଯାଆନ୍ତେ ନାହିଁ । ଏ ଗାଆଁର ବାରଣା ଘର ଆଜି ଭାଙ୍ଗି ଭୂଇଁରେ ଲୋଟୁ ନ ଥାନ୍ତା । ଲୋକେ ପେଟବିକଳରେ ଘରଦ୍ୱାର ପିଲା କୁଟୁମ୍ବ ଛାଡ଼ି ଏଣେତେଣେ ପଳାଉ ନ ଥାନ୍ତେ । ବିନୋଦିଆ ତମରିମାନଙ୍କ ପାଇଁ କୁଆଡ଼େ ଗଲା ଯେ, ଆଉ ଫେରିଲା ନାହିଁ । ଶିରିଆ ପିଲାଛୁଆ ଛାଡ଼ି କାଲି କଲିକତା ପଳାଇବ । ଆଜି ଯଦି ବୀରର ଭାରିଯା ମରେ, କାଲି ସକାଳୁ ନିଶ୍ଚେ ସେ ତୁମମାନଙ୍କୁ ପଛ କରି, ତୁମର ଗାଁ ଛାଡ଼ି କୁଆଡ଼େ ପଳାଇଯିବ । ଏପରି କେତେ ଗଲେଣି, କେତେ ଯିବେ; ତୁମର ବି ବେଳ ଆସୁଛି । ତୁମକୁ ବି ଯିବାକୁ ପଡ଼ିବ । ଆଗରୁ ସାବଧାନ ହୁଅ । କାମକାର୍ଯ୍ୟ ନାହିଁ ବୋଲି ଗାଁରେ ଅଳସୁଆ ହୋଇ ବସି ନିଜେ ନିଜର ଅନିଷ୍ଟ କର ନାହିଁ । ପସ୍ତାଇବାକୁ ପଡ଼ିବ । କାନ୍ଦି କାନ୍ଦି ତୁମର ଆଖିରୁ ଲୁହ ଶୁଖିବ; ତଥାପି ଦୁଃଖ ଯିବ ନାହିଁ । କାମ ନାହିଁ ଯଦି, ଗାଁ ଲୋକେ, ତୁମର ଖୋଳ କରତାଳ ଭାଙ୍ଗି ପାଇକଛା ଭିଡ଼ି ବାହାରିପଡ଼ । ଏକା ଦିନକେ ଗାଁ ପୋଖରୀରୁ ଦଳ ସଫା ହେବ । ସାତ ଦିନ ଭିତରେ ଗାଁରେ ସବୁ କୂଅ ଉଝୁଳା ହେବ । ମାସକ ଭିତରେ ଗାଁ ଦାଣ୍ଡ ସଫା ହୋଇ ହସିଉଠିବ । ଗାଁ ଗୋହିରୀରେ ତିନି ହାତ ବହଳରେ ମାଟି ପକାଇବା । ତେଣିକି ଆଉ କାହାରିକୁ ଜର, ସର୍ଦ୍ଦି, କାଶ ହେବ ନାହିଁ !

 

ରାଧୁ କହିଲେ, ବେଠି ନ କଲେ ଚଳୁଛି ?

 

ବାବନା କହିଲା, ତୁମର କାମ ତୁମେ କରିବ । ରାଧୁଙ୍କ ଦକ୍ଷିଣପଟ ଚାଳିର କାନ୍ଥ ଭାଙ୍ଗି ପଡ଼ିଛି, ଚାଲ ମାଟି ଚକଟି କାନ୍ଥ ଦେବା । କଣ୍ଠଙ୍କ ଓରା ଖସିଛି, କେତେବେଳେ ଖସି ପଡ଼ିବ କିଏ ଜାଣେ ! ଚାଲ ତାକୁ ଟେକାଟେକି କରିବା । ବୀରର ସ୍ତ୍ରୀ ବେମାର, ଚାଲ ଗାଁ ଚାନ୍ଦାରୁ ଦଶ ଟଙ୍କା ଦେଇ ତାର ଚିକିତ୍ସାପାଇଁ ତାକୁ କଟକ ନେବାକୁ ଚେଷ୍ଟା କରିବା । ଗରିବ ଅଲିର ଘର ଭାଙ୍ଗି ପଡ଼ିଛି, ଚାନ୍ଦା ଟଙ୍କାରେ ତାର ଘର ତୋଳିଦେବା । ଏପରି କେତେ କାମ ଆମପାଇଁ ପଡ଼ି ରହିଛି । ହିଂସା, ବାଦ, ପର ଆପଣା ଭୁଲି ଯଦି ଏହିସବୁ କାମ ଏକଯୋଟ ହୋଇ ଗ୍ରାମବାସୀଏ କର, ତେବେ ଠାକୁର ସେବା ଦରକାର ପଡ଼ିବ ନାହିଁ । ଠାକୁରେ ଧନ, ଜନ ଗୋପ ଲକ୍ଷ୍ମୀ ଘେନି ତୁମରି ପଛେ ପଛେ ଯାଚି ଗୋଡ଼ାଇବେ । ତୁମର ଦୁଃଖ ଦୂର ହେବ । ଭଗାରୀ ଗାଁର ଲୋକେ ଦେଖି ତାଟଙ୍ଗା ହୋଇଯିବେ, ଧନ୍ୟ ଧନ୍ୟ କହିବେ ।

 

କଣ୍ଠ ମଦନାକୁ ଆଖି ଠାରିଲେ । ମଦନା ହଟକୁ ଚାହିଁଲା । ହଟ ଦର୍ଶନର ହାତ ଚିମୁଟିଲା । ତା’ ପରେ ହୋ ହୋ ହୋଇ ଲୋକେ ବନ୍ଧ ଉପରକୁ ଗଲେ । ବାବନା ଏକୁଟିଆ କଦମ ଦାଣ୍ଡରେ ଠିଆ ହୋଇ ମହାବୀରଙ୍କର ସିନ୍ଦୂରବୋଳା ପ୍ରତିମା ଆଡ଼କୁ କଟମଟ କରି ଚାହିଁରହିଲା ।

•••

 

୨୮

 

ଛାଇ ନେଉଟା ବେଳ । ଶିରିଆ ଚାନ୍ଦଘର ଆଗରେ ଡାକିଲା, ଖୁଡ଼ି ଲୋ ! ପାଟି ବାରି ଅହିଲା ତରତରରେ ଛାଞ୍ଚୁଣୀମୁଠାକ ପକାଇଦେଇ ଘର ଭିତରୁ ବାହାରି ଆସି କହିଲା, ଏତେ ଦିନକେ ଇଆଡ଼େ ଟିକେ ଆସିବାକୁ ତୋର ମନ ହେଲା କିରେ ଶିର ?

 

ଶିରିଆ କହିଲା, ଆଉ କାହିଁକି ଏଣେ ଆସିବି ? ଏ ଗାଁରେ ଧର୍ମ ଅଧର୍ମ ବିଚାର ନାହିଁ । ତୁମରି ଆଗରେ ଦିନ ଦିପହରେ ଦାଣ୍ଡ ମଝିରେ ମୋର ଗାଈ ଗୋରୁ ନିଲାମ କରିନେଲେ । ଡରିହରି ଏଠୁ ଘର ଭାଙ୍ଗି ଧାନଘର ପଡ଼ାରେ ଆଶ୍ରା ନେଇଛି । ପିଲାଛୁଆ ମୋର ଖାଇବା ବିନା ରହିଲେ । ଘରେ ବସିଲେ କେହି କୁଆଡ଼ୁ ଦେବ ନାହିଁ । ପିଲାଙ୍କ ମୁହଁରେ ଆଧାର ଦେବି କିପରି ?

 

ଅହିଲା କହିଲା, ଚାନ୍ଦ ମାଉସୀର ଟଙ୍କା ଯେଉଁମାନେ ଚୋରି କରିଛନ୍ତି, ଲୋକେ ସେମାନଙ୍କୁ ସନ୍ଦେହ କଲେଣି । ହେଲେ ବିନା ପ୍ରମାଣରେ ଭରସି କରି କେହି କିଛି କହିପାରୁ ନାହାନ୍ତି ।

 

ଶିରିଆ କହିଲା, ଯିଏ ଚୋରି କରୁ ଦୋଷୀ ହେଲି ମୁଁ । ଦିନରାତି ଯେ କରୁଛନ୍ତି, ସେ ବଳେ ମୋର ଦୁଃଖ ବୁଝିବେ । ମୋର ପିଲାଙ୍କର ନାଗନିଶ୍ୱାସ ଅବଶ୍ୟ ତାଙ୍କ ଉପରେ ପଡ଼ିବ । ମୁଁ ମକଦ୍ଦମା କରିବାକୁ ଯାଉନାହିଁ । କାହା ବଳରେ ଯିବି ? ସମସ୍ତେ ମୋର ବିପକ୍ଷ ।

 

ଅହିଲା ତୁନି ରହିଲା ।

 

ଶିରିଆ କହିଲା, ପିଲାଛୁଆଙ୍କୁ କାହା ଘରେ ଛାଡ଼ି ଆଜି ରାତିରେ ମୁଁ କଲିକତା ଯିବାକୁ ବସିଛି । ବିନା ଦାଦି ସାଙ୍ଗେ କେବେ ହେଲେ ଦେଖାହେବ । ଯଦି କିଛି ଖବର ଥାଏ କହ ।

 

ଅହିଲା କହିଲା, ଯାହା ଦେଖି ଯାଉଛୁ କହିବୁ । ଏତେ ଦହଗଞ୍ଜ ହୋଇ ଆଉ ମୁଁ ଚଳିପାରିବି ନାହିଁ । ଏଣିକି କେବେ କୂଅ ପୋଖରୀକୁ ଡ଼େଇଁ ପଡ଼ିବି । ସେ ଆସି ତାଙ୍କ ଝିଅକୁ ନେଇ ଯାଆନ୍ତୁ । ମୁଁ ଆଉ ଚଳାଇ ପାରିବି ନାହିଁ । ଅହିଲାର ଆଖି ଛଳଛଳ ହେଲା ।

 

ଶିରିଆ ଥଙ୍ଗେଇ ଥଙ୍ଗେଇ କହିଲା, ମୋର ଆସିବାର କଥା ସେହି ବୁଲି ଛଡ଼ା ପାଇଁ । ଚଉଧୁରୀ ବୁଲିକୁ ଜବରଦସ୍ତି ବାନ୍ଧି ନେଇଗଲେ । ମୋର ଆଜି କଲିକତା ଯିବାକୁ ରେଳଭଡ଼ା ନାହିଁ-। ତୁମ ଘର ତ ଭାଙ୍ଗିଲା, ଯେଉଁ ଟଙ୍କା ଦେଇ ଥିଲି, ସେ ତ କିଛି ଖର୍ଚ୍ଚ ହୋଇ ନ ଥିବ ।

 

ଦୀର୍ଘଶ୍ୱାସ ଛାଡ଼ି ଅହିଲା କହିଲା, ତୋ ଯିବା ସଙ୍ଗେ ସଙ୍ଗେ ଚଉଧୁରୀ ଆସି ତାଙ୍କ କାଢ଼ିଆ ଟଙ୍କାର ସୁଧ ବାବଦକୁ ସେତକ ମୋଠାରୁ ନେଇଗଲେ । ସେ ଯାହାହେଉ, ଟଙ୍କାପାଇଁ କଲିକତା ଯିବା ବନ୍ଦ ରହିବ ନାହିଁ । ଯୁଆଡ଼ୁ ଯେମିତି ଯୋଗାଡ଼ କରିବାକୁ ହେବ ।

 

ଶିରିଆ କହିଲା, ଯଦି ହାତରେ ଅଛି ଟଙ୍କାଏ ମସାଏ ଦେଲେ ବଡ଼ ଉପକାର ହୁଅନ୍ତା ।

 

ଅହିଲା କହିଲା, ହାତରେ କୁଆଡ଼ୁ ଆସିବ ପୁଅ ? ମୋର ତ ଭେଣ୍ଡାପୁଅ ରୋଜଗାରିଆ ନାହିଁ । ଗୋବର ଗୋଟେଇ ଘସି ପାରି ଶୁଖିଲା ଘସି ବିକି ପଇସାଏ ଅଧଲାଏ କରି ଚାରଣା ହାତରେ ରଖିଥିଲି । ଆଜି କିଛି କାମ ମିଳିଲା ନାହିଁ କି ଖାଇବାକୁ ମିଳିଲା ନାହିଁ । ପଇସା ଚାରଣା ନେଇ ଦିବା ଦୋକାନକୁ ସଉଦା ଆଣିବାକୁ ବାହାରିଛି, ଚାନ୍ଦା ନେବାକୁ ଗାଁବାସୀ ଆସି ପହଞ୍ଚିଲେ । ତା’ ଭିତରୁ ଦିଜଣ ଯାଇ ମୋ ଥାଳି କଂସା ଧଇଲେ । ପଇସା ଦେଇ ନ ଥିଲେ କି ସେମାନେ ମୋ ମହତ ରଖିଥାଆନ୍ତେ ? ମୁଁ ଡରି ହରି ଚାରଣା ପଇସା କାନିରୁ ଫିଟାଇ ତାଙ୍କୁ ଦେଲି । ଆସି ଏତେବେଳ ହେଲାଣି, ମା ଝିଅ ଦିହେଁ ଓପାସରେ ବସିଥିଲୁ । ଚାନ୍ଦ ମାଉସୀ ମତୀକୁ କୁଆଡ଼େ ନେଇ ଯାଇଛି ।

 

ରାଗରେ ଶିରିଆ ଆଖି ତରାଟି ଦାନ୍ତ ଚୋବାଇ କହିଲା, ସତେ କାହାରି ଟିକେ ଦୟା ନାହିଁ ? ସମସ୍ତେ ସେମାନେ ପଶୁ ?

 

ଅହିଲା କହିଲା, ଯାହା ହେବାର ହୋଇସାରିଛି । ଭାବିଲେ ଲାଭ ନାହିଁ । ଯେଉଁମାନେ ନିଜ ଘରର ହାନିଲାଭ ବୁଝୁ ନାହାନ୍ତି, ସେମାନେ ପରର ସୁଖ ଦୁଃଖ କଥା ବୁଝିବେ ନାହିଁ । ମୋର ସେହି ଥାଳିକଂସା ଉପରେ ତାଙ୍କର ନଜର ପଡ଼ିଲାଣି । ସେମାନେ ଯେବେହେଲେ ସେତକ ଉଠାଇ ନେବେ । ଟିକିଏ ରହ, ଆଗରୁ ମୁଁ ସେତକ ଭଜନା ଘରେ ବନ୍ଧା ଦେବି । ଟଙ୍କାଏ ମସାଏ ଯାହା ସେ ଦେବେ ତୋତେ ଦେବି । ତିନି ଓଳିରେ ତ ଓଳିଏ ମୋର ଚୁଲି ଜଳୁ ନାହିଁ । ପର ଅଇଁଠା ସଙ୍କୁଡ଼ି ଖାଇ ମୋର ବେଳ ଯାଉଛି । ମୋର ଥାଳି କଂସା ଲୋଡ଼ା ନାହିଁ । ଶିରିଆ କାନରେ ହାତ ଦେଲା । ତାର ଆଖିପତା ଓଦା ହୋଇ ଆସିଲା । ସେ ଉତ୍ତେଜିତ ହୋଇ କହିଲା, ଗରିବର ମୁହଁରୁ ଆଧାର କାଢ଼ିନେବାର ପ୍ରକୃତି ମୋର ନାହିଁ । ପାରିବି ଯଦି ସତ୍‌ ଉପାୟରେ ପରିଶ୍ରମ କରି ପିଲାଙ୍କ ତୁଣ୍ଡରେ ପାଣି ଦେବି । ନ ପାରିଲେ ଚଉଧୁରୀଙ୍କ ଧାନ ଅମାର ପରି ସଂସାରରେ କେତେ ଧାନ ଅମାର ରହିଛି । ଜେଲଖାନାକୁ ମାମୁ ଘର ମନେକଲେ ଗରିବ ଧନ ଯେଉଁମାନେ ବଳତ୍କାରରେ ଅପହରଣ କରି କୁବେର ବୋଲାଉଛନ୍ତି, ତାଙ୍କ ଭଣ୍ଡାର ଜୂର କରିବି । ଗରିବର ଦାଣ୍ଡ ଦୁଆରେ ଥୋଇବି । ଏପରି କରିବା ସାହସର କଥା ନୁହେଁ । ମୁଁ ଚୋର ନ ହୋଇ ଲୋକଙ୍କ କଥାରେ ଚୋର ବୋଲାଇଛି । ସତେ ସତେ ଚୋର ହେବାକୁ କି ଡକେଇତି କରିବାକୁ ମୋର ଲାଜସରମ କି ଡରଭୟ ଆଉ ନାହିଁ ।

 

ଅହିଲା ବ୍ୟସ୍ତ ହୋଇ କହିଲା, ଛି, ଶିର, ହୋସ ଥାଉଣୁ ସେପରି ଖରାପ ଭାବନା ମନକୁ ଆଣନା । ଚଳାଇବାକୁ ଠାକୁରେ ଅଛନ୍ତି । ସେ ସବୁ ଦେଖୁଛନ୍ତି, ସବୁ ବୁଝୁଛନ୍ତି । ଯେଉଁମାନେ ଅନ୍ୟାୟ ଅନୀତି କରୁଛନ୍ତି, ଗରିବଙ୍କୁ ଦୁଃଖ ଦେଉଛନ୍ତି, ଠାକୁରେ ତାଙ୍କ କଥା ବଳେ ବୁଝିବେ ।

 

ନାଇଁ ଖୁଡ଼ି, ଆମ ବାଉରି କଣ୍ଡରା ପାଣଙ୍କ ପାଇଁ ଠାକୁରେ ନାହାନ୍ତି । ଯଦି କେହି ଥିବେ, ସେମାନେ ଅଜାତିଆ, ନିର୍ବୁଦ୍ଧିଆ, ଚୋର, ଅଛୁଆଁ ! ତାଙ୍କର ଦେଖିବାର କି ବୁଝିବାର ଶକ୍ତି ନାହିଁ । ଖୁଡ଼ି ଲୋ, ଗରିବଙ୍କ ପାଇଁ ବଡ଼ଲୋକର ଠାକୁରଙ୍କ ମନ ତରଳେ ନାହିଁ ।

 

ଅହିଲା ସାମାନ୍ୟ ହସି କହିଲା, ହଉ ମୁଁ ଭଜନା ଘରୁ ଆସେ । ତୁ ଟିକିଏ ଅପେକ୍ଷା କର-

 

ଶିରିଆ କହିଲା, ଦରକାର ନାହିଁ । ମୁଁ ମୋର ବାଟ ଖର୍ଚ୍ଚ ଯୋଗାଡ଼ କରି ନେବି । ତୁମର ଟଙ୍କାପାଇଁ ବ୍ୟସ୍ତ ହେବା ଲୋଡ଼ା ନାହିଁ । ମୁଁ କଲିକତାରେ ନିଶ୍ଚୟ ବିନା ଦାଦିକୁ ଦେଖିବି । ଆଗ ତାକୁ ପରସ୍ତେ ଶୋଧନା ନ ଦେବାଯାଏ ମୋ ମନରେ ଶାନ୍ତି ନାହିଁ । ତେଣିକି ମୁଁ ତାଠୁଁ ଟଙ୍କା ଆଦାୟ କରିନେବି ଯେ !

 

ଶିରିଆ ଧୀରେ ଧୀରେ ସେଠାରୁ ଚାଲିଗଲା ।

 

ଅହଲା ସ୍ଥିର ଚକ୍ଷୁରେ ତାର ଯିବା ବାଟକୁ ଅନାଇ ରହିଲା । ଭାବିଲା, ସେ ପାଣଘର ପୁଅ ହେଉ ପଛେ ତା ମନ ସୁନାରେ ଗଢ଼ା । ସେ ମୋ ଘରକୁ ପୁଣି ଆସିଥିଲା, ଏହା ଜାଣିଲେ ଚଉଧୁରୀ ଆଉ ଗ୍ରାମଲୋକେ ନିନ୍ଦା କରିବେ, ବଦନାମୀ କରିବେ । ଯାହା କହିବାର ତୁମେ କହୁଥା ମ, ସେ ସବୁ ତୁମମାନଙ୍କ ମନତଳେ ଛପଲା ଅସନା ଆଶାର ଚିଡ଼ିଲା କୁହାଟ । ମୋତେ ଅଛପା ନାହିଁ ମ, ତୁମମାନଙ୍କ ପୋଡ଼ା ଆଖିର ବାଙ୍କୁଲୀ ଚାହାଣୀ ଓ ନଳ ସରସର ପାଟିର ଗୋଜଗୋଜିଆ ହସ ମୁଁ ଦେଖିଛି । ତୁମ ମନ କଥା ମୁଁ ବୁଝିଛିରେ ଚୁଲିପଶାମାନେ, ତୁମେ ଗୋଟି ଗୋଟି ହୋଇ ବିଲେଇ ବୈଷ୍ଣବ । ଶିରିଆର ଗୋଡ଼ତଳକୁ ସରି ନୁହଁ ।

•••

 

୨୯

 

ଭକ୍ତବୃନ୍ଦ ଖୋଳକରତାଳ ଧରି ସଂକୀର୍ତ୍ତନ ଆରମ୍ଭ କଲେ । କୃଷ୍ଣପ୍ରେମରେ ଉନ୍ମତ୍ତ ହୋଇ କେତେଜଣ ଉପରକୁ ହାତ ଟେକି କଦମ୍ବ ଦାଣ୍ଡ ଧୂଳି ଉପରେ ଢଳି ଢଳି ନାଚିବାକୁ ଲାଗିଲେ, ଅବିର ଗୁଣ୍ଡରେ ଆବାଳବୃଦ୍ଧ ସମସ୍ତଙ୍କର ମୁଣ୍ଡ ଲାଲ । ଗାଁ ଲୋକଙ୍କୁ ଆଜି ତିନିଖୁଣ ମାଫ୍‌ ! ଜାତି, ଅଜାତି, ବଡ଼ ସାନ, ମାନ୍ୟ ଅମାନ୍ୟ ବାରଣ ନାହିଁ । ପ୍ରେମାକୁଳ ପ୍ରାଣରେ ନାଚୁ ନାଚୁ ଆତ୍ମହରା ହୋଇ ପୁଅ ବାପର ଛାତିରେ ଢଳି ପଡ଼ୁଛି, ଭାଇ ଭାଇର ମୁହଁରେ ଚନ୍ଦନ ଅବିର ବୋଳୁଛି ! ଧନ୍ୟ ଭକ୍ତି !

 

ସଂକୀର୍ତ୍ତନ ଶେଷ ହେଲା । ବଟ ଚଉଧୁରୀ ଯୋଡ଼ହସ୍ତ ହୋଇ ଗଦ୍‌ଗଦ୍‍ କଣ୍ଠରେ କହିଲେ, ଧନ୍ୟ ପ୍ରଭୁ ସବୁ ତୁମରି ମହିମା ! କିଏ ଜାଣିଥିଲା ନାଗବାଲି ଗାଁଦାଣ୍ଡ ଦିନେ ଏପରି ହାଲୋଳ ହୋଇ ହସି ଉଠିବ ? ପତିଙ୍କ ହାତରୁ ଚଅଁର ଛଡ଼ାଇନେଇ ଢଳିଢଳି ବିମାନ ଆଗରେ ଚାମର ପକାଇ ଚଉଧୁରୀ କହିଲେ, ଆରେ କଣ୍ଠ, ଆଉ ଡେରି କର ନା । ଅମର ଆଗରୁ ଯାଇ ଅରିଲୋ ଦାଣ୍ଡରେ ଜାଗା ମାଡ଼ି ବସିଥିଲେ ସୁବିଧା ହେବ ।

 

କଣ୍ଠ କହିଲେ, ଆଜ୍ଞା ହଁ । ସବୁ ପ୍ରକାର ଆୟୋଜନ ନ କରି ଗଲେ ହଇରାଣ ହେବାକୁ ପଡ଼ିବ । ମୁଁ କହୁଛି, ଲାଠିବାଲାମାନେ ଦି ଧାଡ଼ି ହୋଇ ଆଗରେ ଚାଲନ୍ତୁ । ତା ପଛକୁ ଫୁଲଗଛ, ପାଂନସ, ଆଲୁଅ । ତା ପଛରେ ସଂକୀର୍ତ୍ତନ ଦଳ । ଗଉଡ଼ମାନେ ଠାକୁର କାନ୍ଧେଇ ସଂକୀର୍ତ୍ତନିଆଙ୍କ ପଛରେ ଚାଲିବେ । ସବା ପଛରେ ପାଣ କଣ୍ଡରା ବାଉରି ଯିବେ ।

 

ଚୌଧୁରୀ କହିଲେ ବେଶ୍‌, ତୁମରି କଥା ହେଉ ।

 

ବାବନା କହିଲା, ବଟ ଅଜା ଯେ ମୁରବି ଲୋକ । ସେ ସମସ୍ତଙ୍କ ଆଗେ ଆଗେ ଚାଲିବେ । ଡେଙ୍ଗା ମୁଣ୍ଡରେ ପ୍ରଥମ ଠେଙ୍ଗା ବାଜିବ । କଣ୍ଠ ଦାଦି ଯାହା କହିଲେ, ବାଉରି କଣ୍ଡରା ପାଣ ପଛରେ ଯିବେ ତାହା ଠିକ୍‌ହେବ ନାହିଁ । ଠାକୁରେ ସଭିଙ୍କର । ଜାତି ଭେଦ ଧରି ତାଙ୍କୁ ଏତେ ହତାଦର କରିବା ଉଚିତ୍‌ ନୁହେଁ । ଅନ୍ତତଃ ଆଜି ଦିନଟା ସେମାନେ ଆମ ସଙ୍ଗରେ ଯୋଗ ଦେଇ ଆମ ଭିତରେ ଚାଲନ୍ତୁ । ସବୁଦିନେ ଅନ୍ୟାୟ କରୁଛ, ଦିନେ ନ୍ୟାୟ ବିଚାର କର ।

 

କଣ୍ଠ ବ୍ୟସ୍ତ ହୋଇ କହିଲେ, ଆରେ ବାବନା, ତୁ ସବୁଦିନେ ବାୟା । ଯେତେ ବୁଝାଇଲେ ବୁଝୁନାହୁଁ । ସେମାନେ ହେଲେ ଛୋଟ ଲୋକ, ଅସ୍ପୃଶ୍ୟ ଲୋକ । ଆମ ସଙ୍ଗେ ସାଙ୍ଗସରିସା ହୋଇ ଚାଲିଲେ କଅଣ ସୁନ୍ଦର ଦିଶିବ ? ଲୋକେ କଅଣ କହିବେ ?

 

କଣ୍ଠଦା, ଗୋଟିଏ କଥା ପଚାରିବି କହିବ ?

ପଚାର ।

 

ତୁମେ କଅଣ ଭାବିଛ ଏଥର ମଲେ ତୁମେ ସବୁ ମୁକ୍ତ ହୋଇ ବୈକୁଣ୍ଠ ଲାଭ କରିବ, ଆଉ ସଂସାରରେ ଜନ୍ମ ହୋଇ ସଂସାରର ସୁଖ ଦୁଃଖ ଭୋଗିବ ନାହିଁ ?

 

ବଟ ଚୌଧୁରୀ କହିଲେ, ସେକଥା କିଏ କହିବ, ପୋଥି କହିଛି ଜନ୍ମ ହେଲେ ମରଣ ଯେପରି ଧ୍ରୁବ, ମଲେ ଜନ୍ମ ହେବା ସେହିପରି ନିଶ୍ଚୟ । ଆମେ ଯୋଗୀ ଋଷି ନୋହୁ !

 

ବାବନା ପଚାରିଲା, ଆପଣମାନେ ମଲେ ପୁଣି ମଣିଷ ହୋଇ ଜନ୍ମ ହେବେ ତ ?

 

କଣ୍ଠ କହିଲେ, ନିଶ୍ଚୟ ! ଯେ ଥରେ ମଣିଷ ଜନ୍ମ ପାଇଛି, ସେ ଆଉ ଇତର ଜନ୍ମ ପାଇବ ନାହିଁ ।

 

ଆପଣମାନେ ବ୍ରାହ୍ମଣ କରଣ ଚଷା ଘରେ ଜନ୍ମ ହେବେ ତ, ଠିକ୍‌ ଜାଣନ୍ତି ? ଯଦି ହାଡ଼ିପାଣ ଘରେ ଜନ୍ମ ହୁଅନ୍ତି, ତେବେ ସର୍ବନାଶ । ଯେଉଁମାନଙ୍କୁ ଛୋଟ ଲୋକ ବୋଲି ହତାଦର କରୁଛ, ସେମାନେ ଯଦି ବ୍ରାହ୍ମଣ କରଣ ହୁଅନ୍ତି, ତୁମ ଉପରେ ଦାଉସାଧିବାର ସୁଯୋଗ ପାଇବେ । ଉଧାର ସେରକ ପାଞ୍ଚପା ହେବ ପଛେ, ତିନିପା ହେବ ନାହିଁ । କଅଣ କହୁଛ କଣ୍ଠଦା ?

 

କଣ୍ଠ ତୁନି ହୋଇ କିଛିକ୍ଷଣ ଚିନ୍ତା କଲେ । ଖୋଜି ଉତ୍ତର ପାଇଲେ ନାହିଁ ।

 

ବାବନା ହସି ହସି କହିଲା, ମୁଁ ସେଥିଲାଗି କହୁଛି, ନିଜର ଭବିଷ୍ୟତ ପାଇଁ ଆଜିଠାରୁ ଆସ ସମସ୍ତେ ଭେଦଭାବ ଭୁଲି ସମାନ ହୋଇଯିବା । ହାଡ଼ି ପାଣ ଘରେ ଜନ୍ମ ହେବାର ଡର ଭୟ ନ ଥିବ । ଆଜି ଯେ ହାଡ଼ି, କାଲି ବ୍ରାହ୍ମଣ ହୋଇ ଆମରି ଉପରେ ଓଲଟି ଅତ୍ୟାଚାର କରିବାର ଚିନ୍ତା ନ ଥିବ ।

 

ଚଉଧୁରୀ କହିଲେ, ସେସବୁ ବାଜେ କଥା, ଧର୍ମଛଡ଼ା କଥା ଶୁଣିଲେ ପାପ । ଛାଡ଼ କଣ୍ଠ, ଏତେ ବାଦାନୁବାଦ ତର୍କ ବିତର୍କ ନ କରି ସହଳ ସହଳ ସମସ୍ତେ ବାହାରିପଡ଼ । ରାତି ଆସି ଦି ଘଡ଼ି ହେଲା । ବସିଥିଲେ ବସିଥିବ । ଏତେ ବଡ଼ ନିମିତ୍ୟ, ଯେପରି ସୁନାମ ସହିତ ସୁରୁଖୁରୁରେ ଉଠିଯାଏ, ଆଗ ତାର ବ୍ୟବସ୍ଥା କର ।

 

କଣ୍ଠ ପଚାରିଲେ, ଆପଣ ଆମ ସଙ୍ଗରେ ଯିବେ ତ ?

ବଟ ଚୌଧୁରୀ କହିଲେ, ମୁଁ ଟିକିଏ ଛାଡ଼ି ତୁମ ପଛେ ପଛେ ସପନାକୁ ସଙ୍ଗରେ ନେଇ ଯାଉଛି ।

କଣ୍ଠ ଚିତ୍କାର କଲେ, ଆନନ୍ଦେ ଏକବାର ହରିବୋଲ ।

ତାଙ୍କର ବଜ୍ରଗମ୍ଭୀର ସ୍ୱର ସମସ୍ତଙ୍କର ତୁଣ୍ଡରେ ପ୍ରତିଧ୍ୱନିତ ହେଲା । ଲୋକେ ଦ୍ୱିଗୁଣ ଉତ୍ସାହରେ ଆଗକୁ ଚାଲିଲେ । ନାଗବାଲି ଦାଣ୍ଡ ଶୂନ୍ୟ ହେଲା ।

•••

 

୩୦

ଜହ୍ନି ଫୁଲ ପରି ତୋରା ଜହ୍ନ ଆଲୁଅ ଗାଁ ଦାଣ୍ଡରେ ବିଛେଇ ହୋଇପଡ଼ିଛି । କଦମ୍ବ ଗଛ ତଳ ଧୂଳି ଉପରେ ଆଲୁଅ ଛାଇର ଅଭିନବ ସମାବେଶ । ବାବନା ନୀରବରେ ମହାବୀରଙ୍କ ଆଗରେ ଠିଆ ହୋଇ ବିରସ ମନରେ ଭାବୁଛି, ଲୋକେ କେଡ଼େ ମୂର୍ଖ, ନିଜର ଭଲ ମନ୍ଦ ବୁଝିବାକୁ କାହାରି ଇଚ୍ଛା ନାହିଁ, ଭଲ ମନ୍ଦ ବୁଝିବାର ଶକ୍ତି ହୁଏତ କାହାର ନାହିଁ । ପଣଅଜା ଅମଳର କୁପ୍ରଥା ଗୁଡ଼ିକୁ ବିସର୍ଜନ ଦେବାକୁ ସେମାନେ ଅନିଚ୍ଛୁକ । ସେମାନେ ବୁଝିପାରୁ ନାହାନ୍ତି, ପଣ-ଅଜାଏ ଥିଲେ କିପରି, ସେମାନେ ଅଛନ୍ତି କିପରି । ବୁଝି ବିଚାରି କାର୍ଯ୍ୟ ନ କରି ତ ଦଶା ବାରଣ୍ଡା ଦି କଡ଼ା ହେଲାଣି, ଆଉ କେତେ ତଳକୁ ଖସିଲେ ଆଖିଫିଟିବ ! ଦି ଦିନ ପାଇଁ ଗାଁର ଟେକ ରଖିବାକୁ, ଗୋଟିଏ ରାତିରେ ଟିକିଏ ପ୍ରଶଂସା ଶୁଣିବାକୁ ଗରିବର ସର୍ବନାଶ କରି, ତାର ପିଲା ଛୁଆଙ୍କୁ ଗଛମୂଳେ ବସାଇ, ଅନ୍ଧ ହୋଇ ଏମାନେ ଚାହୁଁ ଚାହୁଁ ପଇସା ଦେହରେ ନିଆଁ ଲଗାଇବାକୁ ଧାଇଁଛନ୍ତି । କିଏ ଜାଣେ, ଆଜି ମାରପିଟ କରି କାହାର ସର୍ବନାଶ କରିବେ । ନିଜେ ଗାଁର ମୁହଁ ଉଜ୍ଜ୍ୱଳ କରିବାକୁ ଯାଇ ଜେଲଖାନାରେ ପଶିବେ ।

ବାବନା ଅନାଇଁ ବସିବାର ପିଲା ନୁହେଁ । ତା କଥା କେହି ଶୁଣନ୍ତୁ ନ ଶୁଣନ୍ତୁ, ସେ ନିଶ୍ଚୟ ପଦେ କହିବ । ତାକୁ କେହି ଡାକନ୍ତୁ ନ ଡାକନ୍ତୁ ସେ ନିଶ୍ଚୟ ଯିବ, ଗାଁ ଲୋକଙ୍କୁ ଅବାଟରୁ ଆଣି ବାଟରେ ଛାଡ଼ିବ ।

ଆଗରୁ ଯାଇ ଅରିଲୋ ଦାଣ୍ଡରେ କି କାଣ୍ଡ ସେମାନେ କରି ବସିବେ ତାର କେଉଁ ଠିକ୍-? ଭାବିବାକୁ ବେଳ ନାହିଁ । ବାବନା ଗାମୁଛାଖଣ୍ଡି ମୁଣ୍ଡରେ ବାନ୍ଧି ଗାଁ ଲୋକଙ୍କ ପଛରେ ଚାଲିଲା । କିଏ ଜଣେ କଡ଼ବାଟରେ ଆସୁଥିବାର ଦେଖି ସେ ଅଟକିଲା । ପଚାରିଲା, କିଏ ?

ମୁଁ ଶିରିଆ ।

ଶିରିଆ ପାଖକୁ ଆସିଲା । ହାତଯୋଡ଼ି ପ୍ରମାଣ କଲା । ବାବନା ଶିରିଆର ହାତ ଧରି ସ୍ନେହରେ ପଚାରିଲା, କୁଆଡ଼େ ବାହାରିଲୁ ଶ୍ରୀଧର, ମେଲଣ ଦେଖି ?

ଶିରିଆ ଅଭିମାନ କରି କହିଲା, ଅରିଲୋ ଦାଣ୍ଡରେ ଖାଲି ସାଧୁ ସନ୍ଥ ଭକ୍ତ ବୃନ୍ଦଙ୍କର ମେଲଣ । ଦେବତାମାନେ ସେଠାରେ ସଲବଲ କି କଲବଲ ହେଉଛନ୍ତି । ଶିରିଆ ଜାତିରେ ପାଣ, ତହିଁରେ ପୁଣି ସେ ଚୋର । ଅରିଲୋ ଦାଣ୍ଡରେ ଗୋଡ଼ ପକାଇବାର ପୂଣ୍ୟ, ଅଧିକାର ଓ ସାହସ ତାର ନାହିଁ ।

କୁଆଡ଼େ ବାହାରିଛୁ ତେବେ ?

ଶିରିଆ–ଚୋରି କରିବାକୁ, କଲିକତା । ପିଲାଛୁଆଙ୍କୁ ଗଛତଳେ ଛାଡ଼ି ଯାଉଛି । ହରି ଭରସା । ଭାବିଥିଲି ସଙ୍ଗରେ କଲିକତା ନେଇଯିବି । ପୁଣି ଭାବିଲି, ନା, ତୁମରି ଆଗରେ ଏହି ନାଗବାଲି ମାଟି ଉପରେ ଜନ୍ମ ନେଇଛନ୍ତି, ତୁମରି ଆଖି ଆଗରେ ମରି ଏହି ନାଗବାଲି ମାଟି ଦେହରେ ମିଶି ଯାଆନ୍ତୁ ।

ବାବନା ଶିରିଆର ହାତ ଛାଡ଼ି କହିଲା, ହଉ ଶ୍ରୀଧର, ଯାଉଛୁ ତ ଯା, ନାଗବାଲି ଗାଁକୁ ଭୁଲିଯିବୁ ନାହିଁ ।

ଶିରିଆ ଚାଲି ଯାଉ ଯାଉ କହିଲା, ଦେହରୁ ଦାଗ ନ ଲିଭିବା ଯାଏ, ଏ ଗାଁ ସବୁବେଳେ ମନେ ପଡ଼ୁଥିବ । ଆଖିରୁ ଲୁହ, ନାକରୁ ଦୀର୍ଘଶ୍ୱାସ ଓ ମନରୁ ଅଭିଶାପ ସବୁବେଳେ ବାହାରୁଥିବ ।

ଶିରିଆ ଚାଲିଗଲା । ବାବନା ବ୍ୟଥିତ ଚିତ୍ତରେ ଅରିଲୋ ଗହୀରର ରାସ୍ତା ଧରିଲା । ଗହୀର ମଝିରେ ଗାଁ ଲୋକଙ୍କ ପାଞ୍ଚ ଲାଇଟ ଦୁଇଟି ଉଜ୍ଜ୍ୱଳ ହୋଇ ଜଳୁଥାଏ । ବଢ଼ାବୁଢ଼ୀ ପ୍ରତିମା ଦିଓଟି ପଛଆଡ଼କୁ ମୁହଁ କରି ଲୋକଙ୍କ ମୁଣ୍ଡରେ ଥାଇ ହଲି ଦୋହଲି ଆଗକୁ ଯାଉଛନ୍ତି । ସତେ କି ବାବନାକୁ ଡାକୁଛନ୍ତି । ବିମାନ ଦେହରେ ଖଞ୍ଚାହୋଇଥିବା କାଚର ନାଲି ନେଳୀ ବଲ୍ ଗୁଡ଼ିକ ଆଲୁଅରେ ଝଲସି ଉଠୁଛି । ଲୋକଙ୍କର କୋଳାହଳ ଓ ମୃଦଙ୍ଗ ଟିପା ତାର କାନରେ ପଡ଼ୁଛି ।

ବାବନା ବ୍ୟସ୍ତ ହୋଇ ମୁଣ୍ଡରେ ହାତ ବୁଲାଇଲା । ଆଗକୁ ଚାଲିଲା । ମନେ ମନେ ପ୍ରାର୍ଥନା କଲା, ହେ ଠାକୁରେ, ସମ୍ମାନଲାଳସୀ ଉଦ୍ଧତ ଉତ୍‌ପାତିଆ ଗାଁ ଭେଣ୍ଡିଆଙ୍କୁ ସୁବୁଦ୍ଧି ଦିଅ । ସେମାନଙ୍କର ଆଖି ଫିଟାଅ । ସେମାନଙ୍କୁ ସତ୍‌ପଥରେ, ପ୍ରକୃତ ଧର୍ମ ପଥରେ ଚଳାଅ !

•••

 

୩୧

 

ଚଉଧୁରୀ ଠାକୁର ପୂଜା ଶେଷ କଲେ । ସଜବାଜ ହୋଇ ଅରିଲୋ ମେଲଣ ଦେଖିବାକୁ ବାହାରିଲେ । ସେ ଦାଣ୍ଡପିଣ୍ଡାକୁ ଆସିଲେ । ସପନା ଦାଣ୍ଡ ପିଣ୍ଡାରେ ଅପେକ୍ଷା କରିଥିଲା-। ଚଉଧୁରୀ କହିଲେ, ଆଜି ଗୋଟାଏ ଭଲ ଦିନ । ତୋର ପିଲାପିଲି ମେଲଣ ଦେଖିବାକୁ ଯିବେ ନାହିଁ କି ?

 

ଆଜ୍ଞା, ସେମାନେ ଆଗରୁ ଯାଇ ଭେଡ଼ିଗୋଠ ପାଖେ ଅପେକ୍ଷା କରିଥିବେ ।

 

ରାତିବିକାଳି ସ୍ତ୍ରୀ ପିଲାଙ୍କୁ ଏକା ଛାଡ଼ି ଦେବା ଭଲ ନୁହେଁ । ତୁ ଯା, ସେମାନଙ୍କୁ ସଙ୍ଗରେ ନେଇଯିବୁ ।

 

ସାଆନ୍ତେ ଏକୁଟିଆଟା ଯିବେ ?

 

ମୋର ଯିବାର ସ୍ଥିରତା ନାହିଁ । ଯଦି ଯାଏଁ, ଏକା ଚାଲିଯିବି ଯେ । ଜହ୍ନରାତି ମୋର ଭୟ ନାହିଁ । ତୁ ଯା ।

 

ସପନା ଓଳଗି ହେଲା । ଆନନ୍ଦିତ ହୋଇ ସେ ଚାଲିଗଲା । ବଟ ଚଉଧୁରୀ ବାରଣ୍ଡାରେ ଟହଲିବାକୁ ଲଗିଲେ । ପ୍ରାୟ ଅଧଘଣ୍ଟାକ ପରେ ଦାଣ୍ଡ ପିଣ୍ଡାକୁ ତଳକୁ ଓହ୍ଲାଇଲେ । ମାମଲତକାର ଲୋକ । ନ ଗଲେ ନ ଚଳେ । ଗ୍ରାମ ଲୋକେ ମନଦୁଃଖ କରିବେ, ପୁଣି ସେ ଯେଉଁ କାମରେ ହାତ ନ ଦେବେ ସେ କାମ ଅଧା ରହିଯିବ । ଟୋକାଟାକରା ମଣିଷ । ସବୁବେଳେ ଆଖି ଆଗରେ ନ ରଖିଲେ କେତେବେଳେ କଅଣ କରିପକାଇବେ । ସବୁ କାମ ଭଣ୍ଡୁର ହେବ, ଲୋକନିନ୍ଦା ହେବ । ଗାଁ ନାମ ଦିକଡ଼ା ହୋଇଯିବ ।

 

ଚଉଧୁରୀ ଗାଁ ଗୋହିରୀ ଛାଡ଼ି ଡାହାଣ ଆଡ଼କୁ ମୋହିଁଲେ । ଧ୍ରୁବଙ୍କ ବାବାଜୀ ବକରି ତାଙ୍କ ଦେହରେ ଘଷିହୋଇ ଚାଲିଗଲା । ସ୍ନେହରେ ତାର ଦେହରେ ହାତ ବୁଲାଇଦେଲେ । ସେ ଆଗକୁ ଚାଲିଲେ । ବାବାଜୀ ବକରିର ପୂର୍ବ କଥା ମନେ ପଡ଼ିଗଲା । ବାସୁଳେଇ ଠାକୁରାଣୀଙ୍କ ଆଗରେ ବଳିଦେବାକୁ ତାକୁ ଚଉଧୁରୀ ନେଇଥିଲେ ପନ୍ଦର ବର୍ଷ ଆଗେ । ଧ୍ରୁବ ସେଇଠି ଥାଆନ୍ତି । ମହନା ଧୋବା ତିନି ଥର ଚୋଟ ହାଣିଲା । ତିନି ଥର ଯାକ ସେ ଖସି ଆସି ଧ୍ରୁବଙ୍କ ଶରଣ ପଶିଲା-। ଧ୍ରୁବ କାନ୍ଦି ପକାଇଲେ । ତାକୁ କୁଣ୍ଢାଇ ଧରି କହିଲେ, ବଟ, ତୁ ଆଉ ଗୋଟାଏ ଆଣି ବଳି ପକା, ମୋଠୁଁ ଦାମ ନେଇ ୟାକୁ ଛାଡ଼ି ଦେ ।

 

ସେହି ବାବାଜୀ ବକରି ଏ ।

 

ତିନି ଟଙ୍କା ପରିବର୍ତ୍ତେ ସାତ ଟଙ୍କା ସେ ଧ୍ରୁବଙ୍କଠାରୁ ଆଦାୟ କରିଥିଲେ । ଗାଁ ଯାକରେ ହୀରା ଖଣ୍ଡେ ଥିଲେ ଧ୍ରୁବ, ସମସ୍ତେ ତାଙ୍କରି ଆପଣାର । ସମସ୍ତଙ୍କୁ ସେ ବିଶ୍ୱାସ କରନ୍ତି । ଚଉଧୁରୀ ଯାହା କହିଲେ, ସେ ସେଇଆ ଦେଲେ । ଟଙ୍କା କେବଠୁଁ ସରିଲାଣି । ଦେଢ଼ ଟଙ୍କା ଦେଇ ମିଁ ମିଁ କା ଯେଉଁ କଷି ବକରି ବୋଦା ପଡ଼ିଲା, ସେ ଆଜି କେଉଁଠି; କିନ୍ତୁ ବାବାଜୀ ବକରି ଅଛି, ଧ୍ରୁବଙ୍କ କୀର୍ତ୍ତି ମଧ୍ୟ ବଞ୍ଚିଛି, କିଛି ଦିନ ବଞ୍ଚିରହିବ ।

 

ଚାନ୍ଦ ଘର ଆଗରେ ପହଞ୍ଚି ଚଉଧୁରୀ ଏଣେ ତେଣେ ଚାହିଁଲେ । ଜହ୍ନ ଆଲୁଅରେ ଚାରିଆଡ଼ ସଫା ଦିଶୁଥାଏ । ହେଲେ ନିଜ ମନ ଭିତର ତ ଅନ୍ଧାର । ମନ ମାନୁଛି କେଉଁଠି ? ଆଖପାଖରେ କାହାରି ସ୍ୱର ଶବଦ ନାହିଁ, କାହାରି ଦେଖାଦର୍ଶନ ନାହିଁ । ସମସ୍ତେ ନିଜ ନିଜ ଧନ୍ଦାରେ ବ୍ୟସ୍ତ । ଚଉଧୁରୀଙ୍କୁ କିଏ ଚାହିଁ ବସିଛି ? ଚାହିଁ ରହିଛି ଏକା ତାଙ୍କର ଆଖି ଦିଓଟି । ତାଙ୍କ ସଙ୍ଗେ ସଙ୍ଗେ ଗୋଡ଼ାଇ ଚାଲିଛି ତାଙ୍କର ଅଶୋଭନ ପ୍ରକୃତିର ଅଦେହୀ ପ୍ରେତ ।

 

କି ସୁନ୍ଦର ଜହ୍ନିଫୁଲିଆ ନିର୍ମଳ ରଜନୀ । ଜୀବନ ଯଦି ବୟସର ତାତିଲା ବାଆରେ ମଉଳି ନ ଥାନ୍ତା, ଦଶ ବରଷ ଆଗର ସତେଜ ଫୁଟିଲା, ବାସ ଚହଟିଲା, ସବଳ ସରସ ଯୌବନ ଯଦି ଆଜି ଆଗପରି ସେମିତି ନିଖୁଣ ରହିଥାନ୍ତା–ଡର କାହାକୁ, ଭୟ କାହାକୁ ? ମନ ଭିତରେ ପୂନେଇ ଜୁଆରର ଭଟ୍ଟା ଆସନ୍ତା ନାହିଁ ।

 

ଚଉଧୁରୀ ଖଣ୍ଡିକାସ ମାରିଲେ, ଗଳା ଖଙ୍କାରିଲେ ।

 

ଡିବିରି ଧରି ଅହିଲା ଘର ଭିତରୁ ପିଣ୍ଡାକୁ ବାହାରି ଆସୁଥିଲା । ମୁଣ୍ଡରେ ଲୁଗା ନାହିଁ, ମୁକୁଳା ବେଣୀର ଅଲରା ବାଳ ଅଧେ ପିଠି ଉପରେ ଖେଳୁଛି, ଆର ଅଧକ ତୋରା ମୁହଁର ଆଖିଯାଏ ଘୋରାଇ ଢେଉ ଢେଉଆ ଛାତି ଉପରକୁ ଓହଳି ପଡ଼ିଛି । ଡିବିରିର କ୍ଷୀଣ ଆଲୁଅରେ ଦିଶୁଛି, ସତେ କି ତାର ତୋରା ଫୁଟିଲା ମୁହଁରେ ସରାଗ ନାହିଁ, ଆଖିରେ ଝର ପଡ଼ିଛି ।

 

ଚଉଧୁରୀଙ୍କୁ ଭଲ ଲାଗିଲା ।

 

ମଣିଷ ପ୍ରକୃତି ଯେ ଅତି ମନ୍ଦ ! ଗଛରେ ଫୁଟିଛି, ଦେଖିଲେ ମନରେ ଆନନ୍ଦ ଆସେ । ମଣିଷ ସେତିକିରେ ସନ୍ତୁଷ୍ଟ ନ ହୋଇ ଫୁଲକୁ ଛିଣ୍ଡାଇବାକୁ ଚାହେଁ, ଛିଣ୍ଡାଏ, ଯଦି ପାରେ ! ଛିଣ୍ଡାଏ କାହିଁକି ? ଭୋଗପାଇଁ ସିନା । ଭୁଲିଯାଏ ସେ, ଫୁଲଟି ଆଜି ନ ହେଲେ କାଲି ଶୁଖିବ, ତାର ଭୋଗ ଲାଳସାର ଉଠିଲା ମୁଣ୍ଡ ନଇଁ ପଡ଼ିବ । ଏହିପରି କେତେ ଫୁଲ ନିତି ଫୁଟୁଛି, ପୂର୍ଣ୍ଣ ଜୀବନ ଭୁଞ୍ଜିବା ଆଗରୁ ମଣିଷର ଅଦମ୍ୟ ଅରଣା ଲାଳସା ଆଗରେ ବାଧ୍ୟ ହୋଇ ମୁଣ୍ଡ ପାତୁଛି ।

 

ବଟ ଚଉଧୁରୀ ଚାନ୍ଦର ଘର ଭିତରେ ପଶିଲେ । କହିଲେ, ଆଲୋ ଅହିଲା, ତୁ ମେଲଣ ଦେଖି ଯିବୁ ନାହିଁ କି ? ଘରେ ଏକୁଟିଆ ରହି ମନ ଖରାପ କରି କାନ୍ଦୁଛୁ କାହିଁକି ?

 

ଅହିଲା ମୁଣ୍ଡ ଉପରକୁ ଲୁଗା ଟାଣିଲା । ଡିବିରିକୁ ଅଣଆଡ଼ିଆ କରି କବାଟ କଣକୁ ଠେଲି ଦେଲା । ଚାଖଣ୍ଡେ ଚଉଡ଼ାର ଖଣ୍ଡିଏ ପିଢ଼ା ଆଣି ପିଣ୍ଡାରେ ପକାଇ ଦେଲା । ସରମରେ କହିଲା, ବସନ୍ତୁ ! ବଟ ଚଉଧୁରୀ ତାର ଆଗ୍ରହ ରଖି କାନ୍ଥକୁ ଆଉଜି ପିଢ଼ା ଉପରେ ବସିଲେ, କହିଲେ, ନା, ଆଉ ବସିବାକୁ ବେଳ ନାହିଁ । ଗାଁ ଲୋକେ ଆର ବାଟରେ ଅରିଲୋ ମେଲଣକୁ ଚାଲିଗଲେଣି । ଏ ବର୍ଷ ମେଲଣ ଅତି ଜାକ୍‌ଜମକରେ ହେବ । ଅଧେ ଗାଁ ମାଇପେ ଭେଡ଼ିଗୋଠ ବାଟେ ଚାଲିଗଲେଣି । ମୁଁ ବି ଯିବାକୁ ସହଳ ସହଳ ବାହାରି ପଡ଼ିଛି । ମନେ ପଡ଼ିଗଲା, ଭାବିଲି ଟିକିଏ ପଚାରି ଯାଏଁ ?

 

ଅହିଲା ସାମାନ୍ୟ ହସି କହିଲା, ସାଆନ୍ତଙ୍କର ଗରିବ ଉପରେ ଅତି ଦୟା । କଅଣ କରିବି ସାଆନ୍ତେ, ପର ଘରେ ଆଶ୍ରା ନେଇଛି । ଘରକୁ ମୁକୁଳା ପକାଇ କିପରି ମେଲଣ ଦେଖିବାକୁ ଯିବି ? ଚାନ୍ଦ ମାଉସୀ ଥଟ୍ଟାରେ, ଥଟ୍ଟାରେ, କଥାରେ କଥାରେ ମତେ ଚଦି ଯାଉଛି । ତାର ନିନ୍ଦା କରିବି ନାହିଁ, କହିଲେ ଜିଭ ଛିଣ୍ଡି ପଡ଼ିବ । ମତୀ କାନ୍ଦିଲା ବୋଲି ତାକୁ ସେ କାଖେଇ ନେଇଛି, ମେଲଣ ଦେଖାଇବ ।

 

ଚଉଧୁରୀ ପଚାରିଲେ, ଚାନ୍ଦ କଅଣ କହିଲା ?

 

କହିଲା, ସାଆନ୍ତଙ୍କ ଘରେ ଅନେକ ଦିନ ରହିଲିଣି । ମଣିଷର ମୁଲାଇଜା ତ ଅଛି । ମୁଁ ବସିଛି ତାଙ୍କ ଘରୁ ଚାଲିଆସି ନିଜ ଘରେ ରହିବି । ତୁ ଆଉ କେଉଁଠି ଯାଇ ରହ ଲୋ ଅଲି ।

 

ଚଉଧୁରୀ ରାଗିଲା ପରି କହିଲେ, କଅଣ ହେଲା, ଚାନ୍ଦର ଏହି ଧମକକୁ ଡରୁଛୁ ତୁ ? ଅହିଲା, ତାରି ବୁଦ୍ଧିରୁ ତୁ ହଇରାଣ ହେଉଛୁ । ମୁଁ କହୁଛି, ତୁ ମତୀକୁ ନେଇ ଆମ ଘରକୁ ଚାଲିଆ । ମୋର ଘରର ଅଭାବ ନାହିଁ । ତୋ ପରି ଜଣେ ଲୋକକୁ ମୁଠାଏ ଖାଇବାକୁ ଦେବାକୁ ମୋର ବେଶି ଖରଚ ହେବ ନାହିଁ । ମୋ ପିଲାଙ୍କୁ ନିଜପିଲା ପରି ମନେକରି ଚଳାଇନେବୁ ତ ତୋର ପିନ୍ଧିବାକୁ ଦୋଳ ଦଶହରାକୁ ଲୁଗା ଦି’ଖଣ୍ଡ କଅଣ ମୋତେ ମିଳିବ ନାହିଁ ? ମତୀକୁ ମୁଁ ମୋର ନିଜର ଝିଅପରି ମନେକରେ । ତା କଥା ତୁ ଛାଡ଼, ତା ଚିନ୍ତା ତୋତେ ଲାଗିବ ନାହିଁ ।

 

ସାଆନ୍ତେ, ମୋ ଘରଖଣ୍ଡ ଯଦି କିପରି ମରାମତୀ ହୁଅନ୍ତା ତ ମୁଁ ପରଘରେ ରହନ୍ତି ନାହିଁ-। ମତୀର ବାପା ଏବଯାଏ ଟଙ୍କା କି ଚିଠି ପଠାଇଲେ ନାହିଁ ।

 

ମୁଁ ସେଥିପାଇଁ ବିନୋଦିଆକୁ ଗୋଟାଏ କଡ଼ା ଚିଠି ଲେଖିଛି । ସେ କଲିକତାରେ ଆଉ ଜଣକୁ ଆଦରି ରହିଲାଣି । ଯାହା ରୋଜଗାର କରୁଛି, ସବୁ ତାଆରି ପିଛା ଉଡ଼ାଉଛି । କିରେ, ଘରେ ପିଲାଛୁଆଙ୍କୁ ଛାଡ଼ି ଯାଇଛୁ । ତାଙ୍କ କଥା ଟିକେ ବୁଝୁ; ନୋହିଲେ ସଫା ସଫା ଲେଖିଦେ, ମୁଁ ଆଉ ଘରକୁ ଯିବି ନାହିଁ । ତୁ ତୋର ଦେଖିଲା କାମ କର । ତୋ ଚିଠି ପାଇଲେ ଅହିଲା ତା ନିଜ ବାଟ ନିଜେ ଦେଖିବ । ଆଲୋ ଅହିଲା, ବିନୋଦିଆ ଏଡ଼େ ଚୁପ୍ ସଇତାନ ବୋଲି କେହି ଜାଣି ନ ଥିଲେ ।

 

ଅହିଲା କାନ୍ଦିଉଠିଲା । କଇଁ କଇଁ ହୋଇ କହିଲା, ସତରେ ସାଆନ୍ତେ, ତମେ ସତ କହୁଛ ? ମୋର ପରତେ ହେଉ ନାହିଁ । ମତୀକୁ ଯେ ଏତେ ଭଲ ପାଉଥିଲେ । ଦାଣ୍ଡେ ନ ଦେଖିଲେ ବଣା ହେଉଥିଲେ । ବାପ ହୋଇ ଏଇ କେଇଟା ଦିନରେ ତାକୁ ଭୁଲିଗଲେ କିପରି ?

 

ଚଉଧୁରୀ କହିଲେ, ମୁଁ ଯାହା କହୁଛି ସତ କହୁଛି । ସେଇ ଦେଶର ମାଇପେ କେତେ ଅଲାଜୁକ, କିମିଆ ଜାଣନ୍ତି । ଥରେ ସେପରି ତିରିଲାର ହାବୁଡ଼େ ପଡ଼ିଲେ ଉଧୁରି ଆସିବା କାଠିକର ପାଠ । ଯାହାହେଉ, ବିନାକାରଣରେ ଜଣକୁ ଚାହିଁ ବସି ଆଖିରୁ ପାଣି ମାରିବା କି ବଳବଅସ ସାରିବା ଅତି ଅନ୍ୟାୟ । ବିନୋଦିଆ ନିଶ୍ଚେ ମୋ ଚିଠିର ଜବାବ ଦେବ, ଯଦି ସେ ଜୀବନରେ ଥାଏ-। ତେଣିକି ଦେଖାଯିବ । ସତ୍, ସତ୍ ।

 

କାନ୍ଥ ଉପରୁ ଝିଟିପିଟି ତିନିଥର ଟିକ୍, ଟିକ୍ ଶବ୍ଦ କଲା ।

 

ଅହିଲାର ତୁଣ୍ଡ ଫିଟିଲା ନାହିଁ । ସେ ମୁହଁ ପୋତି ବସି ମନେ ମନେ ନିଜକୁ ସବୁ ତ୍ରୁଟିପାଇଁ ଦାୟୀ କଲା । ଆହା, କେଡ଼େ ସୁଖରେ ତାଙ୍କର ଗରିବ ଜୀବନ କଟୁଥିଲା । ଘରୁ ଗୋଡ଼ କାଢ଼ିବାକୁ ବିନୋଦକୁ ସେ ଛାଡ଼ିଦେଲା ବୋଲି ଆଜି ଏପରି ଅସମ୍ଭବ କଥା ଶୁଣି ତାକୁ ବିଶ୍ୱାସ କରିବାକୁ ହେଉଛି ! ଗତ ଜୀବନ ତାକୁ ପ୍ରହେଳିକା ପରି ବୋଧ ହେଲା । ଆଗତ ଜୀବନ-ସତେ କି ଦିଗହରା କଳା କିଟି କିଟି ଅନ୍ଧାରରେ ଘେରା । ସାହାଭରସା ନାହିଁ, ଆଶା ନାହିଁ, ଆଲୋକ ନାହିଁ ।

 

ଚଉଧୁରୀ ତାର ଏପରି ଅବସ୍ଥା ଦେଖି ତା ଆଖିରୁ ଲୁହ ପୋଛିଦେଲେ । ପିଠିରେ ହାତ ବୁଲାଇ କହିଲେ, ଯାହା ହେବାର ତ ହୋଇଯିବ, ବାଧା ଦେବାକୁ ମଣିଷର ଚାରା ନାହିଁ । ଏଥିପାଇଁ ବସି କାନ୍ଦୁଥିଲେ ମଣିଷ କାନ୍ଦୁଥିବ । ମନରେ ସାହସ ଆଣି, ଛାତିକୁ ଦମ୍ଭକରି କାମ କରିଗଲେ ମଣିଷପଣିଆ ଜଣାପଡ଼ିବ ।

 

ଚଉଧୁରୀଙ୍କ କଥା ଶେଷ ନ ହେଉଣୁ ଚାନ୍ଦ ମତୀକୁ କାଖ କରି ସେଠାରେ ଉପସ୍ଥିତ ହେଲା । ଚଉଧୁରୀଙ୍କୁ ଅହିଲା ପାଖରେ ବସିଥିବାର ଦେଖି ସେ ସଙ୍କୁଚିତ ହେଲା । ପଛକୁ ଫେରିଯିବାକୁ ବସିଲା । ନଜର ପଡ଼ିବାରୁ ଚଉଧୁରୀ ତରବର ହୋଇ କହିଲେ, ତୋତେ ଖୋଜୁଥିଲି ଚାନ୍ଦ, ଅହିଲା ଯତେହେଲେ ପିଲା । ଗାଁ ଲୋକେ ସମସ୍ତେ ଯିବେ ମେଲଣ ଦେଖି । ତୁ ତାକୁ ଏକୁଟିଆ ଘର ଜଗାଇ ଚାଲିଗଲୁ । ତାର କଣ ଦେଖିବାକୁ ଇଚ୍ଛା ହେଉ ନ ଥିବ ? ତୁ କାଳେ କଅଣ କହିବୁ ବୋଲି ସେ ବିଚରା ଏକୁଟିଆ ବସି ପିଲାଙ୍କ ପରି କାନ୍ଦୁଛି ।

 

ଚାନ୍ଦ କହିଲା, ମୁଁ ଅଧବାଟରୁ ଗାଁ ମାଇପଙ୍କୁ ଛାଡ଼ି ଫେରିଆସିଲି । ମତୀ ମା ପାଖକୁ ଫେରିଆସିବ ବୋଲି ଅଝଟ ଲଗାଇଲା । ସତ କଥା, ଯେତେହେଲେ ଅଲି ପିଲା । ତାକୁ ସାଙ୍ଗରେ ନେଇ ନ ଗଲେ ମନ ଘାଣ୍ଟି ଚକଟି ହେବ ।

 

ଚଉଧୁରୀ ଉଠିଲେ ।

 

ଚାନ୍ଦ କହିଲା, ସାଆନ୍ତେ, ଆଜି ଏଡ଼େ ବଡ଼ ଯାତ, ଯାତ୍ରା ଖର୍ଚ୍ଚ ନ ଦେଲେ ଛାଡ଼ିବି ନାହିଁ-

 

ଚଉଧୁରୀ ହସି ହସି ଅଣ୍ଟାରୁ କାଢ଼ି ଦିଓଟି ଟଙ୍କା ଚାନ୍ଦ ହାତକୁ ବଢ଼ାଇ ଦେଇ କହିଲେ, ତୁ ଟଙ୍କାଏ ନେବୁ, ଅହିଲାକୁ ଟଙ୍କାଟିଏ ଦେବୁ । ମୁଁ ଆଗେ ଆଗେ ଏବାଟେ ଯାଉଛି ।

ଚାନ୍ଦ ଅହିଲାର ହାତ ଧରି କହିଲା, ଆ’ ଲୋ ଅଲି, ଯିବା । ରାତି ବେଶି ହେଲେ ଡରମାଡ଼ିବ । ଦେଖୁଛୁ ଲୋ ଅଲି, ସାକ୍ଷାତ ଦୟାବନ୍ତ ପୁରୁଷ । ଦୁଃଖୀ ରଙ୍କୀଙ୍କ ଉପରେ ସାଆନ୍ତଙ୍କର ସବୁବେଳେ ଆଖି । ଠାକୁରେ ତାଙ୍କର ବଡ଼ତି କରନ୍ତୁ ।

•••

 

୩୨

ପ୍ରିୟ ବିନୋଦ,

 

ତୋର ଜାଣିବା କାରଣ ଲେଖିଲି । ତୁ ଏ ଚିଠି ପାଇ ବିଶେଷ ସତର୍କତାର ସହିତ ଚଳାଚଳ ହେବୁ । ତୁ ବୋଧହୁଏ ଜାଣିଥିବୁ ଯେ ଆଜକୁ ସତର ଦିନ ହେଲା ତୋର ଝିଅ ମତୀ ଚାଲିଯାଇଛି । ଗାଁର ନାନା ଲୋକେ ନାନା କଥା କହିଲେ । ସେମାନଙ୍କ କଥାରେ ମୋର ଆଦୌ ବିଶ୍ୱାସ ହେଉ ନ ଥିଲା । ଆଜି ଯେ ହେଉଛି ସେପରି ନୁହେଁ । ଯାହାର ଆଇସ ପୂରିଲା ସେ ଚାଲିଗଲା । ମଣିଷ ଜୀବନ ପାଣି ଫୋଟକାଠୁଁ ହୀନ । କେହି ପଟା କରି ଆସି ନାହିଁ ଯେ ଏଠି ଗାଦି ମାଡ଼ି ଯାବତ୍ ଚନ୍ଦ୍ରଦିବାକର ବଞ୍ଚିରହିବ । ଏହି ସତୀ ଗାଡ଼ିଆ ମଶାଣିରେ, ସେ ମଶାଣି ହେଲା ଦିନରୁ ଯେତେ ଲୋକ ମରି ପୋଡ଼ା ହେଲେଣି, ଆଜି ଯଦି ସମସ୍ତେ ଜୀଇଁ ଉଠନ୍ତି, କେଜାଣି ତାଙ୍କ ରହିବାକୁ ଏ ସାରା ଦୁନିଆଁରେ ଜାଗା ଅଣ୍ଟିବ କି ନାହିଁ । ସବୁ ସେହି ମହାପ୍ରଭୁଙ୍କ ଖେଳ । କେତେ ଆସିବେ, କେତେ ଯିବେ । ଯିଏ ଯେତିକି ତପସ୍ୟା କରି ଯେତିକି ଦିନକୁ ପାଞ୍ଜି ଲେଖେଇ ଆସିଥିବ, ଯେତେ ଯାହା କଲେ ସେ ଆଉ ମୁହୂର୍ତ୍ତେ ଡେରି କରିପାରିବ ନାହିଁ, କି ସହଳ ବି ଚାଲିଯାଇ ପାରିବନାହିଁ । ୟା ତା ଦୋଷ ଦେବା ବୃଥା ।

 

ମତୀ ଚାଲିଗଲା, ସେଥିକି ଅହିଲା କରନ୍ତା କଅଣ ? ତୁ କଲିକତା ଯାଇ ତାଙ୍କର ଖବର ଅନ୍ତର ନେଲୁ ନାହିଁ । ଝିଅ ବେମାରି ପଡ଼ିଛି ଜାଣି ବି ତୁ ନିଶ୍ଚିନ୍ତ ରହିଲୁ । ପଇସା ଅଭାବରେ ଅହିଲା ଓଷଦ ପାଣି କିଣିପାରିଲା ନାହିଁ । ଏଣେ ପରଘରେ କାମଧନ୍ଦା ନ କରି ଝିଅକୁ ଜଗି ବସିଲେ ନିଜର ପେଟପାଟଣା ଚଳିବା କଷ୍ଟ । ରୋଗା ଝିଅକୁ ତୋର ଭଙ୍ଗାଘରେ ଏକୁଟିଆ ଛାଡ଼ି ପରଘରକୁ କାମ କରିବାକୁ ଯାଏ ବୋଲି ମତୀ ମଲାରୁ ଲୋକେ କହିଲେ ଅହିଲା ଜାଣି ଜାଣି ଝିଅଟାକୁ ଅଣହେଳାରେ ମାରିଦେଲା ।

 

ଚାନ୍ଦ କହେ, ଅହିଲା କୁଆଡ଼େ କନିଅର ମଞ୍ଜି ଗୁଡ଼ ଖୋଇ ମାରିଦେଲା । ଯିଏ ଶୁଣିବ ସେ କାନରେ ହାତଦେବ । ମା ହୋଇ, ଜନ୍ମ କରି, ନିଜ ହାତରେ ନିଜ ଛୁଆକୁ ବିଷ ଦେଇ ମାରିବା ଦେଖିବା ତ ଦୂରର କଥା, କାହିଁ କେଉଁଠି ଶୁଣା ନ ଥିଲା । ମୁଁ କଥାଟାକୁ ହସରେ ଉଡ଼ାଇ ଦେଲି । ମଦନା ସେହି କଥା କହିଲା ବୋଲି ମୁଁ ତା ସଙ୍ଗରେ ଝଟାପଟା କଜିଆ ଲଗାଇଥିଲି । ହେଲେ ସେ ଯାହା କହିଲା ମୁଁ ଶୁଣି ତାଟଙ୍ଗା ହୋଇଗଲି । ମୋ ମୁହଁ ଭଡ଼କ ଭାଙ୍ଗିଗଲା ।

 

ମୁଁ ଅନେକ ଥର ଦେଖିଛି, ଶିରିଆପାଣ ତୋ ଘରକୁ ଯାଆ ଆସ କରେ । କାହା ଘରକୁ ବା କିଏ ଯାଉ ନାହିଁ ଆସୁ ନାହିଁ? ଶିରିଆପାଣ କହିଲା, ଘରକୁ ଗଲାବୋଲି ସେଥିରେ କେଉଁ ଅପରାଧ ଲେଖିଲା ? ମଣିଷ ଜନ୍ମ ପାଇ ସବୁବେଳେ କେହି ମୁହଁନଦି, କାହାରି ଶହେ ଷାଠିଏ ଧାରିଲା ପରି ବସିବ ନାହିଁ । ଟିକିଏ କାହାକୁ ଚାହିଁ ହସିଦେଲେ କଅଣ ଦୋଷ ଲେଖିବ ? ଅହିଲା ଶିରିଆକୁ ଚାହିଁ ହସେ । ସମସ୍ତେ ଦେଖିଛନ୍ତି, ମୁଁ ବି ଦେଖିଛି । ଭଗବାନ୍ ତା ମୁହଁକୁ ହସ ହସ କରିଛନ୍ତି । ସେ କଅଣ କରିବ ? ସେହି ହସ ଭିତରେ କୁଆଡ଼େ ପୁରାଣ ଲୁଚି ରହିଛି । ଲୋକେ କହୁଛନ୍ତି ପିଲାଟାକୁ ହେଳାରେ ଅହିଲା ମାରିଦେଲା । ମାଳିକୁ ଛେଳି ଅଡ଼ୁଆ ।

 

ନାଗବାଲି ଗାଁରେ କେଉଁ କଥା ବାକୀ ଅଛି କି ? ତୋ ଥାଆନ୍ତେରେ ତୁ ଦେଖିଯାଇଛୁ । ଚକରା କଥା ତ ଜାଣୁ । ହାଟୁଆ କୁଳରୁ ବାହାହେଲା ବୋହୂଟାକୁ ଫୁସୁଲେଇ ଫାନ୍ଦରେ ପକାଇ ସେ ନେଇ ଚାଲିଗଲା ତ । କିଏ କଅଣ ତାର କରି ପକାଇଲେ ? ଏସବୁ କଥା ଶୁଣି ଶିରିଆ ପାଣ ଉପରେ କାହାର ସନ୍ଦେହ ନ ହେବ ? ମୋର ବି ସନ୍ଦେହ ହେଲା । ପାଣ ଟୋକା, ଛୁଇଁଲେ ଗାଧୋଇବା ଯୋଗାଏ । ସେ କାହିଁକି ତମ ଆମ ଘରକୁ ରାତି ଅଧରେ ଏତେ ଦଉଡ଼ ମାରିବ । ଯବାନ ଟୋକୀଟା ସଙ୍ଗେ ହସ କୌତୁକ ହେବ ? ପ୍ରିୟା ପ୍ରୀତି ବନ୍ଧୁ ବାନ୍ଧବ ହେବାର ଲୋକ ନୁହେଁ-। ମୋ ମନ ଖଟକା ଧରିଲା । ନିଜ ଦୁଃଖକୁ ହାରିଗୁହାରି ନାହିଁ, ପରକଥାରେ ଏତେ ମୁଣ୍ଡ ଖରଚ କରି ବେଳ କାଟିବାକୁ କାହାର ତର ଅଛି ? ସବ୍ ସେ ଚୁପ୍ ଭଲା ।

 

ଯାହା ନ ଦେଖିବ ଦୁଇ ନୟନେ, ପରତେ ନ ଯିବ ଗୁରୁ ବଚନେ । କେହି କିଛି ଦେଖି ନ ଥିଲା । ଶୁଣିବା କଥା । ଅହିଲା ଯେପରି ଲୋକ ମାଛିକୁ ମ କହେ ନାହିଁ, ତା ପେଟରେ ଯେ ବୋଝେ ଅଳିଆ, ସେ କଥା ମୋ ପରି ମଣିଷ ବିଶ୍ୱାସ କରନ୍ତା କପିରି ? ଗାଁରେ ଏତେ ଲୋକ ଅଛନ୍ତି, ଆଉ କାହା ନାଆଁରେ ନ କହି, ପାଣ ଟୋକାଟା ଶିରିଆ, ତା ନାମରେ ଉଠାଇଲେ କିପରି-? ନିଆଁ ନ ଥିଲେ ଧୂଆଁ ଆସିବ କେଉଁଠୁ ?

 

ଅନହୁତି, ଦଇବଯୋଗ କଥା । ଦିନକର ସଞ୍ଜବୁଡ଼େ କଅଣ କାମ ଥିଲା ବୋଲି ତୋ ଭଙ୍ଗା ଘରବାଟେ ମୁଁ ଧରମୁଁ ପଧାନ ଘରକୁ ଯାଉଥିଲି । ଘର ଭିତରୁ ହସ ତାମସା ଶୁଣି ମୁଁ ତେଣିକି ଅନେଇଁଦେଲି । ଜହ୍ନ ରାତି । ସବୁ ଜଳଜଳ ହୋଇ ଦିଶୁଥାଏ । ଅହିଲୀ ଶିରିଆର ସିଲ୍‌କି ଚଦରର କାନିକୁ ଧରି ଟାଣୁଥାଏ । ମୋର ରାଗ ହେଲା । ମୁଁ ତୋର ବାରି ଭିତରକୁ ପଶିଗଲି । ଶିରିଆ ମୋତେ ଦେଖି ଏକା ଖେପାକେ ବାଇଗବା ବାଡ଼ ଡେଇଁ ବନ୍ଧ ତଳେ ତଳେ ଦଉଡ଼ି ପଳାଇଲା । ଅହିଲାକୁ ପଚାରିଲାରୁ ସେ ମୋର ଦି ଗୋଡ଼ ଧରି ନେହୁରା ହେଲା ।

 

କଅଣ କରିବି, ବେମହତ କଥା । କହିଲେ କୁଳକୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସିଯାଉଛି । ପାଟିକୁ ଯାହା ଆସିଲା ପରସ୍ତେ ଝାଡ଼ିଦେଲି । ତା ପରେ ଘଣ୍ଟାଏ କାଳ ତାକୁ ବୁଝାଇଲି । ଭାବିଲି, ବୋଧହୁଏ ସେ ଏହିଥର ଭଲବାଟକୁ ଆସିବ । ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ । କୁକୁର ଲାଙ୍ଗୁଡ଼ ବାର ବରଷ ନଳାରେ ପୁରାଇ ରଖିଲେ ସଳଖ ହେବ ନାହିଁ । ଯେଉଁ କଥାକୁ ସେହି କଥା । ସେଥିରେ କାହାର ଚାରା ଅଛି ? ଯିଏ ଯେଉଁ ଘଡ଼ି ନକ୍ଷତ୍ରରେ ଜନ୍ମ । ପାଞ୍ଚଆଙ୍ଗୁଠି ସମାନ ନୁହେଁ । ପାଞ୍ଚଲୋକର ପଚିଶ ପ୍ରକୃତି, ସବୁ ଭିନେ ଭିନେ ।

 

ଗାଁରେ ଭୁଟ୍‌ଭାଟ୍ ହେଲେ । ଶିରିଆ ପୁଣି ଯାଆସ କଲା । ମୁଁ ବ୍ୟସ୍ତ ହୋଇ ବଟ ଚଉଧୁରୀଙ୍କ କାନକୁ କଥା ନେଲି । ସେ ଯେପରି ଖାଣ୍ଟି ଲୋକ, ତୋତେ ଏବେ କେଉଁ ଅଜଣା ଅଛି-? ଯିଏ ଭଲ କଲା, ସେ ତାଙ୍କର ଗେହ୍ଲାପୁଅ, ସୁନା ପୁଅ । ଯିଏ ଦୋଷ କଲା, ସେ ତାଙ୍କ ଆଖିକି ବିଷ । ଚଉଧୁରୀ ଦିନେ ଶିରିଆକୁ ଡକାଇ ନିସ୍ତୁକ ବହେ କୁଟିଲେ । ଅହିଲାକୁ ଡକାଇ ଆଣି ପରସ୍ତେ ଶୋଧିଲେ । କଅଣ ହେବ ? ଯେତେ କହିଲୁ ଭାଗବତ ତୋଷ ନୋହିଲା ମୋର ଚିତ୍ତ । ଲୋକ ବୁଡ଼ିବୁଡ଼ି ପାଣି ପିଇଲେ କିଏ ଜାଣିବ ? ଜାଣିବ ଏକା ଧର୍ମ । ଧର୍ମ ଅଧର୍ମ, ଆଲୁଅ ଛାଇ କିଛି ସଂସାରରୁ ଉଭେଇଯିବ ନାହିଁ । ମଣିଷର ଆଖିରେ ହାତ ଦେଇ ପାରନ୍ତି, ଧର୍ମ ଆଖିରେ କେହି ହାତ ଦେଇ ପାରିବ ନାହିଁ ।

 

ତିନି ଦିନ ତଳେ ଅହିଲା ଚାନ୍ଦଘର ଓରାରେ ଦଉଡ଼ି ଲଗାଇ ମଲା । ସେ ତ ମଲା, ସମସ୍ତଙ୍କର ପାପଗଲା; କିନ୍ତୁ ପୁଲିସ ଆସି ଗାଁ ଲୋକଙ୍କୁ ହଲାପଟା କରିଯାଇଛି । ଶିରିଆ ଖବର ପାଇ ଭଲଲୋକ ପରି ପିଲାଛୁଆ ଛାଡ଼ି ଫେରାର । ଖୁବ୍ ସମ୍ଭବ କଲିକତା ପଳାଇଛି । ପୁଲିସ ତା ପଛେ ପଛେ ପତା ଲଗାଇବାକୁ ଉଆରଣ୍ଟ ଜାରି କରିଛି ।

 

ସେ ତ ଯାହା ହେବାର ହେଲା, ଅହିଲାର ମୁରଦାର କାଢ଼ିବାକୁ ଗାଁ ଲୋକ କେହି ବାହାରିଲେ ନାହିଁ । ପୋଲିସ କଟକରୁ ହାଡ଼ି ମଗାଇ ଲାସ୍ ଡାକ୍ତର ମାଇନା କରିବାକୁ କଟକ ନେଇଯାଇଛି । ଗାଁ ଲୋକଙ୍କ ଆଣ୍ଟୁଆଗିରି କଥା ତ ଜାଣୁ । ଦୋଷ କଲା କିଏ, ମାଡ଼ କାହା କପାଳରେ ? ସମସ୍ତେ ତୋ ଉପରେ କଡ଼କି ଅଛନ୍ତି । ତୁ ଯେଉଁ ଦିନ ଗାଁରେ ଗୋଡ଼ ଦବୁ, ସେହି ଦିନ ତୋ ଉପରେ ସେ ଆକ୍ରୋଶ ଶୁଝାଇବେ ବୋଲି ଠିକ୍ କରିଛନ୍ତି ।

 

କଥା କଅଣ କି, ତୁ ତ କଲିକତା ଗଲୁ ତୋର ପେଟପାଟଣା ଖବର ବୁଝିଲୁ । ଘର ବୋଲି ଦିନେ ପଚାରିଲୁ ନାହିଁ, କି ଖଣ୍ଡେ ଚିଠି ଦେଲୁ ନାହିଁ । ଆଚ୍ଛା ସେ ମାଇପି ଲୋକ, ପିଲାକୁ ନେଇ କରେ କଅଣ ? କିଛି ଛାଡ଼ପତ୍ର ଦେଇଗଲୁ ଯେ, ସେ ଆଉ ଯେଉଁଠି ଦୁତୀୟ ହୋଇ ପେଟ ପୋଷିବ ? ତଥାପି ପେଟ ବିକଳରେ ସେ ମୁହଁ ଫିଟାଇ ୟାକୁ ତାକୁ ଥରେ ଅଧେ ତା ମନ କଥା କହିଲା । ଗାଁଲୋକେ ଏ କଥା ଜାଣନ୍ତି; କେହି ରାଜି ହେଲେ ନାହିଁ ।

 

ଗାଁ ଲୋକେ ସମସ୍ତେ ଏକ ମତ, ଦୋଷ ଷୋଳଅଣା ତୋର । ପାପରେ ଭାଗୀ ତୁ । ତୋ’ପାଇଁ ଦିଟା ନିରୀହ ପ୍ରାଣୀ ମଲେ । ଶେଷକୁ ହାଡ଼ି ଘୋଷାରିଲା । ଗାଁରେ ହାଡ଼ି ପଶିଲା, ଅପଯଶ କଥା, ଡିବି ଡିବି ହୋଇ କୋଡ଼ିଏ ଖଣ୍ଡ ମଉଜାରେ ବାଜିଗଲା । ଗାଁର ନା ବୁଡ଼ିଲା । ମାନ ଦି କଡ଼ା ହେଲା । ଉପର ମୁଣ୍ଡ ତଳକୁ ନଇଁଲା । ତହିଁରେ ପୁଣି ପୁଲିସ ଆସି ୟାକୁ ମାର, ତାକୁ ଧର କରି ସମସ୍ତଙ୍କୁ ବହେ ହଲାପଟା କରି ଯାଇଛି । ଲୋକଙ୍କ ମନରୁ ଯିବ ନାହିଁ । କେତେ ବରଦାସ୍ତ କରନ୍ତେ ? ପୋଲିସ ତୋ ନାଁ ଟିପି ନେଇଛି, ହୁଲିଆ କରିବ ।

 

ଆଉ ଅଧିକ ଲେଖି ତୋ ମନରେ କଷ୍ଟ ଦେବାକୁ ମୋର ଇଚ୍ଛା ହେଉ ନାହିଁ । ତୁ ଯାଇ କେଉଁ ଦୂର ବିଦେଶର ଅଛୁ । କାଳୀମାଆଙ୍କ ଆଶ୍ରା ଧରି ପଡ଼ିଛୁ, ପଡ଼ିଥା । ଦେଶରେ ତୋର ଆଉ କିଏ ଅଛି ? କଅଣ ବା ଅଛି ? ଯେଉଁମାନେ ଅଛନ୍ତି, ସମସ୍ତେ ତୋର ଶତ୍ରୁ କହିଲେ ଚଳେ । ଯେଉଁଠି ଅଛୁ, ନିହତ ଜଗି ମାଟି କାମୁଡ଼ି ପଡ଼ିଥା । ଠାକୁରେ ଅବଶ୍ୟ ତୋର ଦୁଃଖ ଶୁଣିବେ । ସ୍ତ୍ରୀ ମରିଗଲା ବୋଲି ବା ତୋର ଦୁଃଖ କଅଣ ? ସେ ଥାଇ, ତୋତେ ନ ଥିଲା ପରି, ଆଜି ବି ସେଇଆ-। ଦୁଃଖ ହେବାର କଥା, ଦୁଃଖ ହେବ । ତଥାପି କଅଣ କରିବା ? କପାଳେ ଠାକୁର ଯାହା ଲେଖି ଦେଇଛି, ତାକୁ ଅନ୍ୟଥା କରିବ କିଏ ? କହନ୍ତି ପରା, ଯେଣେ ଇଚ୍ଛା ତେଣେ ଯା, ଭାଗ୍ୟ ଘେନି ବୁଲୁଥା । ଅସଲ ହେଉଛି କପାଳ ! କପାଳଠୁ ବଡ଼ କିଏ ଅଛି ? ତୋ କଥା ଭାବି ମୋର ଆଖିରେ ଲୁହ ଆସୁଛି । ଏଡ଼ିକି ହତଭାଗା ତୁ !

 

ହଉ, ମନରେ କିଛି ଭାବିବୁ ନାହିଁ । ଗାଁର ଲୋକ, ଘରର ଲୋକ, ଆପଣାର ଲୋକ ବୋଲି ତୋତେ ମନେ କରେ । ତୋରି ଭଲପାଇଁ ଇଚ୍ଛା ହେଲା ଚାରି ପଦ ଲେଖି ଦେଲି । ତେଣିକି ବୁଝି ବିଚାରି କାର୍ଯ୍ୟ କରିବୁ । ମୋର କଲ୍ୟାଣ ନେବୁ । ମୋପାଇଁ କାଳୀମାଆଙ୍କୁ ଥରେ ମୁଣ୍ଡିଆ ମାରିବୁ । ଆଉ ସବୁ ଭଲ । ଇତି ।

 

ତୋର–‘ବାବନା’

•••

 

୩୩

 

ସାଆନ୍ତେ, ରାତି ଅଧିକ ହେଲାଣି । ଭାତ ଡାଲି କାଞ୍ଜିପାଣିପରି ଥଣ୍ଡା ହୋଇଗଲାଣି । ସାଆନ୍ତାଣୀଙ୍କ ମୁଣ୍ଡ ଧମକୁଛି । ସେ ରୋଷାଇ ଘରେ ତୁମକୁ ଅନାଇଁ ବସିଛନ୍ତି, ଠା କରିବାକୁ କହିବି-?

 

ଚିଠି ଖଣ୍ଡି ଭାଙ୍ଗି ଲଫାପାରେ ପୂରାଇ ଚଉଧୁରୀ ବିରକ୍ତ ହୋଇ କହିଲେ, ହଉ ଯା ।

 

ଚିଠି ଉପରେ ଠିକଣା ଲେଖି ଚଉଧୁରୀ ସପନାକୁ ଦେଲେ । କହିଲେ, ଜରୁରି ଚିଠି ବୁଝିଲୁ ? ରାତି ରାତି ୟାକୁ ଫୁଲନଖରା ଡାକଘରେ ପକାଇ ଆସିବୁ । ନଲଟଣଟା ନେଇଯା ।

 

ସାଆନ୍ତେ, ମୋ ଟଙ୍କାତକ ମୋତେ ଯଦି ଫେରାଇ ଦିଅନ୍ତେ ଉପକାରକୁ ଆସନ୍ତା ।

 

ଚଉଧୁରୀ କଲମକୁ କାନରେ ଖୋସି ଚାନ୍ଦମୁହଁକୁ ଚାହିଁଲେ । ସଞ୍ଜ ପହର । ପାଖରେ କେହି ନାହିଁ । ମହାଜନୀ କାଗଜପତ୍ର ଧରି ସେ ସୁଧ ହିସାବ କରିବାରେ ବ୍ୟସ୍ତ ଥିଲେ । ଚାନ୍ଦର କଥା ଶୁଣି ସେ ସାମାନ୍ୟ ହସି କହିଲେ ତୋ ଟଙ୍କା ମୁଁ ଖାଇ ଯାଉନାହିଁ । ତୋରି ଭଲପାଇଁ ମୁଁ ପାଖରେ ରଖିଛି । ତୁ ଗରିବ ଲୋକ, ଟଙ୍କା ତୋର ଜୀବନ । ହେଲେ ପାଖରେ ରଖିଲେ, କେତେବେଳେ କେଉଁକଥା । ଗରିବର ଧନ ଉପରେ ଗାଁ ଲୋକଙ୍କର ଯେପରି ନଜର, ତୁ କଅଣ ଜାଣୁ ନାହିଁ ? ପାଖରେ ରଖିଲେ ବିପଦ । ଟଙ୍କା ତ ଯିବ, ଜୀବନ ବି ଚାଲିଯିବା ଅସମ୍ଭବ ନୁହେଁ ।

 

ଚାନ୍ଦ କହିଲା, ନାଇଁ ସାଆନ୍ତେ, କେତେବେଳେ କଅଣ ଦରକାର ପଡ଼ିଲେ ମୁଁ ଖରଚ କରିବି । ବାର ହଇରାଣ ହରକତ ହେଉଛି ।

 

ଖରଚ କରିବୁ ତ ? ସେଥିପାଇଁ ଯେତେବେଳେ ତୋର ଯାହା ଲୋଡ଼ା ମୋଠାରୁ ଆସି ନେଇ ଯାଉଥିବୁ । ତୋର କିଛି ଅଭାବ ନାହିଁ । ହାତରେ ବୋଝେ ପିତଳ ଖଡ଼ୁ ନାଇଥିଲୁ । କହିଲୁ ବୋଲି ରୂପାଖଡ଼ୁ ଗଢ଼ାଇ ଦିଆଗଲା । ନାକ ଲଙ୍ଗଳା ଥିଲା । ଏବେ ସୁନାବସଣୀ ପିନ୍ଧିଲୁ । ଛିଣ୍ଡା କନାରେ ଦିନ କାଟୁଥିଲୁ । ଗୋଦାବରୀ ଶାଢ଼ୀ ଖଣ୍ଡେ ପିନ୍ଧି ଭୋଗ କଲୁଣି । ଆଉ ତୋର ଅଭାବ କଅଣ ? ଟଙ୍କା ଲୁହା ସିନ୍ଦୁକରେ ବନ୍ଦ ଅଛି । ଲୁହା ସିନ୍ଦୁକ ଭାଙ୍ଗି ସେ ଟଙ୍କାର ଦେଖା କେହି ଗାଁ ଲୋକେ ପାଇପାରିବେ ନାହିଁ । ମୋର ଡର ଗାଆଁର କେଇଟା ଛତରା ଟୋକଙ୍କୁ । କେବେ ଯଦି ଘରେ ପଶି କଳାକନା ବୁଲାଇ ଦିଅନ୍ତି ତ ଏତେ କଷ୍ଟରେ ତୋର ସଞ୍ଚିଲା ଧନ ଚାଲିଯିବ ।

 

ତୁମଠାରେ ମୋର ଅବିଶ୍ୱାସ ନାହିଁ । କେତେବେଳେ କିଏ ଧାର ଉଧାର ଟଙ୍କାଏ ମସାଏ ମାଗୁଛି, ଦେଲେ ଅବଶ୍ୟ ଦି ପଇସା ସୁଧ ମିଳନ୍ତା ।

 

ଆଲୋ ତୋର ମୁଣ୍ଡ କେତେ ତୁ ଧାର ଉଧାର ଦେବୁ ? ଲୋକେ ଆଜିକାଲି ଏମିତି ବେନିହତ ହେଲେଣି ଯେ, ସୁଧ କଥା ତେଣେ ଥାଉ ମୂଳ ବି ବୁଡ଼ି ଯାଉଛି । ତୁ ଯାହା କହିଲୁ ମୋର କଅଣ ସେଥିକି ନିଘା ନଜର ନାହିଁ ? ଅବଶ୍ୟ ସୁବିଧା ପଡ଼ିଲେ ତୋ ପଇସା ଦି ପଇସା କରିବାକୁ ମୁଁ ଚେଷ୍ଟା କରିବି । ତୋର ବ୍ୟସ୍ତ ହେବାର କାରଣ ନାହିଁ ।

 

ସାଆନ୍ତଙ୍କର ବଡ଼ତି ହେଉ । ସାଆନ୍ତଙ୍କର ଗରିବଙ୍କ ପ୍ରତି ଯେପରି ଦୟା, ଅବଶ୍ୟ ଠାକୁର ତାଙ୍କୁ ବଡ଼ରୁ ଆହୁରି ବଡ଼ କରିବେ ।

 

ଚାନ୍ଦ ଫେରି ଆସୁଥିଲା, ଚଉଧୁରୀ ତାକୁ ଡାକି କହିଲେ, ଆଲୋ ଚାନ୍ଦ ଗୋଟାଏ କଥା କହିବି କହିବି ହୋଇ ଆଜିଯାଏ କହିପାରୁ ନାହିଁ ।

 

କି’ କଥା ସାଆନ୍ତେ ?

ତାଆରି କଥା, ସେହି ଅହିଲା ମ–

ଚାନ୍ଦ ସାମାନ୍ୟ ହସିଲା ।

 

ଚଉଧୁରୀ ତଳକୁ ମୁହଁ କରି କହିଲେ, ତୁ ମୋ ମନକଥା ସବୁ ଜାଣୁ । ହେଲେ ଟୋକୀଟାର ମୁହଁ ଟାଣ । ଯେତେ ଯାହା କହିଲେ, ସେ ଏଠି ଆସି ରହିବାକୁ ନାରାଜ । ଚାବି ତୋ ହାତରେ, ତୁ ଯେପରି ମୋଡ଼ିବୁ ସେପରି ହେବ । ଯାହାହେଲେ ସେ ତୋ ଓଳିତଳେ ଆଶ୍ରା ନେଇଛି-

 

ଚାନ୍ଦ କହିଲା, ଏଠି ଆସି ରହିବାକୁ ତାର ଆପତ୍ତି ହେବନାହିଁ । କିନ୍ତୁ ବିନୋଦ ବଞ୍ଚିଛି । ସେ ଘରକୁ ଫେରି ଆସିଲେ କଅଣ କହିବ ? ଲୋକେ କଅଣ କହିବେ ? ବିନୋଦ ସିନା ଟଙ୍କା କଉଡ଼ି ଦଉ ନାହିଁ କି ଚିଠିପତ୍ର ଦଉ ନାହିଁ, ହେଲେ ହାତ ଧରି ବାହା ହୋଇଛି ତ ?

 

ଚଉଧୁରୀ ଚିନ୍ତାମଗ୍ନ ହେଲେ । ବିନୋଦର ଘର ଛାଡ଼ିବା ଗୋଟିଏ ବର୍ଷ ପୂରିଲା । ଅହିଲା ନାମରେ ଓ ତାଙ୍କ ମାରଫତରେ ବିନୋଦ ଯେତେଥର କୋଡ଼ିଏ ଟଙ୍କା କରି ପଠାଇଛି, ସେ ସବୁ ସେ ନିଜେ ରଖିଛନ୍ତି, ଆତ୍ମସାତ୍ କରିଛନ୍ତି । ଦୁଇ ଚାରିଖଣ୍ଡି ପତ୍ର ପାଇ ତାକୁ ଛିଣ୍ଡାଇ ଦେଇଛନ୍ତି । ଉତ୍ତର ନ ପାଇ ବିନୋଦ ଛଅମାସ ହେବ ଆଉ ଟଙ୍କା କି ପତ୍ର ପଠାଇ ନାହିଁ । ଅହିଲାର ଦୁଶ୍ଚରିତ୍ରତା ସମ୍ବନ୍ଧରେ କଣ୍ଠଙ୍କ ନାମ ଦେଇ ବାମ ହାତରେ ଲେଖି ସେ ଯେଉଁ ପତ୍ର ଛଅମାସ ତଳେ ବିନୋଦ ପାଖକୁ ପଠାଇଥିଲେ, ବୋଧହୁଏ ସେହି ପତ୍ର ପାଇଲା ପରଠାରୁ ସେ ଆଉ ଅହିଲାକୁ ପଚାରୁ ନାହିଁ । ଚକ୍ରାନ୍ତ ସଫଳ ହୋଇଛି । ବୁଦ୍ଧିମାନ ଲୋକ ଯେ କୌଣସି ଉପାୟରେ ନିଜର କାର୍ଯ୍ୟ ସାଧନ କରେ । ଏ ଦୁନିଆ ବୁଦ୍ଧିଆ ଲୋକଙ୍କ ଖେଳଘର । ଅହିଲାକୁ ତାଙ୍କ ପ୍ରସ୍ତାବରେ ସମ୍ମତ କରାଇବା କାମ ବାକୀ ଅଛି । ସେ କହିଲେ, ବିନୋଦ ଆଜିଯାଏ ବଞ୍ଚିଛି ବୋଲି ତୋର ବିଶ୍ୱାସ ? ବଞ୍ଚିଥିଲେ ପିଲାମାଇପଙ୍କୁ ପଚାରନ୍ତା ନାହିଁ ? କଲିକତା ଯେଉଁ ସହର, ଟିକିଏ ଅସାବଧାନ ହୋଇ ଚାଲିଲେ ମୁହୂର୍ତ୍ତକରେ ଜୀବନ ଯିବ ।

 

ଚାନ୍ଦ କହିଲା, ବିନୋଦ ବଞ୍ଚିଥିବା ଯାଏ ଅହିଲା ପରଘରକୁ ଆସିବ ନାହିଁ, କି ପରର ଆଶ୍ରାଧରି ରହିବ ନାହିଁ । କିଏ ଥରେ କଣେଇଁ ଚାହିଁଲେ କି ପଦେ ଥଟ୍ଟା କରି କହିଲେ, ସେ ନାଗ ସାପ ପରି ଫଁ ଫଁ ହୁଏଟି । ତମ୍ପ ସାପ ପରି ଫଣା ଟେକି ଚାରିଆଡ଼କୁ ଚାହିଁ ରହିଥାଏ ସେ ଅବେଇଜ ।

 

ତୁ ଯଦି ତୋ ଘରୁ ତଡ଼ିଦେଉ ?

ସେ ଆଉ କୁଆଡ଼େ ଚାଲିଯିବ ପଛେ ଏ ଗାଆଁରେ ଆଉ କାହା ଘରେ ରହିବ ନାହିଁ ।

ଯୁଆଡ଼େ ଗଲେ ତ ପରଘର ।

 

ଚାନ୍ଦ କହିଲା, ହଁ, ସାନ୍ତେ, ଠିକ୍ କଥା । ମତୀଟି ମତେ ଆଦରିଛି । ତାକୁ ଘରୁ ତଡ଼ି ଦେବାକୁ ସତ ବଳୁନାହିଁ । କାଳେ ସେ ଏ ଗାଁ ଛାଡ଼ି ଚାଲିଯିବ । ଆଉ ମତୀକୁ ଦେଖିପାରିବି ନାହିଁ ।

 

ଚାନ୍ଦର ଆଖି ଛଳଛଳ ହେଲା ।

ଚଉଧୁରୀ କହିଲେ ତୁ ଯଦି ଏଠାରୁ ଚାଲିଯାଉ ?

 

ଆଉ କିଛି ଜଞ୍ଜାଳ ନାହିଁ । ଦିଇଟା ସ୍ତ୍ରୀ ଓ ଗୋଟାଏ ଛୁଆ, ସେହି କୁଡ଼ିଆ ବଖରାଟିରେ ଚଳିଯିବୁ । ଦେହ ମିହନ୍ତ କରି ତୁମ ଘରେ ପାଇଟି କଲେ କଅଣ ତୁମେ ପେଟକୁ ମୁଠିଏ ଦବ ନାହିଁ-?

 

ବଟ ଚଉଧୁରୀ କହିଲେ, ଯାହା କହିଲୁ ଠିକ୍ କଥା । ହାତ ଥିଲେ ଭାତର ଅଭାବ ରହେନାହିଁ, କି ଭାତ ଥିଲେ ହାତ ଖୋଜି ଯିବାକୁ ପଡ଼େନାହିଁ । ତେବେ କଥା ହେଉଛି ଲୋକଟିଏ ନିଜର କରି ସୁଖ ଦୁଃଖକୁ ସାହା କରି ରଖିବା ଭଲ । ପର ଦୁଆରେ ମିହନ୍ତ କରି କେତେ ମୁହଁଛିଞ୍ଚଡ଼ାରେ ମୁଠାଏ ପେଟକୁ ପାଇବା ଅପେକ୍ଷା ଜଣକର ଆଶ୍ରା ନେଇ କପାଳକୁ ଆଦରି ରହିଯିବା ବି ଭଲ । ସେଥିଲାଗି କହୁଛି, ଅହିଲା ଏଠିକି ଆସିଲେ ତାର ଭଲ; ଆମର ବି ଭଲ । ତୋରି ବି ଲାଭ, କିଛି କ୍ଷତି ନାହିଁ । ତୋ ଟଙ୍କା ଯେତେ ଦିନ ମୋ ପାଖେ ଥିବ, ମୁଁ ସେଥିପାଇଁ ତୋତେ ଉପଯୁକ୍ତ ଦରରେ ସୁଧ ଦେବି । ମୋ ମନକଥା ତୁ ବୁଝିଲେ, ମୁଁ କଣ ବକ୍‌ସିସ ଦେଇ ତୋ’ର ମନ ଖୁସି କରି ପାରିବି ନାହିଁ ?

 

ଚାନ୍ଦ ଭାବିଚନ୍ତି କହିଲା, ହଁ, ସେ ଏକା କଥା । ଅହିଲା ମୋ ଘରେ ମୋ ପାଖେ ରହିଲେ, ଯାହା ଏଠି ରହିଲେ ସେଇଆ । ସେ ସୁଖରେ ରହିବ । ଖାଲି ମୋ ଡର ମାଆଙ୍କୁ । ପୁଣି ମୋଠେଇଁ ମତୀର ଯେଉଁ ଲୋଭ ଲାଗିଛି, ସେ ଲୋଭ ତାର ସେମିତି ରହିବ ଯେ । ମତେ କଅଣ କରିବାକୁ କହୁଛ ସାଆନ୍ତେ ?

 

ଚଉଧୁରୀ ହସି ହସି କହିଲେ, କିଛି ନାହିଁ, ଖାଲି ଉଞ୍ଚେଇଥିବ ମାରିବ ନାହିଁ, ଗୋଡ଼େଇଥିବ ଧରିବ ନାହିଁ । ତାର କାମ ଉପରେ ବିରକ୍ତ ହୋଇ ଚିଡ଼ ଚିଡ଼ ହୋଇ ଘରୁ ତଡ଼ିଦେବାରୁ ଭୟ ଦେଖାଇଲେ ହେଲା । ଭଲରେ ଯଦି କଥା ଛିଣ୍ଡେ ତ ଅତି ଭଲ ।

 

ଚାନ୍ଦ ସବୁକଥା ବୁଝିଲା ମୁଣ୍ଡ ଟୁଙ୍ଗାରିଲା ।

 

‘ବାପା, ବାପା, ଦାଣ୍ଡରେ କଣ୍ଠ ଭାଇ ଡାକୁଛନ୍ତି’ କହି ସେହି ବାଟ ଦେଇ ଗୋକୁଳା ଚିଲପରି ଛୁଟି ଚାଲିଗଲା । କଣ୍ଠଙ୍କ ନାମ ଶୁଣି ବଟ ଚଉଧୁରୀ ଉଠିଲେ । ମନରେ ଘୋରତେଇ ହେଲା ଚାନ୍ଦର କଥା- ଖାଲି ମାଆଙ୍କୁ ଡର । ଦେଖାଯାଉ ଚନ୍ଦ୍ରମା ବଳେଇବେ ନାହିଁ ।

•••

 

୩୪

 

ମହାଶୟ,

 

ଆପଣଙ୍କ ଚିଠି ଖଣ୍ଡେ ବିନୋଦ ପରିବର୍ତ୍ତେ ମୁଁ ପାଇଛି । ଆପଣ ଯେଉଁ ଠିକଣାରେ ସେ ଚିଠି ଦେଇଥିଲେ, ଚିଠି ପାଇବା ପୂର୍ବରୁ ସେ ଅନ୍ୟ ସ୍ଥାନକୁ ଚାଲି ଯାଇଥିଲା । ଏହାର ବିଶେଷ କାରଣ ଅଛି । ଏହି ଛୋଟ ଚିଠି ଖଣ୍ଡିକରେ ମୁଁ ସେ ସବୁ କଥା କଅଣ ଲେଖିବି ? ଆପଣମାନଙ୍କୁ ମୁଁ ଅପରିଚିତ, ବିନୋଦକୁ ମୁଁ କଲିକତା ଆସିବା ଦିନରୁ ଚିହ୍ନେ । ଦିନା କେତେ ଏକା ସଙ୍ଗରେ ବସା କରି ରହିଥିଲୁ । ସତ କଥା ଲୁଚାଇ ପାରିବିନି ।

 

ପିଲାପିଲିଙ୍କୁ ଟଙ୍କା ପଠାଇବା କଥା ଯାହା ଲେଖିଥିଲେ, ମୁଁ ଶୁଣି କାବା ହେଉଛି । ଘରକୁ ଟଙ୍କା ପଠାଇବ ବୋଲି ସେ ଅନେକ ଥର ମୋଠାରୁ ଟଙ୍କା ଧାର ନେଇଛି, ଆଜି ଯାଏ ସେ ଉଧାର ଟଙ୍କା ପଚାଶସରିକି ହେବ, ଶୁଝିନାହିଁ । ଆପଣଙ୍କ ଚିଠିରୁ ଯାହା ବୁଝୁଛି, ସେ ଆସିଲା ଦିନୁ ଘରକୁ ପାହୁଲାଏ ଦେଇ ନାହିଁ । ବର୍ତ୍ତମାନ ମୁଁ ତାର ଭିତିରି କଥା ବୁଝି ପାରୁଛି ।

 

ଯେଉଁ ବାବୁ ତାଙ୍କୁ ଏତେ ସ୍ନେହ କରୁଥିଲେ, ପୁଅପରି ଦେଖୁଥିଲେ, ତାଙ୍କୁ ଛାଡ଼ି ସେ ହଠାତ୍ ଏପରି ଭାବରେ ଚାଲିଯିବାର କାରଣ କଅଣ ? ବିନୋଦ ତାଙ୍କ ଘରେ ଚାକର ପରି ଇତର ଲୋକଭଳି ନ ଥାଏ । ସମସ୍ତେ ଯାହା ଖାଇବେ ସେ ତାହା ଖାଇବ । ସମସ୍ତେ ଯାହା ପିନ୍ଧିବେ ସେ ତାହା ପିନ୍ଧିବ । ଏପରି କି ବାବୁମାନେ, ଦିଦିମାନେ ବିନୋଦକୁ ସଙ୍ଗରେ ମୋଟରରେ ବସାଇ ନ ନେଲେ ବୁଲିଯିବେ ନାହିଁ । ବିନୋଦକୁ ସଙ୍ଗରେ ନ ବସାଇଲେ ଖେଳି ବସିବେ ନାହିଁ । ସେ ବି ସେମିତି ନିହତ ଜଗି ଚଳୁଥାଏ । ତା ଭିତରେ ଏତେ ଛନ୍ଦ କପଟ, ଏତେ ରହସ୍ୟ ଥିଲା ବୋଲି କେହି ଜାଣି ନ ଥିଲେ । ଧୀରେ ଧୀରେ ସବୁ ପ୍ରକାଶ ପାଇଲା ।

 

ବିନୋଦ ଆଠ ଦଶ ଟଙ୍କା ଦରମା ପାଉଥିଲା, କିନ୍ତୁ ବାବୁମାନଙ୍କ ଦୟାରୁ, ଦିଦିମାନଙ୍କ ଦୟାରୁ ସେ ମାଗି ଯାଚି ଅବଶ୍ୟ ମାସକୁ ଦଶ ବାର ଟଙ୍କା ଭେଉଥିଲା । ଯେତେ ଯାହା ଭେଇଲେ କଣ ହେବ, ଏକା ବିଚ୍ ବଜାରର ଠାକୁରାଣୀଙ୍କ ସେବାକୁ ତାର ନିଅଣ୍ଟ । ଟିକିଏ ବେଳ ପାଇଲେ ସେହି ଖାନକୀ ପାଖକୁ ଦଉଡ଼ି ଯାଏ । ଧୀରେ ଧୀରେ କୁସଙ୍ଗରେ ପଡ଼ି ମଦ ଗିଲାସ ବି ତାର ଚଳିଲା । ଅନେକ ସମୟରେ ମଦ ଖାଇ ମାତାଲ ହୋଇ ରାସ୍ତାରେ ବକି ବକି ଯାଉଥିବାର ମୁଁ ତାକୁ ଦେଖିଛି । ତାକୁ ଦେଖିଲେ ମନରେ ଦୁଃଖ ହୁଏ । ଯେତେ କହିଲେ ସେ ଶୁଣେ ନାହିଁ । ଯେତେ ବୁଝାଇଲେ ସେ ବୁଝେ ନାହିଁ । କେଜାଣି ସେ ଖାନକୀ ତାକୁ କି କିମିଆ କରିଥିଲା ।

 

ମଝିରେ ମଝିରେ ବାବୁଙ୍କ ଘରୁ ଛୋଟ ଛୋଟ ଜିନିଷ ଚୋରି ହେଲା । ଆଜି ଶାଢ଼ୀ ଖଣ୍ଡେ, ଯୋତା ହଳେ, ଗିଲାସଟିଏ, କେବେ କାହା ପକେଟରୁ ଆଠଅଣା, ଟଙ୍କାଏ ! ବାବୁଙ୍କ ଘରକୁ ବାର ଲୋକ ଯା ଆସ କରନ୍ତି, କାହାକୁ ଧରିବେ ? ବିନୋଦ ଉପରେ ସେମାନଙ୍କର ଯେପରି ବିଶ୍ୱାସ ତାକୁ ଭରସି କରି ଚୋରି ବିଷୟରେ କେହି କିଛି ପଚାରି ପାରନ୍ତି ନାହିଁ । ସେ ତାର ନିଶ୍ଚିନ୍ତରେ ଥାଏ । ଚୋରି କରି ସାଧୁ ହୋଇ ନିଜେ ବ୍ୟସ୍ତ ହୁଏ ।

 

ଦିନକର ଘଟଣା, ରାତି ଅଧରେ ଦିଦିମଣି ଯେଉଁ ଘରେ ଏକୁଟିଆ ଶୋଇଥିଲେ, ବିନୋଦ ଗୋଡ଼ ଚିପି ଚିପି ସେ ଘରେ ପଶିଲା । ବିଜୁଳି ଆଲୁଅ ଟିପିଦେଇ ଦେଖିଲା, ଦିଦି ଖଟ ଉପରେ ନିଘୋଡ଼ ନିଦରେ ଶୋଇଛନ୍ତି । ସାହସ କେଡ଼େ ଦେଖ ତ । ତାଙ୍କ ବେକରୁ ସୁନାର ହାରଟା ଫିଟାଇ ଯେତେବେଳେ ସେ ଟାଣି ନିଏ ଦିଦିମଣିର ନିଦ ଭାଙ୍ଗିଲା । ସେ ତାର ହାତକୁ ଜାବୁଡ଼ି କରି ଧରି ତା ମୁହଁକୁ ଚାହିଁଲେ, ଦେଖିଲେ ବିନୋଦ ।

 

ସେଇ ଦିନ ବିନୋଦର ଚାକିରି ଗଲା ।

 

ତା ପରେ ବିନୋଦକୁ ମୁଁ ଅନେକ ଥର ଦେଖିଛି, ମଦ ଖାଇ ମାତାଲ ହୋଇ ରାସ୍ତା କରରେ ପଡ଼େ । ଥରେ ଜେଲ ଗଲା । ଶେଷକୁ ଛିଣ୍ଡା କନ୍ଥା ପିନ୍ଧି ହାତ ପାତି ଭିକ ମାଗି ବୁଲିଲା ।

 

ଦିନେ ସିଟି କଲେଜ ପାଖ ଗଳିରେ ମଟର ଧକା ଖାଇ ବିନୋଦ ପଡ଼ିଲା । ତାର ଛାତି ଉପରେ ଗାଡ଼ି ଚାଲି ଯାଇଥାଏ । ମୁଁ ନିଜେ ଆଖିରେ ଦେଖିଛି । କଲିକତାରେ ବିନୋଦ ସଙ୍ଗେ ଆଗରୁ ମୋର ଚିହ୍ନା ହୋଇଥିଲା ।

 

ବିନୋଦକୁ ଡାକ୍ତରଖାନାକୁ ନିଆଗଲା । ମୁଁ ମଧ୍ୟ ସେ ମଟରରେ ଗଲି । ବିଛଣାରେ ପଡ଼ି ପଡ଼ି ଯନ୍ତ୍ରଣାରେ ଦଶ ଦିନ ଘାଣ୍ଟି ହୋଇ ସେ ଆଖି ବୁଜିଲା, ଆଜକୁ ପ୍ରାୟ ସାତ ଦିନ ହେବ ।

 

ବିନୋଦ ଚାଲିଯିବାରୁ ମୁଁ ଆସି ତା ଜାଗାରେ ବାବୁଙ୍କ ଘରେ ରହିଛି । ଆପଣଙ୍କ ଚିଠିପାଇ ସତ ସତ ଘଟଣାଗୁଡ଼ିକ ଲେଖିଲି । ଦୟା କରି ତାର ସ୍ତ୍ରୀ ପିଲାଙ୍କୁ ଖବର ଦେବେ । ଆପଣ ମୋର ପ୍ରଣାମ ଗ୍ରହଣ କରିବେ । ଇତି ।

 

ଆପଣଙ୍କର, କପିଳ ଜେନା

•••

 

୩୫

 

ଚଉଧୁରୀ ଚିଠି ଖଣ୍ଡି ଲେଖି ଦୀର୍ଘଶ୍ୱାସ ପକାଇଲେ । ତାଙ୍କର ମନେ ହେଲା ଯଦି ଗାଁ ଲୋକେ ହସ୍ତାକ୍ଷର ବାରି ନେବେ ତେବେ ତ ସର୍ବନାଶ । ସବୁ କୌଶଳ ପଣ୍ଡ ହେବ । ସବୁ ଆଶା ବ୍ୟର୍ଥ ହେବ । ଲୋକେ ଓଲଟି ତାଙ୍କୁ ସନ୍ଦେହ କରିବେ ।

 

ଚଉଧୁରୀ ଖଣ୍ଡେ ପୁରୁଣା ଲଫାପାରେ ଚିଠିଟି ପୂରାଇଲେ । ଲଫାପା ଉପରେ ତାଙ୍କରି ଠିକଣା ଲେଖା ହୋଇଛି ।

 

ସଞ୍ଚ ବୁଡ଼ି ଆସୁଥାଏ । ଚଉଧୁରୀ କ୍ଷୁବ୍‌ଧ ମନରେ କଠଉ ମାଡ଼ି ଖୋଲା ଚିଠିକୁ ବାଁ ହାତରେ ଧରି କଦମ ଦାଣ୍ଡକୁ ଚାଲିଲେ । ଦାଣ୍ଡ ଦୁଆର ମୁହଁରେ ଚାନ୍ଦ ଗୋବର ଟୋକେଇ ଧରି ଠିଆ ହୋଇଛି ।

 

ଚଉଧୁରୀ ବ୍ୟସ୍ତ ହୋଇ କହିଲେ, ଆଲୋ ଚାନ୍ଦ ଖବର ଶୁଣିଛୁ ?

ଚାନ୍ଦ ପଚାରିଲା, କି ଖବର ସାଆନ୍ତେ ?

ସେହି ବିନୋଦିଆ କଥା ।

 

କଅଣ ହୋଇଛି ? ଗୋବର ଟୋକେଇ ନଥ୍ କରି ତଳେ ଥୋଇଦେଲା । ଏହିକ୍ଷଣି ଚିଠି ପାଇଲି, ଛାଡ଼, କଅଣ ହେବ କହିଲେ, କପାଳ କଥା !

 

ଏତିକି କହି ଚଉଧୁରୀ ଦାଣ୍ଡକୁ ଗଲେ । ଚାନ୍ଦ ତାଙ୍କର ପଛେ ପଛେ ଗଲା ।

 

କଦମ୍ବ ଦାଣ୍ଡରେ ତର୍କବିତର୍କ ଚାଲିଛି, ବାବାଜୀ ବକ୍‌ରିର ସମାଧି ହେବ । ଲଙ୍ଗୁଳି ଗୋସାଇଁ ଠାକୁରଙ୍କ ନାମରେ ତାକୁ ବାବାଜୀ କରି ଛାଡ଼ି ଦେବାର ପନ୍ଦର ବର୍ଷ ହେଲା । ଆଜିଯାଏ ଏକାଙ୍ଗଚକ୍ରବର୍ତ୍ତୀ ହୋଇ ସେ ନାଗବଲ୍ଲୀ ଗାଁରେ ବୁଲୁଥିଲା । ସମସ୍ତେ ତାକୁ ଆଦର କରନ୍ତି, ଭଲ ପାଆନ୍ତି ।

 

ଆଜି ସକାଳୁ ଦେଖାଗଲା, ଲଙ୍ଗୁଳି ଗୋସାଇଁଙ୍କ ସମାଧି ଆଗରରେ ବାବାଜୀ ବକରି ମରି ଶୋଇଛି । କାହିଁକି ମଲା, କିପରି ମଲା, କେହି ଜାଣନ୍ତି ନାହିଁ । ଲୋକଙ୍କର ଧାରଣା, ସେ ଦେହ ଛାଡ଼ିଛି । ତାକୁ ସମାଧି ଗୋସାଇଁଙ୍କ ଆଗରେ ସମାଧି ଦେବାକୁ ହେବ ।

 

ଖାଲି ଗାତ ଖୋଳି ପୋତିଦେଲେ ସମାଧି ହୁଏ ନାହିଁ । ସେଥିକି ଆୟୋଜନ ଲୋଡ଼ା, ପଇସା ଲୋଡ଼ା । ସଂକୀର୍ତ୍ତନ ହେବ, ଭୋଗରାଗର ବନ୍ଦୋବସ୍ତ ହେବ । କାଲି ସକାଳୁ ଗାଁରେ ହଳଦୀପାଣି । ସେଥିକି ପଇସା ଦରକାର, ଟଙ୍କା ଦୁଇ ଖର୍ଚ୍ଚ । ଚାନ୍ଦା ନ କଲେ ଚଳିବ ନାହିଁ ।

 

ବାବନା ସବୁ ବିଳାସିତାଠାରୁ ବହୁତ ଦୂରରେ । ସେହି ବିଷୟ ନେଇ ତର୍କ । କହିଲା, ବୃଥା କଥାରେ ଗାଆଁର ଅସଲ ଭେଣ୍ଡିଆମାନେ ଏକାଠି ହୋଇ ହୋ ହୋ ହେଉଛ କାହିଁକି ? ଛେଳିଟାଏ ତ, ମରିଗଲା, ନଈ ବାଲିରେ ନେଇ ଫୋପାଡ଼ି ଦେଇ ଆସିଲେ ଗାଁ ବିଲୁଆ ଦୁଇଦିନ ଖାଇବେ । ତାକୁ ନେଇ ଏତେ ସମୟ ନଷ୍ଟ କରି ଚାନ୍ଦା କରି ଟଙ୍କା ଖର୍ଚ୍ଚ କରି ତମର କେଉଁ ପୂଣ୍ୟ ହେବ ? ଦିନେଇ ସ୍ତ୍ରୀ ବେମାର ଥିଲା, ସେ ଚାରଣା ପଇସା ନେଇ ଓଷଦ ପାଇଁ ଯାଉଥିଲା । ସେ ଦିନ ତାଠୁଁ ସେ ପଇସା ଛଡ଼ାଇ ଆଣି କେଉଁ କୀର୍ତ୍ତିଟା ଅର୍ଜିଲ ରେ ? ଓଷଦ ନ ପାଇ ତାର ସ୍ତ୍ରୀ ମଲା । କେହି ତାର ଦୁଆରେ ଠିଆ ହୋଇ ପଦେ ହେମତ୍ ଦେଇ କହିଥିଲ ? ଲଜ୍ଜା ନାହିଁରେ ତମ ମୁହଁକୁ ? ମଣିଷ ବୋଲି ଗର୍ବ କରି ଛାତି ଦେଖାଇ ଚାଲୁଛ ? କେଉଁ ମଣିଷପଣିଆ ତମର ଅଛି ? ପଇସା ଅଭାବରେ ଦିନେଇ ତା ସ୍ତ୍ରୀକୁ ଏକୁଟିଆ ନେଇ ସତୀଗାଡ଼ିଆ ମଶାଣିରେ ଶୁଆଇ ଦେଇ ଆସିଲା, ଭୋ ଭୋ ଡକା ଛାଡ଼ୁ ଥାଏ । କାହାର ଟିକିଏ ଇଚ୍ଛା ହେଲା ନାହିଁ କାନ୍ଧ ପକାଇବାକୁ ? ଆଜି ଯାଉଛ ଛେଳିଟାକୁ କାନ୍ଧରେ ବୋହି ସମାଧି ଦେବ, ସଂକୀର୍ତ୍ତନ କରିବ ?

 

ବାବନାର କଥା ଶୁଣି ହଟ କହିଲା, ଦିନା ଭାରିଯାର କାଳ ପୂରିଲା, ସେ ମଲା, ସେଥିକି କିଏ କଅଣ କରିବ ?

 

ଦର୍ଶନ କହିଲା, କୁମ୍ଭାର ଘର ବୋହୂ, ତା ପିଣ୍ଡକୁ ଆମେ କିପରି ଛୁଇଁବୁ ? ଜାତି ଯିବ ।

 

ବାବନା କହିଲା, ଠିକ୍ କଥା, ତେବେ ତ ବାବାଜୀ ଛେଳିର କାଳ ପୂରିଲା, ତୁମେ ହୋ ହୋ ହେଉଛ କାହିଁକି ? ମଣିଷର ଶବ ଉଠାଇଲେ ତମର ଜାତି ଯିବ, ଛେଳି, ମେଣ୍ଢା ପଶୁ, ତାଙ୍କର ଶବ ଛୁଇଁଲେ ତୁମର ଜାତି ଯିବ ନାହିଁ ? ଛେଳି ମେଣ୍ଢା କଣ ତୁମର ଜାତିଭାଇ ? ତୁମେ ତେବେ ସତରେ ଓଡ଼ିଆ ମେଣ୍ଢା ?

 

କଣ୍ଠ କହିଲେ, ଆରେ, ସେ ବାବଜୀ ଛେଳି, ତାର କେତେ ପୂଣ୍ୟ ।

 

ବାବନା କହିଲା, ତାର ପୂଣ୍ୟ ଜୋରରେ ସେ ତୁମକୁ ଲାଙ୍ଗୁଡ଼ରେ ବାନ୍ଧି ସ୍ୱର୍ଗକୁ ଘୋସାରି ନେବ ପରା ! ନୋହିଲେ ଶିଙ୍ଘରେ ଠେଲି ଠେଲିକା ନେଇଯିବ, ଭାବନା କଅଣ ? କିନ୍ତୁ ସେ କଅଣ ଜାଣେ ନାହିଁ ତୁମେ ମଣିଷଗୁରାକ ପ୍ରତିବର୍ଷ ତାର କେତେ ଜାତି ଭାଇଙ୍କୁ ହାଣି ଖାଅ ? ମଲାବେଳକୁ ହଡ଼ା ଦାନ ଦେଇ ସ୍ୱର୍ଗକୁ ଯିବାର ବ୍ୟବସ୍ଥା କରୁଛ କଣ୍ଠଦା; କିନ୍ତୁ ଚିତ୍ରଗୁପ୍ତ ମହାଶୟଙ୍କ ଆଖିରେ ଧୂଳି ଦେଇ ପାରିବ ନାହିଁ ।

 

ସମସ୍ତେ ତୁନି ରହିଲେ । ବାବନା ପୁଣି କହିଲା, ନାଇଁ ନାଇଁ, ସେସବୁ ବଗୁଲିଆ ବୁଦ୍ଧି ଛାଡ଼ । ଆସ, ଯଦି ଘରେ କାମ ନାହିଁ, ଗାଣ୍ଡୁଆରେ ମାଟି ଆଣି ଗାଁ ଦାଣ୍ଡରେ ପକାଇବା । ନୋହିଲେ ଆମ ଗାଁ ବନ୍ଧରେ, ଯେଉଁଠି ଖାଲ ହୋଇ ଯାଇଛି, ତାରି ଉପରେ ପକାଇ ନିଶ୍ଚିନ୍ତ ହେବା ବଢ଼ି ବେଳକୁ ।

 

ମଦନା କହିଲା, ସେସବୁ ସର୍କାରି କାମ, ସର୍କାର କରିବ, କାନ୍ତରାଟି ଲାଗିବେ । ପଇସା ଖରଚ ହେବ । ମାଟି ଖୋଳାଳୀ ମୂଲିଆଠୁ ଆରମ୍ଭ କରି କେତେ ଉପର ଯାଏ ପଇସା ବାଣ୍ଟି ନେବେ ।

 

ବାବନା କହିଲା, ସର୍କାର ଯଦି ଭୁଲରେ ନ କରି ପାରେ, ନଈ ବଢ଼ିରେ ସର୍କାର ଭାସିଯିବ ନାହିଁ । ଭାସିଯିବା ଆମେ । ଆମ ବନ୍ଧର ହାଲଚାଲ ଆମେ ବେଶି ଜାଣୁ, ସର୍କାର ଜାଣିବ କିପରି କହ ? ତାର କାଗଜ କଲମ ଛଡ଼ା ଆମଭଳି ଆଖି ନାହିଁ । ସର୍କାର ଉପରେ ଟାଳିଦେଇ ବସିଲେ ଶେଷକୁ ନିଜେ ଉବେଇ ଟୁବେଇ ହୋଇ ମରିବା ।

 

ବାବନାର କଥା ନ ସରୁଣୁ ଚଉଧୁରୀ ଖଡ଼ମ୍ ଠକ ଠକ୍ କରି ଦାଣ୍ଡରେ ପହଞ୍ଚିଲେ । ତାଙ୍କର ମନରେ ବି ସରାଗ ନାହିଁ । ତାଙ୍କୁ ଦେଖି ସମସ୍ତେ ତୁନିହେଲେ । ଚଉଧୁରୀ ଆଖଡ଼ାଘର ପିଣ୍ଡାରେ ପଡ଼ିଥିବା ନଡ଼ିଆ ଚାଞ୍ଚରା ଉପରେ ବସି ବିନା ଅବତରଣିକାରେ ଆରମ୍ଭ କଲେ, ଆରେ ଶୁଣିଲଣି, ଆଜି ମୋ ନାମରେ ଖଣ୍ଡେ ଚିଠି ଆସିଛି କଲିକତାରୁ । ବିଚାରା ବିନୋଦର କାଳ ହୋଇଗଲା ।

 

ଚାନ୍ଦ ଖଣ୍ଡେ ଦୂରରେ ଠିଆ ହୋଇଥିଲା । କଥାଟା ଆଗ ଯାଇ ତା କାନରେ ଧକ୍‌କା ଦେବାରୁ ସେ ଜିଭ କାମୁଡ଼ି ବ୍ୟସ୍ତ ହୋଇ ପାଖକୁ ଧାଇଁ ଆସି ପଚାରିଲା, କଅଣ କହିଲ ସାଆନ୍ତେ-?

 

ଚଉଧୁରୀଙ୍କ କପାଳରେ ବୁନ୍ଦା ଝାଳ ଦେଖାଗଲା । ସେ ମୁହଁ ପୋଛି ମୁଣ୍ଡ ହଲାଇ କହିଲେ, ନାହିଁ, କିଛି ନାହିଁ, ଆରେ କଣ୍ଠ, ନେ ଏ ଚିଠିଖଣ୍ଡି ନେ, ବଡ଼ ପାଟିକରି ପଢ଼ । ମୁଁ ପଢ଼ି ପଢ଼ି ତାର ଆଦିଅନ୍ତ କିଛି ବୁଝିପାରୁ ନାହିଁ ।

 

ଚିଠିଖଣ୍ଡି ଲଫାପାରୁ କାଢ଼ି କଣ୍ଠଙ୍କ ହାତକୁ ବଢ଼ାଇଦେଲେ ।

 

କଣ୍ଠ ଏକା ଦମ୍‌ରେ ଚିଠିଖଣ୍ଡି ଆମୂଳଚୂଳ ପଢ଼ି ଚୁ-ଚୁ କରି ଚଉଧୁରୀଙ୍କ ହାତକୁ ଫେରାଇ ଦେଲେ । ଘଟଣାଟି ତାଙ୍କୁ ଗୋଟାଏ ଗଳ୍ପପରି ଲାଗିଲା । ସେ ଥକ୍‌କାମାରି ବସିପଡ଼ିଲେ-। କାହାକୁ ଖୋଜିଲା ପରି ଏଣେ ତେଣେ ଚାହିଁଲେ ।

 

ଚାନ୍ଦ ତା ମନରେ ଉଦ୍‌ବେଗ ସମ୍ଭାଳି ପାରିଲା ନାହିଁ । ସବୁ ବୁଝି କିଛି ନ ବୁଝିଲା ପରି ବାବନାର ହାତକୁ ଧରି ଲୁହ ଢଳ ଢଳ ଆଖିରେ ବିକଳ ହୋଇ ପଚାରିଲା, କଣ ହେଲା, ପୁଅ ? ମୁଁ ଏତେ କଥା ବୁଝି ପାରୁ ନାହିଁ । ବିନୋଦ ଭଲ ଅଛି ତ ?

 

ବାବନା ଦୁଃଖିତ ହୋଇ କହିଲା, ବିନୋଦ ? ତାର କାଳ ହୋଇଗଲା ବୋଲି ଚିଠି ଆସିଛି । ଆହା, କେଡ଼େ ହତଭାଗା ଲୋକଟି !

 

ବାବନାର ଆଖି ସଜଳ ହେଲା ।

 

ଚାନ୍ଦ ଆଉ ବେଶି ଶୁଣିବାକୁ ରହିପାରିଲା ନାହିଁ । ସେ ବାହୁନି ବାହୁନି ଅହିଲା ପାଖକୁ ଛୁଟିଲା..... ।

 

ଗମ୍ଭୀର ଭାବରେ ଚୌଧୁରୀ ପଚାରିଲେ, ଚିଠିଟା କିଏ ଲେଖିଛି, ଭଲକରି ତା ନାମ ପଢ଼ ତ ।

 

କପିଳ ଜେନା ।

 

ଲୋକଟି କିଏ ? ନାମଟି କେଉଁଠି ଶୁଣିଲାପରି ମନେ ହେଉଛି, ଠିକ୍ ମନେ ପଡ଼ୁନାହିଁ । ତୁମମାନଙ୍କ ଭିତରୁ କିଏ ତାକୁ ଚିହ୍ନିଛ ?

 

ହଟ ବାହାଦୂରି ନେବାକୁ ସର୍ବଜ୍ଞ ପରି ବଖାଣିଲା, କପିଳ ଜେନାକୁ ଚିହ୍ନ ନାହିଁ କଣ୍ଠ ଆପଣେ ? ସେ ପରା ସବଳପୁର ଗାଁର ହରି ଜେନାର ବଡ଼ପୁଅ ! କଲିକତାରେ ଗାଈ ରଖି ସେ କ୍ଷୀର ବିକୁଛି ।

 

ଦର୍ଶନ କଥାରେ ତାଳ ପକାଇ କହିଲା, କଲିକତାରେ ଥାଏ ବୋଲି ଲୋକେ କହନ୍ତି ।

 

ଚଉଧୁରୀ ଦୁଃଖିତ ହୋଇ କହିଲେ, ଦୁଃଖ ଯେତେବେଳେ ଆସେ, ସେ ତାର ଭାଇ ବନ୍ଧୁ କୁଟୁମ୍ବ ସଭିଙ୍କି ସଙ୍ଗେରେ ଘେନି କୁହୁଡ଼ି ପରି ମାଡ଼ିଆସେ । କଅଣ କରାଯିବ, ଦଇବ, ଦୁର୍ଘଟଣା । ବିଚାରା ଅହିଲିର ଆଜି ସାହା କିନାରା କିଛି ନାହିଁ । ତାର ଘର ଖଣ୍ଡି ଭାଙ୍ଗି ପଡ଼ିଲା, କୁହାବୋଲା କରି ଚାନ୍ଦ ଘରେ ତାକୁ ରଖି ଦେଇଥିଲି । ବିନୋଦ ପାଖକୁ ଲେଖି ଦେଇଥିଲି ଟଙ୍କା ଦଶ ପନ୍ଦରଟା ପଠାଇଥିଲେ, ତୁମମାନଙ୍କୁ ଧରି ଯେକୌଣସି ମତେ ତାର ଘରଖଣ୍ଡି ଉଠାଇ ଦେଇଥାନ୍ତେ । ଏବେ ଘଟଣା ଶୁଣ । ମୋର ତା ଉପରେ ଯାହା ଟଙ୍କା ଥିଲା, ସବୁ ବୁଡ଼ିଲା, ସେ କଥା ଧରୁଛି କିଏ ? କଥା ହେଉଛି ଚାନ୍ଦ ତା ପ୍ରତି ଯେପରି ବ୍ୟବହାର କରୁଛି, ଆଉ ବେଶିଦିନ ଅହିଲାକୁ ତା ଘରେ ରଖାଇ ଦେବ ନାହିଁ ।

 

ବାବନା କହିଲା, ତାକୁ ଆପଣ କୁହାବୋଲା କଲେ ଆପଣଙ୍କ ମୁଲାଇଜାରେ ଦିନା କେତେ ସେ ଅହିଲାକୁ ଆଶ୍ରା ଦେବ ।

 

ମଦନା କହିଲା, ସେ କଥା କଣ ଚଉଧୁରୀଙ୍କ ପରି ନ୍ୟାୟବନ୍ତ ଲୋକ ମନା କରିବେ ? ଗରିବଙ୍କ ପ୍ରତି ତାଙ୍କର ସର୍ବଦା ଆଖି ! ତେବେ ଅଇଘରାକୁ ବାଇଗଣ ଫିଙ୍ଗିଲା ପରି କଥା କହିଲେ ତ ହେବ ନାହିଁ । କଥା ଭିତରେ ପଶି ଟିକିଏ ବୁଝ । ଚାନ୍ଦ ଘରେ ଅହିଲା କିଛି ଯାହାନ ଯୁଗ ରହିପାରିବ ନାହିଁ ।

 

ଚଉଧୁରୀ କହିଲେ ଅବଶ୍ୟ ମାସେ ପନ୍ଦର ଦିନ ସେ ଚଳାଇ ନେବ, ତେଣିକି ? ମଦନ ସରସ କଥା କହେ । ଅହିଲା ଟୋକୀ । ସାରା ଜୀବନ ତା ଆଗରେ ପଡ଼ିଛି । ତେଣିକି ସେ କଅଣ କରିବ ? ମୁଁ କହୁଛି ଏଣିକି ତୁମେମାନେ ଏବିଷୟ ବିଚାର ନ କଲେ ନ ଚଳେ । ମୁଁ ଯେପରି ତାକୁ ଝୁଅ ପରି ଦେଖେ, ତୁମମାନଙ୍କର ବି ତାକୁ ନିଜର ଭଉଣୀ ପରି ଦେଖିବା ଦରକାର । ଆମେ ଥାଉଁଣୁ ତ ତାକୁ ଗାଁ ଛାଡ଼ି ଛତରରେ ପଶିବାକୁ ଠେଲି ଦେବା ନାହିଁ ! କିରେ ବାବନା, କହୁନୁ କାହିଁକି ?

 

ବାବନା କହିଲା, ଆପଣ ଥାଉଁଣୁ ମୋର ଆଉ କହିବାର କିଛି ନାହିଁ । ଆପଣମାନେ ଯାହା ସ୍ଥିର କରିବେ ସେଇଆ ହେବ । ଚଉଧୁରୀ କହିଲେ ତେବେ ପାଞ୍ଚ ଜଣଙ୍କର ପରାମର୍ଶ ଘେନି କାମ କରିବା । ନ ହେଲା, ଅହିଲା ଯାଇ ମୋ ଘରେ ରହିବ । ମୁଠାଏ ଖାଇବାକୁ କି ଖଣ୍ଡେ ପିନ୍ଧିବାକୁ ଦେବାକୁ ମୁଁ ପଛେଇବି ନାହିଁ । ସେ ମୋର କାମ କରିବ, ମୁଠାଏ ଖାଇବ, ସେଥିରେ କଣ ଅଛି ? ମଣିଷ ଜୀବନରେ ଖାଲି ଖାଇବା ପିନ୍ଧିବା ବଡ଼କଥା ନୁହେଁ । ଆଜି ଭଲ ଥାଏ ମନ୍ଦ ଥାଏ, ସେଥିକି ପାରିବ କିଏ ?

 

ସମସ୍ତେ ତୁନି ରହିଲେ ।

 

ଚଉଧୁରୀ ପୁଣି କହିଲେ, ଆପଣମାନେ ମୋ ମୁଣ୍ଡରେ ବୋଝ ଥୋଇ ନିଶ୍ଚିନ୍ତ ହେବେ । ଭଲ ମନ୍ଦକୁ ମୋ ପିଠିରେ ପଡ଼ିବ କିଏ ? ମଣିଷ ସଂସାରରେ ପଥର ବୋଝ ମୁଣ୍ଡରେ ବୋହି ଚାରିଆଡ଼କୁ କେତେ ନଜର ରଖି ଚଳିବ ? ଟିକିଏ ଆଖି ବୁଜିଲେ ସବୁ ଅନ୍ଧାର । ନାଗ ସାପ ଗଳାରେ ବାନ୍ଧି ଚଳାଇବା ସହଜ କଥା ନୁହେଁ ।

 

ବାବନା କହିଲା, ତାକୁ କଟକ ଆଶ୍ରମକୁ ଶ୍ରୀମତୀ ରମା ଦେବୀଙ୍କ ପାଖକୁ ପଠାଇଦେଲେ ଭଲ ହେବ ।

 

ଚଉଧୁରୀ କହିଲେ ଏସବୁ ଟୋକାଳିଆ କଥା, ବଗୁଲିଆ ବୁଦ୍ଧି, ବାଇଆ ପଣ । କିହୋ କଣ୍ଠ, କିରେ ମଦନା, କଅଣ କହୁଛ ? ଅହିଲା ଯିବାକୁ ମଙ୍ଗିବ କି ? ଆଶ୍ରମରେ ସବୁ ଜାତିର ଲୋକ ରହନ୍ତି । ଏକାଠି କାରବାର । ଜାତି ଗୋତ୍ର ରହିବ ନାହିଁ । କଣ୍ଠ କହିଲେ ତାହା ନୁହେଁ କଣ-?

 

ମଦନ କହିଲା ଠିକ୍‌ ତ ।

 

ଚଉଧୁରୀ କହିଲେ ମୁଁ କହୁଛି କଅଣ କି, ଚାନ୍ଦ ଯଦି କେବେ ତାକୁ ଘରୁ ତଡ଼ିଦିଏ, ସେ ତ ଯାଇ ମୋ ଘରେ ରହିବ । ତମେ ସବୁ ନିଶ୍ଚିନ୍ତ ହେବ ନାହିଁ । ମନେ ମନେ ଗୋଟିଏ ପାତ୍ର ଖୋଜୁଥା । ଯଦି ସୁବିଧା ମିଳେ, ଦୁତୀୟ କରିଦେଲେ ସବୁଆଡ଼ୁ ଭଲ । ତୁମେ ବି ନିଶ୍ଚିନ୍ତ, ମୁଁ ବି ନିଶ୍ଚିନ୍ତ । ସେ ବିଚାରୀ ବି ସୁଖରେ ରହିବ ।

 

ଚଉଧୁରୀଙ୍କ କଥାରେ ସମସ୍ତେ ଏକମତ ହେଲେ । ଭଜନି ଖୁସି ହୋଇ କହିଲା, ଆପଣ ନ ଥିଲେ ଏ ଗାଁରେ ଚଳି ହୁଅନ୍ତା ନାହିଁ । ଆଉ ଗୁରାକ ଅମଣିଷ ।      

 

ଆତ୍ମପ୍ରଶଂସା ଶୁଣି ଚଉଧୁରୀ ହସ ହସ ହୋଇ କଣ୍ଠଙ୍କ ହାତରୁ ଚିଠି ଆଣି ଟିକି ଟିକି କରି ଚିରି ଦେଲେ । କହିଲେ, ଅଶୁଭ ଚିଠି ରଖା ଯାଏ ନାହିଁ । ତାକୁ ଆଉ ଛୁଇଁ ଯୋଗାଏ ନାହିଁ ।

 

କଣ୍ଠ ମଦନକୁ କଅଣ ଠାରିଲେ । ମଦନ ହଟକୁ ଚିମୁଟି ଦେଲା । ହଟ କହିଲା, ଆମେ ଗ୍ରାମବାସୀଏ ଅବିକା ଆପଣଙ୍କ ଦାଣ୍ଡକୁ ଚାନ୍ଦାପାଇଁ ଯାଇଥାନ୍ତୁ ।

 

କାହିଁକି ରେ ?

ବାବାଜୀ ବକ୍‌ରିର ସମାଧି ହେବ ବୋଲି ଚାନ୍ଦା ଉଠାଉଛୁଁ ।

 

ଯିବ, ଯିବ, କିଛି କଥା ନାହିଁ । ମୋତେ ଫଳେ ପୁଷ୍ପେ ଯାହା ମିଳିବ ଅବଶ୍ୟ ତୁମକୁ ଦେବି । ଗାଁରେ ଗୋଟାଏ ଭଲ କାମ କରିବାକୁ ବସିଛ, ସେତ ସୁଲଭ କଥା । ଏସବୁରେ ବାଧା ଦେଲେ ଚଳିବ କିପରି ? ଛେଳିଟାଏ ସିନା, ଧନ୍ୟ କହିବା ତାର ପୂଣ୍ୟ । ଚଉଧୁରୀ ଉଠିଗଲେ ।

 

ବାବନାର ସବୁ ତର୍କ ବିଫଳ ହେବାର ଦେଖି ସେ ବିରକ୍ତ ହୋଇ କହିଲା, ଜାଣି ଜାଣି ତୁମେ ସବୁ ଭିକ ମାଗିବାକୁ ସଜ ହେଉଛ । କିରେ, ଅରିଲୋ ମେଲଣରେ ଏତେ ପଇସା ଖର୍ଚ୍ଚ କରିଥିଲ । ଲୋକେ ତୁମକୁ ଦୁଇଦିନ ପ୍ରଶଂସା କରିଥିବେ, ତୁମର କେଉଁ ବଡ଼ତି ହେଲା ? କାଲି ଯାହା ଥିଲ ଆଜି ସେଇଆ ଅଛ । ଏଥର ମଲା ଛେଳି ପିଛା ପାଞ୍ଚଟଙ୍କା ବୃଥା ଖରଚ କରିବ, ତୁମର ଅଧିକା କିଛି ହେବ ନାହିଁ । ଯଦି ସେହି ପଇସାରେ ଅହିଲାର ଘର ଖଣ୍ଡି ତୋଳି ଦେଇ ପାରନ୍ତ, ତୁମର ମଣିଷପଣିଆ ଜଣାପଡ଼ନ୍ତା, ତୁମ ନାମ ଦିନାକେତେ ରହନ୍ତା । ଗରିବର ଦୁଃଖ ଦୂର ହୁଅନ୍ତା । ମୃଦଙ୍ଗ ଧରି ଥେଇ ଥେଇ ନାଚିଲେ ଦୁଃଖ ଯିବ ନାହିଁ, ପେଟ ପୂରିବ ନାହିଁ, ଖାଲି ହାତ ପାପୁଲି ଫାଟି ରକ୍ତ ବୋହିବ ।

•••

 

୪୬

 

କିଲୋ, ଖୁଣ୍ଟ ପରି ଠିଆହୋଇ ଖାଲି ଉପରକୁ ଚାହିଁଲେ କଅଣ ପେଟ ପୂରିବ ? ଘରଦ୍ୱାର ଅଳିଆ ହୋଇ ପଡ଼ିଛି, ତୋତେ କଅଣ ଦିଶୁନାହିଁ, ଆଖି ଫୁଟି ଯାଇଛି କି ? ଏକାଦମ୍‌ରେ କଥାତକ ଅହିଲାକୁ କହି ଚାନ୍ଦ ଘର ଭିତରକୁ ପଶିଗଲା । ଅହିଲା ସବୁ ଶୁଣି କଛି ନ ଶୁଣିଲା ପରି ଠିଆ ହୋଇ ରହିଲା । ଆଖିରୁ ଲୁହ ଝରି ପଡ଼ୁଥାଏ ଝରଣା ପରି ।

 

ବିନୋଦର ମଲା ଖବର ଆଜିକି ମାସକରୁ ଉପର ହେଲାଣି । ଏହି କେଇଟା ଦିନରେ ଅହିଲାର କେତେ ପରିବର୍ତ୍ତନ ହୋଇଛି । ତାର ସେ ହସ ହସ ମୁହଁଟିକୁ ନୈରାଶର ବଉଦ ଘୋଡ଼ାଇ ରଖିଛି । ମନରେ ପୂର୍ବର ସରସତା ନାହିଁ । ଆଖିର ଜ୍ୟୋତି ନିଷ୍ପ୍ରଭ ହୋଇଛି । ଦେହଲତାଟି ଦିନୁଦିନ କ୍ଷୀଣ ହେଉଛି । ସତେ କି ଝାଉଁଳି ପଡ଼ିବ । ଚଞ୍ଚଳ ଗତି ଆଜି ମନ୍ଥର ହୋଇଛି । ବିଧବା ବେଶ । କେଡ଼େ ମଳିନ, କେଡ଼େ ଭୟଙ୍କର ।

 

ଚାନ୍ଦ କହିଲା, ଅହିଲା ଶୁଣିଲା ନାହିଁ । କାହାରି କଥାକୁ ତାର ଛଳ ନାହିଁ । ଛଳ, କରିବ କାହା ନେଇ ? ମନରେ ଦମ୍ଭ ଆସିବ କିପରି ? ସେ ବିଧବା, ଅସହାୟା, ଦାଣ୍ଡର ଭିକାରୁଣୀ । ଭିକାରୀ ଯଦି ମାନ କରି ବସେ, ସେ ତାର ନିଜର ଭିକ ମୁଠାକ ହରାଇବ ସିନା ! ଅହିଲା ଚାନ୍ଦ କଥାରେ ଛଳ କଲେ ଚାନ୍ଦକୁ ମାନ କଲେ ଚୋରକୁ ମାନ କରି ଖପରାରେ ଖାଇବା ସଙ୍ଗେ ସମାନ ହେବ । କହୁ ଯେତେ କହିବ । ଦୟା କରି ଘରେ ଥାନ ଦେଇଛି, କହିବାକୁ ତାର ସବୁ ଅଧିକାର ଅଛି । ସେ ଛାତି ପଥର କରିଛି । ସବୁ ସହିବ ।

 

ଚାନ୍ଦ ଛାଞ୍ଚୁଣିମୁଠାକ ହାତରେ ଧରି ଘରଭିତରୁ ବାହାରି ଆସିଲା । ଅହିଲାକୁ ଦେଖି ପୁଣି ରଗରଗ ହୋଇ କହିଲା, କିଲୋ, ତୋ କାନରେ ପଥର ପଡ଼ିଛି କି ? କହିଲେ କଥାକୁ ପାସଙ୍ଗରେ ପକାଉନୁ ? ଆଲୋ ବଲବଲ କରି ଉପରକୁ ଚାହିଁଥିଲେ କି କାମଧନ୍ଦା ଆପେ ଆପେ ହେବ ? ଶୂନ୍ୟରୁ କେଉଁଠୁ ଅଧାର ଆସି ତୋ ପାଟିରେ ଖସି ପଡ଼ିବ ? ଛାଞ୍ଚୁଣିମୁଠାକ ଧରି ତରତର କରି ଘର ଦୁଆର ଓଳେଇ ପକା । ଘରେ ଛୁଞ୍ଚୁ କନା ଘଷି ଦେ । ମୂଷାମାହାନ୍ତି ଘର ଧାନକୁଟା ହେଉଛି ଯା ଧାନ କୁଟିବୁ । ଅବଶ୍ୟ ଖୁଦ ମଳୁଖ ମିଶି ସେରେ କି ପାଞ୍ଚପା ମିଳିବ । ଖାଲି ଚାହିଁବସିଲେ କିଛି ହେବ ନାହିଁ ।

Unknown

 

ଅହିଲା ଚାନ୍ଦ ହାତରୁ ଛାଞ୍ଚୁଣି ମୁଠାକ ନେଇ ଘର ଓଳାଇବାକୁ ବାହାରିଲା, ପାରିଲା ନାହିଁ । ତିନି ଦିନ ହେଲା ଖାଡ଼ା ଉପାସ, ହାତରେ ଦଶ ପଚିଶ ନାହିଁ ଯେ କାମ ନ କରି କିଛି ଦିନ ଚଳାଇ ନେବ । ପରଘରୁ ମୁଠାଏ ଆଣିଲେ ଚୁଲିରେ କୁହୁଳା ପଡ଼ିବା କଥା । ଆଜିକାଲି ଧାର ଉଧାର ଦେଉଛି କିଏ ? ନିଜ କଥା ନିଜକୁ ଅସମ୍ଭାଳ । ପର ଦୁଃଖକୁ ଅନାଇବାକୁ ବେଳ କାହିଁ ? ବିନୋଦର ମଲା ଖବର ଶୁଣିଲା ଦିନୁ ଅହିଲା ଭାଙ୍ଗିପଡ଼ିଛି । ଘର ଛାଡ଼ି ପଦାକୁ ଯାଇ ପାରୁ ନାହିଁ । ଯେଉଁଠି ବସିଲେ ସେଇଠି । ଯୁଆଡ଼କୁ ଚାହିଁଛି ତ ଚାହିଁଛି, ଆଖିରୁ ଧାର ଧାର ଲୁହ ଝରି ପଡ଼ୁଛି । କାମ କରିବାକୁ ଇଚ୍ଛା ହେଉ ନାହିଁ । ଇଚ୍ଛା ହେଲେ ବଳ ପାଉ ନାହିଁ । କଅଣ କରିବ, ତାର କି ଚାରା-?

 

ତାର ଏପରି ଢଙ୍ଗ ଦେଖି ପିଲାବକଟକ ବି ଛାନିଆ ହୋଇ ପଡ଼ିଲା । ସବୁବେଳେ ମା ମୁହଁକୁ ଚାହିଁ ବସିଥାଏ । ମା କାନ୍ଦିଲେ ସେ ତାର ପିଠିକି ଆଉଜି ନୋହିଲେ ତାର କୋଳରେ ମୁହଁ ପୋତି କେତେ କାନ୍ଦେ । ଅହିଲା ହାତ ପିଠିରେ ତା ଆଖିରୁ ଲୁହ ପୋଛିଦିଏ, ତାକୁ ଛାତି ଉପରକୁ ଟାଣି ନେଇ ଅତି ଅଧୀର ହୋଇ ନିଜେ କାନ୍ଦି ପକାଏ । ତାର ଦୁଃଖର ଜୀବନରେ ସେହି ଛୁଆବକଟକ ତାର ଏକମାତ୍ର ଅବଲମ୍ବନ, ସାହା, ସମ୍ବଳ ! ତାର ନିରାନନ୍ଦ ଜୀବନରେ ସେଇ ଏକମାତ୍ର ଆଶା ଓ ଆନନ୍ଦ ।

 

କିଏ ତାର ସାହା ଭରସା ଅଛି ? ଆଜି ସିନା ଗାଁ ଲୋକେ, କେହି କିପରି ବିକଳ ପାଇ ଅରକ୍ଷ ଛେଉଣ୍ଡ ପିଲାଟିକୁ ମୁଠିଏ ଭାତ, କି ମନ୍ଦିଏ ତୋରାଣି ଦେଲେ, ଆଜି ସିନା ଚାନ୍ଦମାଉସୀ ତାର ଆଖିର ଲୁହ ଦେଖି ସହି ନ ପାରି ଅଣ୍ଟା କରାଟରୁ ଅଧଲାଟିଏ କାଢ଼ି ତାକୁ ଚୁଡ଼ାଭୁଜା କିଣି ଦେଉଛି, ସବୁଦିନେ ସେ ତାକୁ ଦେବ ନାହିଁ କି ଗାଁଲୋକେ ପଚାରିବେ ନାହିଁ ! ତେଣିକି ସେ କଣ କରିବ ? କିପରି ଚଳିବ ? ଏହି କଥା ଭାବି ଭାବି ଅହିଲା ଆଉଳି କାଉଳି ହୋଇ ପଡ଼ିଛି । ଉପାସ ଭୋକରେ ତାର ହାତଗୋଡ଼ ଚଳୁ ନାହିଁ ।

 

ଅହିଲା ଛାଞ୍ଚୁଣିମୁଠାକ ଧରି ଘରଭିତରେ ନଥ୍‌କରି ବସିପଡ଼ିଲା । ଚାନ୍ଦ ରାଗିଲା ପରି କହିଲା, ମଲାମର, ହାତଗୋଡ଼ ଚଳୁ ନାହିଁ କିଲୋ ?

 

ଅହିଲା ବିକଳହୋଇ କହିଲା, ହଁ ମାଉସୀ, ମତେ କେମିତି ଝୋଲା ମାରିଲା ପରି ଲାଗୁଛି । ତୁ କୁଆଡ଼େ ଯାଉଛୁ ଯା, ଅଇଲା ବେଳକୁ ମୁଁ ସବୁ କାମ କରି ଦେଇଥିବି ।

 

ଚାନ୍ଦ କହିଲା, ଯିବି କୁଆଡ଼େ ଲୋ, ଚୁଲିକି ଯିବି ନା ଗାତକୁ ଯିବି ? ଚଉଧୁରୀ କଣ ଲେଖି ଦେଇଛନ୍ତି କି ମୋତେ ଯାହାନ ଯୁଗ ଘରେ ରଖି ପୋଷିବେ ? ତାଙ୍କର ଗରଜ ପଡ଼ିଥିଲା, ଘର ଅଚଳ ଥିଲା ବୋଲି ମୋତେ କହିଲାରୁ ମୁଁ ତାଙ୍କଘରେ ଦିନାକେତେ କାମ ପାଇଟି କରିଦେଲି-। ଏବେ ସେ ତାଙ୍କ ଖବର ବୁଝନ୍ତୁ । ମୁଁ ମୋ ଘରକୁ ଫେରିଆସେ । ନିଜର ଘର ଆଉଣୁ ମୁଁ କାହିଁକି ପର ଓଳିତଳେ ମୁଣ୍ଡଗୁଞ୍ଜିବି ? ମୋର ଯାହା ଅଛି ବସି ଖାଇଲେ ପର ହାତକୁ ନ ଚାହିଁ ମୋର ଦିନକାଳ କଟିଯିବ । ପୁଅପାତି ନାହିଁ ଯେ, ତାଙ୍କ ପାଇଁ ସଞ୍ଚି ଥୋଇବି । ଯାହା ଖାଇବି ପେଟକୁ, ଯାହା ରଖିବି ଖଣ୍ଟକୁ ।

 

ଅହିଲା କିଛି ନ କହି ଘର ଓଳାଇବାକୁ ଚେଷ୍ଟା କଲା, ତାର ଦେହ ଥରି ଉଠିଲା । ଚାନ୍ଦ ନଇଁପଡ଼ି ତା ହାତରୁ ଛାଞ୍ଚୁଣିମୁଠାକ ଟାଣି ନେଇ କହିଲା, ଉଠ୍‌ଲୋ ଉଠ୍‌, ଫୁଲେଇଟା, ଛୋପରୀଟା, ହାତ ହଲାଇଲେ ଦଣ୍ଡକୁ କାମ ନାହିଁ । ବସିକରି ନିଠେଇ ନିଠେଇ ଘର ଓଳାଇଲେ ସଞ୍ଜ ହେବ ଲୋ ମା । ଖିଆ ନାହିଁ, ପିଆ ନାହିଁ କତରା ନାଗି ହୋଇ ପଡ଼ିଥିଲେ ଦୁନିଆ ଚଳିବ କିପରି ? ସଂସାରରେ ମସସ୍ତଙ୍କୁ ଏ ଦଶା ଅଛି, ତତେ କିଛି ଏକା ନୂଆ ହୋଇ ନାହିଁ । ଉପାସ ଭୋକରେ ବସି କାନ୍ଦୁଥିଲେ ତ କାନ୍ଦୁଥିବୁ, ଢୋକ ଚଳିବ କୋଉଠୁ ? ପ୍ରାଣ ରହିବ କିପରି ? କିଲୋ, ଆଜି ମନେକଲେ କାଲିଗୋଟାକୁ ଦୁତୀୟ ହେଇ ପୁଣି ନୂଆଘର ନୂଆ ସଂସାର କରିବା କଥା । ସଂସାର ଯେ ସେମିତି ଆତଯାତ ହେଉଛି । ନିଜ ପଛକୁ ନିଜେ ନ ଚାହିଁଲେ ବାଛିବାକୁ ଯିବ କିଏ ? ଏ କଥା ଜାଣିଶୁଣି ତୁଛାକୁ ଉପାସ ଭୋକରେ ବେଳ କାଟୁଛୁ ତୁ, ପତିଆରା ଦେଖାଉଚୁ କି କଅଣ ମୁଁ ତାକୁ ଏମିତି ଭଲ ପାଏ । ବେହେଲ ।

 

ଅହିଲା ଏତେବେଳେ ମୁହଁ ଫିଟାଇ କାନ୍ଦିଲା, କଟା ଘା’ରେ ଆଉ ଚୂନ ବୋଳନା, ମାଉସୀ ! ବିକଳ ପାଇ ଘରେ ଆଶ୍ରା ଦେଇଛୁ, ଛାଞ୍ଚୁଣି ମାରି ଘରୁ ତଡ଼ି ଦେଲେ ପଛେ ଦାଣ୍ଡରେ ଠିଆ ହେବି, ବୋଝ ଉପରେ ନଳିତା ବିଡ଼ା ପରି ମୋର ଏ ଦୁଃଖ ଉପରେ ତୋର ଟାଇଁ ଟାଇଁ କଥା ମୁଁ ସହିପାରିବି ନାହିଁ ।

 

କହୁ କହୁ ଅହିଲା କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ଚାନ୍ଦର ମନରେ ଦୁଃଖ ହେଲା । ସେ ନରମ ହୋଇ କହିଲା, ତୋଓରି ଭଲକୁ ମୁଁ କହୁଛି ଲୋ ଝିଅ, ତୋଓରି ଭଲକୁ ମୁଁ କହୁଛି । ଗେରସ୍ତ ମରିଗଲା, ଦୁଃଖ କରିବାର କଥା, ଦୁଃଖ କଲୁ । ମନରେ ଦୁଃଖକୁ ସୁବଦିନେ ସାଇତି ବସିଥିଲେ ନିଜେ ବଞ୍ଚିରହିବୁ କିପରି ? ଆଜି ନୋହିଲେ କାଲି, ଯେପରି ହେଲେ ତୋତେ ମୋ ଘରୁ ଯିବାକୁ ପଡ଼ିବ । ତେଣିକି କଅଣ କରିବୁ ? ଆସି ବୁଢ଼ୀ ହେଲି, ଏଇ ଦେହରେ କେତେ କଥା ସହିଛି । କେତେ ଦିନ, କେତେ ରାତି ଦୁଃଖ ଦହଗଞ୍ଜରେ କଟାଇଛି । ଆଗରୁ ବଅସ ଥିଲାବେଳେ ଯଦି କାହାର ଆଶ୍ରାଧରି ରହିଥାନ୍ତି, ମଲା ବେଳକୁ ଆଜି କାନ୍ଦି କାନ୍ଦି ବାର ହଇରାଣ ହରକତରେ ମୋର ବେଳ କଟନ୍ତା ନାହିଁ ।

 

ଚାନ୍ଦ ଆଖିରୁ ଲୁହ ପୋଛିଲା ।

 

ଅହିଲା ପଚାରିଲା, ଦୁତୀୟ ନ ହୋଇ କି କାହାର ଆଶ୍ରା ନ ଧରି କଣ ଚଳି ହେବ ନାହିଁ, ଏ ଦୁନିଆ ରେ ?

 

କିଏ ନାହିଁ କରୁଛି ? ବଳ ବଅସ ଥିବାଯାକେ । ତେଣିକି କେହି ପଚାରିବେ ନାହିଁ । ମଣିଷ ଜୀବନ, ମଣିଷ ଦେହ, ଆଜି ଭଲ ଥାଏ ମନ୍ଦ ଥାଏ । ରୋଗ ବଇରାଗ ସବୁବେଳେ ଅନେଇ ବସିଛନ୍ତି । ସେତେବେଳେ ତୁଣ୍ଡରେ ଟୋପାଏ ପାଣି ଦେବ କିଏ ? ରୋଗରେ ସନ୍ତୁଳି ହୋଇ ଉପରକୁ ଚାହିଁ ବିକଳରେ ପ୍ରାଣ ଛାଡ଼ିଯିବ । ଆଜି ଯଦି ତୁ ଆଖି ବୁଜୁ କାଲି ତୋର ଛୁଆଟି ଅନାଥ ହେବ । ନିଆଶ୍ରା ହୋଇ ଦାଣ୍ଡେ ଦାଣ୍ଡେ ଭିକମାଗି ବୁଲିବ ! କାହାର ଗରଜ ପଡ଼ିଛି, କିଏ କାହିଁକି ତାକୁ ଆହା ବୋଲି ପଦେ କହିବ ? କିଏ କାହିଁକି ତା ଆଖିରୁ ଲୁହ ପୋଛି ପିଠିରେ ହାତ ମାରିବ ? ସମସ୍ତେ ଦୂର୍‍ ଦୂର୍‍ କରିବେ । ଲୋକେ ସଉକରେ ଛେଳି, ମେଣ୍ଢା କୁକୁର ବିଲେଇ ମାଙ୍କଡ଼ଛୁଆ ପୋଷୁଛନ୍ତି, ମଣିଷଛୁଆଁ ପୋଷିବାକୁ କାହାରି ମନ ହୁଏ ନାହିଁ ଲୋ, କାହାରି ମନ ହେବ ନାହିଁ ।

 

ଅହିଲାର ଚମକ ଭାଙ୍ଗିଲା । ସଙ୍ଗେ ସଙ୍ଗେ ଭବିଷ୍ୟତର ଗୋଟାଏ ଭୟଙ୍କର ଦୃଶ୍ୟ ତାର ଦି’ ଆଖି ଆଗରେ ଝାପସା ହୋଇ ଝଲସି ଉଠି ପୁଣି ସେହି ଅନିଶ୍ଚିତତା ଭିତରେ ଛପି ଗଲା-। ସତ କଥା, ଯଦି ସେ ଅଶୁଭ ବେଳ କେବେ ଆସେ, ତାର ପେଟର ଛୁଆ ପ୍ରାଣର ସଙ୍ଖାଳି ଆଗରେ ଠିଆ ହୁଏ, ସେ କରିବ କଅଣ ? କିନ୍ତୁ ଏଡ଼େ ଜଲ୍‌ଦି, ବଅସ ଥାଉଣୁ ସେ ମରିବ କାହିଁକି-? ସେ ବଞ୍ଚିବ, ସେଥିପାଇଁ ନରକରେ ଘାଣ୍ଟି ହେବାକୁ ପଡ଼େ ତ ସେ ପଛାଇବ ନାହିଁ । ସେ ବଞ୍ଚିବ, ପିଲାଟିକୁ ବଞ୍ଚାଇ ମଣିଷ କରିବ ।

 

ଅହିଲାର ମନକଥା ବୁଝିଲାପରି ଚାନ୍ଦ କହିଲା- ବଳ ବଅସ ଅଛି ଲୋ ମା, ସେଥିପାଇଁ ମୋର ଭଲ କଥା ତୋର ମନରେ ପଶୁ ନାହିଁ, ଦିନେ ପଶିବ । ସେତେବେଳେ ମୋ କଥା ମନରେ ହେଜୁଥିବୁ, ଝୁରି ହେଉଥିବୁ । ମଣିଷର ଏ ଯେଉଁ ଆଖି ଦିଟା ସେଥିକି କେତେ ଜଗି ଜଗି ଚଳିବ ? ଟିକିଏ ଆଡ଼ ବାଙ୍କ ହେଲେ ବାଟରୁ ଅବାଟକୁ ଚାଲିଯାଇ କଣ୍ଟା ଗହଳି ଭିତରେ ପଶିବାର କଥା । ଥରେ ଗୋଡ଼ ଖସିଲେ, ଥରେ ବାଟ ଭୁଲିଲେ ତିନିପୁରେ ଚଳିବାକୁ କେଉଁଠି ସାହା ମିଳିବ ନାହିଁ, ଠାବ ମିଳିବ ନାହିଁ । ଲୋକେ ଛି-ଛା କରିବେ । ସେଇଥିଲାଗି ମୁଁ କହୁଛି ଲୋ ଝିଅ ଆଗରୁ ଜଣକର ଆଶ୍ରା ଧରିଥିଲେ, ଜଣକୁ ନିଜର କରି ନେଇଥିଲେ, ସବୁ ଆପଦ ବିପଦ ବେଳକୁ ସେଇ ତୋ ସଙ୍ଗେ ମୁଣ୍ଡ ପତାଇ ସବୁ ସହିଯିବ । ତୋ ଇଚ୍ଛା ଲୋ ମା । ମୋ କହିବାର କଥା ମୁଁ କହିଲି, ତୋତେ ଚେତାଇ ଦେଲି । ଆଜି ଅଛୁ କାଲି ନାହୁଁ । ସବୁଦିନେ ତୁ ମୋ ପାଖେ ରହିବୁ ନାହିଁ ଯେ ମୁଁ କାନ କାନ କରି ଶିଖାଇବି । ତୁ କିଛି ପିଲା ଛୁଆ ନୋହୁଁ ତ !

 

ଚାନ୍ଦ ଅହିଲାକୁ ଛାଡ଼ି ଅନ୍ୟ ଆଡ଼େ ଚାଲିଗଲା ।

•••

 

୩୭

 

ରାତିରେ ।

 

ଚାନ୍ଦ ଘରେ ଖଣ୍ଡେ ଛିଣ୍ଡା ସପ ମଶିଣାରେ ଅହିଲା ଶୋଇଛି । କୋଳରେ ମତୀ । ଆଜି ତାକୁ ନିଦ ନାହିଁ । ଏକେ ତ ଉପାସ ଭୋକରେ ପେଟଭିତର ଜଳୁଛି । ସକାଳେ ପୁଣି ଚାନ୍ଦ ଯେଉଁ କଥା କହି ପକାଇଲା ସେସବୁ ବିଷୟ ଭାବୁ ଭାବୁ ତାର ଦେହ ଶୀତେଇ ଉଠୁଛି । ମନ ବିକଳ ହେଉଛି । ଚାନ୍ଦର ଯେପରି ଢଙ୍ଗ, ସେଥିରେ ତା’ ଘରେ ସେ ଯେ ଆଉ ବେଶି ଦିନ ରଖେଇ ଦେବ, ଏପରି ଜଣା ଯାଉ ନାହିଁ । ସେ ଯଦି ନାହିଁ କରେ, ତାର ଗତି କଣ ହେବ ? ଠାକୁରେ ତାକୁ ଏପରି ହୀନିକପାଳୀ କରି ଜନ୍ମ ଦେଇଥିଲେ ।

 

ଚାନ୍ଦ ଯାହା କହିଲା ସେଥିରେ ଭୁଲ କିଛି ନାହିଁ । ତଥାପି, ଅହିଲାର ଅବୋଧ ମନ ମାନିଲା ନାହିଁ । ବିନୋଦ, ତାର ପ୍ରାଣର ବିନୋଦ, କେତେ ଭଲ ପାଏ ସେ ତାକୁ ! ଆଜି ସେ ମରିଯାଇଛି ବୋଲି ତାହାରି ଆଶ୍ରିତ, ତାହାରି ବିବାହିତା ସ୍ତ୍ରୀ ଅହିଲା ଅନ୍ୟ ପତି ଖୋଜିଯିବ ? ତାର ରୋଗଣା ଗାଲରୁ ବିନୋଦର ଚୁମ୍ବନ ଦାଗ ଲିଭି ନ ଯାଉଣୁ, ମନରେ ବିନୋଦର ସଦ୍ୟ ଅଙ୍କା ଛବିଟି ମଳିନ ନ ହେଉଣୁ, ତାଆରି ଆଖି ଆଗରୁ ବିନୋଦର ବିଦାୟ କାଳର ଚିତ୍ରଟି ଲୁଚି ନ ଯାଉଣୁ କିପରି ସେ ଅନ୍ୟ ଜଣଙ୍କର ପ୍ରେମବୋଳା ଆଖିକି ଚାହିଁ ଖୋଲା ମନରେ, ସହଜ ପ୍ରାଣରେ ହସିବ ? ବିନୋଦର ରକ୍ତମାଂସଗଢ଼ା ଜୀବନ୍ତପ୍ରତିମା ମତୀ ପରା ଆଜି ଅହିଲାର କୋଡ଼ରେ ଶୋଇଛି; ବିନୋଦ ଜୀବିତ ଅଛି ମତୀରେ ରକ୍ତରେ, ମତୀର ପ୍ରାଣରେ । କେହି ନ ଜାଣନ୍ତୁ, ସେ ତ ଜାଣେ । ଜାଣି ଜାଣି ସେ କିପରି ଅନ୍ୟକୁ ଆଶ୍ରା କରି ବିନୋଦର ସ୍ମୃତିକୁ ମନଭିତରୁ ଆଖି ଆଗରୁ ପୋଛି ପକାଇବ ?

 

ଅହିଲା ଉଦ୍‌ବିଗ୍ନ ହୋଇ ମତୀକୁ କୋଡ଼କୁ ଟାଣି ଆଣିଲା । ଛାତି ଉପରେ ଜାକି ଧରିଲା-। ତାର ନିଦ୍ରିତ କପାଳରେ ଅଜସ୍ର ଚୁମ୍ବନର ଧାରା ଢାଳି ଦେଲା । ପୁଣି ବାର ଚିନ୍ତା ଆସି ତାର ଦୁର୍ବଳ ମନକୁ ଘାଣ୍ଟି ଚକଟି ପକାଇଲା । ଚାନ୍ଦ ମାଉସୀ ଭଲେଇ ହୋଇ ଯାହା କହିଗଲା, ତାର କଣ କିଛି ଅର୍ଥ ନାହିଁ, କିଛି ମୂଲ୍ୟ ନାହିଁ ! ଦୁନିଆର ସମସ୍ତେ ତାର ଦୁଃଖରେ ଆଖି ପକାଇବାକୁ ବୀତସ୍ପୃହ । ଚାନ୍ଦ ଯେ ଆଉ ଭଲ ଛଡ଼ା ମନ୍ଦପାଇଁ କିଛି କହନ୍ତା ନାହିଁ ।

 

ସତ କଥା, ବଳ ବଅସ ଥାଉଣୁଯଦି ସେ ପରର ଆଶ୍ରା ନ ନିଏ, ପରେ ଖୋଜିଲେ ଆଉ ଆଶ୍ରା ଦେବାକୁ କେହି ଆଗଭର ହେବେ ନାହିଁ । ଯଦି ତାର କେବେ କିଛି ଭଲ ମନ୍ଦ ହୋଇଯାଏ, ତାର ସ୍ନେହର ମତୀଟି, ଯିଏ ତାର ପ୍ରାଣର ଦେବତା ବିନୋଦର ସ୍ନେହ ସଙ୍ଖାଳୀ, ସେଇଟି ଅବହେଳିତ ହେବ–ତେବେ ? ତେବେ କଅଣ ସେ କେବଳ ମତୀଟିର ଭବିଷ୍ୟତପାଇଁ ଆଉ କାହାର ହାତ ଧରି ନୂଆ ସଂସାର କରିବାକୁ ଯିବ ? କେହି ଯଦି ତାକୁ ଘରଣୀ କରି ନେବାକୁ ଆଗେଇ ନ ଆସିବେ ତ ସେ କାହାର ଆଶ୍ରା ଧରି ରହିବ ?

 

ଅହିଲାର ଦୁଇ ଆଖିରୁ ଦୁଃଖ ଓ ବେଦନାର ଅଶ୍ରୁଧାରା ଝରିବାକୁ ଲାଗିଲା ।

•••

 

୩୮

 

କିରେ ସପନା, କଥା କଅଣ ? କାହା ଉପରେ ଗରଗର ହୋଇ ଆସୁଛୁ ? ଚୌଧୁରୀ କିଛି ନ ଜାଣିଲା ପରି ଛେପ ଢୋକି ପଚାରିଲେ ।

 

ଗ୍ରାମବାସୀଏ ସମସ୍ତେ ସପନା ଆଡ଼କୁ ଆଖି ଫେରାଇଲେ । ଏତେ ବଡ଼ ଗୁରୁତର ଘଟଣାର ଆଲୋଚନା ସ୍ଥଗିତ ରହିଲା । ଦିନ ମୋଟେ ଘଡ଼ିଏ । ବେଳ ବଳେଇ ପଡ଼ିନାହିଁ । ସପନା କଦମ୍ବ ମୂଳକୁ ଘୁଞ୍ଚି ଘୁଞ୍ଚି ଯାଇ ମୁଣ୍ଡ କୁଣ୍ଡାଇ କହିଲା, ସାଆନ୍ତେ, ସେଇ ଚାନ୍ଦ, ଅତି ବଜାତ୍‌ ସେଟା ସାଆନ୍ତେ !

 

କାହିଁକିରେ କଥା କଅଣ ? ଲୋକଟା ତ ମନ୍ଦ ନୁହେଁ ।

 

ସାଆନ୍ତଙ୍କ ଆଖିରେ ଦୁନିଆଁର ସମସ୍ତେ ଭଲ । ବିଚାରି ଅହିଲା କି ଦୋଷ ତାର କରିଥିଲା କେଜାଣି, ତାକୁ ମାରିଛି କି କଣ ସାଆନ୍ତେ, ଅହିଲା ତାର ଛୁଆକୁ ଧରି ଆମ୍ବଗଛମୂଳେ ବସି କାନ୍ଦୁଚି । ମୁଁ ଯେତେ ପଚାରିଲି ମୋତେ ସେ କିଛି କହିଲା ନାହିଁ । ଚାନ୍ଦକୁ ପଚାରିଲାରୁ ସେ ମୋତେ ମାରେ କି ନ ମାରେ । କହିଲା, ତୋର କି ଥାଏରେ ଖଣ୍ଡିଆ, ସୁଆଗ ବହକି ପଡ଼ୁଚି ତ ନେଇ ଯାଉନୁ ଘରେ ରଖିବୁ ? ମୁଁ ଲେଖାପଢ଼ି କରି ଦେଇଛି କି ଦିହାନ୍ତ ତାକୁ ଘରେ ରଖି ଭୋଗରାଗ ଦେଇ ପୂଜା କରୁଥିବି ? ସାଆନ୍ତେ, ତା କଥା ଶୁଣି ମୁଁ ହାତେ ଜିଭି କାଢ଼ି ପଳାଇ ଅଇଲି । ମୋର କି ଗରଜ, ପରଦ୍ୱାରେ ମୂଲ ଲାଗିଲେ ପେଟ ପୋଷିବା କଥା, କାହା ବେଭାରରୁ ମତେ କଣ ମିଳିବ ?

 

ଚୌଧୁରୀ ହସି ଉଠିଲେ । କହିଲେ, ହଉ, ଯା, ତୋର ଭଲଲୋକି ସେତିକି ଥାଉ । ଗାଈ ମୋହିଁଦେବୁ ଯା ଆଗେ । କଣ୍ଠଙ୍କୁ ଚାହିଁ କହିଲେ, କଥା କିଛି ନ ଥାଇ ଗୋଟାଏ ଲୋକକୁ ଭୂତ ଲାଗିଥିଲା ଯେ ସେ ଅହିଲାକୁ ମାରି ଘରୁ ତଡ଼ି ଦେଉଥିଲା ? ଶୁଣ ମଦନ, ଟୋକା ସାଥିରେ ସାମନ୍ତରାଙ୍କ ଖାସିକୁ ମାରି ଜନ୍ତାଳ ଦିନ ତରକାରୀ କରି ମଙ୍ଗଳାଙ୍କ ପାଖେ ଭୋଗ ଲଗାଇଲ । ଠାକୁରାଣୀ ତ ଆଗ ଖାଇଲେ । ଦୋଷାଦୋଷ ଆପଦ ବିପଦକୁ ସେ ଆସି ଆଗରେ ଠିଆ ହେବେ-। ଆପଦ ବିପଦକୁ ଜଗି ନେବେ । ଏଥିପାଇଁ ଏତେ ଚିନ୍ତା କରି ସାନ୍ତରାଙ୍କ ରାଣ୍ଡ ଧମକରେ ଥରଥର ହୋଇ ଗାଁଯାକ ହୋ ହୋ ହେଉଛ ? ସେ କଣ କରି ଯାଉଛନ୍ତି କରନ୍ତୁ । ତାଙ୍କର କେତେ ଅକଲ ଅଛି ବୁଝିବା । କାହା ନାଆଁରେ ମୋକଦ୍ଦମା କରିବେ, କିଏ ତାଙ୍କର ସାକ୍ଷୀ ହେବ ଦେଖିବା । ତୁମେ ସବୁ ଚୁପ ରହ । କାଉ ପରି କା କା ହେଲେ ସବୁ ଭଣ୍ଡୁର ହେବ, ବୁଝିଲ ? ନ୍ୟାୟ ହେଉ ଅନ୍ୟାୟ ହେଉ, ଯେଉଁ କାମଟା କରିଛ, ତାକୁ ଚଳେଇ ନେବାକୁ ହେବ ।

 

ବାବନା କହିଲା, ମା ମଙ୍ଗଳା କଅଣ କହି ଦେଇଥିଲେ ଯେ ସାନ୍ତରା ଘର ଛେଳିଟାକୁ ହାଣି ଖାଇବ ? ମଙ୍ଗଳା ଗାଁ ପଙ୍ଗତରେ ବସି ତମରି ଭଳି ଦକ୍ଷିଣ ହାତର ଚାଳନା କରି ନାହାନ୍ତି । ସେଦିନ ଠାକୁରଙ୍କ ନାମରେ ଗରିବ ଘରୁ ସିନ୍ଧି କରି ବୋହି ଆଣିଲ । ଦୀପ ତେଜି ହାତ ଚିକଣ କରି ଚୁପ୍‌ଚାପ୍‌ ହୋଇ ବସି ରହିଛ । ଆଜି ଠାକୁରାଣୀର ଦ୍ୱାହି ଦେଇ ପରର ଛେଳି ହାଣି ଖାଇଲ । କାଲି ପୁଣି ଆଉ କଣ କରିବ । ଛି, ଏସବୁ ତୁମର ଅତି ଅନ୍ୟାୟ, ଅମଣିଷ ପଣିଆ । ନିଜର ମନ୍ଦ ପ୍ରବୃତ୍ତିକୁ ପ୍ରଶୟ ଦେବାର ବାଟ ନ ଦେଖି ଠାକୁର ଠାକୁରାଣୀଙ୍କ ନାମରେ ଯାହା ଇଚ୍ଛା ତାହା କରି ଯାଉଛ । ତୁମକୁ ଟିକେ ଲାଜ ମାଡ଼ୁ ନାହିଁ ?

 

ବାବନା ପୁଣି କହିଲା–ମୋର ସାନକୁହା ମାନ । ବାବାଜି ଛେଳିକି ସେଦିନ ସମାଧି ଦେଲା ପରି ଆମ ଗ୍ରାମବାସୀଏ ମିଳି ଆଜି ଆମର ସବୁ ଠାକୁର ପ୍ରତିମୂର୍ତ୍ତିଗୁଡ଼ିକୁ ଏଇ କଦମ୍ବଦାଣ୍ଡରେ ସମାଧି ଦେଇ ନିଶ୍ଚିନ୍ତ ହେବା । ଆମର ଠାକୁର ତେଣିକି ଆଉ ଗଛମୂଳେ ପଥରତଳେ ପଡ଼ି ଗାଁ ମଶାଣି ଜଗି ବସିବେ ନାହିଁ, କି ଆମକୁ ଅସତ୍‌କାମ କରିବାକୁ ଇଙ୍ଗିତ ଦେବେ ନାହିଁ । ତେଣିକି ଆମ ଠାକୁର ଆମ ମନଭିତରେ ବସି ଆମ ପ୍ରକୃତିକୁ ଜଗି ସବୁବେଳେ ଭଲବାଟ ଦେଖାଇବେ ।

 

କହିଚାଲିଲା ବାବନା–ତୁମେ ପରର ଛେଳି ହାଣିବାକୁ ମନ ନ କରି ପରର ଦୁଃଖ ଶୁଣିବାକୁ ଦଉଡ଼ିବ । ତୁମରି ଅବହେଳାରୁ ତମ ଭାଇ କୁଟୁମ୍ୱ ଗାଁ ମଣିଷ ଆଜି ହତାଶ ହୋଇ ଦେଶ ବାହାରକୁ ପଳାଇ ବିନୋଦ ପରି ଅପନ୍ତରାରେ ପଡ଼ି ମରୁଛନ୍ତି । ସେପରି ଆଉ କେହି ମରିବେ ନାହିଁ । ତମ ଗାଁ ବିକଳ ହେଉଛି । ତମର ମନ ଜୁଟିଲେ ସେ କାନ୍ଦନ୍ତା ନାହିଁ । ତୁମେ ଥାଉଁଣୁ ଠାକୁର କାହିଁକି ତାର ଦୁଃଖ ହରିବାକୁ ଆକାଶରୁ ଓହ୍ଲାଇ ଆସିବେ ? ଠାକୁରେ ତୁମକୁ ବୁଦ୍ଧି ବିବେକ ଦେଇଛନ୍ତି, ମଣିଷପଣିଆ ଦେଇଛନ୍ତି । ସେ ସବୁର ସଦ୍‌ବ୍ୟବହାର ନକରି ଠାକୁରଙ୍କ ମୁହଁକୁ ଚାହିଁ ବସିଲେ ଫଳ କଅଣ ହେବ ? ଯାହା ପାଇଛ ତାହାରି ଆଗ ଭଲ କାମରେ ପୂର୍ଣ୍ଣ ପ୍ରୟୋଗ କରିସାର ତେଣିକି ଅଧିକା ଆଶା କରିବ ।

 

ଚଉଧୁରୀ କହିଲେ, ଶୁଣିଲ କଣ୍ଠ, ଶୁଣିଲ ମଦନ ? ପରର ଦୁଃଖରେ କିପରି ବାବନା ଆଖିରୁ ଲୁହ ଝରିପାରେ ଦେଖିଲେ? ଥରେ ତା ଆଖିକୁ ଚାହିଁ ଦେଖ । କି ନାକରା କଥା ସେ କହିଲା ? ଆରେ, ବାବନାତ ଗୋଟାଏ ପିଲା ! ପିଲା ହେଲେ କଣ ହେଲା ଥରେ ଭଲ କରି ଭାବି ଚିନ୍ତି ଦେଖିଲ ତା କଥାର ମର୍ମ ବୁଝିବ ।

 

ହଟ କହିଲା, ଆରେ ବାଃ, କିପରି କଥା କହୁଛ ଅବଧାନେ ସତେ ! ଠାକୁରମାନଙ୍କୁ ନେଇ ମାଟି ତଳେ ପୋତିବା ? ଦର୍ଶନ କହିଲା, କୁଳରେ ପାଣି ଛଡ଼ାଇବା କଥା ସେ କଥା ତୁଣ୍ଡକୁ ଆଣିଲେ, କାନରେ ଭରିଲେ ବଂଶ ବୁଡ଼ିଯିବ ।

 

ଚଉଧୁରୀ କହିଲେ–ଏମାନେ ନିପଟ ମୂର୍ଖ । ବାବନା କଅଣ ସତରେ ସେ କଥା କହିଲା-? ତୁମମାନଙ୍କ ଢଙ୍ଗ ଦେଖି ସେ ବିରକ୍ତ ହୋଇ ସେପରି କହିଲା । ଠାକୁର ନାମରେ ପରର ଛେଳିଟାକୁ ହାଣି ଖାଇବା ତୁମର କେଉଁ ନ୍ୟାୟ ? ଯାହା ହବାର ହେଇ ସାରିଛି । ଗଲା କଥା ଆଉ ବାହୁଡ଼ି ଆସିବ ନାହିଁ । ସାନ୍ତରା ମକଦ୍ଦମା କଲେ ତେଣିକି ଦେଖାଯିବ । ବୁଝି ହୁସିଆର, ଆଉଦିନେ ନ ବୁଝି ନ ସୁଝି ଏପରି ଅନ୍ୟାୟ କାମ କରିବ ନାହିଁ ।

 

ଆସ ବାବନ, ଆସ କଣ୍ଠ, ମଦନ, ହଟ, ସମସ୍ତେ ଥରେ ଯାଇ ସେ ଗରିବର ହାଲ ବୁଝି ଆସିବା । ଗାଁ ଭୁଆସୁଣୀ, ଗାଁ–ମାଇପୀ, ତୁମେ ସବୁ ଥାଉଁଣୁ ସେ ତୁମରି ଆଗରେ ତାର ଛୁଆଟିକୁ ଧରି ଗାଁ ଛାଡ଼ି ଯିବ ? ସେ କଣ ଆମର ଝିଅ ବୋହୂ ନୁହେଁ, ଆମର ମା ଭଉଣୀ ନୁହେଁ ?

 

ଚଉଧୁରୀଙ୍କ ପଛେ ପଛେ ସମସ୍ତେ ଚାନ୍ଦ ଘରଆଡ଼େ ଚାଲିଲେ । ଏକୁଟିଆ ବାବନା ଦାଣ୍ତରେ ଠିଆ ହୋଇ ବାର କଥା ଭାବିଲା । ଆଖିରୁ ଲୁହ ପୋଛି ଗାଁବାସୀଙ୍କ ପଛେ ପଛେ ଚାଲିଲା ।

 

ଆଲୋ ଅହିଲା କଥା ନାହିଁ, ବାର୍ତ୍ତା ନାହିଁ, ଏପରି ଗଛମୂଳରେ ବସି କାନ୍ଦିଲେ କଅଣ ହେବ ? ଦେଖିଲୁ ତୋ ଦୁଃଖ ସହି ନ ପାରି ଗାଁଲୋକେ ଧାଇଁ ଆସିଛନ୍ତି ।

 

ଏତିକି କହି ଚଉଧୁରୀ ନିଜ ହାତରେ ଅହିଲାର ଆଖିରୁ ଲୁହ ପୋଛି ଦେଲେ । ତାଙ୍କର ଆଖି ସଜଳ ହୋଇ ଆସିଲା । ସେ ଡାକ ଛାଡ଼ିଲେ, ଆଲୋ ଚାନ୍ଦ, ଚାନ୍ଦ ଲୋ !

 

ବାବନା ଉତ୍ତେଜିତ ହୋଇ କହିଲା–ଆବାକାବା ହୋଇ ଏଣେ ତେଣେ ଚାହୁଁଛ କଅଣ-? ତୁମରି ଭିତରୁ ଗୋଟିଏ ମଣିଷକୁ ଦେଖ, ଶିଖ । ନିଜ ଆଖିରୁ ସମସ୍ତେ ଲୁହ ପୋଛିବ, ପର ଆଖିରୁ ଲୁହ ପୋଛିବାକୁ କାହାର ସାହସ ପାଏ ? ଚଉଧୁରୀଙ୍କ ଚାଲିବା ବାଟର ଧୂଳି ନେଇ ମୁଣ୍ଡରେ ମାରି ମଣିଷ ହୁଅରେ ମଣିଷ ହୁଅ । ଆମରି ଭିତରେ ଯେଉଁ ଚଳନ୍ତି ଦେବତା ଅଛନ୍ତି ତାଙ୍କରିଠୁ ଶିଖ, ତାଙ୍କରି ଗୁଣର ପୂଜା କର । ନିଜେ ମଣିଷ ହୋଇ ପାରିବ । କାଠ ପଥରରେ ସିନ୍ଦୁର ବୋଳି ଦେବତାଙ୍କ ନାମରେ ନିଜ ପ୍ରବୃତ୍ତିକୁ ପୂଜା କର ନାହିଁ ।

 

ଚଉଧୁରୀ ଅହିଲାର ଆଖିରୁ ପୁଣି ଲୁହ ପୋଛିଲେ । ପ୍ରସ୍ରବଣର ଗତିପଥରେ ବନ୍ଧ ବାନ୍ଧିଲେ–ପାଣି ଅଟକି ରହିଲା ନାହିଁ । ପାହାଡ଼ର ପେଟଭିତରୁ ଯେ କୋହ ଉଠୁଛି ! ବାବନାର କଥାରେ କଣ୍ଠ ଉତ୍ତେଜିତ ହୋଇ ଅହିଲାର କୋଡ଼ରୁ ମତୀକୁ ଟାଣିନେଲେ । ତାଙ୍କର ସ୍ୱଭାବସୁଲଭ ବଜ୍ରଗମ୍ଭୀର ସ୍ୱରରେ କହିଲେ, ଆଲୋ ମା, ତୁନିହ, କଥା କଅଣ କହ–ଗ୍ରାମବାସୀ ବୁଝିବେ ।

 

ମତୀ କାନ୍ଦି କାନ୍ଦି ତାର ମାଆର କୋଡ଼ରେ ମୁହଁ ଲୁଚାଇଲା । ଦୁଇ ହାତରେ ଅହିଲାର ବେକକୁ କୁଣ୍ଢାଇ ଧରିଲା ।

 

ଚାନ୍ଦ ଆସି ପାଖରେ ପହଞ୍ଚିଲା । ଚଉଧୁରୀ ପଚାରିଲେ, କିଲୋ, କଥା କଅଣ ? ପିଲାଟାକୁ ଦିନ ଦିପହରେ ଘରୁ ବାହାରକଲୁ କାହିଁକି ? କି ଦୋଷ ସେ ତୋର କଲାକି ?

 

ଚାନ୍ଦ କହିଲା, କେତେଦିନ ଆଉ ମୋ ଘରେ ମୁଁ ତାକୁ ରଖିବି ସାଆନ୍ତେ ? କାଣି କଉଡ଼ିକି ସାହା ନୁହଁ । ଓଲଟି ଖାଇ ମେଦ ପରି ଯେଉଁଠି ବସୁଛି ସେଇଠି, ସେଇଠି ପତର ଖଣ୍ଡ ଦି’ଖଣ୍ଡ କରୁନି । କହିଲେ କଅଣ ଶୁଣୁଛି ? ସାଆନ୍ତଙ୍କ ଉଆସରେ ମୁଁ କେତେଦିନ ଆଉ ରହିବି ? ନିଜ ଲାଜ ନିଜକୁ ଖାଉଛି, କେହି ପଛେ କିଛି ନ କହନ୍ତୁ । ସହି ସହି ଥିଲି । ଆଜି ତାକୁ ସଫା ସଫା କହିଲି, ତୁ ତୋର ବାଟ ଦେଖ୍‌, ମୁଁ ଆଉ ଚଳାଇ ପାରିବି ନାହିଁ ? ତା ମନକୁ ସେ ମୋ ଘରୁ ବାହାରି ଗଲା । ତା ଦେହରେ ମୁଁ ଟିପ ଛୋଇଁ ନାହିଁ । ତାକୁ ପଚାର ।

 

ରାଗିଯାଇ ମଦନା ଚିହିଙ୍କି ଉଠି କହିଲା–ବଜ୍ଜାତ !

 

ମଦନାର ନାଲି ଆଖି ଦେଖି ଚାନ୍ଦ କହିଲା, ଏ ଟୋକାର ବଡ଼େଇ ବଢ଼ି ଯାଉଚି । କିରେ, ମୁଁ ତୋର ଖାଏ କି ଧାରେ ମ ? ଦେହକୁ ଲାଗି ଯାଉଚିତ ନେଇ ଯାଉନୁ ଘରେ ରଖିବୁ ! କାଣୀ ବିଲେଇ କୂଜି ଅସରପା ଉପରକୁ ଟାଣ ପରା ହୋଇ ତ !

 

ମଦନା କହିଲା, ଭାରି ବଢ଼ି ଚଢ଼ି କଥା କହି ଶିଖିଲୁଣି । ମୁହଁରେ ଲଗାମ ଦେଇ ଦାଣ୍ଡରେ ଦି ପରସ୍ତ ଘୋଷାରି ଦେଲେ ବଳେ ଭାବ ପାଇବୁ ଯେ । ଦେଖିବୁ ?

 

ଚଉଧୁରୀ କହିଲେ, ଆଃ ମଦନ, ତୁନି ହ ! ଚାନ୍ଦ ଯାହା କହିଲା ମିଛ ନୁହେଁ । ସେ ବି ଗରିବ ଲୋକ, ପରର ହାତକୁ ଚାହିଁଲେ ମୁଠାଏ ଖାଇବା କଥା । ଆଜିଯାଏ ଯେ ସେ ମନ ଖୁସିରେ ଅହିଲାକୁ ଘରେ ରଖି ଚଳାଇ ଆଣିଛି, ସେଇ ଢେର । ତାକୁ ପ୍ରଶଂସା ନ କରି ତା ଉପରେ ରାଗିବା ଆମର ଅନ୍ୟାୟ । ତାର ଯେତିକି ବଳ ପାଇଲା, ସେ ମୁଣ୍ଡାଇଲା, ଏଣିକି ବୋଝ ଆମେ ମୁଣ୍ଡାଇବା-

 

ଚାନ୍ଦ ଆଡ଼କୁ ଚାହିଁ ଚଉଧୁରୀ କହିଲେ, ତୋ ମୁହଁରେ ବି ବାଇଶ ରହୁନାହିଁ ଚାନ୍ଦ ! ଲୋକର ମୁହଁକୁ ନ ଚାହିଁ ତୁ ଏଣୁ ତେଣୁ ଗୁଡ଼ାଏ ବକିଯାଉଚୁ ।

 

ଚାନ୍ଦ ମଦନ ଦୁହେଁ ତୁନି ହେଲେ ।

 

ଚଉଧୁରୀ ବାବନା ଆଡ଼କୁ ଚାହିଁ କହିଲେ, ଅହିଲି ଯାଇ ମୋ ଘରେ ରହିଲେ ମୋର କିଛି ଆପତ୍ତି ନାହିଁ । ତା ବୋଲି ତୁମେମାନେ ନିଶ୍ଚିନ୍ତ ହୋଇ ନାହିରେ ତେଲ ପାକାଇ ଶୋଇଲେ ଚଳିବ ନାହିଁ; ଗରିବର ଦୁଃଖରେ ଯଦି ତୁମ ଆଖିରୁ ଲୁହ ଝରିଲା ତ, ତାକୁ ଗୋଟାଏ କିନାରା ନ କରିବାଯାଏ ତୁମର ନିଶ୍ଚିନ୍ତ ହେବା ଠିକ୍‌ ନୁହେଁ ।

 

ଯାହା କହିଲେ ଠିକ୍‌ କଥା–କଣ୍ଠ କହିଲେ । ତେବେ କଅଣ କରିବାକୁ ଆପଣ କହୁଚନ୍ତି-?

 

ଚଉଧୁରୀ କହିଲେ, ଆରେ ଅହିଲା ତ କାଲିକାର ପିଲା, ଆମ ଆଗରେ ଲଙ୍ଗଳା । ସେ ତାର ଜୀବନସାରା ବିଧବା ହୋଇ ମୁଣ୍ଡରୁ ସିନ୍ଦୂର ଲିଭାଇ ହାତରୁ ଶଙ୍ଖା କାଢ଼ି ରହିବ ଏହା ଆମେ ଦେଖି ସହି ପାରିବା ନାହିଁ । କେତେଠେଇଁ ଅହିଲା ବଅସର ପିଲାଏ ବାଡ଼ୁଅ ପାଣି ଗାଧୋଇ ନ ଥିବେ ! ମୁଁ କହୁଛି, ସମସ୍ତେ ଅନିଶା ରଖି ଥା । ଗୋଟିଏ ଭଲ ପାତ୍ର ହାବୁଡ଼ିଲେ ପୁଣି ତା ହାତକୁ ଦି ହାତ କରିଦେବା ।

 

ସମସ୍ତେ ମଉନ ହୋଇ ସମ୍ମତିର ଲକ୍ଷଣ ପ୍ରକାଶ କଲେ ।

 

ଚଉଧୁରୀ ଅହିଲାର ହାତ ଧରି କହିଲେ, ଆଉ କାନ୍ଦ ନା ମା, ପିଲାକୁ ନେଇ ଚାଲିଆ ମୋ ଘରକୁ ।

 

ଅହିଲା କିଛି ନ କହି ଥିର ହୋଇ ବସି ରହିଲା । କେତେ ଚିନ୍ତା ତାର ମନ-ଗହନରେ ଲହଡ଼ି ଖେଳିଲା । ସେ ଥରେ ଚଉଧୁରୀଙ୍କର ମୁହଁକୁ ଚାହିଁଲା, ଭଳ ମନ୍ଦ କିଛି ବୁଝିପାରିଲା ନାହିଁ । ବୁଝିବା ଆବଶ୍ୟକ ବି ନାହିଁ । ନିଆଶ୍ରା ହୋଇ ବାର ଓଳିତଳ ଶୁଣ୍ଢି ପିଣ୍ଡା ହେବା ଅପେକ୍ଷା ଚଉଧୁରୀଙ୍କ ଓଳିତଳେ ଆଶ୍ରା ନେଇ ଦିନା କେତେ ସମୟ କଟାଇ ଦେଲେ ତେଣିକି ଦେଖାଯିବ । ମତୀ ପାଇଁ ଚିନ୍ତା କରି ଆଉ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ । କପାଳରେ ଯାହାଥିବ, ଠାକୁରେ ଯାହା କରିବେ, ତେଣିକି ହେବ ।

 

ବାବନା କହିଲା, ଆଉ ଡେରି କରୁଛ କାହିଁକି ଅହିଲା ? ଏପରି ସୁଯୋଗ ତୋପରି ଲୋକର ଛାଡ଼ିବା ଉଚିତ ନୁହେଁ । ଆଲୋ, ଯାଚିଲା ଭାତ ଛାଡ଼ିଗଲେ ମଣିଷ ଓପାସ ରହେ ବୁଝିଲୁ-? ଗରିବଙ୍କର ବାପ ମା ଯେ ବଟ ଚଉଧୁରୀ ତୋତେ ଝିଅ ପରି ପାଳିବେ । ତୋର ଭିବିଷ୍ୟତ ପାଇଁ ନିଶ୍ଚୟ ବ୍ୟବସ୍ଥା କରିବେ । ତୋର ଏତିକି ମନେ ରଖିବା ଉଚିତ ଯେ, ଯିଏ ତୋତେ ବାଟରୁ ସାଉଁଟି ନିଜ ଘରେ ଥାନ ଦେବାକୁ ହାତଧରି ବାଟରୁ ନେଉଛନ୍ତି, ତାଙ୍କ ପ୍ରତି ତୋର ମଧ୍ୟ କର୍ତ୍ତବ୍ୟ ଅଛି । ନିହତ ଜଗି ତୋର ସାଧ୍ୟାନୁଯାୟୀ ତୁ ତାଙ୍କ ଦୟା, ଆଦର, ଯତ୍ନକୁ ଅଶୁଝା ରଖିବୁ ନାହିଁ । ଧର୍ମଦ୍ୱାରରେ ଦ୍ରୋହି ହେବୁ ! କାର୍ଯ୍ୟ କରିବାରେ ଓ ଚଉଧୁରୀ ଏବଂ ତାଙ୍କର ଗୃହିଣୀଙ୍କର ସେବା କରିବାରେ କେବେ ହେଳା କରିବୁ ନାହିଁ । ବୁଝିଲୁ ତ ?

 

ମଦନା କହିଲା, ଆଲୋ ହେ, ତୋ ଚହଟ ଚିକଣ ରୂପ ଦେଖି କେତେ ତ କଣେଇଁ ଚାହାନ୍ତି, ପାଖେଇ ଯାଆନ୍ତି । ଚଉଧୁରୀଙ୍କ ଡରରେ ତାଟି ପର୍ଯ୍ୟନ୍ତ ତାଙ୍କ ଏଣ୍ଡୂ ଅଧାଉଡ଼ି । ପେଟଦାଉରେ ଡରିହରି ତୁ କବାଟ ସନ୍ଧିରେ ଲୁଚି କବାଟ ଫାଙ୍କରେ ଅନାଉଁ । ଚଉଧୁରୀଙ୍କ ଘରେ ପେଟ ଥଣ୍ଡା ହେଲେ ନାମ ପକେଇବୁ ନାହିଁ ।

 

କଣ୍ଠ କହିଲା–ଠିକ୍‌କଥା ମଦନା କହିଲା । ମନେ ରଖିଥା ।

 

ହଟ କହିଲା । ବଡ଼ ଘରେ ଆଶ୍ରା ପାଇଲୁ । ତୋ ଭାଗ୍ୟ ଭଲ । କେଉଁ ଚିଜରେ ହାତ ଦେବୁ ନାହିଁ । ନିହତ ଜଗି ଚଳିବୁ ।

 

ଅହିଲା ଆଖିରୁ ଲୁହ ପୋଛିଲା । ସମସ୍ତଙ୍କ ମୁହଁକୁ ଚାହିଁଲା । ଯିଏ ଯାହା କହୁ ସହିବାକୁ ହେବ । ମଦନା ମିଛ କହିନାହିଁ । କେତେ ଥର ତାଟି ଖୋଲିବାକୁ ସେ ସେଥିରେ ହାତ ଦେଇଛି । କବାଟ କିଳିବା ଶବଦ ଶୁଣି ବାଆଁରେଇ ହୋଇ ପଛେଇ ଯାଇଛି । ଚଉଧୁରୀ କିନ୍ତୁ ତାଟି ଖୋଲିଛନ୍ତି । ସେ ମୁରବୀ, ସେ ବାପ ସମାନ । ସେଇଥିପାଇଁ ପରା !

•••

 

୩୯

 

ଅହିଲା ଚଉଧୁରୀଙ୍କ ଘରେ ଆଶ୍ରୟ ନେବା ଅନେକ ଦିନ ହେଲାଣି । ସୁଖେ ଦୁଃଖେ ବେଳ କଟି ଯାଉଛି । ଚଉଧୁରୀଙ୍କର ଗୃହିଣୀ ଚନ୍ଦ୍ରମା ମାଛିକୁ ମ କହନ୍ତି ନାହିଁ । ସେ ଭଲ କି ତାଙ୍କ ରୋଷେଇ ଘର, ନିର୍ମାଲ୍ୟ କୋଥଳି ଭଲ । କାହାକୁ ଟାଣ କରି ପଦେ କଥା କହନ୍ତି ନାହିଁ । ଚାକର-ବାକର ଯିଏ ଯେତେ ଦୋଷ କରିଥାଉ କେବେ ତାଙ୍କ ତୁଣ୍ଡରୁ ପଦେ କଡ଼ା କଥା ଶୁଣି ନାହାନ୍ତି । ଚାକର-ଚାକରାଣୀ ଜାଣ ତାଙ୍କର ପୁଅ ଝିଅ । ମନରେ ଭେଦ ଭାବ ନାହିଁ । ଅହିଲା ଆସିଲା ଦିନୁ ତାଙ୍କର ସ୍ୱଭାବ ଆହୁରି କୋମଳ ହୋଇଛି, ପୂଜା ପ୍ରତି ମମତା ବହୁ ପରିମାଣରେ ବଢ଼ିଲା । ଘରର ସବୁ କାମ ତ ଅହିଲା କରେ, ଖାଲି ଚୁଲିରୁ ହାଣ୍ଡି ଉତାରିବାକୁ ଯେଉଁ ପରିଶ୍ରମ, ସେତିକି ସେ କରନ୍ତି-

 

ଅହିଲାର କାମ ଓ ତାର ଢଙ୍ଗ ଏବଂ ବ୍ୟବହାର ଦେଖି ଚନ୍ଦ୍ରମା ଅତି ଖୁସି । ସେ ଆଗରୁ ଶୁଣିଥିଲେ ଯାହା, ଆଖିରେ ଦେଖିଲେ ସେଇଆ । କିପରି ଦିନ କେଇଟାରେ ଅହିଲାକୁ ସେ ଆପଣାର କରି ନେଲେ ! ଅହିଲାକୁ ଆଖି ଆଗରେ ଦେଖିଲେ ସେ ଅତି ଆନନ୍ଦିତ ହୁଅନ୍ତି । ତାର ବିଧବା ବେଶ ଦେଖି ବେଳେ ବେଳେ ଦୁଃଖ କରନ୍ତି ।

 

ଦିନେ ସେ ମନର କୋହ ସହି ନ ପାରି କହିଲେ, ଅଲିଲୋ, ସବୁ କଥା କାଲିପରି ଲାଗୁଛି । କାଲି ତୁ ଆମରି ଆଗର ଲଙ୍ଗଳା ଆଜି କିପରି ତୋର ଏ ବେଶ ମୋ ଆଖିରେ ଯିବ ? ଭଲ ପାତ୍ରଟିଏ ଜୁଟିଲେ ତୋର ବାହାଘର କରାଇ ଦେବି ତେଣୁ ହାତଟା ଲଙ୍ଗଳା କରି ବସିଛୁ କାହିଁକି ?

 

ନିଜେ ଚନ୍ଦ୍ରମା ମଧ୍ୟ ପେଟରାରୁ କାଢ଼ି ହଳେ ରୂପା ଖଡ଼ୁ ଅହିଲାରୁ ହାତରେ ନାଇଦେଲେ ।

 

ସେହି ଦିନରୁ ଅହିଲା ହାତରେ ଖଡ଼ୁ ନାଇଛି । ଦିଶୁଛି ଅଭିଆଡ଼ି ଝିଅଟିଏ ପରି; ଚଉଧୁରୀଙ୍କ ପତ୍ନୀ ଚନ୍ଦ୍ରମା ଆଦର କରି ଅହିଲାର ଆଖିରେ ଅଞ୍ଜନ ପିନ୍ଧାଇ ଦିଅନ୍ତି । ନିଜ ହାତରେ ତାର ମୁଣ୍ଡ ବାନ୍ଧିଦେଇ କପାଳରେ ଛୋଟ ସିନ୍ଦୂର ଟୋପିଟିଏ ଲଗାଇ ଦିଅନ୍ତି । କହନ୍ତି, ଦେଖିଲୁ, କେଡ଼େ ସଜ, କେଡ଼େ ସୁନ୍ଦର ଦିଶିଲା । କିଏ ନ କହିବ ଅଲି ମୋର ପିଲା ଝିଅ, ଅଭିଆଡ଼ୀ ଝିଅ ।

 

କହୁ କହୁ ତାଙ୍କର ଆଖିପତା ଓଦା ହୋଇ ଆସେ । ତାଙ୍କର ସ୍ମୃତି କେଉଁ ଅଭୁଲା ଅତୀତକୁ ଟାଣିହୋଇ ଯାଏ । ମଣନ୍ତି ଅଢ଼େଇ ବର୍ଷର ଟିକି ଝିଅଟି ଲାବଣୀ, ତାକୁ ସେ କୋଳରେ ଧରି ରଖିଛନ୍ତି । ସୁନ୍ଦର ସ୍ୱାସ୍ଥ୍ୟ, ହଁ, ସେ ଲବଣୀପିତୁଳା ଥିଲା । ତାର ନାକ, କାନ, ଆଖି ଓ ଭ୍ରୁଲତାର ଆଭାସ ମିଳେ ଏହି ଅଜଣା ଝିଅ ଅହିଲାର ମୁହଁରେ । ବଞ୍ଚିଥିଲେ ସେ ଲବଣୀ ଏଡ଼ିକିଟିଏ ହୋଇ ସାରନ୍ତାଣି । ପର ଘରେ ଖଟି ପିଲାଝିଲାର ମା ହୋଇ ସାରନ୍ତାଣି ।

 

ଏଇ ଗାଆଁର ସେ ପରଘରେ ବଢ଼ିଛି । ଦୁଃଖ କଷ୍ଟ କରି ମଣିଷ ହୋଇ ମୂଲିଆ ମୁଣ୍ଡର ହାତ ଧରିଛି । ବାରଦ୍ୱାର ହୋଇ କାମ କରିଛି । ଚନ୍ଦ୍ରମା ମଧ୍ୟ ଜାଣନ୍ତି, କିଛି ପ୍ରତିକାର କରିବାର ଅଧିକାର ତାଙ୍କର ନାହିଁ ।

 

ଚଉଧୁରୀ ଆଣ୍ଡୁଆ ଲୋକ । ଟିକିଏ ସହାନୁଭୂତି କି ଟିକିଏ ଦୟା କାହା ଉପରେ ଦେଖାଇଲେ ସେ ବିରକ୍ତ ହୁଅନ୍ତି–ଚାରି ପଇସା କାଳେ ଖରଚ ହୋଇଯିବ । ଗୋପନରେ ସାହାଯ୍ୟ କରିବାକୁ ଆଗ୍ରହ କଲେ ଅହିଲା ନାସ୍ତି କରେ । ସେ ଚାହେଁ ତା ମୂଲଗଣ୍ଡାକ କଂସାଏ ପଖାଳ, ଟିକିଏ ଲୁଣ । ଚଉଧୁରୀ ଦୟାପାଇଁ ତାକୁ ଘରକୁ ଆଣିଛନ୍ତି । ଚନ୍ଦ୍ରମାଙ୍କ ମାତୃହୃଦୟ–ଦିନେ ଅହିଲାର ମୁଣ୍ଡ ବାନ୍ଧି ଦେଉଛନ୍ତି, ଚାନ୍ଦ ଆସି ପାଖରେ ଠିଆହେଲା–କାଖରେ ତାର ମତୀ । ଚାନ୍ଦ ମୁହଁ ମୋଡ଼ି ମୁରୁକି ହସି କହିଲା, ଏ କଅଣ ସାନ୍ତାଣୀ, ଛତରଖାଇଟାର ମୁଣ୍ଡରେ ହାତ ଦେଉଛ ? ଅସୁକ ଲାଗୁ ନାହିଁ ?

 

ଚନ୍ଦ୍ରମା ମୁଣ୍ଡ ଟେକି କହିଲେ, ଆଲୋ କି କଥା କହିଲୁ ? ଛତରଖାଇ ହୋଇ କଅଣ ଲୋକେ ମା ପେଟରୁ ଜନମନ୍ତି କି ? ଅବସ୍ଥା ମଣିଷକୁ ସବୁ କରେ । କୁକୁର ଛୁଆର ମୁହଁରେ ବୋକ ଦେଉଛ, ଅସୁକ ଲାଗୁନାହିଁ ? ଅହିଲା ତ ମଣିଷ ପିଲା ।

 

ଚାନ୍ଦ କହିଲା, ଶୁଣୁଛୁ ଲୋ, ମୋ କୁହା ପରା ମାନୁ ନ ଥଲୁ, ଏବେ ଦେଖିଲୁ ? ଆଲୋ, ସାଆନ୍ତାଣୀଙ୍କ ପରି ଲୋକ କୋଟିକେ ଗୋଟିଏ ଲୋ, କୋଟିକେ ଗୋଟିଏ ।

 

ଚାନ୍ଦ ଅହିଲାର ମୁଣ୍ଡରୁ ଗୋଡ଼ଯାଏ ଅନାଇଁଗଲା । କହିଲା, ଦିନ କେଇଟାରେ ତ ତତେ ଚିହ୍ନି ହେଉନାହିଁ । ସାଆନ୍ତାଣୀ କଅଣ ତୋ ଦେହରେ ମାଉଁସ ନେସୁଛନ୍ତି କିଲୋ ?

 

ଅହିଲା ସାମାନ୍ୟ ହସିଲା । ସକାଳୁ ଉଠି ରାତି ଅଧଯାଏ ସେ ପରିଶ୍ରମ କରେ । ତୁଣ୍ଡ ଖୋଲେ ନାହିଁ । ସାଆନ୍ତ, ସାଆନ୍ତାଣୀ ଓ ଯମ ଅଇଁଠା ପିଲାଟିର ସେ ଯତ୍ନ ନିଏ । ଘରଦ୍ୱାର ସଫାସୁତୁରା କରି ଦର୍ପଣରେ ଉଜ୍ଜ୍ୱଳ ରଖିଥାଏ । ଯାହା ନିଜ ହାତରେ ଚନ୍ଦ୍ରମା ବାଢ଼ି ଦିଅନ୍ତି ସେତିକି ସେ ଖାଏ । ପିଲାକୁ ଖୁଆଏ ।

 

ଚନ୍ଦ୍ରମା ଅହିଲାକୁ ଚିମୁଟି ଚାନ୍ଦକୁ ଆଖି ଦେଖାଇ କହିଲେ, ଆ, ଏମିତି କଅଣ ସେ ମୋଟା ହେଇଛି ଯେ ଆଖି ପକାଉଛୁ ? ଏ ବେଳା ଗଣ୍ଡାଏକୁ ସେ ବେଳା ଗଣ୍ଡାଏ ତ ଖାଏ, ତୋ ପରି କଣ ଏକା ଥରକେ ଦି କଂସା ଖାଇବା ପିଲା ସେ ?

 

ଚାନ୍ଦ ମତୀକୁ ନେଇ ହସି ହସି ଚାଲିଯାଏ ଅନ୍ୟଆଡ଼େ ।

•••

 

୪୦

 

ଦିନେ ଚନ୍ଦ୍ରମା ଚଉଧୁରୀଙ୍କୁ କହିଲେ, ଝିଅଟାକୁ ଦାଣ୍ଡରୁ ଆଣି ଘରେ ଆଶ୍ରା ଦେଇ ତୁମେ ତ ବେଶ ନିଶ୍ଚିନ୍ତରେ ରହିଛି, ପାତ୍ରଟିଏ କେଉଁଠି ଦେଖି ତାକୁ ଉଠାଇ ଦିଅ । ଆଶ୍ରା ଯଦି ଦେଇଛ ତାକୁ କେଉଁଠି ଥଇଥାନ କରି ନିଶ୍ଚିନ୍ତ ହୁଅ । ଯୁବତୀ ଝିଅ, ସେ ପୁଣି ଝିଅର ମା, ତାକୁ ଘରେ ରଖି ଦାୟିତ୍ୱ ମୁଣ୍ଡରେ ଥୋଇ ବେଳ ବିତେଇବା ଭଲ ନୁହେଁ ।

 

ଚଉଧୁରୀ କିଛି ସମୟ ଚିନ୍ତାକରି ନିମ୍ନସ୍ୱରରେ କହିଲେ, ଘରର କାମ କରିବାକୁ, ଆଉ ଗୋଟାଏ ଚାକରାଣୀ ମିଳିବାଯାଏ ଅହିଲାକୁ ଛାଡ଼ି ହେବ ନାହିଁ । ପିଲା ଥିଲା ମାଇପିକୁ ଦୁତୀୟ ହେବାକୁ ଜାତିଆ ଲୋକଟିଏ ମିଳିବା ଦରକାର । ସେପରି ଲୋକ ଗ୍ରାମବାସୀମାନେ ଖୋଜୁଛନ୍ତି । ଏଇ ଘର କେମିତି ପଡ଼ିଥିଲା, ସେ ଆସିଲା ଦିନୁ କେମିତି ହସି ଉଠିଲାଣି । ବେଶ୍‌କାମିକା । ତୁମେ ତ ନିପାରିଲା ଲୋକ, ସେ ଗଲେ ଚଳାଚଳ ହେବାପାଇଁ ଅସୁବିଧା ଭୋଗିବ । ଯାଉ ଆଉ ଦିନା କେତେ.....

 

ଚନ୍ଦ୍ରମା କହିଲେ, ସେ ଯଦି ତୁମର ଝିଅ ହୋଇଥାନ୍ତା, ତୁମେ ଏପରି କଥା କହନ୍ତ ନାହିଁ-। ଘର ଅଚଳ ରହିବ ବୋଲି ଝିଅକୁ କେହି ବାଡ଼ୁଅ ରଖେ ନାହିଁ । ଅଲି ସତେ ମୋ ଆଖିକି ମୋ ଝିଅ ପରି ଦିଶେ । ତାକୁ ଯେତେବେଳେ ଆଶା ଦେଇ ଗାଁ ଲୋକଙ୍କ ଆଗେ ଘରକୁ ଆଣିଛ, କାମ ଅଚଳ ହେବ ବୋଲି ତାର ଆଶା ଭାଙ୍ଗିବ କାହିଁକି ? ତା କଥା ଭାବିବାକୁ ତୁମ ବିନା ଆଉ କିଏ ଅଛି-

 

ଚଉଧୁରୀ ଭାବିତ ହେଲେ । ହସ ହସ ହୋଇ କହିଲେ, କାହୁଁ ଭାସି ଆସି ସେ ଏଇ ଗାଁରେ ଲାଗିଲା । ଗରିବ ଉଦିଆ ତାକୁ ପାଳି ବଡ଼କରି ବିନୋଦିଆକୁ ଦେଲା । ଏ ଘରକୁ ଆସିବାଯାଏ ତୁମେ କେବେ ତାଠାରେ ତୁମ ଝିଅପଣ ଦେଖି ନ ଥିଲ । ପରକୁ ପରକୁ, କାମ କଲେ ମୁଠିଏ ଖାଇବା କଥା । ଚାରି ପଇସା ପାଇବା କଥା । ଘରେ ତୁମ ଦାୟିତ୍ୱରେ ଅଛି ବୋଲି ତାକୁ ତୁମେ ଝିଅପରି ରଖିଛ, ଭଲକଥା । ତୁମେ କଅଣ ଭାବୁଛ ମୁଁ ନିଶ୍ଚିନ୍ତ ଅଛି ? ତା ନୁହେଁ, ମୁଁ ମନେ ମନେ ଗୋଟିଏ ଭଲ ପାତ୍ରର ଅନିଶାରେ ଅଛି । ଦଶ ପାଞ୍ଚ ଜଣକୁ ଏ କଥା କହିଲିଣି । ଦେଖାଯାଉ, ମନମାଫି ପାତ୍ର ନ ମିଳିଲେ ଖାଲି ବୋଝ ଖସାଇ ଦେଇ ନିଶ୍ଚିନ୍ତ ହେବାକୁ ଯେଉଁଠି ପାରି ସେଇଠି ତାକୁ ମାଡ଼ିଦେଲେ ସେ ନିଜେ ଦହଗଞ୍ଜ ହେବ, ଲୋକେ ନିନ୍ଦା କରିବେ । ଦେଇ ନେଇ ବାହା କରିବା, ତରତର ହୋଇ କାମ କଲେ ସବୁ ଭଣ୍ଡୁର ହେବ । ବର୍ଷେ ଛ ମାସ ଡେରି ହେଲେ ଭଲ ।

 

ଚନ୍ଦ୍ରମା କହିଲେ, ହଉ କଅଣ କେବେ କରୁଛ କର । ମୋ କହିବାର କଥା କହିଲି ।

 

ଅହିଲା ଛାଞ୍ଚୁଣି ମୁଠାଏ ଧରି ଘର ଓଳାଇବାକୁ ସେଠାରେ ପହଞ୍ଚିଗଲା । ଚନ୍ଦ୍ରମା ହସି ହସି କହିଲେ, ଏଇ ତ ସେ ଆସିଲାଣି–ଠାକୁରେ ତତେ ଦୀର୍ଘାୟୁ କରନ୍ତୁ । ତୋରି କଥା ଏବେ ପଡ଼ିଥିଲା । ଛୁଆକୁ କେଉଁଠି ଛାଡ଼ି ଅଇଲୁ ?

 

ଅହିଲା କହିଲା, ମୋ କଥା କଅଣ ପଡ଼ିଥିଲା ? ମତୀକୁ ଚାନ୍ଦ ମାଉସୀ ନେଇ ଯାଇଛି-। ବେଳ ଆସି ଏତେ ହେଲାଣି, ତୋରାଣୀ ଢୋକେ କେତେବେଳେ ପିଇବ ?

 

ଚଉଧୁରୀ କହିଲେ, ତୋତେ କିପରି ଶୀଘ୍ର ଏଘରୁ ତଡ଼ି ନିଶ୍ଚିନ୍ତ ହେବେ, ତାଙ୍କର ସବୁବେଳେ ସେହି ଚିନ୍ତା । କେତେଥର ମୋ ପାଖରେ ନାଲିସ କଲେଣି । ଆଜି ବି ସେହି କଥା କହିବାକୁ ଆସିଥିଲେ । ତୋତେ ଦେଖି ଥମିଗଲେ । ଯେତେ କହିଲେ ମୁଁ ତୋତେ ଏଘରୁ ଏତେ ଶୀଘ୍ର ବିଦା କରିବାକୁ ପ୍ରସ୍ତୁତ ନୁହେଁ । ସବୁ ବିଷୟ ଦେଖି ସମଝି କରିବା ।

 

ଚନ୍ଦ୍ରମା କହିଲେ, ହଉ, ଛାଞ୍ଚୁଣୀ ମୁଠାକ ସେଇଠି ରଖି ଥା । ତୋରାଣୀ ପିଇ ଆସି ଯାହା କରିବାର କରୁଥା । ତତଲା ପେଟରେ କି କାମ ? ଚନ୍ଦ୍ରମା ସେଠାରୁ ଚାଲିଗଲେ ।

 

ଅହିଲା ହଁ ଯାଉଛି କହି, ଘର ଭିତରକୁ ଗଲା । ଘର ଓଳାଇବାକୁ ଆରମ୍ଭ କଲା । ଚଉଧୁରୀ ଖଟ ଉପରେ ବସି ହିସାବପତ୍ର ଠିକଣା କରୁଥିଲେ ।

 

ଅହିଲାର ଓଳିଆ ସରିଲା । ଚଉଧୁରୀ ତାକୁ ପାଖକୁ ଡାକିଲେ । ଅହିଲା ଛାଞ୍ଚୁଣୀ ମୁଠା ପିଣ୍ତା ଉପରକୁ ପକାଇ ସଂକୁଚିତ ହୋଇ ପାଖକୁ ଆସିଲା । ଖଟ ବାଡ଼କୁ ଆଉଜି ଠିଆ ହେଲା । କେଜାଣି କାହିଁକି ତାର ମୁହଁ ଗମ୍ଭୀର ଦେଖାଗଲା । ଆଖିରୁ ଉତ୍ସାହର ଜ୍ୟୋତି ଲିଭିଗଲା । କପାଳରେ ବୁନ୍ଦା ବୁନ୍ଦା ଝାଳ ଫୁଟି ଉଠିଲା । ପେଟ ଭିତରୁ କୋହ ଉଠି ଆସୁଥିଲା, ତାକୁ ସେ ଦବାଇ ରଖିଲା । ଆଖି ତାର ତଳକୁ ।

 

ଚଉଧୁରୀ ପଦାକୁ ଚାହିଁ ପୁଣି କଅଣ ଭାବି ତଳକୁ ମୁହଁ ପୋତିଲେ । କାଗଜ ଉପରେ କଲମ ଲଗାଇ ଲେଖିବାର ଛଳନା କଲେ । ଥଙ୍ଗେଇ ଥଙ୍ଗେଇ ହୋଇ କହିଲେ, ମୋର ମନର କଥାଟା ତୋ ଆଗରେ ଖୋଲି କେବେ କହି ନାହିଁ । ତଥାପି, ମୁଁ ବୁଝୁଛି ତୁ ସବୁ ଜାଣୁ, ଅନେକ ଦିନରୁ ଜାଣୁ । କେତେ ଦିନ ଆଉ ତୋ ମୁହଁର ପଦେ କଥାକୁ ଅନେଇ ବସିବି ? ତୋ ପାଇଁ ମୁଁ କଅଣ ନ କରିଛି କହତ ଭଲା ? ଶିରିଆ ପାଣ ନାମରେ ଲୋକେ ତୋ ନାମରେ ବାର କଥା ଲଗାଇ କହିଥିଲେ । ଖାଲି ମୋରି ଡରରେ ସବୁ କଥା ଲୁଚି ଗଲା । ସତ ହେଉ କି ମିଛ ହେଉ ବାର ଲୋକ ବାରକଥା କହିଲେ, ସତ ବି ମିଛ ହୋଇଯାଏ, ମିଛ ବି ସତ ପାଲଟି ଯାଏ । ମୁଁ ଯଦି କଥାଟାକୁ ଦାବି ଦେଇ ନଥାନ୍ତି ଆଜି ତୁ ମୁଣ୍ଡ ଟେକି ବାଟ ଚାଲନ୍ତୁ ନାହିଁ । କାଲି ତୋତେ ବାଟରୁ ଗୋଟାଇ ଆଣି ଘରେ ଜାଗା ଦେଲି, ନୋହିଲେ ତୁ ଆଜି ଦାଣ୍ଡରେ ବୁଲନ୍ତୁଣି । ସବୁ କଅଣ ଭୁଲି ଯାଇଛୁ ଅହିଲା ? ଜାଣି ଜାଣି ମୋର ମନର ଉଦ୍‌ବେଗକୁ ମନ ଭିତରେ କୁହୁଳେଇ ତୁ ଧୂଆଁ କରୁଛୁ-

 

ଭୟରେ, କ୍ରୋଧରେ, ଅପମାନରେ ଅହିଲାର ସର୍ବାଙ୍ଗ ଥରି ଉଠିଲା । ଇଚ୍ଛା ହେଲା ସେହି ମୁହୂର୍ତ୍ତରେ ସେ ଚଉଧୁରୀଙ୍କୁ ଦୁଇ ପଦ ଟାଣ ଟାଣ କଥା ଶୁଣାଇ ଘର ଛାଡ଼ି ଚାଲିଯିବ, ତେଣିକି ଯାହା ଭାଗ୍ୟରେ ଥିବ ହେବ । ଘରେ ଆଶ୍ରୟ ଦେଇଛନ୍ତି ବୋଲି ଜାଣି ଜାଣି ତାକୁ ନରକ ମଝିକି ଘୋଷାରି ନେବେ ? ତାଙ୍କର କି ଅଧିକାର ଅଛି ? ସେ ଅନେକ ସହିଛି, ଆଉ ସହି ପାରିବ ନାହିଁ । କିନ୍ତୁ ଚଉଧୁରୀଙ୍କୁ ତ କେହି ଚିହ୍ନିଲେ ନାହିଁ ! ସେ ଯେପରି ଲୋକ ଦାଣ୍ଡରେ କାଲି ବେଶ୍‌ ଭଲେଇ ହୋଇ ପାରିବେ । ନିଜ ଦେହରୁ ଦୋଷ ଝାଡ଼ି ଦେଇ ଠିଆ ହେବେ । ସବୁ ଦୋଷ ସବୁ ଅପମାନ ତାରି ମୁଣ୍ଡରେ ଲଦି ଦେବେ । ତାଙ୍କ କଥାରେ ବିଶ୍ୱାସ ନ କରି ଗରିବର ଜୀବନର କଥା ବୁଝିବାକୁ କେହି ଚେଷ୍ଟା କରିବେ ନାହିଁ । ‘ସେ ଦୋଚାରୁଣୀ’ ଏହି ଦୁର୍ନାମ ଚାରିଆଡ଼େ ପ୍ରଚାର କରାଇବେ । ତା ଭଲ ପଣ କେହି ବିଶ୍ୱାସ କରିବେ ନାହିଁ । ତାକୁ ଆଖିଠାର ମାରି ଯେଉଁମାନେ ଫଣ ଫଣ ମୁହଁ ଦେଖି ପଛେଇ ଯାଇଛନ୍ତି ସେଇ ମଦନା, ହଟ, ଦର୍ଶନା ମନେ ସତିଆ ପୁରୁଷ ହୋଇ ଆକ୍ରୋଶ ସାଧିବାକୁ ଦୁର୍ନାମ ରଟାଇବେ । ସେ ଘର ଘର ଭିକମାଗି ବୁଲିଲେ ବି ଅପମାନର ଗନ୍ଧ ତାଆରି ପଛରେ ଗୋଡ଼ାଇଯିବ ।

 

ଅହିଲା ଧୈର୍ଯ୍ୟ ଧରି ମନରେ ଦମ୍ଭ ଆଣି କହିଲା, ସାଆନ୍ତେ ଗରିବ ତୁମରି ଆଶ୍ରା ଧରି ତୁମରି ଗୋଡ଼ତଳେ ପଡ଼ିଛି । ତା ପ୍ରତି ତୁମର ଟିକିଏ ଦୟା ନାହିଁ । ଆଉ ଅଧିକ କହି ପାରିଲା ନାହିଁ-। ସତେ କି ତାର ଶ୍ୱାସ ରୁଦ୍ଧ ହୋଇ ଆସିଲା ।

 

ଚଉଧୁରୀ ନଇଁ ପଡ଼ି ଅହିଲାର ପିଠିରେ ହାତ ରଖି କହିଲେ, ଏପରି କହୁଛୁ କାହିଁକି ଅହିଲା, ମୋର ତୋ ପ୍ରତି କିପରି ଦୟା, ମୁଁ ତୋତେ କିପରି ଭଲ ପାଏ ତୁ ତାହା ଆଜି ଯାଏ ବୁଝି ପାରିନୁ । ବରଂ ତୁ ଦିନୁଦିନ କରଛଡ଼ା ଦେଇ ନିର୍ଦୟର ପରିଚୟ ଦେଉଛୁ । ତୋର ହୁଏତ ଅନେକ ପ୍ରକାର ଭୟ ହେଉଥିବ, କିନ୍ତୁ ମୋର ଆଶ୍ରା ଧରିଲେ ନାଗବାଲି ଗାଁର କେଉଁ ଲୋକଟା କୁ ତୋର ଭୟ କରିବାର କିଛି ନାହିଁ । ଫୁଟ୍‌କି ମାରିଲେ ସମସ୍ତଙ୍କୁ ମୁଁ ଉଡ଼ାଇ ଦେଇ ପାରିବି । ଚନ୍ଦ୍ରମାକୁ ତୁ ଡରୁଛୁ ସେ ଦୁର୍ବଳ, ସେ ରୋଗଣା, ସେ ଅଧାବାଇଆଣୀ । ବାହା ଗଣ୍ଠିରୁ ସେ ସେମିତି । ଆଜି ନୁହେ, ଚିରଦିନ ମୋ ଉପରେ ତାଙ୍କର ସନ୍ଦେହ । ମୁହଁ ଖୋଲି କହିବାକୁ ସେ ସାହସ କରିବେ ନାହିଁ-। ସେ ଜାଣନ୍ତି ଭୁଲରେ ବି ଏପରି ସାହସ କଲେ ତାଙ୍କର ମୁହଁ ଭାଙ୍ଗିଯିବ । ଆଲୋ ଅହିଲା, ସେ ଏହା ବି ଜାଣନ୍ତି ଯେ ମୁଁ ତୋତେ ଭଲ ପାଏ । ମୁଁ ତୋତେ ମୋର କରିବାକୁ ଚାହେଁ ବିନୋଦିଆ ମଲା ଖବର ଆସିଲା ଦିନରୁ । ସେଥିପାଇଁ ତୋତେ ସେ ଘୃଣା କଲେ ବି ଝିଅ ଝିଅ ହେଉଛନ୍ତି । ମୋତେ ସେ ଠକି ପାରିବେ ନାହିଁ କି ତୋତେ ବି ଠକି ପାରିବେ ନାହିଁ । ତୁ ମୋର ହୋଇ ରହିବୁ–ପଦାକୁ ଯିବୁ କାହିଁକି ।

 

ଅହିଲାର ଇଚ୍ଛା ହେଲା ଚଉଧୁରୀଙ୍କର ହାତକୁ ପିଠି ଉପରୁ ଖସାଇ ଦେଇ ଘୃଣାରେ କହି ପକାଇବ, ସଇତାନ, ରଖିଥା ତୋର ସ୍ନେହ ଆଦର ତୋରି ଠାରେ । ମୁଁ ଯାଉଛି ତୋରି ଘର ଆଗରେ ଦଉଡ଼ି ଲଗାଇ ମରିବି । କିନ୍ତୁ ଆହା ମତୀଟି ! ତାର ପ୍ରାଣ ବିନୋଦର ସ୍ନେହ ସଙ୍ଖାଳି ସ୍ମୃତିର ଚିହ୍ନ ମତୀଟି ଅନାଥା ହେବ । ମୁଠିଏ ଖାଇବାକୁ ନ ପାଇଲେ ସେ ବି ଆଖି ବୁଜିବ । ସେହି ମତୀଟି ପାଇଁ ତାକୁ ସବୁ ଦୁଃଖ ଅପମାନ ନିର୍ଯ୍ୟାତନା ସହି ବଂଚି ରହିବାକୁ ହେବ । ଅନ୍ୟ ପଥ ଆଉ ନାହିଁ ।

 

ଅହିଲାର ଆଖିରୁ ଲୁହ ଧାର ଝରି ପଡ଼ିଲା । ହାୟ, ଭଗବାନ, ଗରିବର କପାଳରେ ଏତେ ଦୁଃଖ ଲେଖିଥିଲ ? ସେ ମନର ଦୁଃଖ ମନରେ ମାରି କହିଲା, ସାଆନ୍ତେ ଯାହା ଭାବିଛନ୍ତି, ଯାହା କହୁଛନ୍ତି, ସବୁ ଭଲ କରି ବୁଝି ବିଚାରି କହୁଛନ୍ତି ତ ? ପାପ ପୂଣ୍ୟ ସଂସାରରୁ କୁଆଡ଼େ ଉଭେଇ ଯିବ ?

 

ଚଉଧୁରୀ ଅହିଲାର ଆଖିରୁ ଲୁହ ପୋଛି ଦେଉଣୁ କହିଲେ, ମନର ଶୋଷ ମରିବାକୁ ପାପ ପୂଣ୍ୟ କଅଣ ମୁଁ ବୁଝେ ନାହିଁ । କିପରି ସାବଧାନ ହେବାକୁ ହୁଏ, ଏତିକି ମାତ୍ର ମୁଁ ଜାଣେ, ଭଲ କରି ଜାଣେ । ମୋ ପେଟର କଥା କି ମୋର କଲା କର୍ମ, ଦେବତା ସୁଦ୍ଧା ଜାଣି ପାରିବେ ନାହିଁ-। ଲୋକ ତ ଛାର ପୋକ ଠାରୁ ହୀନ ! ଭାବିବାକୁ ମୋର ତର ସହେ ନାହିଁ ଅଲି । ତୋର ଉଜ୍ଜ୍ୱଳ ଆଖି ଆଉ ସୁନ୍ଦର ମୁହଁ ଦେଖିଲେ ମୁଁ ଅନ୍ଧ ହୋଇଯାଏ । ଚଉଧୁରୀ ଅହିଲାର ମୁଣ୍ଡଟିକୁ ଛାତି ଉପରକୁ ନୁଆଇଁ ଆଣି ତାର ଚିବୁକ ଚୁମ୍ବନ କଲେ ।

 

ଅହିଲାର ଦେହ ଥରି ଉଠିଲା । ସେ କ୍ରୁଦ୍ଧା ନାଗୁଣୀ ପରି ଦୁଇ ପାଦ ପଛକୁ ଘୁଞ୍ଚି ଆସିଲା । ଘନ ଘନ ନିଶ୍ୱାସ ପକାଇଲା । କଅଣ କହିବାକୁ ବସି ଥିଲା, ବାହାରୁ ଚନ୍ଦ୍ରମାଙ୍କ କଣ୍ଠସ୍ୱର ଶୁଣି ଭୟରେ ସରମରେ ସଙ୍କୁଚିତ ହୋଇ ଠିଆ ହୋଇ ରହିଲା । ତାର ସର୍ବାଙ୍ଗ ଥରି ଉଠୁଥାଏ ।

 

ତୋର ଘର ଓଳା ସରିବ ନାହିଁକି ? କେତେ ନିଠେଇ କରି ଘର ଓଳାଉ ତୁ ? ଆଲୋ, ପାଟିରେ ଟୋପାଏ ତୋରାଣୀ ଛୋଇଁ ସଞ୍ଜ ପହରଯାକେ ବସି ଘର ଓଳାଉଥା । ଚନ୍ଦ୍ରମା ଦୁଆର ମୁହଁକୁ ଆସିଲେ ।

 

କଲମଟି କାନରେ ଖୋସି ତଳକୁ ମୁହଁ ପୋତି, ଚଉଧୁରୀ ଅଳପ ଥରିଲା ସ୍ୱରରେ କହିଲେ, ଆସ ଦେଖିବ ତମ ଅଲିକି, କାନ୍ଦି କାନ୍ଦି ଲୁହରେ ଅଧବଖରାଏ ଘର ଓଦା କଲାଣି । ଯେତେ ବୁଝାଇଲେ ସେ ବୁଝୁଛି ? ମୁଁ କହିଲି, ଆଲୋ, ଯେ ଗଲା ସେ ଆଉ ଫେରିବ ନାହିଁ । କାନ୍ଦି ବୋବେଇ ମୁଣ୍ଡ କୋଡ଼ି ହେଲେ କି ଲାଭ ? କେତେ ମାସ ଗଡ଼ି ଗଲାଣି, ମନକୁ ବୁଝା, ପର ଘରକୁ ଯିବାକୁ ପ୍ରସ୍ତୁତ ହ । ଯେବେ ହେଲେ ତ ଯିବୁ ?

 

ସେ କହୁଛି, ମୁଁ ସାଆନ୍ତାଣୀଙ୍କୁ ଛାଡ଼ି ଆଉ କାହା ଘରକୁ ଯିବି ନାହିଁ । ପୋଡ଼ିଲା ତିଅଣରେ କି ସୁଆଦ ଥାଏ ? କହିଲି, ପିଲାଲୋକ ତୁ, ଜୀବନର ଦାୟିତ୍ୱ କିଛି ବୁଝିନୁ । ସେଥିପାଇଁ ଏମିତି କହୁଛୁ । ତମ ଜାତିରେ ଯେଉଁ କଥା ଚଳେ, ନିଜର ଭଲପାଇଁ ସେତକ ନ କଲେ ପଛକୁ ପସ୍ତାଇବାକୁ ପଡ଼ିବ । ଆଜି ତ କିଛି ତୁ ତୋ ସାନ୍ତାଣୀଙ୍କୁ ଛାଡ଼ି ଯାଉନୁ, କେବେ ଯିବାକୁ ହେବ, ସେ ସମୟ ଦୂରରେ ଅଛି । ଏଥିକି କାନ୍ଦଣା କାହିଁକି ?

 

ପ୍ରତିବାଦ କରି କହିବାକୁ ଅହିଲାର ମନରେ ଶକ୍ତି ନାହିଁ । ଚଉଧୁରୀଙ୍କ ପରି ସଇତାନ ପାଣିରେ ସର ପକାଇ ପାରନ୍ତି ।

 

ଚନ୍ଦ୍ରମା ଅହିଲାର ଆଖିରୁ ଲୁହ ପୋଛିଲେ । ଅତି ଆଦରରେ ତାର ମୁଣ୍ଡକୁ ଛାତି ଉପରକୁ ଆଉଜାଇ କାନ୍ଦିଲେ, ଦେଖିଲ, ମୋ ପାଖରେ ଅଲି କାହା ପରି ଦିଶୁଛି ? କୁନ୍ତଳା ଯଦି ଥାଆନ୍ତା, କେଡ଼େଟିଏ ହୁଅନ୍ତାଣି ମନେ କଲ । ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ନିଷ୍ଠୁର ଯମ ତାଙ୍କ କୋଳରୁ ଦିନେ ଅଢ଼େଇ ବରଷର ସୁବର୍ଣ୍ଣପ୍ରତିମା କୁନ୍ତଳାକୁ ଟାଣି ନେଇଥିଲା । ସଂସାରରେ ସମସ୍ତେ ପଛେ ଭୁଲିବେ, ଅନ୍ତଫାଡ଼ି ଜନମ କରିଛନ୍ତି ପରା ମା, ସେ ଭୁଲିବେ କିପରି ?

 

ଚଉଧୁରୀ କହିଲେ–ଗତ କଥା କାହିଁକି ମନେ ପକାଉଛ ? ଯିଏ ଯାଇଛି ସେ ଆଉ ଫେରିବ ନାହିଁ । ଅହିଲା କୁନ୍ତଳା ନୁହେ କି ତା ଝିଅ ମତୀ ବି କୁନ୍ତଳା ନୁହେଁ । ସ୍ନେହ ଯାହା ଉପରେ ଅଜାଡ଼ିବ, ସେ କିଣି ହୋଇ ଯିବ କିନ୍ତୁ ସେ ପେଟରୁ ଜନମିଲା ଝିଅ କୁନ୍ତଳା ହେବନି ।

 

ଚନ୍ଦ୍ରମା ଅହିଲାର ହାତ ଧରି କହିଲେ, ଆଲୋ ପାଗଳି, କାନ୍ଦି କାନ୍ଦି ଘର ଭସାଇ ଦେଲେ ବି ଯେ ଯାଇଛି ସେ ଆଉ ଫେରି ଆସିବ ନାହିଁ । ଆଉ ମୋତେ ଛାଡ଼ି ପର ଘରକୁ ଯିବାକୁ ଯଦି ମନରେ ତୋର ଏତେ ଦୁଃଖ, ଆ, ତୋତେ ମୁଁ ମୋ କାନିରେ ବାନ୍ଧି ରଖିବି ।

 

ଅହିଲା ଚଉଧୁରୀଙ୍କ ମୁହଁକୁ ଚାହିଁ ପୁଣି ଚନ୍ଦ୍ରମାଙ୍କ ମୁହଁକୁ ଅନାଇଲା । ଏପାଖେ ଲାଳସାର ଜଳନ୍ତା ନିଆଁ, ସେ ପାଖରେ କରୁଣାର ଶୀତଳଧାରା । କି ବୁଦ୍ଧି ସେ କରିବ ବୁଝି ପାରିଲା ନାହିଁ । ଯନ୍ତ୍ରଚାଳିତ ପରି ଚନ୍ଦ୍ରମାଙ୍କ ପଛେ ପଛେ ଗଲା । ମନେ ହେଲା, ଯେପରି ଚଉଧୁରୀ ତାର ମନରେ ପଶି କହୁଛନ୍ତି, ସାବଧାନ, ମୁହଁ ଖୋଲିବୁ ନାହିଁ । ମୁହଁ ଖୋଲିଲେ ମୋ ଆଖିର ଜଳିଲା ନିଆଁରେ ଏକା ତୁ ନୁହେଁ, ତୋର ଝିଅ ବି ଦୁଇଟା ପତଙ୍ଗ ପରି ଜଳି ପାଉଁଶ ହେବ ।

 

ଆଲୁଅ ଅନ୍ଧାର ମଝିରେ ଅହିଲାର ସମୟ ମନ୍ଥର ଗତିରେ ଅତିବାହିତ ହେଲା । ସେ ବୁଝିପାରିଲା, ପେଟକୁ ମୁଠାଏ ସହଜରେ ଖାଇବାକୁ ପାଇଲେ ମଣିଷର ଜୀବନ ସବୁବେଳେ ସୁଖରେ କଟିପାରେ ନାହିଁ । ଜୀବନର ସହଜ ଗତି ପଥରେ ପ୍ରତିବନ୍ଧକ ରୂପେ ଠିଆ ହେବାକୁ ସଂସାରରେ ଅନେକ ଲୋକ ଅଛନ୍ତି, ଅନେକ ଘଟଣା ଅଛି । ସେ ସବୁକୁ ଦୃଢ଼ ମନରେ ଆଡ଼େଇ ଆଗକୁ ଗୋଡ଼ ପକାଇବା ଅସମ୍ଭବ ହୋଇପଡ଼େ । ଏଣେ ଚନ୍ଦ୍ରମା ଦେବୀଙ୍କର ସରଳ କୋମଳ ବ୍ୟବହାର ଓ ମାତୃ ସ୍ନେହରେ ସେ ଦିନୁ ଦିନ ତାଙ୍କର ହୃଦୟ ଆଡ଼କୁ ଟାଣି ହୋଇ ଆସୁଛି । ଏଣେ ଚଉଧୁରୀଙ୍କର କପଟ ଆଚରଣ ଓ ଲାଳସାପୂର୍ଣ୍ଣ ବ୍ୟବହାରରେ ତାର ମନ ଦୂରରୁ ଦୂରକୁ ଘୁଞ୍ଚି ଯାଉଛି । ପ୍ରତି ମୁହୂର୍ତ୍ତରେ ଇଚ୍ଛା ହେଉଛି, ଚଉଧୁରୀଙ୍କର ଘର ଛାଡ଼ି ବାଟକୁ ବାହାରି ପଡ଼ିବ । ତେଣିକି ଯାହା ହେଉ, ଅନ୍ୟ ବିବାହ କରି ଅନ୍ୟ ଜଣକୁ ଅବଲମ୍ୱନ କରି ଯଦି ଜୀବନ କଟାଇବାକୁ ହେବ, ନିଜର ଶକ୍ତି ଓ ଚେଷ୍ଟା ଉପରେ ନିର୍ଭର ନ କରି ଚଉଧୁରୀଙ୍କର ଆଶ୍ରା ନେଇ ପଡ଼ିରହି ମନ ଭିତରେ ନିଆଁର ହୁଳା ଜାଳି କେବଳ ପେଟ ପୋଷିବାକୁ ବେଳ କାଟିବ କାହିଁକି ।

 

ଚନ୍ଦ୍ରମା ଦେବୀଙ୍କ ଆଗକୁ ଆସିଲେ ତାର ସବୁ ଦୁଃଖ, ସବୁ ଚିନ୍ତା ଦକ ଉଭେଇ ଯାଏ । ସେ କଅଣ କହିବ କହିବ ହୋଇ କହି ପାରେ ନାହିଁ, କହିବାକୁ ସାହସ ହୁଏନାହିଁ । ମନରୁ ସବୁ ଚିନ୍ତା ଅପସରି ଯାଏ । ସାନ୍ତାଣୀ ନିଜ ହାତରେ ତାର କପାଳକୁ ପଣତକାନିରେ ପୋଛି ଦିଅନ୍ତି । ଲୁହରେ ଆଖି ଢଳ ଢଳ କରି ପଚାରନ୍ତି, ଝିଅଲୋ, ତୋର ମନ କାହିଁକି ମରି ଯାଇଛି, ମୁହଁ ଝାଉଁଳି ପଡ଼ିଛି ? ଆ, ମନ୍ଦାଏ ତୋରାଣୀ ପିଇବୁ । ଅହିଲା ଉତ୍ତର ନ ଦେଇ କାନ୍ଦି ପକାଏ । ଇଚ୍ଛା ହୁଏ ପାଦଧରି ମନର କଥା ଖୋଲି କହିବ । ହାତ ଯୋଡ଼ି ପ୍ରାର୍ଥନା କରି କହିବ, ମା, ମୁଁ ଯାଉଛି..... -! ଅହିଲାର ପେଟଭିତରୁ କୋହ ଉଠେ, ପାଟି ଖୋଲେ ନାହିଁ ।

 

ଚନ୍ଦ୍ରମା ତା’ର ହାତ ଧରି ରୋଷେଇ ଘରକୁ ନେଇଯାଉଣୁ କହନ୍ତି, ଯେ ଯାଇଛି ସେ ଆଉ ଫେରି ଆସିବ ନାହିଁ । ମନ କଷ୍ଟକରି କାନ୍ଦି କାନ୍ଦି ଦିହ କ୍ଷୀଣ କଲେ କି ଲାଭ ମିଳିବ ?

 

ଅହିଲା ଭାବେ, ଦେବୀ ସେ, ତାଙ୍କ ମନରେ କଳଙ୍କର ଦାଗ ଲାଗିବ ନାହିଁ । ସଂସାରକୁ ଅତି ଭଲ, ଅତି ସରଳ ସୁନ୍ଦର ବୋଲି ସେ ଗ୍ରହଣ କରି ନେଇଛନ୍ତି । ତାଙ୍କ ମନରେ ସନ୍ଦେହ ପଶିବ କିପରି ? ନା, ସେ ଏପରି ଜୀବନ୍ତ ଦେବୀପ୍ରତିମାର ପଦସେବା ସୁଖରୁ ବଞ୍ଚିତ ହେବାକୁ ଉତ୍ତେଜନାର ଦାଉରେ ଚଉଧୁରୀଙ୍କ ଘର ଛାଡ଼ି ଆହୁରି ଅନିଶ୍ଚିତ ଅରମା ଭିତରେ ପଶିବ ନାହିଁ । ନିଜର ଶକ୍ତି, ନିଜର ଚରିତ୍ର ଓ ପ୍ରକୃତିର ଦୃଢ଼ତା ଉପରେ ଆସ୍ଥା ରଖି କିଛି ଦିନ ସତର୍କତାର ସହିତ ଚଳିଯିବ । ସୁବିଧା ପାଇଲେ ଚଉଧୁରୀଙ୍କର ପାଦଧରି କହିବ, ମୋତେ କ୍ଷମା କର, ମୁଁ ତମର ଝିଅ-

 

ଯେତେ କରଛଡ଼ା ଦେଇ ଚଳିବାକୁ ଚେଷ୍ଟା କଲେ ମଧ୍ୟ ସେହି ଏକା ଦଶା । ତାର ଅଜାଣତରେ କୁଆଡ଼ୁ ଚଉଧୁରୀ ଆସି ପଛରେ ହବୁଡ଼ି ଯାଆନ୍ତି । ସେ ଭୟରେ ଲାଜରେ ଆଗରୁ ପଳାଇ ଯାଇ ପାରେ ନାହିଁ । କାଳେ, ସାନ୍ତାଣୀ ଶୁଣି ପାରିବେ, ସେଥିପାଇଁ ସେ ମନକଥା କହିପାରେ ନାହିଁ । ଦେହ ଥରିଉଠେ । ଛାତି ଦାଉଁ ଦାଉଁ ପଡ଼େ । ମୁଣ୍ତ ବୁଲାଏ । ଆଖି ଆଗରେ ଶହ ଶହ ଜୁଳୁଜୁଳିଆ ପୋକ ମିଟି ମିଟି ହୋଇ ଭାସିଯାନ୍ତି । କଅଣ କରିବାକୁ ଆସିଥାଏ, କଅଣ କହିବାକୁ ବସିଥାଏ, ସବୁ ଭୁଲିଯାଏ । ତାର ମନରେ ଭାବନା ଉଠେ ନାହିଁ, ପାଟିରୁ କଥା ବାହାରେ ନାହିଁ, ଖୁଣ୍ଟପରି ଠିଆ ହୋଇ ରହେ ।

 

ଚଉଧୁରୀ ଅହିଲାର ପାଖକୁ ପାଖକୁ ଘୁଞ୍ଚି ଆସନ୍ତି । ତା ମୁଣ୍ତକୁ ଛାତି ଉପରକୁ ଆଉଜାଇ ଆଲିଙ୍ଗନ କରନ୍ତି । ମୁଖ ଚୁମ୍ୱନ କରି ତାକୁ ମୁକ୍ତି ଦିଅନ୍ତି । ପିଠିରେ ହାତ ବୁଲାଇ କହନ୍ତି, ଆଉ କେତେଦିନ ଅପେକ୍ଷା କରିବି ଅଲି ?

 

ଅହିଲା ତାଙ୍କର ହାତକୁ ପିଠି ଉପରୁ କାଢ଼ି ଦେବାକୁ ହାତ ଟେକେ, ହାତ ଥରିଉଠେ । ମନରେ ଓ ଦେହରେ ନିଆଁର ଆଂଶ ଚରିଯାଏ । ଦେହର ଅଣୁ ପରମାଣୁ ଯେପରି ତାର ବିଦ୍ରୋହ କରି ଉଠନ୍ତି । ତାତିଲା ମନରେ ଅରଣା ଉତ୍ତେଜନା ଖେଳେ । ଆହୁରି ଥରେ ସେହି ପ୍ରଲୋଭନ ନିଆଁର ଛାତି ଉପରକୁ ଢଳି ନିଜକୁ ପୋଡ଼ି ଜାଳି ପାଉଁଶ କରିବାକୁ ମନରେ ମୂର୍ଚ୍ଛାଳିଆ ଉଦ୍‍ବେଗ ଜାଗେ । ସେ ଉଦ୍‌ବେଗ ତା’ର ନିଃସହାୟତାକୁ ନିର୍ଦ୍ଦେଶ ଦିଏ ଢଳିପଡ଼ ସେହି ସଇତାନର ଛାତି ଉପରକୁ । ସେ ତୋର କେହି ନୁହେଁ ଏହା ତ ଜଣା କଥା । ନିଜକୁ ଅରପି ତାକୁ ଚରଣକିଙ୍କର କର-। ତୋର ପେଟପାଟଣାର ଚିନ୍ତା ନ ଥିବ । ପିଲାଟିକୁ ବଞ୍ଚାଇ ବଡ଼ କରିବାର ଦକ ଆଉ ରହିବ ନାହିଁ-। ଲାଜ ଓ ମହତ ସରିଲେ ଦୁନିଆ ଲୋକଙ୍କ ଛି-ଛା କରା କି ଟାହିଟାପରା ମନ ଛୁଇଁବ ନାହିଁ । ହଁ, ତୁ ସେଇଆ କର ।

 

ଅହିଲାର ଦେହ ଥରିଉଠିଲା । ଛାତି ଦାଉଁ ଦାଉଁ ହେଲା । ପୁଣି କିଏ କେତେ ଦୂରରୁ ଏ ଦୁନିଆର ଆରପାରିରୁ ତାଆରି ଭିତରେ କୁହାଟ ଛାଡ଼େ, ଜହର ଟିକେ ମିଳୁ ନାହିଁ କି ? ମରି ମଧ୍ୟ ମୁଁ ତୋରି ପାଖରେ ଅଛି । ମୁଁ ବିନୋଦ । ମୁଁ ମତୀର ବାପା ।

 

ଅହିଲା ଲୋ, ହାଣ୍ଡି କୁହୁଳି ଉଠୁଛି, ତେଲଘଡ଼ିଟା ସହଳ ଆଣିଲୁ । ଅହିଲାର ମୂର୍ଚ୍ଛାଳିଆ ମୋହ ମୁହୂର୍ତ୍ତକରେ ଭାଙ୍ଗେ । ଯିଏ ତାକୁ ଗର୍ଭରେ ଧରି ନ ଥିଲେ ମଧ୍ୟ ଗର୍ଭଧାରିଣୀ ଜନନୀଙ୍କ ପରି ସ୍ନେହ କରନ୍ତି ସେହି ଚନ୍ଦ୍ରମାଦେବୀ ଡାକୁଛନ୍ତି, ଯାହାଙ୍କର ପବିତ୍ର ନିର୍ମଳ ମନରେ ସନ୍ଦେହର ଛାଇ ପଡ଼ି ନାହିଁ ସେହି ଦୟାମୟୀ ମା ଡାକୁଛନ୍ତି । ଅହିଲା ଚିଲପରି ଛୁଟି ପଳାଏ । ଚଉଧୁରୀ ବିବ୍ରତ ହୋଇ କଣ ଗୋଟାଏ ଖୋଜିବାର ବାହାନା କରି ଏ ପାଖ ସେ ପାଖ ଅଣ୍ଡାଳି ହୁଅନ୍ତି ।

 

ଦିନେ ଦିନେ ସଞ୍ଜ ବୁଡ଼େ ଚଉଧୁରୀଙ୍କୁ ଶୋଷ ହୁଏ । ତାଙ୍କର ତଣ୍ଟି ଶୁଖି ଯାଏ କି କଅଣ ସେ ଡକା ଛାଡ଼ନ୍ତି ପାଣି ଗିଲାସେ ପଠାଇ ଦିଅତ, ମୁଁ କାର୍ଯ୍ୟବ୍ୟସ୍ତ ଅଛି !

 

ଅହିଲା ଚନ୍ଦ୍ରମାଙ୍କ ପାଖରେ ରୋଷଘରେ ଥାଏ । ମତୀ ବାରଣ୍ଡା ଉପରେ ଛୋଟ ମଶିଣା ଉପରେ ଶୋଇ ପଡ଼ିଥାଏ । ଉପର ଖଞ୍ଜାରୁ କଣ ଘରଭିତରୁ ଚଉଧୁରୀ ଡକା ଛାଡ଼ିଛନ୍ତି ଅହିଲାକୁ ଏହା ଜଣା । ତାକୁ ଏହା ମଧ୍ୟ ଅଜଣା ନାହିଁ ଯେ ଚଉଧୁରୀ ପାଣି ଖୋଜୁ ନାହାନ୍ତି, ସେ ତାକୁ ହିଁ ଖୋଜୁଛନ୍ତି । ପାଖକୁ ଗଲେ ହାତ ଧରିବେ । ଗେଲ କରିବେ । ନିଜେ ଦହିହୋଇ ଅହିଲାର ଦେହ ଓ ମନକୁ ଦହନ କରିବେ, ଥର ଥର ସ୍ୱରରେ ପ୍ରେମ ନିବେଦିବେ । ଅହିଲା ଶୁଣି ମଧ୍ୟ ଶୁଣିଲା ନାହିଁ ।

 

ଚନ୍ଦ୍ରମା ଗେହ୍ଲେଇ କହିଲେ, ଯା ମା, ତାଙ୍କୁ ପାଣି ଦେଇଆ । ଡେରି ହେଲେ ସେ ବିରକ୍ତ ହେବେ । ଆଣ୍ଡୁଆ ଲୋକ । ଅହିଲା ତାଙ୍କର ଆଦେଶ ପାଳିଲା ।

 

ଚଉଧୁରୀ ଢୋକେ ଦି ଢୋକ ପାଣି କୁଳିକରି ବାକିତକ ଦୁଆରକୁ ଛାଟିଦେଲେ । ଗିଲାସ ତଳେ ଓଗାଡ଼ି ହସି ହସି କହିଲେ, ପାନ ଦିଖଣ୍ଡ ଭାଙ୍ଗି ଦେ’ତ ଅଲି । ଏ ପାନ ଭଲ ଲାଗୁନାହିଁ । ଅଲି ନାହିଁକରି ପାରିଲା ନାହିଁ । ଖଟତଳୁ ପାନ ପେଟରାଟା ଓଟାରି ଆଣି ପାନ ଭାଙ୍ଗି ବସିଲା । ଭାବୁଥିଲା, ଆଜି ପୁଣି କି ଢଙ୍ଗ ସେ ଦରବୁଢ଼ା ବାହାର କରିବେ । କି କଥା ସେ ନିର୍ବୋଧ ଚୁପ୍‌ସଇତାନ କହିବେ ଦେଖାଯାଉ ।

 

ଚଉଧୁରୀ ଗଳାଖଙ୍କାରି ଆରମ୍ଭ କଲେ–ତୋତେ ଘଡ଼ିଏ ନ ଦେଖିଲେ ମନ ଛଟପଟ ହୁଏ ବିକଳ ହୁଏ ଲୋ ଅହିଲା । ମୋର ଆଗ୍ରହ ତୁ ମୋ ପାଖରେ ସବୁବେଳେ ଥାଆନ୍ତୁ । ମୁଁ ତତେ ଚାହେଁ, ତୋର ମନ ନେଇ ଚାହେଁ । ତୁ ମଧ୍ୟ ମୋତେ ଚାହୁଁ । ମଝିରେ ଥାଇ ଯେଉଁ ଜଣକ ବାଧା ଦେଉଛି ତାକୁ ତୋର କି ଡର ? ତୋତେ ମୋର କରିବାକୁ ତାକୁ ମୁଁ ସାଧ୍ୟ କରିଦେବି ।

 

ଚଉଧୁରୀଙ୍କର ପ୍ରତ୍ୟେକ କଥାରେ ଲାଳସାମୟୀ ଛଳନା ଲୁଚି ରହିଥାଏ, ଅହିଲା ଏହା ଜାଣେ । ସେ ଜାଣେ ଚଉଧୁରୀ ତରତର ହୋଇ କିଛି କରନ୍ତି ନାହିଁ । ନିଜ କାର୍ଯ୍ୟ ହାସଲ କରିବାକୁ ସେ ଭାବି ଚିନ୍ତି ତାଙ୍କର ଚକ୍ରାନ୍ତ କରନ୍ତି, ଜାଲ ଖେଳାନ୍ତି । ସେ ଜାଣେ ସେ ପ୍ରତିକାର କରି ପାରିବ ନାହିଁ । ଗୋଟିଏ ମାତ୍ର ପ୍ରତିକାର ତାଙ୍କୁ ଜଣା, ଏ ଘର ଓ ଗ୍ରାମ ଛାଡ଼ି କୁଆଡ଼େ ପଳାଇ ଯିବା । ଯିବ ବା କୁଆଡ଼େ ? ଗାଁ ଛାଡ଼ି ଗଲେ ଗାଁ ବାହାରେ ବିଦେଶରେ ତାର ସାହା ଭରସା କିଏ ଅଛି ? କିଏ ତାର ଦୁଃଖରେ ସହାନୁଭୂତି ଦେଖାଇବ ? ପିଲାଟିକୁ ବଞ୍ଚାଇବ କିପରି ?

 

ଅହିଲା ଦୁଇଖଣ୍ତି ପାନଭାଙ୍ଗି ଚଉଧୁରୀଙ୍କ ହାତକୁ ଦେଲା । ଚଉଧୁରୀ ତା ମୁହଁକୁ ନ ଅନାଇ କହିଲେ, ତୁ ଆଜିଠୁଁ ତଳ ଖଞ୍ଜାର କଣଘରେ ରହିବୁ । ମଝି ଘରେ ତାଙ୍କ ପାଖେ ଶୋଇବୁ ନାହିଁ । ସେ ଘରେ ଅନେକ ମୂଲ୍ୟବାନ ପଦାର୍ଥ ଅଛି ।

 

ଖରାବେଳା ମଝିଘର ପଲଙ୍କ ଉପରେ ଶୋଇ ଚନ୍ଦ୍ରମା ଶ୍ରାନ୍ତି ହରଣ କରୁଛନ୍ତି । ତାଙ୍କର ପାଦ ଦିଓଟି କୋଳରେ ଧରି ଅହିଲା ଧୀରେ ଧୀରେ ଆଉଁସି ଦେଉଛି । ଆଖିରେ ଢଳ ଢଳ ଲୁହ । ଅହିଲା କହିଲା, ମୋତେ ଏ ଘର ଛାଡ଼ି ଶୀଘ୍ର ଚାଲିଯିବାକୁ ହେବ ମା !

 

ଅହିଲା ମୁହଁରୁ ଏପରି କଥା ଶୁଣିବେ ବୋଲି ସେ କେବେ ଆଶା କରି ନ ଥିଲେ । କେଉଁ ଅଜଣା ସନ୍ଦେହରେ ତାଙ୍କ ଛାତିରେ ଛନକା ପଶିଲା । ସେ ପଚାରିଲେ–କାହିଁକି ଏପରି କଥା ତୋ ତୁଣ୍ତକୁ ଆଣିଲୁ ଅଲି, କି ଅସୁବିଧା ତୋର ହେଉଛି ?

 

ଚନ୍ଦ୍ରମାଙ୍କ ପ୍ରଶ୍ନରେ ଅହିଲା ଟିକିଏ ବିବ୍ରତ ହୋଇ ପଡ଼ିଲା । ଉତ୍ତରଦେବାକୁ ଭାଷା ପାଇଲା ନାହିଁ । କଥାକୁ ବାଁରେଇ ଦେବାକୁ କହିଲା, ନାଇଁ ମା, କଛି ନାହିଁ । ତୁଣ୍ତରୁ ବାହାରି ପଡ଼ିଲା, କାହିଁକି ମୁଁ ନିଜେ ଜାଣେନାହିଁ ।

 

ଚନ୍ଦ୍ରମା ଯେପରି ତାର ମନର କଥା ବୁଝି କହିଲେ, ପାଗଳୀ କିଛି କୁଆଡ଼ୁ ଠିକଣା ହୋଇନାହିଁ । ଆଜିଠୁ କାହିଁକି ତୋର ଏତେ ଚିନ୍ତା ? ମନରେ ଏତେ ଦୁଃଖ । ମୁଁ ବେଳେ ବେଳେ ତାଙ୍କ ସଙ୍ଗରେ ଲଗାଏ; କିନ୍ତୁ ସେ ବିରକ୍ତ ହୋଇ କହନ୍ତି, ହଉ ବୁଝିବା । ପୁଣି କ’ଣ ଭାବି ମୁହଁ ଶୁଖାଇ କହନ୍ତି, ସେ ଖଣ୍ତକ ତ ତୁମର ଗେହ୍ଲା ଝିଅ, ହାତବାରସି, ତାକୁ ପରଘରେ ଥୋଇ ଦଣ୍ତେ ଚଳି ପାରିବ ନାହିଁ । ସେ ସିନା ମୋ ଆରାଧରି କହନ୍ତି ଲୋ ମୁଁ ଜାଣେ ତୋତେ ସେ ଭାରି ଭଲ ପାଆନ୍ତି । ଯାଉ ଆସୁ ସବୁବେଳେ ତୋଓରି କଥା, ଅଲି ଖାଇଲଣି ? କଅଣ ଖାଇଲା ? ତାର ମନରେ ସରାଗ ନାହିଁ କହିଁକି ? ତାର ଲୁଗା ନାହିଁକି; କାହିଁକି ମଇଳା ଲୁଗା ପିନ୍ଧିଛି ? ଏହିଥିରୁ ମୁଁ ବୁଝୁଛି । ତୋତେ ସେ ଯେପରି ଦେଖି ପାରନ୍ତି ତୁ ପରଘରକୁ ଗଲେ ତାଙ୍କର ଆଖିରେ ଲୁହ ଧରିବ ନାହିଁ । ହଉ, ଠାକୁରେ କରନ୍ତୁ, ମୁଁ ତୋତେ ଆଠ ଦିନରୁ ଦଶଦିନ ପରଘରେ ରଖାଇଦେବି ନାହିଁ । ପୁଣି ମୋ ପାଖକୁ ଟାଣି ଆଣିବି । ମତୀକୁ ତ ମୁଁ କେବେ, କେବେ ଛାଡ଼ି ପାରିବି ନାହିଁ । ସେ ଏଇଠି ରହିବ । ମୋ’ରି ପାଖରେ ।

 

ଅହିଲା ତୁନି ହେଲା । ଚଉଧୁରୀ ତାକୁ କିପରି ଭଲ ପାଆନ୍ତି, କାହିଁକି ଭଲ ପାଆନ୍ତି, ଯଦି ଚନ୍ଦ୍ରମା ବୁଝି ପାରନ୍ତେ, କି ଅନୁମାନ କରିପାରନ୍ତେ, ତାଙ୍କର ମନରେ ହୁ ହୁ ଅନଳ ଜଳନ୍ତା, ସଂସାର ଉପରୁ ସବୁ ବିଶ୍ୱାସ ଏକା ଥରେ ତୁଟନ୍ତା । ଜୀବନ ଲାଗନ୍ତା ପିତା । ମୁହୂର୍ତ୍ତକରେ ଅହିଲା ହୁଅନ୍ତା ତାଙ୍କର ପ୍ରତିହିଂସା ନିଆଁର ଆହୁତି ।

 

ଏଡ଼େ ସରଳପ୍ରାଣା ଦେବୀଙ୍କ ମନରେ ସନ୍ଦେହ ଜଗାଇ ସରସ ମନକୁ ଭାଙ୍ଗି ଦୁନିଆଁ ପ୍ରତି ଅବିଶ୍ୱାସ ଆଣିବା ଆଗରୁ ବରଂ ସେ ନିଜେ କେବଳ ଏ ଘର ନୁହେଁ–ଏ ଗ୍ରାମ ମଧ୍ୟ ଛାଡ଼ି ଚାଲିଯିବ । ସମସ୍ତେ ତାର ଶତ୍ରୁ । ସମସ୍ତେ ତାକୁ ଓ ତାର ପିଲାଟିକୁ ବିଲେଇ ଆଖି ବୁଜି ଦୁଧ ଖାଇଲା ପରି, ଚାଟିଚୁଟି ଖାଇ ନିଃଶେଷ କରିବେ । ସେଇଠୁ ମୁହଁ ଚାଟି ପଳାଇବେ । ତାହାହିଁ ହେବ, ଚନ୍ଦ୍ରମାଙ୍କ ମନରେ ଦୁଃଖହେବ ହେଉ, ସେ ଦୁଃଖଠାରୁ ଯେ, ଏ ଦୁଃଖ ବଳେଇ ପଡ଼ିବ । ହଁ, ସେ ସେଇଆ କରିବ । ସେ ତାଆର ଅନିଶ୍ଚିତ ଜୀବନ ଘେନି ଅପନ୍ତରାଙ୍କୁ ଡେଇଁ ପଡ଼ିବ । ସଂସାରରେ କେତେ ଆପଦ-ବିପଦ, ଝଡ଼ଝଞ୍ଜା ତା ମୁଣ୍ଡ ଉପରେ ଚାଲିଯିବ । ସେଥିକୁ ସେ ଡରିବ ନାହିଁ । ବାଧା ବିପଦ ତା ଜୀବନର ସଙ୍ଗୀ । ଅପମାନ ଓ ଲାଞ୍ଚ୍ଥନା ତା ଦେହର ଅଳଙ୍କାର, ଦୁଃଖ-କଷ୍ଟ ତାର ଅତି ପରିଚିତ, ଅତି ଆଦରର ଧନ । ସେ ଡରିବ କାହିଁକି ? ସୁଖର ଆଶାରେ ନରକକୁ ବରଣ କରି ସ୍ୱର୍ଗର ପବିତ୍ରତାରେ କାଳିମା ଲେପିବ ନାହିଁ । ଯେତେବେଳେ ନରକ ତାର ଲଙ୍ଗଳାରୂପ ଧରି ଦୁନିଆ ଆଗରେ ଠିଆ ହେବ, ତାର ପୁତି ଗନ୍ଧରେ ଚନ୍ଦନର ସୁଗନ୍ଧ ମଳୟ ପବନ କଳୁଷିତ ହେବ । ସେ କଳୁଷକୁ କେହି ଲୁଚାଇ ପାରିବେ ନାହିଁ ।

 

ଅହିଲା କାନ୍ଦ କାନ୍ଦ ହୋଇ ଚନ୍ଦ୍ରମାଙ୍କର ସୁନ୍ଦର ବିମଳ ସରାଗବୋଳା ଆନନକୁ ଅନାଇଁ ରହିଲା । ମନରେ ଢେଉ ଭାଙ୍ଗୁଥିବା ଭାବନାର ସ୍ୱରୁପକୁ ସେ ଏହି ପବିତ୍ର ମାତୃମୂର୍ତ୍ତିର ସାମନାରେ ଉଭା କରାଇ ପାରିବ ନାହିଁ । ସମସ୍ତଙ୍କର ଅଗୋଚରରେ ସେ ଏ ଘର ଓ ଗ୍ରାମ ଛାଡ଼ି ଚାଲିଯିବ । ଚାନ୍ଦ ମାଉସୀଙ୍କୁ ମଧ୍ୟ କୌଣସି ଇସାରା ଦେବନାହିଁ । ଦେବୀର ପୂଜା ଛାଡ଼ି ଗୋଟାଏ ସଇତାନର ଛଳନା ସହି ନ ପାରି ସେ ଆତ୍ମରକ୍ଷା କରି ପଳାଇବ ଦୂରକୁ, ଅତି ଦୂରକୁ, ଅଜଣା କେଉଁ ସ୍ଥାନକୁ । ଏ ଦୁନିଆରେ ଏତେ ଗ୍ରାମ ନଗର ଅଛି, ଆଉ ଏତେ ଲୋକ ରହୁଛନ୍ତି, ସମସ୍ତେ ସଇତାନ ନୁହନ୍ତି । କାହାରି ତୁଣ୍ଡରୁ ଯେଉଁଠି ହେଲେ ଆହା ପଦ ବାହାରିବ । ଗୋଟିଏ ନିଃସହାୟା ବିଧବା ନାରୀଙ୍କୁ ଆଶ୍ରା ଦେଇ ତାର ନାରୀତ୍ୱକୁ ସମ୍ମାନ ଦେଖାଇବାକୁ କେହି ହେଲେ ଆଗେଇ ଆସିବେ । ନୋହିଲେ, କେହି ହେଲେ ତାର ରୂପ-ଯୌବନକୁ ଆଦର ଦେଖାଇ ତାକୁ ଗୃହଣୀ କରିବେ, ପିତୃହୀନା ମତୀକୁ ପିତୃତ୍ୱ ଦେବେ ।

 

ମାଈ ସଞ୍ଜ । କେତେବେଳୁ ଚାନ୍ଦ ମତୀକୁ ନେଇ ଯାଇଛି ଯେ, ଏତେବେଳଯାଏ ଫେରି ନାହିଁ । ଅହିଲାର ମନ ଦକ ଦକ, ତଥାପି ସେ ଆଲୁଅ ଲଗାଇ ସବୁ ଘରେ ରଖି ଦେଇଛି । ଚଉଧୁରୀ ଦାଣ୍ଡରେ ଥିଲେ । ଅହିଲା ତଳ ଖଞ୍ଜା ପିଣ୍ଡାରେ ଚନ୍ଦ୍ରମାଙ୍କ ପାଖେ ବସିଥିଲା । ଚଉଧୁରୀ ନିଜ କୋଠରୀକୁ ଫେରି ଡାକ ଛାଡ଼ିଲେ, ହଇ ହୋ, ମୁଁ କାମରେ ବସିଲି । କିଏ ଆସି ପାନଭାଙ୍ଗି ଦେଇ ଯା ।

 

ଚନ୍ଦ୍ରମା କହିଲେ, ଅଲି ସେ ଘରେ ପାନଡ଼ାଲା ଅଛି । ତାଙ୍କୁ ଦିଖଣ୍ଡ ପାନ ଭାଙ୍ଗି ଦେଇଆ । ହସି ହସି ପୁଣି କହିଲେ, ତୁ ଅଇଲା ଦିନରୁ ମୋ ପାନଭଙ୍ଗା ତାଙ୍କ ମନକୁ ମୋଟେ ଆସୁନାହିଁ ଲୋ ! ତୋତେ ପର ଘରକୁ ପଠାଇ ସେ ଆଗ ଏଇଥିପାଇଁ ଝୁରି ହେବେ ।

 

ଅହିଲା ବିନା ଆପତ୍ତିରେ ତରବର ହୋଇ ଉଠିଗଲା । ମୁଣ୍ଡରେ ଲୁଗା ନାହିଁ, ମୁହଁରେ ହସ, ବିନା ଭୟ, ବିନା ସଙ୍କୋଚରେ ସେ ଚଉଧୁରୀଙ୍କ ଆଗକୁ ଗଲା-ସତେ କି ଚଉଧୁରୀଙ୍କର ଗତ ରାତ୍ରିର ବ୍ୟବହାରକୁ ସେ ଭୁଲି ଯାଇଛି ଅବା ପ୍ରକାରାନ୍ତରେ ସ୍ୱାଗତ କରୁଛି । ଅହିଲା ସହଜ ସ୍ୱରରେ ପଚାରିଲା, ମୋତେ ଡାକୁଥିଲେ ? ଚଉଧୁରୀ ମନ୍ତ୍ରମୁଗ୍‍ଧ ପରି ଅପଲକ ଆଖିରେ ଆଗରେ ଉଭା ହସ ହସ ମୁଖ, ପୂର୍ଣ୍ଣ ରୂପଯୌବନର ଅମୂଲ୍ୟ ପସରାକୁ ଚାହିଁ ରହିଲେ । ସେ ନିଜର ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ଏ କଣ ସେହି ଅହିଲା ? ଆଜି ତାର ମନରେ ବିରସତା ନାହିଁ, ସଂକୋଚ ନାହିଁ । ଆଜି ତାର ସୁନ୍ଦର ମୁହଁ ବେଶି ସୁନ୍ଦର ଦିଶୁଛି । ନିଷ୍ପ୍ରଭ ଆଖି ଦିଓଟିରେ ମୋହନୀୟ ଉଜ୍ଜ୍ଵଳ ଦୀପ୍ତି ଫୁଟି ଉଠୁଚି । ଚଉଧୁରୀ ସାମାନ୍ୟ ହସିଲେ । ସେ ହସ ଯେପରି କଥା କହୁଛି, ତୁ ମୋର ଆଦର ଓ ସ୍ନେହର ପ୍ରତିମା, ତୋତେ ମୁଁ ନିଜର କରିବି । ନିଜକୁ ତୋର ରୂପଯୌବନର ତରଙ୍ଗରେ ଭସାଇ ଦେବି । ଆଲୁଅରେ ନୁହେ, ଅନ୍ଧାରରେ ଲୁଚାକାଳି ଖେଳ ଖେଳିବା । ଏ ଦୁନିଆର ଲୋକଙ୍କ ଆଖିରେ ଅନ୍ଧପୋଟଳି ବାନ୍ଧିବା । ଯେଉଁ ଜଣକୁ ମୋର ଡର ସେହି ଚନ୍ଦ୍ରମା ଦେବୀଙ୍କୁ ତୁ ବି ବୋଧ କରି ପାରିବୁ । ତୁ ବୁଦ୍ଧିମତୀ । ଚଉଧୁରୀ କଅଁଳେଇ କହିଲେ, ମୋତେ ପାନ ଦିଖଣ୍ଡ ଭାଙ୍ଗି ଦେ ।

 

ପାନ ଭାଙ୍ଗି ଅହିଲା ଚଉଧୁରୀଙ୍କୁ ବଢ଼ାଇ ଦେଲା । ଚଉଧୁରୀ ତାର ହାତଧରି ତୁନି ତୁନି କହିଲେ, ମୋ ଉପରେ ଅଭିମାନ କରିଛୁକି ? ଦିନସାରା ଦୂରେଇ ରହୁଛୁ ଯେ ?

 

ଅହିଲା ଛାତିର କୋହ ଓ ମନର ଉଦ୍‌ବେଗକୁ ଦମନକରି ଓଠ ଉପରକୁ ମଉଳା ସ୍ମିତ ଆଣି ଚଉଧୁରୀଙ୍କୁ କଣେଇଁ ଚାହିଁଲା । ସରମିଲା ଦୃଷ୍ଟି ତଳକୁ କରି ଅତି ଧୀରେ ଧୀରେ କହିଲା, ଅଭିମାନ କାହିଁକି କରିବି ? ସେ ଦୀର୍ଘଶ୍ୱାସ ଛାଡ଼ିଲା । ମନରେ ଅକୁହା କଥା ଉଯନ୍ତ୍ରି ହେଲା, ଚନ୍ଦ୍ରମାଦେବୀଙ୍କର ଜନନୀଋଣ ମୋତେ ତାଙ୍କର କନ୍ୟା କରିଛି । ହୁଏତ ମୋତେ ପାଇ ସେ ହଜିଲା କନ୍ୟାକୁ ପାସୋରିଛନ୍ତି । କିନ୍ତୁ ଏହା କଣ ସତ୍ୟ ? ମୋପରି ବାଟର ଭିଖାରୁଣୀଠାରେ ସେ ତାଙ୍କ ହଜିଲା କନ୍ୟାକୁ ଦେଖିଲେ ଏତେ ବର୍ଷ ପରେ, ତୁମ ଘରେ ଆଶ୍ରା ନେଲା ପରେ ? ସେ ବି ଖେଳୁଛନ୍ତି ପରା ! ତମ ଗୁଣ ଜାଣି ମୋର ସେ ଶରଣ ପଶିଛନ୍ତି ।

 

ଚଉଧୁରୀ ଆଶ୍ୱସ୍ତ ହେଲେ । ହସି ହସି ଉତ୍ତର ଦେଲେ, ମୁଁ ତାହା ଜାଣେ । ଆଛା, ମୋତେ ପାନ ଖୁଆଇଦେ ।

 

ଅହିଲା ସତେ କି ସରମରେ ସଙ୍କୁଚିତ ହେଲା । ଚଉଧୁରୀଙ୍କ ଖୋଲା ପାଟିକୁ ପାନଖଣ୍ଡ ବଢ଼ାଇ ଦେଲା । ଚଉଧୁରୀ ତାର ଚଟୁଳ ଚିକ୍‌କଣ ଗାଲରେ ଟିପ ଛୋଇଁ ହସ ହସ ହେଲେ । ତାର ମୁଣ୍ଡରେ ମୁଣ୍ଡ ଲଗାଇ କହିଲେ, ରାଗିବୁ ନାହିଁ, ତୋତେ ନ ଦେଖିଲେ ମୋ ମନ ଛଟପଟ ହୁଏ, ଏହା ତୁ ଭଲକରି ଜାଣୁ । ଓଃ ଆଜି ଅତି ଗରମ ହେଉଛି । ଏ ଘରର କବାଟ ଖୋଲା ନ ରଖିଲେ ରାତିରେ ନିଦ ହେବନି ।

 

ଅହିଲା ଧୀରେ ଧୀରେ ସେ ଘରୁ ପଦାକୁ ବାହାରି ଆସିଲା । ଚଉଧୁରୀ ସତେ କି ତାଆର ଛାତି ଭିତରେ ଯାତନାର ହୁଳା ଜଳାଇ ଦେଇଛନ୍ତି । ସେହିପରି ସେ ମଧ୍ୟ ତାଙ୍କର ମନରେ ଆକାଂକ୍ଷାର ଶେଷ ଚିତା ଜଳାଇ ଦେବ । ସେ ଚିତା ତାଙ୍କ ମନରେ ସେ ବଞ୍ଚିଥିବା ଯାଏ ଜଳୁଥିବ । ଚନ୍ଦ୍ରମା ଦେବୀ ତାପାଖରେ ଶରଣ ପଶିଛନ୍ତି । ନିଜେ କେଉଁ ଅପନ୍ତରାରେ ପଡ଼ି ମରିବ ପଛେ, ଅନ୍ତଫାଡ଼ି ଜନମ ଦେଇଛି ଯେଉଁ ମତୀକୁ ତାକୁ ପଛେ ମଶାଣିଭୂଇଁରେ ଶୁଆଇ ଦେବ, ଚନ୍ଦ୍ରମା ଦେବୀଙ୍କ ମନରେ ଆଘାତ ଦେବ ନାହିଁ ।

•••

 

୪୧

 

କଦମ୍ୱଦାଣ୍ଡରେ ଗ୍ରାମଲୋକ ଠୁଳ । ଚହଳ ପକାଉଛନ୍ତି । ସଭିଙ୍କ ତୁଣ୍ଡରେ ଜଣକର ନିନ୍ଦା ଆଉ ଜଣକର ପ୍ରଶଂସା । ସମସ୍ତଙ୍କର ଆଖି ପୁଣି ଚାନ୍ଦିନୀ ଉପର ପାଚିଲା କଦଳୀ ଟୋକେଇ ଉପରେ ସ୍ଥିର । କେତେବେଳେ ଦାମନନାଙ୍କର ହୋମ ସରିବ, ତୁଳସୀପତ୍ର ପକାଇ ନନା ତାଳିମାରି ପାଣି ଛଡ଼ାଇବେ । ଚୌଧୁରୀ ପରିଷ୍କାର ମଠା ପିନ୍ଧି ଦାମନନାଙ୍କ ପନ୍ଥରେ ହାତ ଯୋଡ଼ି ଠିଆ ହୋଇଛନ୍ତି । ବେକରେ ମୋଡ଼ା ହୋଇ ଚାଦର ପଡ଼ିଛି । ଛାତି ଉପରେ ମୋଟା ମୋଟା ରୁଦ୍ରାକ୍ଷର ମାଳା । ନାକ ଅଗରୁ କପାଳର ଶେଷ ଯାଏ ଚନ୍ଦନର ମୋଟା ଗାର ସକାଳର କଅଁଳ ଖରାରେ ଝଟକି ଉଠୁଛି । ଆହା, କେଡ଼େ ଧର୍ମବନ୍ତ ସାଧୁ ସରଳ ଲୋକ ସେ ! ଲୋକ ଧନ୍ୟ ଧନ୍ୟ ପ୍ରଶଂସା କରୁଛନ୍ତି । ନାଗବାଲି ଗାଁରେ ଗୋଟାଏ ଲୋକ ତ !

 

‘ପରପୁଅ ମଲା, ରୋଗ ବାହାରେ ବାହାରେ ଗଲା’ । ଭିଖାରୁଣୀ ଛତରଖାଇ ଅହିଲା, ଘରେ ଥାଇ କାମଦାମ କରୁଥିଲା, ପେଟକୁ ମୁଠାଏ ଖାଉଥିଲା । ସେ କୁସଙ୍ଗରେ ପଡ଼ି ଗତ ରାତିରେ ପିଲାଟିକୁ ନେଇ କୁଆଡ଼େ ପଳାଇଛି । ଖୋଜ ଖବର ନେଲେ ମଧ୍ୟ ତାର ପତ୍ତା ମିଳୁ ନାହିଁ-

 

ଏହି ସବୁ କଥା ଚଉଧୁରୀ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କଲେ । କଣ୍ଠ ଆଉ କେତେ ପ୍ରଶ୍ନ ପଚାରିବାରୁ ଚଉଧୁରୀ ପୁଣି ବିରକ୍ତ ହେଲାପରି କହିଲେ ସେ କଥା ଆଉ ମୋତେ ପଚାରନା କଣ୍ଠ, କହିବାକୁ ଲାଜ ମାଡ଼ୁଛି, ଦୁଃଖ ବି ହେଉଛି । ‘‘ସର୍ପରେ ଜନ୍ମ ଦେଲୁ ମୋତେ, ସ୍ୱଭାବ ଛାଡ଼ିବି କେମନ୍ତେ ?’’ ତୁମେମାନେ ଅହିଲାକୁ ମୋ ଘରେ ଛାଡ଼ି ନିଶ୍ଚିନ୍ତ ହେଇଗଲ । ଦିନେ କେହି ପଚାରିଛି ଭଲା ସେ କିପରି ଅଛି । କଅଣ କରୁଛି ? ତୁମର କି ଥାଏ ? ଭାଲୁ ଜାଣେ, ତାଳଗଛ ଜାଣେ । ପର ପୁଅ ମଲା, ରୋଗ ବାହାରେ ବାହାରେ ଗଲା । କଣ୍ଠ ପଚାରିଲେ–ଘଟଣା କଣ ବଟ ଦାଦି ?

 

ସଭିଙ୍କୁ ଶୁଣାଇ ଚଉଧୁରୀ ଉଚ୍ଚ ସ୍ୱରରେ କହିଲେ, ମୋ ଘରେ ରହିଲା ଦିନରୁ ମୁଁ ତାଆର କୌଣସି ଅଭାବ କରି ଦିଏ ନାହିଁ, ତମ ଖୁଡ଼ୀ ତାକୁ ଝିଅପରି ଚଳାନ୍ତି–ଏହାତ ଗ୍ରାମଲୋକ ସମସ୍ତେ ଜାଣନ୍ତି ।

 

ହଟ କହିଲା, ଏକଥା ଠିକ୍‌ । ସେଠି ରହିଲାଦିନୁ ତା ପାଟି କିଏ ଶୁଣିଛି, ନା ତା ଛାଇ କିଏ ମାଡ଼ିଛି ? ଭାରି ଜାବତରେ ସେ ଥାଏ ।

 

ଚଉଧୁରୀ କହିଲେ–ଆରେ, ଅନେକ ଢଙ୍ଗର ଲୋକ ଏ ସଂସାରରେ ଅଛନ୍ତି । ମୋ ପରି ପୋଖତ ଲୋକ ତ ଆଜିଯାଏ ସଂସାରକୁ ଠଉରାଇ ପାରିଲା ନାହିଁ, ତୁମେ ସବୁ ତ କାଲିକାର ପିଲା, ତୁମେ କଅଣ ଜାଣିବ ? ବାହାରେ ସାଧୁ ହୋଇ ଭିତରେ ବୁଡ଼ି ବୁଡ଼ି ପାଣି ପିଇଲେ ସହଜରେ କିଏ ଜାଣିବ କହ । ଅହିଲା ଝିଅ ପରି ଘରେ କାରବାର ହୁଏ । ସତ କହୁଛି ତାର ବ୍ୟବହାର ଦିନୁ ଦିନ ଏପରି ସୁନ୍ଦର ହୋଇ ଆସିଲା ଯେ ଯିଏ କହିବ ମୋ ଘରର ଝିଅ । ସେ ଯେ ଗୋଟାଏ ଗରିବ ଚଷାର ବିଧବା ସ୍ତ୍ରୀ ଏକଥା ମୁଁ ଭୁଲି ଯାଏଁ । ଆରେ କଣ୍ଠ, ତୋ ଖୁଡ଼ୀ ବି ତାକୁ ପାଖରେ ନ ବସାଇ ପାଣି ଛୁଇଁବେ ନାହିଁ ।

 

ଚଉଧୁରୀ ଆଖି ପୋଛିଲେ ।

 

ଦର୍ଶନ କହିଲେ–ଯାହା କହ ଆପଣେ, ଟୋକୀ ଭାରି ମଉନମୁହିଁ । ହେଇ ପରା, ଶିରିଆ ପାଣ ଥିଲାବେଳେ ତା ସଙ୍ଗେ ଅହିଲା ହସି ହସି କଥା କହିବାର ମୁଁ କେତେ ଥର ଦେଖିଛି ।

 

ଚଉଧୁରୀ ଦର୍ଶନର ପିଠିରେ ହାତ ମାରି କହିଲେ, ଠିକ୍‌ ଠଉରେଇଛି । ମୁଁ ବି ଅନେକ ଥର ଦେଖିଛି, ଅନେକ କଥା ଶୁଣିଛି, ମୋର ବିଶ୍ୱାସ ହୁଏ ନାହିଁ । ଖାଲି ବାହାରକୁ ହସି କରି ପଦେ କହିଲେ ପ୍ରାୟଶ୍ଚିତ୍ତ ଲେଖିବ, ଏପରି ଧାରଣା ମୋର ନ ଥିଲା । ବାହାରେ ଭଲପଣ ଦେଖାଇ ଭିତରେ ଆଖି–ଉହାଡ଼ରେ ଲୁଚକାଳି ଖେଳିଲା ଲୋକକୁ କେହି ଚିହ୍ନି ପାରିବେ ନାହିଁ । ବୁଡ଼ି ବୁଡ଼ି ପାଣି ପିଇଲା ଲୋକର ଢଙ୍ଗକୁ କିଏ ଜାଣିବ ?

 

କଣ୍ଠ କହିଲେ, ମାଇକିନାଜାତି ସେମିତି ଦାଦି, ପଘାରୁ ଖସିଲେ ବଣରେ ନିଶ୍ଚେ ପଶିବେ । ବାପ-ଅଜା ଆମର ଓଲୁ ନ ଥିଲେ; ଦେଖୁନାହାନ୍ତି ସେମାନଙ୍କୁ ବେଡ଼ି ପିନ୍ଧାଇ ଘରଭିତରେ ସାରା ଜୀବନ କଇଦି ରଖିବାକୁ ବ୍ୟବସ୍ଥା କରିଥିଲେ । ମିଛରେ ଏପରି କରିଥାନ୍ତେ କାହିଁକି ? କଅଣ କଲା ସେ ଅହିଲା ?

 

ଅହିଲା କହିଲା ଯେ, ଚାନ୍ଦ ଚାଳିଶ ଟଙ୍କା ମଗେଇ ପଠାଇଛି । ମୋତେ ଦେଲେ ମୁଁ ତାକୁ କାଲି ସକାଳେ ଦେଇ ଦେବି ସେ କେତେ ଥର ଆସି ଫେରି ଗଲାଣି; ତୁମର ଦେଖା ପାଉନାହିଁ । ଚାନ୍ଦର ଦରକାରବେଳେ ସେ ଅହିଲା ହାତରେ ଏପରି ଖବର ପଠାଏ ମୁଁ ତାଆରି ହାତରେ ଚାନ୍ଦକୁ ଦେବାକୁ ଟଙ୍କା ପଠାଏ । କିଲୋ ଚାନ୍ଦ ସେ ତୋତେ ଦିଏଟି ?

 

ହଁ, ସାନ୍ତେ, ସେ ଦିଏ, ମୁଁ ଯାହା ମାଗି ପଠାଇଥାଏ ଅହିଲା ତୁମଠାରୁ ନେଇ ମୋତେ ଦିଏ । କେବେ ମିଛ କହେ ନାହିଁ କି ଭୁଲ୍‌ କରେ ନାହିଁ । ଏଥର ମୁଁ ମଗାଇ ନାହିଁ କି ସେ ନେଇ ମୋତେ କିଛି ଦେଇ ନାହିଁ ।

 

ଚଉଧୁରୀ କହିଲେ, ମୋତେ ସେ ଯେପରି ମାଗିଲା, କଣ ଦରକାର ଥିବ ବୋଲି ମୁଁ ଲୁହା ବାକ୍‌ସରୁ ଚାରି ଖଣ୍ଡ ଦଶଟଙ୍କିଆ ନୋଟ କାଢ଼ି ତା ହାତକୁ ବଢ଼ାଇ ଦେଲି । ମୋ ସାମନାରେ ସେ ତାକୁ କାନିରେ ବାନ୍ଧି ଗଣ୍ଠି ପକାଇଲା । ଚାନ୍ଦର ଯେତେବେଳେ ତାଠାରେ ଏତେ ବିଶ୍ୱାସ ମୋର କି ଗରଜ ଯେ ମୁଁ ତାକୁ ଅବିଶ୍ୱାସ କରିବି ? କିଏ ଜାଣି ଥିଲା ଯେ, ‘ଅତିଭକ୍ତି ଚୋରର ଲକ୍ଷଣ’ ?

 

ଚାନ୍ଦ କିଛିକ୍ଷଣ ଚିନ୍ତାକରି ହଟର କାନରେ କହିଲା, ହଇରେ ବାପ, ଏଥିରେ କାହାର ଗଲା ?

 

ପତିଙ୍କର ପୂଜା ପ୍ରାୟ ଶେଷ ହୋଇ ସାରିଥିଲା । କଦଳୀ ଟୋକେଇର ଚାରି ପାଖେ ଦି’ଥର ପାଣି ବୁଲାଇ ସେ ଦି’ ପୁଞ୍ଜା ତାଳିମାରି ଅଣ୍ଟା ସଳଖି ଠିଆ ହେଲେ । ଚଉଧୁରୀ ମହାବୀରଙ୍କ ଆଗରେ ମୁଣ୍ଡିଆ ମାରିଲେ । ଉଠ ଠିଆ ହୋଇ ପଚାରିଲେ, ପୂଜା ସରିଗଲା ନନାଏଁ-?

 

ପତି କାନରେ ହାତ ଦେଇ ହସି ହସି କହିଲେ, ଆପଣଙ୍କୁ କାହିଁକି କଷ୍ଟ ଦେବି ? ମୁଁ ନିଜେ ପ୍ରସାଦ ବାଣ୍ଟି ଦେବି ଯେ ।

 

ଚଉଧୁରୀ ବଡ଼ ପାଟି କରି କହିଲେ, ତେବେ ମୁଁ ଆସୁଛି ।

 

ହଁ, ବିଦାକି କଣ ବାକୀ ରହିଯିବ ନା ଆପଣଙ୍କଠି ବୁଡ଼ିଯିବ । ଆଗ କାମ ଆଗ ହୋଇଯାଉ । ପତି କଦଳୀଡାଲା ହାତରେ ଧରି ବାଣ୍ଟିବାକୁ ବାହାରି ପଡ଼ିଲେ । ବାରମ୍ୱାର ପଚାରିବାରୁ ହଟ ବିରକ୍ତ ହୋଇ ଚାନ୍ଦକୁ କହିଲା, ତୋ’ ନାଁରେ ଅହିଲା ଚିତା କାଟି ଟଙ୍କା ନେଇଛି । ସେଥିପାଇଁ ଚଉଧୁରୀ ଲଗା ହେବେ ନାହିଁ । ହେଉ, କେହି ପର ଲୋକ ତ ନେଇ ନାହିଁ ତୋଓରି ଝିଆରୀ ।

 

ଚାନ୍ଦ ମୁଣ୍ଡରେ ହାତ ଦେଲା । ମହାବୀରଙ୍କ ମୁହଁକୁ ଅନାଇଲା । ଦୁଇ ଆଖିରୁ ଲୁହ ଧାର ଗଡ଼ି ଆସିଲା । ବଡ଼ ପାଟିକରି ଆଭିଶାପ ଦେଲା, ତୋତେ ତିନିପୁରରେ ଠାବ ନ ମିଳୁ ଲୋ ଛତରଖାଇ, ମୋ ଝାଳବୁହା ଧନ ତୋ ଆଖିରୁ ରକତ ନିଗାଡ଼ୁ, ତୋତେ ଭୋଗ ନ ହେଉ ।

•••

 

୪୨

 

ସାନ୍ତେ, ଗରିବର ଗୁହାରି ଶୁଣିଲ ନାହିଁ–ଚାନ୍ଦ ଡରି ଡରି ହାତ ଯୋଡ଼ି ପ୍ରାର୍ଥନା କଲା ।

 

ଚଉଧୁରୀ କାନରେ କଲମ ଖୋସି ବିରକ୍ତ ହୋଇ ବଡ଼ ପାଟି କରି କହିଲେ, ଆଚ୍ଛା ଲୋକଟାଏ ତୁ; କିଲୋ ଦିନ ନାହିଁ ରାତି ନାହିଁ ସବୁବେଳେ ଆସି ମୋତେ ବିରକ୍ତ କରୁଛୁ କାହିଁକି ? ଭଲରେ ଦୁନିଆ ନାହିଁ ଦେଖୁଛି । ପଚାଶ ଥର ତୋତେ ହିସାବ ଦେଖାଇଲି, ତୁ ଯଦି ବୁଝି ନ ପାରୁଛୁ ଆଉ କାହାକୁ ସଙ୍ଗରେ ନେଇ ଆ । ତୋର ମୋ ପାଖରେ ମୋଟ ଚାରି କୋଡ଼ି ଟଙ୍କା ଥିଲା-। ସେଥିରୁ ତୋର ରୂପାଖଡ଼ୁ ବାବଦ ବାରଟଙ୍କା, ଦୁଇଟା ଗୋଦାବରୀ ଶାଢ଼ୀ ବାବଦ ଆଠଟଙ୍କା ଏପରି କଟିଲା କୋଡ଼ିଏ ଟଙ୍କା । ଥର ଥର କରି ତୁ ଅହିଲା ଜରିଆରେ ନେଇଛୁ ସତର ଟଙ୍କା । ଅରିଲୋ ମେଲଣରେ ଖର୍ଚ୍ଚ କରିବାକୁ ତୋ ନେବାର ଦୁଇଟଙ୍କା । ଗାଁ ନିଶାପ ଦିନ ଭଦ୍ରଲୋକଙ୍କର ପାନଗୁଆ ଖର୍ଚ୍ଚବାବଦ ଏକ ଟଙ୍କା । ସବୁ ମିଶି ହେଲା ଦୁଇ-କୋଡ଼ି । ପନ୍ଦର ଦିନ ତଳେ ଅହିଲା ହାତରେ ତୋ କହିଲା ପ୍ରକାରେ ପଠାଇଲି ଚାରିକୋଡ଼ି । ତୋ ନେବାର ସର୍ବମୋଟ ହେଲା ଛଅ କୋଡ଼ି । ଏବେ ତୋ ଚାରିକୋଡ଼ି ସୁଝା ଯାଇ ତୋ ଠାରୁ ମୋର ପାଇବାର ଅଛି ଦୁଇକୋଡ଼ି । ତୁ ଗରିବ ଲୋକ । ସେତକ ମୁଁ ଛାଡ଼ି ଦେଉଛି । ପୁଣି ତୋର ଖର୍ଚ୍ଚପାଇଁ ସୁବିଧା ଦେଖି ଦଶଟଙ୍କା ଦେବି ବୋଲି କହିଛି । ନବୁ ଯଦି ନେଇ ଯା । ଚଉଧୁରୀ ହାତ ବାକ୍‍ସ ଖୋଲି ଦଶଟଙ୍କା ଚାନ୍ଦ ଆଗରେ ଥୋଇ ଦେଲେ ।

 

ଚାନ୍ଦର ଗୋଡ଼ହାତ ଚଳିଲା ନାହିଁ, ପାଟିରୁ କଥା ବାହାରିଲା ନାହିଁ । ଚଉଧୁରୀଙ୍କ ପରି ଲୋକ ଏପରି ତାକୁ ହତାଶ କରିବେ ବୋଲି ସେ ଜାଣି ନ ଥିଲା । ତାର ଆଖିରୁ ଲୁହଧାର ଝରି ଆସିଲା । ସେ ଆଉଜିଥିବା ଖୁଣ୍ଟ ଦେହରେ ମୁଣ୍ଡ ପିଟି ଦେଲା । କାନ୍ଦି କାନ୍ଦି ପଚାରିଲା, ସାଆନ୍ତେ, ଅହିଲା ଯେଉଁ ଟଙ୍କା ନେଇ ପଳାଇଲା, ସେଥିକି କଅଣ ମୁଁ ଲଗା ? ତା ହାତରେ ମୁଁ ଟଙ୍କା ମଗାଇ ନ ଥିଲି । ମୁଁ ତ ଆପଣଙ୍କ ଘରକୁ ପ୍ରତିଦିନ କେତେ ଥର ଆଉଚି ଯାଉଚି । ଏତେଗୁଡ଼ାଏ ଟଙ୍କା ମୁଁ ନିଜେ ନ ମାଗି ତା ହାତରେ କାହିଁକି ମଗାଇ ପଠାନ୍ତି ?

 

ଚଉଧୁରୀ ହସି କହିଲେ, ତୁ ଲଗା ନୋହୁଁ ତ କିଏ ଆଉ ଦାୟୀ; ଥରେ ଧର୍ମ ଆଡ଼କୁ ଚାହିଁ କହ । ସତରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି । ଯାହା ସତ୍ୟ, ଯାହା ନ୍ୟାୟ, ଯାହା ଧର୍ମ, ତୁ ନିଜେ ବିଚାର କରି କହ । ତୁ କାହିଁକି ତା ହାତରେ ଟଙ୍କା ମଗାଇ ପଠାଇଲୁ ମୁଁ କି ଜାଣେ ? ତୋ ଉପରେ କି ତା ଉପରେ ମୋର ଅବିଶ୍ୱାସ ନ ଥିଲା ।

 

ଚାନ୍ଦର କପାଳ ଫାଟି ଧାର ଧାର ହୋଇ ରକ୍ତ ଝରି ପଡ଼ୁଥାଏ । ସେ ଅଧୀର ହୋଇ କହିଲା, ସାଆନ୍ତେ, ତୁମେ ଧର୍ମ ଆଡ଼କୁ ଚାହିଁ ନିଜେ କହ, ମୁଁ କଣ କହିବି ? ଧର୍ମ କେବେ ଗରିବର କଥା ଶୁଣେ ନାହିଁ । ସାଆନ୍ତେ, ଭୋଗ ରାଗ କରିବାକୁ ତ ତାର ସମ୍ୱଳ ନାହିଁ !

 

ଚଉଧୁରୀ କଲମକୁ ତଳେ ଥୋଇଲେ । ଆଖି ତରାଟି କହିଲେ, କିଲୋ, ଭାରି ତ କଥା କହି ଶିଖିଲୁଣି, ଯା ଗାଁଲୋକଙ୍କୁ ପଚାରି ଆସିବୁ–ଚଉଧୁରୀ କିପରି ଲୋକ । ବଟ ଚଉଧୁରୀଙ୍କ ପୁଅ ନଟ ଚଉଧୁରୀ କେବେ ନ୍ୟାୟ ଛାଡ଼ି ଅନ୍ୟାୟକୁ ଯାଏ ନାହିଁ । ମୁଣ୍ଡ ଦି ଖଣ୍ଡ ହେଲେ ବି ଅଧର୍ମ କାମ ସେ କରେ ନାହିଁ ।

 

ଚାନ୍ଦ କହିଲା ହଉ ସାଆନ୍ତେ, ନିଜେ ତ ଏତକ ଅର୍ଜିଛି । କାହାକୁ ଦୋଷିବି ? ଏତିକିରେ ମୋର କଲା କର୍ମ ଅର୍ଜିଲା ପାପର ଫଳ ସରିନାହିଁ । ଆହୁରି ବାକି ଅଛି ସାଆନ୍ତେ । ନିରିମାଖି ଅହିଲାର ତତଲା ନିଶ୍ୱାସ ବଞ୍ଚିଥିବା ଯାଏ ମୋତେ ଦହୁଥିବ । ନରକରେ ବି ମୋର ଠାବ ହେବ ନାହିଁ । କଣ ତୁମେ କହୁଛ ତୁମ ମନକୁ ପଚାର । ସାଆନ୍ତେ, ମାଆ ଜାଣେ ବାପ, ମନ ଜାଣେ ପାପ-। ତା ନିଶ୍ୱାସ ଓ ମୋ ନିଶ୍ୱାସର ତାପରେ ତୁମେ ବି ହାଉ ହାଉ ହୋଇ ଜଳିବ ମ, ଯିବ କୁଆଡ଼େ ?

 

ଚାନ୍ଦ ଫେରି ଯାଉଥିଲା, ଚଉଧୁରୀ ଡାକି କହିଲେ, କିଲୋ, ତୋର ଦଶଟଙ୍କା ନେଇ ଯାଉନୁ । ମୋ ତୁଣ୍ଡରୁ ବାହାରି ଯାଇଛି । ତୋର ପାଉଣା ନ ଥିଲେ ବି ମୁଁ ଦେଉଛି ନେ ।

 

ଚାନ୍ଦ ମୁହଁ ଫେରାଇ କହିଗଲା–ଥାଉ ସାଆନ୍ତେ, ତୁମରି ଜିମା ଥାଉ, ଗାଁରେ ଚାନ୍ଦର ମଢ଼ ପଡ଼ିଲେ ଲୋକେ କାଢ଼ିବେ ନାହିଁ, ଅଡ଼ି ବସିବେ, ସଢ଼ି ପଚି ଗନ୍ଧ ହେବ । କଟକରୁ ହାଡ଼ି ମଗାଇ ତୁମେ ମଢ଼ ଉଠାଇବ । ସେଇ ଟଙ୍କା ହାଡ଼ିକୁ ଦେବ ଯେ କଉଡ଼ି ହାଡ଼ିଙ୍କ ପେଟରେ ପଡ଼ିବ । ଚାନ୍ଦ କପାଳରୁ ରକତ ପୋଛି ଚଉଧୁରୀଙ୍କ ଆଗରୁ ଚାଲିଗଲା । ଚଉଧୁରୀ ମୁଡ଼ୁକେଇ ହସିଲେ । କାନରୁ କଲମ ନେଇ ହିସାବରେ ମନ ଦେଲେ ।

•••

 

୪୩

 

ପରଦିନ ଦଶଟାବେଳେ କଦମଦାଣ୍ଡରେ ସର୍ବପ୍ରଥମେ ବଳି ଅବଧାନ ଖବରଟା କଣ୍ଠଙ୍କ କାନରେ କହିଲେ । କଣ୍ଠ ଅସ୍ତବ୍ୟସ୍ତ ହୋଇ ନଟ ଚଉଧୁରୀଙ୍କୁ ଡକାଇ ପଠାଇଲେ । କାନକୁ କାନ କଥା ଘଡ଼ିକ ଭିତରେ ଗାଁ ଲୋକଙ୍କର ଘରର ଅନ୍ଦି–କନ୍ଦିରୁ ଫୁଟି ଉଠିଲା । ଆଉ ଡେରି କଲେ ଚଳିବ ନାହିଁ । ଶୀଘ୍ର କାମ ଶେଷ ନ କଲେ ଗାଁର ଗୁମର ଫିଟିଯିବ ।

 

ଚଉଧୁରୀ ଚଞ୍ଚଳ ହୋଇ ପଡ଼ିଲେ । ବ୍ୟସ୍ତ ହୋଇ ହଟ ଓ ଦର୍ଶନଙ୍କୁ ଚାହିଁ କହିଲେ, ଆଉ ଡେରି କରୁଛ କାହିଁକିରେ, ଗାଁର ନାମ ଡୁବେଇ ଦାଣ୍ଡରେ ଦିକଡ଼ା କରିବ କିରେ ? ମୁହଁକୁ ଚାହିଁ ବେଳ କାଟିଲେ କଥା ପ୍ରଘଟ ହୋଇଯିବ । ଗାମୁଛା ପିନ୍ଧି ବାହାରି ପଡ଼ । ଲାସ୍‍ଟାକୁ ଜଳାଇ ପାଉଁଶ କର । ଚାରିମାସ ହେଲା ଶଳା ରୋଗରେ ଛଟପଟ ହେଉଥିଲା । ବଳି ଅବଧାନଙ୍କଠୁ ଔଷଧ ଖାଇ ଜାଣ ସେ ଆଠଣା ଭଲ ହୋଇ ଯାଇଥିଲା । ହଠାତ୍‌ ରୋଗ ବଢ଼ିଲା, ଆଖି କାନ ଖୋସି ଦେଲା । ଦେଖୁ ଦେଖୁ ଜୀବନ ଗଲା ।

 

ହଟ କାନ୍ଧରୁ ଗାମୁଛ ନେଇ ଅଣ୍ଟାରେ ଭିଡ଼ୁଥିଲା । ଦର୍ଶନକୁ ଚାହିଁ ପୁଣି କଣ ଭାବି ଗାମୁଛାଖଣ୍ଡି ମୁଣ୍ଡରେ ବାନ୍ଧିଲା । ଡରି ଡରି କହିଲା, ଚାନ୍ଦ ଯେ ଦଉଡ଼ି ଲଗାଇ ମରିଛି ? ଚଉଧୁରୀ ବ୍ୟସ୍ତ ହୋଇ କହିଲେ, ଦଉଡ଼ି ଦେଇ ମରିବା କଥା ପ୍ରଚାର କରନା । ଶୂଳ ରୋଗରେ ମଲା, ଏହା ସମସ୍ତେ କହ ଓ ମନେ ରଖ । ଆଉ ଭାବୁଛ କଣ କଣ୍ଠ । ଆରେ ବନା, ଏ କଥା କିଛି ନୂଆ ନୁହେଁ । ଆରେ ଏଇ ଗାଁରେ କେତେ କଥା ଛପି ଯାଇଛି । ଏ କି ଭାରି କଥା ? ମନେ ନାହିଁ କିରେ, ହରିଆର ସ୍ତ୍ରୀ ଯେଉଁଦିନ କବାଟ କିଳି ଦଉଡ଼ି ଦେଲା ? ରାତି ଅଧ-ଢୁ ଢୁ ମେଘ ବର୍ଷୁଛି । ସକାଳ ପହରକୁ ସବୁ ଶେଷ । ପଉଁଶ ବି ଧୋଇ ହୋଇଗଲା । ଏ କାନ କଥା ସେ କାନ ଜାଣିଲା ନାହିଁ ।

 

ମଦନା କହିଲା, ସେ ଯେ ରାତି ବେଳ ।

 

ଚଉଧୁରୀ କହିଲେ, ଛତିରେ ଦମ୍ଭ ଥିଲେ ଦିନ ରାତି ସବୁ ସମାନ । ନୀଳାର ଘରଣୀ ଦିନ ଦି ପ୍ରହରେ ଗୁଡ଼ କନିଅର ମଞ୍ଜି ଖାଇ ମରିଥିଲା । ଏତେ ବଡ଼ ଘଟଣା ଗ୍ରାମବାସୀମାନେ ଚଳାଇ ନେଲେ ତ ? କେତେ ଗାଁରେ ପ୍ରତିବର୍ଷ ଏପରି ଘଟଣା ଘଟି ଯାଉଛି । ଲୋକ ଜାଣିବାକୁ ସେମାନେ ମରୁଛନ୍ତି ବାତରେ, ଶୂଳ ରୋଗରେ, ଠାକୁରାଣୀ ଭେଟଣାରେ କି ଆଉ କେଉଁ ରୋଗରେ ।

 

ବାବନା ପଚାରିଲା, ଲୋକଟା ଜାଣୁ ଜାଣୁ କାହିଁକି ଏପରି କାମ କଲା କେହି କହି ପାରିବ ?

 

ସମସ୍ତେ ନୀରବ ରହିଲେ । ଗ୍ରାମର ମୁରବୀ ବଟ ଚଉଧୁରୀ ଭାବି ଚିନ୍ତି ମୁହଁ ଖୋଲିଲେ–ନର ମାୟା ତ ନାରାୟଣଙ୍କୁ ଅଗୋଚର, କାହାର ମନ କଥା ଆଉ ଜଣେ କିପରି କହିବ-? ତେବେ ମୁଁ ଅନୁମାନ କରୁଛି ଅହିଲା ପାଇଁ ତାର ଏହା କରିବା କଥା । କାଲି ସଞ୍ଜ ବୁଡ଼େ ସେ ଆମ ଘରକୁ ଯାଇଥିଲା । ମୁଁ ପଚାରିଲି, କିଲୋ, କାନ୍ଦି କାନ୍ଦି ତୋର ଆଖି ଫୁଲିଛି କାହିକିଁ ? ସେ ମୁଣ୍ତକୁ ଖୁଣ୍ଟ ଦେହରେ ବାଡ଼େଇ ଦେଲା । କାନ୍ଦି କାନ୍ଦି କହିଲା, ସାଆନ୍ତେ, ମୋ କଥା ପଚାରୁଛ କାହିଁକି ? ମତୀ ଓ ଅଲି ଗଲାଦିନରୁ ମୋ ଆଖି ଜାଣ ଫୁଟି ଯାଇଛି । ମତେ ହେଲେ ସାଙ୍ଗରେ ନେଇ ଯାଇଥାନ୍ତା ସେ ଚଣ୍ଡାଳୁଣୀ । ନା ସାଆନ୍ତେ ମୁଁ ଯେଉଁ ଦିନ ହେଲେ କୁଅ ପୋଖରୀକୁ ଡ଼େଇଁ ପଡ଼ିବି । ମତୀ ସବୁବେଳେ ମୋ ଆଖିରେ ନାଚୁଛି । ଚଉଧୁରୀ ଟିକିଏ ନୀରବ ହେଲେ । ଭାବିଚିନ୍ତି ପୁଣି କହିଲେ, ମୁଁ ତାକୁ ଦଶ ଟଙ୍କା ଦେଇ କହିଲି, ଯିଏତ ଗଲା ସେ ଗଲା, ତା ପାଇଁ ଆଉ ଦୁଃଖ କଅଣ ? ନେ ଏତକ ରଖ, ଖରଚ କହିବୁ । ସେ ଟଙ୍କା ଫେରାଇ ଦେଲା । କହିଲା, ଆହା,ଏତକ ହେଲେ ନେଇ ଯାଇ ଥାନ୍ତା ସେ ଚଣ୍ଡାଳୁଣୀ ! ତାପରେ ସେ ଚାଲି ଆସିଲା । କିଏ ଜାଣିଥିଲା ଯେ ସେ ଏପରି ଦଉଡ଼ା ଦେଇ ମରିବ; କିନ୍ତୁ ମରି ସାରିଛି ତ, ଆଉ ବାକ୍‌ବିତଣ୍ଡା କରିବା ଠିକ୍‌ନୁହେଁ ।

 

ବ୍ୟସ୍ତ ହୋଇ କଣ୍ଠ କହିଲେ, ଲୋକଟା ଭଲ ଥିଲା ଏକା, ଯାହା କହିବ କଥାକୁ ସେ ତଳେ ପକାଇ ଦେବ ନାହିଁ, ଯେତେ କାମ ପଛେ ତାର ଥାଉ ।

 

ହଟ କହିଲା, ଯାହା କହ ଆପଣେ, ତା ମୁହଁ ଟା ଭାରି ଖର ଥିଲା । ପଦେ କହିଲେ ପାଞ୍ଚ ପଦ ଉତ୍ତର ସେ ଦିଏ ।

 

ଦର୍ଶନ କହିଲା, କଣ୍ଟାବାଡ଼ରେ ଲୁଗା ପକାଇ ବେଶ୍ କଜିଆ କରି ଜାଣେ ସେ ଚାନ୍ଦ । ଗୋଡ଼େ ଗୋଡ଼େ ତାକୁ ନ ଜଗିଲେ ଯାହା ହାତରେ ପଡ଼ିବ କେଉଁ ଛଟକରେ ସେ ହରଣଚାଲ କରି ନେବ । ଭଜନା କହିଲା, ନଗରନାଉଲୀ ପଣକୁ ତ ସେ ସରି ଥିଲା ହେ ମଦନ ! ଘରଭଙ୍ଗା ପ୍ରକୃତି ତାର ଥିଲା ।

 

ମଦନା କହିଲା, ଯା, ଯା ଭାରି ଭଲ ଲୋକଗୁରାଏ ତୁମେ, ଆଗ ତାକୁ ତୁମେ କହ ବୋଲି ସେ ତମକୁ ଓଲଟି ଜାବାବ ଦିଏ; କିନ୍ତୁ ତା’ କାମଟି କେଡ଼େ ସଫା ସୁତୁରା । ସମସ୍ତଙ୍କୁ ଜଣା, ପର ଦରବରେ ଟିପ ଛୋଇଁବ ନାହିଁ ।

 

ଚଉଧୁରୀ କହିଲେ ବୃଥା ବାକ୍‌ବିତଣ୍ତା କରି ବେଳ କାଟନାରେ, ନେଡ଼ିଗୁଡ଼ କହୁଣିକୁ ବୋହିଗଲେ ତେଣିକି କାହାରି ବଳ ପାଇବ ନାହିଁ । ଭାଗ୍ୟକୁ ଗାଁ ଚଉକିଆ ଡମେଇ ଆଜି ତା’ ସମୁଦିଘରକୁ ଯାଇଛି ନୋହିଲେ ଖବର ଶୁଣି ଚାନ୍ଦ ଦୁଆରେ ଠେଙ୍ଗା ଧରି ଧାଡ଼ି ଦେଇ ବସନ୍ତାଣି । ମଣିଷ ବଞ୍ଚିଥିବା ଯାଏ ତା’ ଉପରେ ଅଦଉତି, ମଲାଠ ଭଲ ମନ୍ଦ ସବୁ ଗଲା । ଉଠ ଉଠ ଆଉ ମଠ ନାହିଁ; ମୁଁ ଏଠି ତୁମର ଖାଇବା ପିଇବାର ବନ୍ଦୋବସ୍ତ କରୁଛି ।

 

ଚଉଧୁରୀ ଭଜନିକୁ ଚାହିଁଲେ, କହିଲେ, ତୁମେ ଯା ଗଉଡ଼ସାହିରେ ଯେତେ ଘର ସବୁଠାରେ ଦୁଧ ଅଟକ କରି ଆସିବ ମୋ ନାମ କହିବ । ଆସିଲା ବେଳକୁ ରତନା କେଉଟ ଘରେ ମାଛ ପାଇଁ କହି ଆସିବ, ନ ମିଳିଲେ ଲଙ୍ଗୁଳି ମଠ ପୋଖରୀରୁ ଦେଖାଯିବ । ଯାଅ ଯାଅ, ମୁଁ ଏଣେ ଅନ୍ୟ ବରାଦ କରୁଛି । ଚଉଧୁରୀ ଭଜନିର ପିଠିରେ ହାତମାରି ତାକୁ ଗଉଡ଼ ସାହିକୁ ପଠାଇ ଦେଲେ ।

 

ଭୋଜନର ବ୍ୟବସ୍ଥା ହେଉଛି ଜାଣି ହଟ ଓ ଦର୍ଶନ ପାଇକଛା ମାରି ବାହାରି ପଡ଼ିଲେ । ବନା ଆଗକୁ ଆସି କହିଲା ଛେଳି ମେଣ୍ଢାଙ୍କର ମଢ଼ କାଢ଼ିବାକୁ ଆମେ ପଛେଇ ନ ଥାଇ, ଚାନ୍ଦ ତ ମଣିଷ, ଆସରେ ବାହାରି ପଡ଼, ଗ୍ରାମରେ ଇଜ୍ଜତ୍ ରହୁ । ଚାନ୍ଦ ମରି ନାହିଁ ଯେ ତରି ଯାଇଛି । ଭଲ ଲୋକଟିଏ ଥିଲା । ଅହିଲା ଓ ତା ଝିଅକୁ ଘରେ ଆଶ୍ରା ଦେଇଥିଲା । ସେଠାରେ ଥିବା ଯାଏ ଅହିଲାର ସ୍ୱଭାବ ଚରିତ୍ର ବିଷୟରେ ପଦେ କେହି କହି ପାରି ନ ଥିଲେ । ସେ ଯାଇ ଧର୍ମାତ୍ମା ପୁରୁଷ ଚଉଧୁରୀଙ୍କ ଘରେ ଆଶ୍ରା ପାଇଲା । ଥିଲା ଯାଏ ତାର ନିନ୍ଦା କେହି କରି ନ ଥିଲେ । ସେ ଗ୍ରାମ ଛାଡ଼ି କୁଆଡେ ପଳାଇଲା । କାହିଁକି ସେ ପଳାଇଲା ସେ ଖବର ଜାଣିବାକୁ କେହି ଚେଷ୍ଟା କଲ ନାହିଁ-। ଚାନ୍ଦ ହୁଏତ ଜାଣିଲା । କି ଦୁଃଖ ତାର ମନରେ ହେଲା କେଜାଣି ସେ ପ୍ରାଣ ହାରିଲା । ତା ଦେହକୁ ପୋଡ଼ିବା ଆସ, ସେ ଆଉ କଥା କହିବ ନାହିଁ; ତା ମରଣରେ କାରଣ ଦିନେ ନା ଦିନେ ଅବଶ୍ୟ ଜାଣିବା ଯେ, ଆସ ।

•••

 

୪୪

 

ଏ ଭିତରେ ଛମାସ ବିତିଗଲାଣି । ସମୟ କାହାରିକୁ ଚାହିଁ ବସେ ନାହିଁ । ସେ ତାର ଅନନ୍ତ ଅକ୍ଷୟ ଅସ୍ତିତ୍ତ୍ୱକୁ ଘେନି ଅନବରତ ପ୍ରବାହିତ ହେଉଥାଏ । କାହିଁ ଧ୍ୱଂସର ଭୈରବୀ ଅନ୍ତରୀକ୍ଷ ମୁଖରିତ କରି, କାହିଁ ବା ସର୍ଜନା ଆନନ୍ଦର ପୁରବୀ ରାଗିଣୀ ମେଲି ।

 

ବୈଶାଖର ଝାଳବୁହା ନିଦଗଡ଼ା ଦିପହର ଧୀରେ ଧୀରେ ଗଡ଼ିଗଲା । ଖରାତାତି କମି ଆସିଲାରୁ ପତିଏ ପାଚିଲା ଗାମୁଛା ମୁଣ୍ଡରେ ପକାଇ ହଳେ କଠଉ ମାଡ଼ି ବାହାରି ପଡ଼ିଲେ । ହାତରେ ଖଣ୍ଡେ କାଗଜ ମୋଡ଼ି ଅତି ସାବଧାନତାର ସହିତ ଧରିଛନ୍ତି । କାଖତଳେ ନାଲି ବଟୁଆ । ଦେହରେ ଚନ୍ଦନ ବୋଳା ହୋଇଛି ।

 

ପତି କଦମ୍ୱଦାଣ୍ଡ ବାଟଦେଇ ଚଉଧୁରୀଙ୍କ ଘରଆଡ଼େ ମୋହିଁ ଥିଲେ, ପଛରୁ ଆଖଡ଼ା ଘରଭିତରୁ ଭଜନି ଡକ ଛାଡ଼ିଲା, ହୋ, ଗୋସେଇଁ ହୋ ।

 

ପତି ଫେରିଆସିଲେ । ଆଖଡ଼ାଘର ଭିତରକୁ ଚାହିଁ ହାତ ଟେକି ମୁଣ୍ଡ ନୁଆଇଁ ହସି ହସି କହିଲେ ସର୍ବାରିଷ୍ଟ ଶାନ୍ତିର୍ଭବତୁ । କ’ଣ କରୁଛରେ ପିଲାମାନେ-?

 

ମଦନା ତାଆସଗୁଡ଼ିକ ସଜାଡ଼ି ହାତରେ ଧରି କହିଲା, ହଳେ ପ୍ରଚକ୍ଷୁର ଯୋଗାଡ଼ କର ଗୋସେଇଁ, ତମକୁ ଚାଳିଶା ଧରିଲାଣି । ଏଠି ଘାସ କଟା ହେଉଛି, କଣ ଦିଶୁ ନାହିଁ ?

 

ପତି ମୁଣ୍ଡ ହଲାଇ ସମ୍ମତି ଜଣାଇ କହିଲେ, ଦିନ ଏପରି ଲମ୍ଵା ହେଲାଣି ଯେ ଖେଳାଖେଳି ନ କଲେ ସହଜରେ ବେଳ କଟିବ ନାହିଁ; ତାଆସ ଖେଳ ଭାରି ଭଲ ନାହିଁ କି ମଦନ-?

 

ଭଜନି ପରିହାସ କରି କହିଲା, ଗୋସାଇଁ, ତୁମେ ଓସ୍ତଗଛ ବାଟେ ଆସିଲ କି ହୋ ?

ନା, ନା, ତୁମେ ଖେଳ ମୋତେ ସେ ସବୁ ଆସେ ନାହିଁ ।

ଆରେ ମୁଁ ପଚାରୁଛି ଓସ୍ତଗଛ ବାଟେ ଆସିଲ କି ? ଭଜନି ବଡ଼ ପାଟି କରି ପଚାରିଲା ।

କାହିଁକି, ମୁଁ ତ ଏବାଟେ ଆସୁଛି ?

 

ସେ କଥା କହ । ପଲେ ସାରଗୁଣା କୁଆଡ଼ୁ ଉଡ଼ିଆସି ଓସ୍ତଗଛ ଉପରେ ବସିଛନ୍ତି ଯେ ! ତୁମ ଦେହରେ ଧଳା ଧଳା କଣ ଦିଶୁଛି, ମୁଁ ସନ୍ଦେହରେ ପଡ଼ିଲି ।

 

ପତିଙ୍କ ଦେହକୁ ଚାହିଁ ସମସ୍ତେ ହୋ ହୋ ହସି ଉଠିଲେ । ଏହି ସମୟରେ ଚଉଧୁରୀ ଆସି ଉପସ୍ଥିତ ହେଲେ । ପତି ତାଙ୍କୁ ଆଗତୁରା କଲ୍ୟାଣ କରି କହିଲେ, ମୁଁ ତ ଠିକ୍‌ ଆସିଥିଲି–

 

ଚଉଧୁରୀ ଖଣ୍ଡେ ନଡ଼ିଆ ଚାଞ୍ଚରା ଟାଣି ଆଣି ଗୋଟିଏ କରରେ ନିଜେ ବସି ଆର ପାଖରେ ବସିବାକୁ ପତିଙ୍କୁ ନିର୍ଦ୍ଦେଶ ଦେଲେ । ବସି ପୁଣି କହିଲେ, ଆପଣଙ୍କ ପାଖକୁ ଆସିଛି ଗୋଟାଏ ବିଷୟ ନେଇ ।

 

ଉଚ୍ଚ ସ୍ୱରରେ ଚଉଧୁରୀ କହିଲେ, ମୋ ଦ୍ୱାରା ଶାଗ ସିଝିବ ନାହିଁ । ମୋଠାରେ ତୁମର କି କାମ ଅଛି ? ଆସ ଆଜି ବାଜିଏ ବସିବା ।

 

ଚଉଧୁରୀ ପଶା ପାଲି କାଖତଳୁ କାଢ଼ି ମଦନା ଆଡ଼କୁ ମୁହଁ ବୁଲାଇ କହିଲେ, ଆରେ, କଣ୍ଠ କାହିଁ ?

 

ମୁଁ ଡକାଇ ପଠାଉଛି । ଯାଆତ ରାଧିଆ, ତାଙ୍କୁ ଡାକିଦେବୁ । ପତି ଚିଠି ଖଣ୍ଡିଏ ଚଉଧୁରୀଙ୍କ ପାଖକୁ ପକାଇ ଦେଇ କହିଲେ, ପଢ଼ନ୍ତୁ ।

 

ଆରେ ରଖ ହୋ, ଆଗ ଦି ବାଜି ବସୁ । ତୁମର ତରକାରୀ କଷ୍ଟ ପଡ଼ିଛି, ବୋଝେ କି ଭାରେ ନେବାର ବ୍ୟବସ୍ଥା କର, ତାପରେ ଦେଖାଯିବ । ଚଉଧୁରୀ ଚିଠିଖଣ୍ଡି ଖୋଲିଲେ, ପୁଣି କହିଲେ, ୟେତ ଗୋଟାଏ ମହାଭାରତ ଦେଖୁଛି–

 

ପତି ମୁହ ଶୁଖାଇ କହିଲେ ଆମ ରଘୁ ଲେଖିଛି । ମୁଁ ବୁଝି ପାରିଲି ନାହିଁ । ରଘୁ ପତିଙ୍କର କନିଆ; କଲିକତାରେ ଗୋଟିଏ ହୋଟେଲ ଖୋଲିଛି । ଆଜିକି ବର୍ଷ ଦୁଇ ହେବ ଘରକୁ ଆସିନାହିଁ । ବେଳେ ବେଳେ ଟଙ୍କାପଇସା ଚିଠିପତ୍ର ଦିଏ । ଚଉଧୁରୀ ଚିଠିଖଣ୍ଡି ମନେ ମନେ ପଢ଼ିଲେ–

 

ଦିନ ପ୍ରାୟ ଦୁଇଟା, ମୁଁ ମୋର ଖାତାପତ୍ର ଧରି ହିସାବ କରୁଛି; ଉପରୁ ମାନେଜର ବାବୁ ଡାକ ପକାଇଲେ । ଖାତାପତ୍ର ଆଲମାରିରେ ବନ୍ଦକରି ଉପରକୁ ଗଲି । ମଧୁ ମହାପାତ୍ରେ ଖଣ୍ଡେ ବହି ପଢ଼ୁଥିଲେ । ମୋତେ ଦେଖି ବହି ଖଣ୍ଡ ଓଲଟାଇ ଟେବୁଲ ଉପରେ ଥୋଇ ପଚାରିଲେ, ଆରେ, ତୁମ ଗାଁର ଶ୍ରୀଧର ସାମଲ କିଏ ?

 

ମୁଁ ଘଡ଼ିଏ ଭାବି କହିଲି, ହଁ ହଁ କଣ ହେଲା କି ?

 

ବଡ଼ ହାସପାତାଳରୁ କିଏ ଜଣେ ଫୋନ କରି କହିଲା-ଗୋଟାଏ ଦୁର୍ଘଟଣାରେ ପଡ଼ି ଶ୍ରୀଧରର ତାଳୁ ଫାଟି ଯାଇଛି । ପିଠିରେ ବି ଜଖମ । ଏ ପ୍ରାୟ ଦଶଟା ବେଳର ଘଟଣା । ଦୁର୍ଘଟଣା ହେଲା ବେଳଠୁଁ ସେ ମୋହ ହୋଇ ପଡ଼ିଥିଲା । ଘଣ୍ଟାଏ ହେଲା ତାର ଚେତା ହୋଇଛି । ଡାକ୍ତରମାନେ ତାକୁ ଜଗି ବସିଛନ୍ତି । ଚେତା ହେଲାବେଳରୁ ସେ ପାଟି ତୁଣ୍ଡ କରି ଗପୁଛି । ଯେତେ ମନା କଲେ ମାନୁନାହିଁ । ତୁମକୁ ସେ ଦେଖିବ ବୋଲି ଖବର ପଠାଇଛି ।

 

ଏ ଖବର ପାଇ ମୁଁ ବ୍ୟସ୍ତ ହୋଇ ଉଠିଲି, ହାତରେ ପନ୍ଦର ଟଙ୍କା ଧରି ଟ୍ରାମ ଚଢ଼ି ହାସପାତାଲକୁ ଗଲି । ସେଠାରେ ପହଞ୍ଚି ଦେଖିଲି ଶିରିଆର ଅବସ୍ଥା ଅତି ଖରାପ । ମୁଣ୍ଡରେ ଚାଖଣ୍ଡେ ଲମ୍ୱର ପଟି ବନ୍ଧା ହୋଇଛି; ହାତ, ପିଠି ଓ ଛାତିରେ ବି ସେହିପରି ପଟି ବନ୍ଧା ହୋଇଛି । ସେ ଜୀବନ ଶୂନ୍ୟ ପିଣ୍ଡପରି ଖଟ ଉପରେ ଆଖିବୁଜି ପଡ଼ିଛି । ତା ପାଖରେ ଦୁଇଟି ଚଉକିରେ ଜଣେ ମେମ୍‌ ଓ ଜଣେ ବଙ୍ଗାଳି ବାବୁ ବସି କଣ କଥା ଭାଷା ହେଉଛନ୍ତି ଇଂରେଜିରେ; ମୋତେ ଦେଖି ସେ ବଙ୍ଗାଳି ବାବୁଟି, ବୋଧହୁଏ ଜଣେ ଡାକ୍ତର, ଧୀରେ ଧୀରେ ପଚାରିଲେ, ଆପଣଙ୍କ ନାମ ରଘୁନାଥ ?

 

ମୁଁ ‘ହଁ’ କହିଲାରୁ, ସେ କହିଲେ, କେସ୍‌ ସାଙ୍ଘାତିକ, ବ୍ରେନ୍‌ ଦେହରେ ଭୟଙ୍କର ଆଘାତ-। ବଞ୍ଚିବାର ଅଳ୍ପ ଆଶା–ଦେଖାଯାଉ, ଆପଣ ଅପେକ୍ଷା କରନ୍ତୁ ।

 

ତାଙ୍କର କଥା ଶୁଣିପାରି ଶିରିଆ ଅସ୍ଥିର ହେଲା । ମୋ ନାମ ଧରି ପାଟିକରି ଉଠିଲା । ମୁଁ ତାର ହାତ ଧରି ଯେତେ ବୁଝାଇବାକୁ ଚେଷ୍ଟା କଲି ସେ ଶୁଣିଲା ନାହିଁ, ପୁଣି ପାଗଳାପରି ବାରଚାଉଳିଆ କଥା ଗପିଲା । ତାର କଥା ଓ କେତେଜଣ ପୁଲିସ୍‌ କନେଷ୍ଟବଲଙ୍କ ଠାରୁ ମୁଁ ଯାହା ବୁଝିଲି ତଳେ ଲେଖିଛି–

 

ଶିରିଆ ଦିନ ନଅଟା ବେଳେ ବଡ଼ବଜାରପାଖ ଗୋଟିଏ ଗଳି ବାଟରେ ଯାଉଥିଲା । ଗଳି ଭିତରୁ ଜଣେ ଲୋକ ବାହାରି ତା ଆଗରେ ଠିଆ ହେଲା । ତାର ଚେହେରା ଦେଖି ଶିରିଆ ଚମକି ଉଠିଲା । ଆଗନ୍ତୁକର ଦେହ ଦୁର୍ବଳ, ମୁଣ୍ଡର ବାଳ ବଢ଼ି ଆଖିଯାଏ ଲୋଟିଛି, ସେଥିରେ କେଜାଣି କେତେ ଦିନ ହେଲା ତେଲ ବାଜିନାହିଁ । ଆଖି ଓ ଗାଲ ଭିତରକୁ ପଶି ପଶି ଯାଇଛି । ପିନ୍ଧିଛି ମଇଳା ଚିରା ଶାଢ଼ୀ, କୁଞ୍ଚକରି ମରଦଙ୍କପରି ପିନ୍ଧିଛି । ଦେହରେ ଚିରା ମଇଳା କାମିଜ୍‌, ବାଁ ହାତ ପାଖୁ ଚିରି ଯାଇଛି, ଛାତି ପକେଟଟା ଚିରି ତଳକୁ ଓହଳିଛି । ହାତରେ ଧରିଛି ଖଣ୍ଡେ ଦି ଫୁଟିଆ ମୋଟା ରୋଳବାଡ଼ି ।

 

ଶିରିଆ ଆଗକୁ ଆସି ସେ ଗର୍ଜନ କରି ପଚାରିଲା, କିରେ, ଚିହ୍ନି ପାରୁଛୁ ? ଶିରିଆ ଚମକି ଉଠିଲା, ଗଳାର ଆବାଜ୍‌ ବାରି ଭଲ କରି ତା ମୁହଁକୁ ଚାହିଁ ତ୍ରସ୍ତ ସ୍ୱରରେ କହିଲା, କିଏ ବିନାଦି, ତୋର ଏ କି ବେଶ ? ମୁଁ ଶୁଣିଥିଲି ତୁ ମରି ଯାଇଛୁ ।

 

ବିନୋଦ କହିଲା, ଆରେ ହଁ, ତୋତେ ସାଙ୍ଗରେ ନେବି ବୋଲି ପୁଣି ଫେରି ଆସିଛି । ବର୍ଷେ ହେଲା ବୁଲୁଥିଲି, ଆଜି ହାବୁଡ଼େ ପଡ଼ିଛୁ । ଅହିଲା ମତୀ ଦିହେଁ ସେ ପୁରରେ ଅନାଇ ବସିଛନ୍ତି । ଆ ଯିବା, ସେ ଶିରିଆର ହାତ ଧରି ଟାଣିଲା ।

 

ଶିରିଆର ଦେହରୁ ସତେ କି ଜୀବନ ଛାଡ଼ିଗଲା । ତାର ପାଟିରୁ କଥା ବାହାରୁ ନାହିଁ । ମଲା ମଣିଷର ଭୂତ କଅଣ ଦିନରେ ଦେଖା ଦେଇ ପାରେ ? ଅସମ୍ଭବ, ନିଶ୍ଚୟ ୟା ଭିତରେ କିଛି ରହସ୍ୟ ଲୁଚି ରହିଛି । ସେ ମନରେ ସାହସ ଆଣି କହିଲା, ବିନାଦି, ତୁ କଅଣ ପାଗଳ ହେଲୁ କି ? ପାଟିରୁ କଥା ଛଡ଼ାଇ ନେଇ ବିନୋଦ କହିଲା, ଆରେ ହଁ, ତୁଇ ମୋତେ ପାଗଳ କରିଛୁ । ତୋରି ରକ୍ତ ପିଇଲେ ମୋର ପାଗଳାମି ଛାଡ଼ିବ ।

 

କହୁ କହୁ ହଠାତ୍‌ ସେ ରୋଳବାଡ଼ି ଟେକି ଶିରିଆର ମୁଣ୍ଡରେ ଜୋର୍‌ରେ ପାହାର ପିଟିଲା । ଶିରିଆ ହତଜ୍ଞାନ ହୋଇ ତଳେ ପଡ଼ିଲା । ବାଧା ଦେବାକୁ ବେଳ ପାଇଲା ନାହିଁ । ତଥାପି ବିନୋଦ ତାକୁ ଛାଡ଼ିଲା ନାହିଁ । ସେ ତାର ଛାତି ଉପରେ ଚଢ଼ି ବସି ମନଇଛା ପ୍ରହାର କଲା । ଲୋକେ ଧାଇଁ ଆସି ଯେତେ ଛଡ଼ାଛଡ଼ି କଲେ, ସେ ଛାଡ଼ିଲା ନାହିଁ । ଯେତେବେଳେ ସେ ବୁଝିଲା ଯେ ଶିରିଆର ଦେହରେ ଆଉ ପ୍ରାଣ ନାହିଁ, ସେ ତାକୁ ଛାଡ଼ି କୁଆଡ଼େ ଚିଲପରି ଛୁଟି ପଳାଇଲା ।

 

ପୁଲିସ ତଦନ୍ତ କରୁଛି, ଖୋଜି ଖୋଜି ଅଦ୍ୟାବଧି ତାକୁ ପାଇ ନାହିଁ । କାଲି ଡାକ୍ତରଖାନାକୁ ପୁଣି ଯାଇଥିଲି । ଶିରିଆର ଅବସ୍ଥା ଦିନୁଦିନ ଅଧିକ ଖରାପ ହେଉଛି । କାଲି ସଞ୍ଜଯାଏ ତାର ଚେତା ହୋଇ ନ ଥିଲା । ଆଜି ଚେତା ହେବା ସଙ୍ଗେ ସଙ୍ଗେ ପୁଣି ଚେତା ବୁଡ଼ିଗଲା-। ମୁଁ ପ୍ରାୟ ଶହେ ଟଙ୍କା ତା’ପିଛା ଖରଚ କଲିଣି । ଏମାସରେ ଘରକୁ ଟଙ୍କା ପଠାଇ ପାରିବି ନାହିଁ ।

 

ଶିରିଆର ସ୍ତ୍ରୀଙ୍କୁ ଡକାଇ ଘଟଣାକୁ ଟିକିଏ ବାଗେଇ କରି କହିବେ । ମାଇପୀ ଲୋକ, ଡରାଇ କହିଲେ ସତେ ତ କିଛି କରି ପାରିବେ ନାହିଁ, ବୃଥା ହନ୍ତସନ୍ତ ହେବ । ବିନୋଦ କଥା ଶୁଣି ମୋତେ କାବା କାବା ଲାଗୁଛି, ସେ ମରିଥିଲା ବୋଲି ଆପଣ ମୋତେ ଲେଖିଥିଲେ ପୁଣି ଏ କଅଣ ହେଲା ? ଅହିଲା ଓ ମତୀର କିଛି ଖବର ମିଳିଲା କି ନାହିଁ ଲେଖିବେ । ଚାନ୍ଦର ମଲା ଖବର ଶୁଣି ଦୁଃଖିତ ହେଲି । ଚଉଧୁରୀଙ୍କୁ ଏ ଚିଠିଟି ଦେଖାଇବେ । ଗରିବର ଦୁଃଖ ଶୁଣିଲେ ତାଙ୍କ ଆଖିରୁ ଲୁହ ଝରେ । ସେ ଏ ଘଟଣାର ତଥ୍ୟ ବାହାର କରି ପାରିବେ ।

 

ଚିଠି ଖଣ୍ଡି ପଢ଼ି ଚଉଧୁରୀ ଥକ୍‌କା ହୋଇ ବସି ପଡ଼ିଲେ । ଘଡ଼ିଏ କାଳ କଣ ଭାବିବାକୁ ଲାଗିଲେ । ମୁହଁ କଳାକାଠ ପଡ଼ିଗଲା । କଥାଟା ଯଦି ଧରାପଡ଼ିଯାଏ ତାଙ୍କର ସୁନାମ ଏକାଥରେ ମାଟି ହୋଇଯିବ । ଲୋକେ ତାଙ୍କୁ ଘୃଣା କରିବେ, ହାଟରେ ତାଙ୍କ ନାମରେ ବାର କଥା କହି ଦୁର୍ନାମ କରି ଛି ଛା କରିବେ । ଉପାୟ କଣ ? ଭୟରେ ଚଉଧୁରୀଙ୍କର ଟାଣ ଛାତି ପାଣି ଫାଟି ଆସିଲା । ସେ ମନେ ମନେ ଗାଁ-ମଙ୍ଗଳାଙ୍କୁ ସ୍ମରଣ କଲେ । ବାଇଦ ବାଜଣା କରି ଯନ୍ତାଳ କରିବେ ବୋଲି ମାନସିକ କଲେ–ଦୀର୍ଘଶ୍ୱାସ ଛାଡ଼ିଲେ । ଠାକୁର ସଭିଙ୍କର, ଚୋରର ହୋଇ ତାକୁ ଚୋରି କରିବାରେ ସାହାଯ୍ୟ କରନ୍ତି, ବାଟ ଦେଖାଇ ଦିଅନ୍ତି, ପୁଣି ଗରିବ ନିଃସହାୟର ହୋଇ ତା ପାଖକୁ ଆସି ତାକୁ ଘଣ୍ଟ ଘୋଡ଼ାଇ ରଖନ୍ତି–ଯେତେବେଳେ ତାଙ୍କୁ ଯେପରି ସୁବିଧା ହୁଏ । ସବୁ ତ ବୁଦ୍ଧିର ଖେଳ ହେଲେ, ଖର୍ପରଭଞ୍ଜନ ଯିଏ, ଧନୁ ଧରାଇବ ସିଏ ।

 

ଯେତେବଡ଼ ବିପଦ ଆସୁ ଚଉଧୁରୀ ଆତ୍ମସମର୍ପଣ କରି ପଛାଇବେ ନାହିଁ । ବୁଡ଼ି ବୁଡ଼ି ନିଜର ହୁସିଆରିରେ ନିଜେ ପାଣି ପିଇଲେ ହରବ୍ରହ୍ମା ଜାଣି ପାରିବେ ନାହିଁ; ଚଉଧୁରୀ ଚିଠିଖଣ୍ଡି ତଳେ ରଖି କପାଳରୁ ଝାଳ ପୋଛିଲେ । ମୁହଁ ଉପରକୁ ପୂର୍ବ ଭାବ ଫେରାଇ ଆଣି, ବିସ୍ମିତ ହେଲାପରି ବଡ଼ ପାଟିରେ କହିଲେ–ଦୁନିଆରେ ଏବେ ଆଶ୍ଚର୍ଯ୍ୟ କେଉଁ କଥାଟା ଅଛି କି, ଏଇଟା ଆଶ୍ଚର୍ଯ୍ୟ ଲାଗିବ ? କାଲି ଚିଠି ଆସିଥିଲା । ଗାଁଲୋକେ ସମସ୍ତେ ଦେଖିଛ, ସମନ୍ତେ ପଢ଼ିଛ, ଯେ ବିନୋଦିଆ ମଲାଣି । ଆଜି ଚିଠି ଆସିଛି, ବିନୋଦିଆ ଶିରିଆ ପାଣର ତାଳୁ ପିଟି ଫେରାର ହୋଉଛି । ଏଥିରୁ କେଉଁଟା ସତ କେଉଁଟା ମିଛ କିଏ କହିବ ? ସେଥିପାଇଁ ଆମ ବାପ ଅଜା କହି ଯାଇଛନ୍ତି, ‘ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ’ । ଆମେ ସିନା ବେଶି ବୁଦ୍ଧିଆ ହୋଇ ମାନୁନୁ, ନୋହିଲେ କଥାଟି ପୁରା ଖାଣ୍ଟି ।

 

ତେବେ କଅଣ କରିବାକୁ କହୁଛନ୍ତି ଆପଣ ?

 

ଆଚ୍ଛା ଲୋକ ତୁମେ ପତି, କେଉଁଠି କଣ ଘଟିଲା, କିଏ ମଲା କି ହଜିଲା, କିଏ ମାଡ଼ ଖାଇ ଡାକ୍ତରଖାନାରେ ପଡ଼ିଲା ସେଥିପାଇଁ ମୁଁ କଣ କରିବି ? ଚିଠି ଖଣ୍ଡେ ତ ପାଇଲ, ପଢ଼ । ଯଦି ବିଶ୍ୱାସ ହୁଏ, ସେହି ମୁତାବକ କାମ କରି ଚାଲିଯିବ; ନୋହିଲେ ତୁନି ରହ । ଏଥିରେ ବାରଲୋକଙ୍କର ପରାମର୍ଶ ନେଇ ବୁଝି ବିଚାରି କିଛି କାର୍ଯ୍ୟ କରିବାର କଥା ନାହିଁ । ଯା, ଶିରିଆର ସ୍ତ୍ରୀଙ୍କୁ ଏ ଖବର କହିଦିଅ । ଆଜି ତାଆର କିଛି ଭଲ ମନ୍ଦ ହୋଇପାରେ । ତା ପିଲାଏ ଆଗରୁ ଜାଣି ଥାଆନ୍ତୁ । ଯାହା ଘଟିଛି ସତ ସତ କଥା ତାକୁ କହିଦେଲେ ତୁମର ଦାୟିତ୍ୱ କଟିବ ।

 

ପତି ପଚାରିଲେ, ବିନୋଦିଆ ମରି ଯାଇଥିଲା ବୋଲି ଆପଣ କହୁଥିଲେ ?

 

ଚଉଧୁରୀ ବିରକ୍ତ ହୋଇ ଉତ୍ତର ଦେଲେ, ଆରେ ଆଚ୍ଛା ଲୋକ ତ ତୁମେ; କିହୋ, ବିନୋଦ ମଲା ବୋଲି ତୁମ କାନରେ ମୁଁ କହିଥିଲି ? ତୁମକୁ ଆଜି ଯେପରି ରଘୁଆ ଚିଠି ଲେଖିଛି, ତୁମେ ଆସି ମୋ ଆଗରେ ପଢ଼ୁଛ, ସେହିପରି ମୋ ପାଖକୁ ଗୋଟାଏ କିଏ ଚିଠି ଲେଖିଥିଲା; ମୁଁ ସେଇଟା ଗ୍ରାମବାସୀଙ୍କ ଆଗରେ ପଢ଼ି ଦେଇଥିଲି ।

 

ପତି କହିଲେ, ଆପଣ ବିରକ୍ତ ହେଉଛନ୍ତି କାହିଁକି ? ବିନୋଦ ମଲା କି ହଜିଲା କି ତାଆର କଣ ହେଲା, ସେଥିରୁ ମୋତେ କଣ ମିଳିବ ? ମୋ କହିବାର କଥା, ଲୋକେ ପର ନାମରେ ମିଛରେ ଏପରି ଖବର ରଟାଇ ପାରନ୍ତି । ଖଣ୍ଡେ ଚିଠିପାଇଁ ଗୋଟିଏ ଗରିବର କୁଟୁମ୍ୱ ଛତରରେ ପଶିଲେ । ସଂସାରରୁ ସତ୍ୟ ଧର୍ମ ଏକାଥରେ ଲୁଚିଗଲା । ବିନୋଦ ଉପରେ ଅଦଉତି ସାଧିବାକୁ ଯେଉଁ ନିଷ୍ଠୁର ଏପରି ଅଧର୍ମ କାମ କରିଛି, ଠାକୁରେ ତାର ପରାଭବ ତାକୁ ଦେବେ ଯେ-!

 

ଚଉଧୁରୀ ମୁଣ୍ଡ ହଲାଇ ଉଚ୍ଚ ସ୍ୱରରେ କହିଲେ, ନିଶ୍ଚୟ ଠାକୁରେ ତ ଦୂରର କଥା,ଆଜି ଯଦି ସେ ମୋ ହାବୁଡରେ ପଡ଼ନ୍ତା ମୁଁ ତାର ଛାତି ଚିରି ରକ୍ତ ପିଅନ୍ତି । ଓହୋ, କେତେ ବଡ଼ କଥା ସେ ନ କଲା ? ଚଉଧୁରୀ ମୁଣ୍ଡରେ ହାତ ରଖି ତଳକୁ ମୁହଁ ପୋତି ବସିଲେ ।

 

ଛଅଟି ବର୍ଷ ଅତୀତ ହେଲାଣି । ଘଟଣାଚକ୍ରର ଘୂର୍ଣ୍ଣନରେ ପଡ଼ି ଛଳନାମୟୀ ଆଶାର ସଙ୍କେତରେ ଚାଳିତ ହୋଇ ଅହିଲା ତାର ଜଞ୍ଜାଳମୟ ଜୀବନପଥରେ ଖଣ୍ଡେଦୂର ଆଗେଇ ଆସିଲା । ତାର ମନର କୌଣସି ଆଶା କେବେ ଫଳବତୀ ହୋଇ ପାରିଲା ନାହିଁ । ଆଶାର ଅଜଣା ଅନିଶ୍ଚିତ ପଥରେ ଧାଇଁ ଭାଗ୍ୟର ବିଦ୍ରୂପ, କର୍ମର ନିଷ୍‌ଫଳତା ଓ ସମାଜର ଝଡ଼ତୋଫାନ ସହି ସେ ହତାଶ ହୋଇ ନିଜ ଜୀବନର ସବୁ ସୁଖ ଆଶା ଭୁଲି ଥରେ ତାର ସ୍ନେହର ସଙ୍ଖାଳୀ ମତୀ ଆଡ଼କୁ ଚାହିଁଲା ଲୁହଭରା ଆଖିରେ । ତା ଜୀବନରେ ସବୁ ଆଶା ଭରସା ସୁଖ ଶାନ୍ତି ପୋଡ଼ି ଜଳି ଯାଉ ପଛେ, ମତୀଟିର ଭବିଷ୍ୟତ୍‌ ଜୀବନ ଜଞ୍ଜାଳମୟ ନ ହେଉ; କିନ୍ତୁ ସେଥିକି ତାର କି ଚାରା ଅଛି ? କେବଳ ସେହି ମତୀଟିକୁ ବଞ୍ଚାଇ ରଖି ମଣିଷ କରିବାପାଇଁ ଜୀବନରେ ସେ କେତେ ଦୁଃଖ, କେତେ ନିର୍ଯ୍ୟାତନା ସହିଛି । କେତେ ଘର ବୁଲିଛି ! କାହିଁ କେଉଁଠି ତ ତାକୁ ଠାବ ମିଳିଲା ନାହିଁ । କେହି ତାର ପ୍ରାଣର ବ୍ୟଥା, ମନର କଥା ବୁଝିବାକୁ ଚେଷ୍ଟା କରି ସହାନୁଭୂତି ଦେଖାଇ ଆହା ବୋଲି ପଦେ କହିଲା ନାହିଁ ।

 

ଏଡ଼େ ସ୍ୱାର୍ଥପର ଏ ଦୁନିଆର ଲୋକେ । ସ୍ୱାର୍ଥରେ ବାଧା ପଡ଼ିଲେ, କିଛି ନ ବୁଝି ନ ପଚାରି ବାଟ ଆଗରୁ ପ୍ରତିବନ୍ଧକକୁ ହଟାଇ ଦେବାକୁ ପଛାନ୍ତି ନାହିଁ । କାହିଁ ସତକୁ ସତ କହି ସେ ବିପଦରେ ପଡ଼ିଛି, କାହିଁ ପ୍ରଭୁର ରୂପଲାଳସାର ପ୍ରଳୟ-ନିଆଁ ହାଉ ହାଉ ହୋଇ ଜଳି ଉଠିଲାବେଳେ ସେ ଅକଳରେ ପଡ଼ି ନିଜକୁ ଆହୁତି ଦେଇଛି ଅବା ଅପସରି ଆସିଛି ।

 

ପର ଘରେ ଆଶ୍ରୟ ନେଇ ସେ କେଉଁଠି ଜନସମାଜରେ ପରିଚିତ ହୋଇଛି ଅସତୀ, ଚୋରଣୀ, ଡାଆଣୀ ବୋଲି । ଯେଉଁ ଷଠୀ ଠାକୁରାଣୀ ତା ଦେହରେ ସୁନା ରୂପା ମିଶା ପାଣି ବୋଳି ମୁହଁକୁ ଦେହକୁ ସୁଠାମ କରି ଗରିବ ଘରେ ଜନମ ଦେଲା, ଯିଏ ତାର ବାପ ମାଆକୁ ଖାଇ ପାଣିରେ ଭସାଇ ଚଉଧୁରୀଙ୍କ ଗାଆଁରେ ଲଗାଇଲା, ଯେଉଁ ନିଷ୍ଠୁର ଦେବତା ତାକୁ ନେଇ ନିର୍ଦ୍ଦୟ ବିନୋଦ ହାତରେ ଛନ୍ଦିଲା, ଯିଏ ପୁଣି ତାର ଜୀବନ ସର୍ବସ୍ୱକୁ ସେ ପୁରକୁ ଟାଣିନେଲା, ସେମାନଙ୍କ ଉପରେ ସେ ଅଭିମାନ କରେ । ଚନ୍ଦ୍ରମାଙ୍କୁ ସେ ଅଭିଶାପ ଦିଏ, ତୁମେ ମାଆ-ପଣିଆ ଦେଖାଇ ମୋ ମନରେ ଚଉଧୁରୀଙ୍କ ପ୍ରତି ଘୃଣାଭାବ ଜଗାଇଲ । ପାପ ଓ ମହତପଣକୁ ଡରି ମୋତେ ତୁମ ଘରୁ ପଦାକୁ କାଢ଼ିଲ । ଚଉଧୁରୀଙ୍କୁ ସେ ନିନ୍ଦା କରେ । ନିଜକୁ ସେ ଧିକ୍‌କାର କରେ, ମୁଇଁ ଚଣ୍ତାଳୁଣୀ ତୁମର ମହତପଣକୁ ବୁଝିଲି ନାହିଁ, ତେଣୁ ଘରୁ ଗୋଡ଼ କାଢ଼ି ଛତରରେ ପଶିଲି, ବାର ହୀନିଅବସ୍ଥା ହେଲି । ପେଟକୁ ନାହିଁ, ଦେହକୁ ନାହିଁ, ପିଲାଟା ଖାଇବାକୁ ନ ପାଇ ଦରମଲା ହେଲାଣି, କଣ୍ଟା ଦୋହଲିଲାଣି, କେବେ କେଉଁଠି ଟଳି ପଡ଼ିବ । ମୁଁ ବି, ମୋ ପରି ଚଣ୍ତାଳୁଣୀ ବିଧବାର ସତୀପଣିଆଁ ଟାଣରୁ କି ଲାଭ ମିଳିବ । ସେମାନେ ସମସ୍ତେ ତୁମରିପରିକା ମ ଚଉଧୁରୀ, ଯେଉଁଠି ଆଶ୍ରା ନେଲି ସେମାନେ ଘର ଘରଣୀଙ୍କୁ ଛି କରି ମୋ ଆଡ଼କୁ ଅନାଇଲେ । ଟିକିଏ ହସିଲେ ଚୁଟି ଧରି ଘରୁ ଘରଣୀମାନେ ତଡ଼ିଲେ । ମୁହଁ ଶୁଖାଇଲେ ପିଠିରେ ଲାତ ମାରି ନିକାଲିଲେ ଗୃହସ୍ଥ । ଯେଉଁ ଡାଳ ଧରିଲି ସେ ଡାଳ ଭାଙ୍ଗିଲା । ସେ ଜାଣେ ସେ କଣ ଆଉ ଯେଉଁମାନେ ତାର ଅପବାଦ ଦେଇ ତାକୁ ଗୃହରୁ ନିଷ୍କାସନ କରନ୍ତି ସେମାନେ କଣ । ଆଖି ଯାହା ଦେଖିଛି, ସମୟ ଅବସ୍ଥା ତାକୁ ଯେଉଁ ଅନୁଭୂତି ଦେଇ ଯାଇଛି, ତୁଣ୍ତ ଖୋଲି କହିବାକୁ ତାର ସାହସ ହୁଏ ନାହିଁ । କହିଲେ ଦୁନିଆ କହିବ ପାଗଳୀ, ମିଛେଇ । ଜାଣୁ ଜାଣୁ କିଏ ଯୁଧିଷ୍ଠିରମାନଙ୍କୁ ମିଥ୍ୟାବାଦୀ ଅଧର୍ମୀ ବୋଲି ବିଶ୍ୱାସ କରିବ ? କିଏ ବିଶ୍ୱାସ କରିବ ଯେ କର୍ଣ୍ଣମାନେ ବି ପଟିମାରନ୍ତି, ଚୋରି କରନ୍ତି । ଅନ୍ୟାୟ ଅର୍ଜିତ ଧନରୁ କାଣିଚାଏ ଦାନ କରି ଡିଣ୍ତିମ ବଜାଇ ଲୋକ ମୁଖରେ ମହାଦାନୀ ବୋଲି ନିଜକୁ ପରିଚିତ କରାନ୍ତି ? ଆଖିରେ ଦେଖିଲେ ବି ବିଶ୍ୱାସ କରିବେ ନାହିଁ ଯେ, ବ୍ରହ୍ମଚାରୀ ବୋଲାଉଥିବା କେତେ ଶୁକ ମୁନି ଗେରୁଆ ଲୁଗା ପିନ୍ଧି ଦେହରେ ପାଉଁଶ ବୋଳିହୋଇ ସମ୍ମାନ ରୋଜଗାର କଲେ ବି, କେତେ ସୀତା ସାବିତ୍ରୀଙ୍କୁ ଘରୁ କାଢ଼ି ବାଟରେ ଛାଡ଼ିଛନ୍ତି ।

 

ଅହିଲାର ସାହସ ନାହିଁ ଯେ, ସେ ଯୁଧିଷ୍ଠିର, କର୍ଣ୍ଣ ଓ ଶୂକମାନଙ୍କର ଅପକୀର୍ତ୍ତି ଗାଇ ପରିତ୍ରାଣ ପାଇବ । ଆଜିକାର ଦୁନିଆଁ ମୁହଁକୁ ଅନାଇ, ପାଟିର କଥା ଶୁଣି ଭାସି ଭାସି ଚାଲିଯାଉଛି-। ଅହିଲା ତ ଗୋଟିଏ ଭିଖାରୁଣୀ, କଟକ ସହରର ଦାଣ୍ତେ ଦାଣ୍ତେ ବୁଲେ । ବାବୁଭୟାଙ୍କ ଆଗରେ ହାତ ପାତି ପଇସାଏ ଅଧଲାଏ ଭିକ୍ଷା କରେ । କେହି ଦେଲେ ଦିଏ, କେହି ବିରକ୍ତ ହୋଇ ମୁହଁ ଛିଞ୍ଚାଡ଼ି ମନା କରିଦିଏ । ପିଲାଟିର ହାତ ଧରି ଅହିଲା ଯାଏ ଆର ଦ୍ୱାରକୁ କି ଚାଲିଯାଉଥିବା ଆର ବାବୁଟି ପାଖକୁ, ଯିଏ ନ ଜାଣିଲା ପରି ଜାଣି ଜାଣି ତା ଦେହ ଓ ମୁହଁକୁ ବାଙ୍କ ଚାହାଣୀରେ ଅଣ୍ତାଳି ଯାଉଛନ୍ତି । ସେଇ ଦେଲେ ପଇସାଟିଏ ଦେଇ ପାରନ୍ତି ।

 

ଅହିଲାପରି କେତେ ଜୀବନ୍ତ ଇତିହାସ କେତେ ଉପନ୍ୟାସ ଦ୍ୱାର ଦ୍ୱାର ବୁଲି ଜୀବନର ପ୍ରାଣସ୍ପର୍ଶୀ କରୁଣ କାହାଣୀ, ଅସରନ୍ତି ବ୍ୟଥା ଛାତିତଳେ ଚପାଇ ପଇସାଟିଏ ପାଇଁ ହାତ ପାତୁଛନ୍ତି-। ସେମାନଙ୍କ ଜୀବନର କରୁଣ କାହାଣୀ ବୁଝିବାକୁ କାହାରି ମନ ଡାକୁ ନାହିଁ । ସେମାନଙ୍କର ଅତୀତ ଜୀବନର ଇତିହାସର ପ୍ରତ୍ୟେକ ପୃଷ୍ଠା ହୃଦୟର ଶୋଣିତ ଦେଇ ଲେଖା ହୋଇଛି, ଏହା କେହି ବୁଝନ୍ତି ନାହିଁ । ଧୀରେ ଧୀରେ ସେସବୁ ଜରାଜୀର୍ଣ୍ଣ ହୋଇ ସମାଧିଗ୍ରସ୍ତ ହୁଏ । ସେହି ଅଜଣା ସମାଧିର ଅଦେଖା ଦ୍ୱାର ଖୋଲି ଭିତରକୁ ଚାହିଁବାକୁ କେହି ମନ ବଳାଏ ନାହିଁ ।

Image